Loading...

Shri Sunil Kumar Prushty

ସନ୍ୟାସୀର ସ୍ବର
ସୁନୀଲ କୁମାର ପୃଷ୍ଟି

ଆଦ୍ୟ ଶୀତର ପହଲି ପରଶ ପାଇଥାଏ ରାୟଗଡ଼ା ସହର୤ ୧୯୮୨ ମସିହା- ଅକ୍ଟୋବର ମାସ୤ ଆମେ ସବୁ ମସଗୁଲ୍ ଥାଉ ପୂଜା-ପତ୍ରିକା ମାନଙ୍କରେ୤ ମୁଁ ଓ ମୋର ସାହିତ୍ୟିକ ବନ୍ଧୁମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଥାଏ ସେ ବର୍ଷ ପୂଜାସଂଖ୍ୟାରେ ପ୍ରକାଶିତ ମନୋଜ ଦାସଙ୍କ ଗଳ୍ପ୤ ଆମେ ଚର୍ଚ୍ଚା କରୁ ଓ ବିଭୋର ହେଉ ଗଳ୍ପର ପ୍ରତ୍ୟେକଟି ଧାଡିରେ୤ ଆମ ଭିତରେ ସ୍ବପ୍ନପ୍ରାୟ ଏକ ଆକାଂକ୍ଷା ଚହଲେ, ଥରେ ଭେଟ ହୁଅନ୍ତା କି ‘ସାରୁ ଗଛ ମୂଳେ..’(ସେ ବର୍ଷ ‘ଆସନ୍ତାକାଲି’ରେ ପ୍ରକାଶିତ ମନୋଜ ଦାସଙ୍କ ଗଳ୍ପ)ର ଗାଳ୍ପିକଙ୍କ ସହ୤ ଏପରି ଏକ ସ୍ବପ୍ନ ସତ ହେଲା ଯେତେବେଳେ ମନୋଜ ଦାସ ରାୟଗଡା ଆସିଲେ, ସେ ବର୍ଷ ନଭେମ୍ବର ମାସରେ୤

ସେ’ ରହୁଥାନ୍ତି ରାୟଗଡାସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲ ପରିସରରେ୤ ପୂର୍ବ ସଂଧ୍ୟାରେ ତାଙ୍କ ଯାଦୁକାରୀ ଭାଷଣରେ ତନ୍ଦ୍ରା ତୁଟି ନଥିଲା ମନରୁ ଓ ଆମେ (ମୁଁ ଓ ମୋର ବନ୍ଧୁ ସତ୍ୟବାଦୀ, ଘନଶ୍ୟାମ ଓ କେଦାର) ତାଙ୍କୁ ଭେଟିବାକୁ ଗଲୁ ସକାଳର ଶୀତ ଓ କଅଁଳ କିରଣରେ୤ ସମୟ ପ୍ରାୟ ଆଠଟା ବେଳକୁ ସେ ଆମକୁ ଦେଇଥିବା କଥା ଅନୁସାରେ ଅପେକ୍ଷା କରିଥାନ୍ତି୤ ଏକମାତ୍ର ପ୍ରିୟ ଗାଳ୍ପିକଙ୍କୁ ପାଖରେ ପାଇବାର ସେ ଦିନର ମହାର୍ଘ ଆନନ୍ଦ ଆଜିଯାଏ ତୁଟିନାହିଁ ମନରୁ ! ସେଦିନ କେତେ କଥା ହେଇଛୁ; ସବୁ ମନେ ଅଛି୤ ଏକ ଦୀର୍ଘ ସାକ୍ଷାତକାର – ତାଙ୍କ ଗଳ୍ପ ଲିଖନଠାରୁ – ଶ୍ରୀ ଅରବିନ୍ଦ ଆଶ୍ରମକୁ ଚାଲିଯିବାର ଅନୁଭୂତି ଯାଏଁ୤ ( ଏକ କ୍ୟାସେଟ୍‌ରେ ଗଚ୍ଛିତ ତାଙ୍କ ସହ ସେହି ବିରଳ ସାକ୍ଷାତର ଅଂଶ ପରବର୍ତ୍ତୀ ସମୟରେ ‘ନବଲିପି’ ସଂପାଦନା କାଳରେ ‘ପ୍ରେମଦେଇ ସବୁ ଗପ ଲେଖିଛି’ ଶୀର୍ଷକରେ ପ୍ରକାଶିତ ହେଲା୤)

ସେଦିନର ସେଇ ପ୍ରଥମ ଦେଖା, ପ୍ରଥମ ସାକ୍ଷାତ, କଥାବାର୍ତ୍ତା, ତାଙ୍କର ଓଜସ୍ବିନୀ ବକ୍ତବ୍ୟର ପ୍ରଭାବ ବହୁ ବର୍ଷଯାଏଁ ମନରେ ରହିଲା୤ ସେ ବର୍ଷ ମୁଁ ଥାଏ ସ୍ନାତକୋତ୍ତର ଶ୍ରେଣୀର ଶେଷବର୍ଷର ଛାତ୍ର, ଅଥଚ ତାଙ୍କୁ ପଚାରିଥିଲି – ‘ପାଠ ଛାଡି ପଣ୍ଡିଚେରୀ ଚାଲିଯିବାକୁ ଚାହେଁ- ହେବକି?’ ସେ ହସିଲେ ଓ କହିଲେ – ‘ଏବେ ସମ୍ଭବ ନୁହେଁ୤’

ଏତିକିରେ ସରିଗଲା ସେଦିନର ପ୍ରଥମ ସାକ୍ଷାତ୤ ତାପରେ ମୁଁ ରହିଗଲି ସାହିତ୍ୟ, ସଂସାର, ସାଙ୍ଗ ସାଥିର ଗହଳି ଭିତରେ୤ କିନ୍ତୁ ମନରେ ଥାନ୍ତି ମନୋଜ ଦାସ, ତାଙ୍କ ଗଳ୍ପ ପାଇଁ୤ ପଢେ, ପତ୍ର ଲେଖେ ଓ ପତ୍ରିକା (ନବଲିପି) ସଂପାଦନ ସମୟରେ ଯୋଗାଯୋଗ କରେ୤

ସେପରି ଏକ ଯୋଗାଯୋଗ କେବଳ ପାଠକ-ଲେଖକର ସ୍ବାଭାବିକ ସଂପର୍କର କଥା୤

କିନ୍ତୁ ଆଜି ଏକଥା କାଗଜ ଉପରେ ଲେଖିଦେଲା ବେଳେ ଭାବୁଛି, ମୁଁ ସେହି ଭାଗ୍ୟବାନ ମାନଙ୍କ ମଧ୍ୟରୁ ଜଣେ-ଯେ କି ମନୋଜ ଦା’ଙ୍କର କରୁଣା ଓ ସାନ୍ନିଧ୍ୟର ଅବିସ୍ମରଣୀୟ ଅଂଶ୤ ଏହାକୁ ମୋର ବନ୍ଧୁମାନେ କହନ୍ତି : ‘ଏହା ତୁମର ପ୍ରାରବ୍ଧ୤’

(୨)

ଅଧ୍ୟାପକ ଚାକିରୀ ଛାଡି ଦେଇଥାଏ୤ ୧୯୯୬ର ଖରାଦିନ୤ ପ୍ରଚଣ୍ଡ ଗରମ ହେଉଥାଏ୤ ଧଳାପଥର ପଲ୍ଲୀ ଗ୍ରାମରେ ରହୁଥିବା ପତ୍ନୀଙ୍କ ଘର ବାହାରେ ଖଟ ପକାଇ ଶୋଇଥାଏ୤ ଜୁନ୍ ମାସର ଗ୍ରୀଷ୍ମ ଭୋର୍୤ ଏକ ଅଲୌକିକ ସ୍ବପ୍ନ ଦେଖି ନିଦ ଭାଙ୍ଗିଗଲା୤ ଉଠି ବସିଲି ଓ ମନେହେଲା, ‘‘ମୋର ସବୁ ଯାତନାର ଅନ୍ତ ହେବାକୁ ଯାଉଛି୤’’ କାହାକୁ କିଛି ନକହି ନୀରବ ରହିଲି୤

କିଛି ଦିନ ବିତିଗଲା୤ ହାତରେ ଚାକିରୀ ନଥିବାରୁ ମନ ଏତେ ଭଲ ନଥାଏ୤ ଭାରତ ସରକାରଙ୍କ ଫେଲୋସିପ୍ (କବିତା ପାଇଁ) କାମ କରୁଥାଏ୤ ସେ ସମୟରେ ମାନ୍ଦ୍ରାଜରୁ ପ୍ରକାଶିତ ‘ସଚିତ୍ର ବିଜୟା’ରେ ଲେଖାଲେଖି କରି କିଛି ପଇସା ପାଉଥାଏ୤ କ’ଣ ପାଇଁ ମନ ଦୁଃଖ ରହୁଥାଏ୤ ପୁଣି ସେ ମାସର ଏକ ଗ୍ରୀଷ୍ମ ଭୋର୍୤ ପୁଣି ଥରେ ଏକ ଅଦ୍ଭୂତ ଅନିନ୍ଦ୍ୟ ସ୍ବପ୍ନ ଦେଖିଲି୤ ନିଦ ଭାଙ୍ଗିଗଲା୤ ମନେ ହେଲା: ମୋର ଯାତନାର ଅନ୍ତ ହେଲା୤ କାହାକୁ କିଛି କହିନାହିଁ୤ କିଛି ଦିନଧରି ସେଇ ଦୁଇ ସୁନ୍ଦର ସ୍ବପ୍ନରେ ସମୟ କଟିଯାଉଥାଏ୤ ହଠାତ୍ ମାନ୍ଦ୍ରାଜରୁ ଅଭୟ ବାବୁ ଟେଲିଗ୍ରାମ କରି ମତେ ଡକାଇଲେ – ‘ସଚିତ୍ର ବିଜୟା’ରେ ଯୋଗଦେବା ପାଇଁ୤ କିଛି ଦିନପରେ ଅଭୟ ସିଂହଙ୍କ ସହ ମାନ୍ଦ୍ରାଜରେ ପହଞ୍ଚିଲି୤ ‘ସଚିତ୍ର ବିଜୟା’ର ପ୍ରକାଶକ ମହାଶୟ ଶ୍ରୀ ବିଶ୍ବନାଥ ରେଡ୍ଡୀଙ୍କ କୋଠରୀରେ ବସି କଥା ହେଉଚୁ, ହଠାତ୍ ଫୋନ୍ ପାଖକୁ ଉଠିଗଲେ ବିଶ୍ବମ୍‌ଜୀ୤ ଫୋନ୍ ଲଗେଇ ପଣ୍ଡିଚେରୀ କଥା ହେଲେ, ମନୋଜ ଦା’ଙ୍କ ସହ୤ ତାପରେ ମୋତେ ଡାକି ଫୋନର ରିସିଭରଟି ବଢେଇଦେଲେ ସେ୤ ଏପଟେ ମୁଁ- ସେପଟେ ମୋର ସ୍ମୃତି ତଳେ ଥିବା ମହାନ୍ କଥାକାର ମନୋଜ ଦାସ୤ ମୁଁ ପ୍ରଣାମ କରନ୍ତେ, ଏକ ଅନିନ୍ଦ୍ୟ ଆନନ୍ଦର ସନ୍ୟାସୀ-ସ୍ବର ଭାଷି ଆସିଲା – “Welcome to Pondicherry”.

ଏତିକି ମୋର ମନେ ଅଛି ସେଦିନର ଟେଲିଫୋନରେ ମନୋଜ ଦା’ଙ୍କ କଥା୤ କିନ୍ତୁ ଏବେ ବି ଭାବେ-କାହାର ସେ ସ୍ବର? ଏତେ ନିର୍ଭରଯୋଗ୍ୟ, ଯୋଗୀ ଜୀବନର ଏକ ଝଲକ ଯେପରି ଉଦ୍‌ଭାସିତ ମୋ ଆଗରେ୤ ଦୃଶ୍ୟ ଦିଶେ ଏହିପରି : ଅବିଶ୍ରାନ୍ତ ପର୍ବତମାଳା୤ ଆକାଶରେ ମେଘର ପାଚେରୀ ୤ ତାକୁ ଭେଦକରି ଏକ ପ୍ରେମମୟ ଡାକରା ଭାସିଆସି ଭେଦ କଲା ଭୂମି୤ ପର୍ବତମାଳା ପାଲଟିଗଲା ନୀଳବର୍ଣ୍ଣ୤ ଜୀବନର ସବୁ ଯାତନାର ଶେଷ ହେଲା୤ ସେଇ ଅନିର୍ବଚନୀୟ ଅନୁଭବ-ମନୋଜ ଦା’୤

(୩)

ଦିନଟିଏ ପରେ ପଣ୍ଡିଚେରୀ ଗଲି୤ ଦିବ୍ୟଭୂମି୤ ମୋର ଅନେକ ସ୍ତୁପୀକୃତ ଆକାଂକ୍ଷାର ଅନ୍ତ ହେଲା୤ ଏଇଠି ପହଞ୍ଚିବାର ଅଭୀପ୍‌ସା ଓ ଅନେକ ଦିନର ସ୍ବପ୍ନ ସତ୍ୟ ହେଲା୤ ମନୋଜ ଦା’ଙ୍କ ସହ ଏକ ରାତ୍ରୀଭୋଜନରେ ମିଳିତ ହେବା ଓ ଅପା (ପ୍ରତିଜ୍ଞା ଦେବୀ)ଙ୍କ ସହ ପରିଚୟ ୤ ପଣ୍ଡିଚେରୀ ଆଶ୍ରମରେ ଶ୍ରୀଅରବିନ୍ଦଙ୍କ ସମାଧି ଦର୍ଶନ ଓ ସମୁଦ୍ରର ସାନ୍ନିଧ୍ୟ ବେଳେ ମନେହେଲା, ‘ଦିବ୍ୟ ଜନନୀ ଶ୍ରୀମା’ଙ୍କ କରୁଣା ପାଖେ ପାଖେ ରହିଛି୤ ମନୋଜ ଦା’ଙ୍କ ସହ ‘ସଚିତ୍ର ବିଜୟା’ ସଂପର୍କରେ, ସଂପାଦନା ଶୈଳୀ ବିଷୟରେ ଆଲୋଚନା ହେଲାରୁ କଥା ଉଠିଲା ‘ଦିଗନ୍ତ’ ବିଷୟରେ୤ ‘ଦିଗନ୍ତ’ ସଂପାଦନା କରି ଶ୍ରୀ ମନୋଜ ଦାସ ପତ୍ରିକା ପରମ୍ପରାରେ ଏକ ସମୃଦ୍ଧ ମାର୍ଗ ସୃଷ୍ଟି କରିଥିଲେ ଏକଦା୤

ଯେତେବେଳେ ପଣ୍ଡିଚେରୀରୁ ଫୋନରେ ଭାସି ଆସେ ତାଙ୍କ କଣ୍ଠସ୍ବର, ମୋତେ ଲାଗେ ମୋର ସମସ୍ତ ସଂଦିଗ୍ଧ ଅବସ୍ଥା କଟିଯାଇଛି୤ ତାଙ୍କ ସାଙ୍ଗରେ ମାନ୍ଦ୍ରାଜର ଜନଗହଳି ରାସ୍ତାରେ ଚାଲି ଚାଲି କେବେ ସାଙ୍ଗରେ ଭ୍ରମଣରେ ଗଲାବେଳେ ସଂପାଦନାରେ କେତେ ସଳଖ ଓ ସଚ୍ଚୋଟ ହେବାକୁ ପଡେ, ସେ କଥା ସେ କହନ୍ତି ୤

ତାଙ୍କ ସହ ବୁଲିଲା ବେଳେ ତାଙ୍କର ବିପୁଳ ଜୀବନର ଅଭିଜ୍ଞତାରୁ ଅନେକ କଥା ଶୁଣିବାକୁ ମିଳେ୤ ଏତେ ସୁନ୍ଦର ସୁନ୍ଦର ସେ ଅଭିଜ୍ଞତା୤ କଥାରେ ଥାଏ ହସର ଉପାଦାନ, ଜୀବନର ଗୂଢ ରହସ୍ୟ ଓ ସର୍ବୋପରି ଏକ କାହାଣୀ୤ ଓଡ଼ିଶାର ବିଭିନ୍ନ ସ୍ଥାନ ପରିଭ୍ରମଣ କାଳରେ ମନୋଜ ଦା’ ତାଙ୍କ ସ୍ମୃତିରୁ, ଗ୍ରୀଷ୍ମ ପୋଖରୀରେ ଗାଧୁଆ ଠାରୁ – ରାଜସ୍ଥାନର ହଳଦିଘାଟ ପଡିଆ ଦର୍ଶନରେ କାର ଡ୍ରାଇଭରର ଭୂମିକା କଥା କହନ୍ତି୤ ସବୁ କାହାଣୀ ଓ କଥା ଭିତରେ କଟିଯାଏ ଦୀର୍ଘ ପଥ୤

ତାଙ୍କୁ ପଣ୍ଡିଚେରୀରେ ଭେଟିବାରେ ଥାଏ ଅନ୍ୟ ଏକ ସ୍ବାଦ୤ ସାଇକେଲ୍ ନେଇ ପାଠ ପଢାଇବାକୁ ଯାଉଥିବେ, କେତେବେଳେ ‘ସମାଧି ଦର୍ଶନ’ ଓ ପ୍ରାର୍ଥନା ସାରି ଚାଲି ଚାଲି ଫେରି ଆସୁଥିବେ୤ ସଦା ହସ ହସ ଓ ସ୍ଫୁର୍ତ୍ତିରେ ସତେଜ୤ ଯୋଗୀ ଜୀବନ ତାଙ୍କର ! ଯୋଗୀ ମଣିଷ ମାନେ ଏହିପରି୤

ଯେତେବେଳେ ବି କୌଣସି ସମସ୍ୟା ଆସିଛି, ସେ ଅତି ସୁନ୍ଦର ଭାବେ ତାର ସମାଧାନ କରିଛନ୍ତି୤ କୌଣସି ପରିସ୍ଥିତିରେ ବିଚଳିତ ହୁଅନ୍ତି ନାହିଁ୤ ପ୍ରତିଟି କଥାରେ ଥାଏ ପ୍ରତ୍ୟକ୍ଷ ସାହାସ୤

ବ୍ୟବହାରରେ ଏତେ ବିନମ୍ର ମଣିଷ ଆଜିଯାଏ ଭେଟିନାହିଁ୤ ଅସୁମାରୀ ଜ୍ଞାନର ଭଣ୍ଡାର, ଅଥଚ ଆଚରଣରେ ନିତାନ୍ତ ନମ୍ର୤ ଜୀବନରେ ଏପରି ଜଣେ ମଣିଷର ସାନ୍ନିଧ୍ୟ ଭାଗ୍ୟରେ ଥିଲେ ମିଳେ! ମନୋଜ ଦା’ ମୋ ମନଗହନରେ ଚିର ବିଦ୍ୟମାନ ଅନେକ ନକ୍ଷତ୍ରର ଆଲୋକ୤

ତାଙ୍କୁ କେବଳ ପ୍ରଣିପାତ କରେ୤

-ସଂପାଦକ : ‘ସଚିତ୍ର ବିଜୟା’

ମିଡିଆ ଅନୁପମ

ଡି-୪୬, ଜୟଦେବ ବିହାର,

ଭୁବନେଶ୍ବର – ୧୨

ସୌଜନ୍ୟ: “ ମନୋଜାୟନ”

About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.