Shri Ram Prasad Purohit
ବନ୍ଧୁ ମନୋଜ ଦାସ ଙ୍କ ସଂପର୍କରେ
ରାମପ୍ରସାଦ ପୁରୋହିତ
ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସାହିତ୍ୟିକ ମନୋଜ ଦାସ ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ସେ ମୋର କେବଳ ସାହିତ୍ୟିକ ବନ୍ଧୁ ନୁହନ୍ତି, ରାଜନୀତି କ୍ଷେତ୍ରରେ ମଧ୍ୟ ଆମର ବଂଧୁତା ରହିଥିଲା ତାଙ୍କର ବିରାଟ ବ୍ୟକ୍ତିତ୍ବ ଭୁଲିବାର ନୁହେଁ ଆମେ ଦୁହେଁ ଏକା ସାଙ୍ଗରେ ମଧୁସୂଦନ ଆଇନ କଲେଜ, କଟକରେ ପଢୁଥିଲୁ ଆଇନ ପଢିବା ସମୟରେ ଦୁଇଟି ବର୍ଷ (ବୋଧହୁଏ ୧୯୫୫-୫୬) ଭୁଲିବାର ନୁହେଁ ଆଗରୁ ସାହିତ୍ୟିକ ଭାବରେ ଆମର ତ ପରିଚୟ ଥିଲା, କିନ୍ତୁ କଟକରେ ଆଇନ ପଢିବା ସମୟରେ ଆମର ବନ୍ଧୁତା ନିବିଡ ହେଲା ଏପରି କୌଣସି ଗୋଟିଏ ଦିନ ନାହିଁ ଯେଉଁ ଦିନ ଆମେ ଦୁହେଁ ସାହିତ୍ୟ ହେଉ ବା ରାଜନୀତି ହେଉ ଆଳୋଚନା କରୁନଥିଲୁ ଆମ କଲେଜ ସକାଳୁଆ ଥିଲା ସେ ରହୁଥିଲେ କଲେଜ ଛକ ପାଖରେ ମୁଁ ରହୁଥିଲି ଓଡ଼ିଆ ବଜାରରେ ଥିବା ସୋସାଲିଷ୍ଟ ପାର୍ଟି ଅଫିସରେ ସକାଳେ ମୁଁ ସାଇକେଲରେ କଲେଜ ଆସିଲା ବେଳକୁ ତାଙ୍କ ସହିତ କଲେଜ ଗେଟରେ (ରେଭେନ୍ସା କଲେଜରେ ସେତେବେଳେ ମଧୁସୂଦନ ଆଇନ କଲେଜ ଚାଲୁଥାଏ) ଦେଖାହୁଏ ଦୁହେଁ ମିଶି ଶାନ୍ତିଭାଇର ଗୁଜୁରାଟୀ ହୋଟେଲକୁ ଯାଇ ଜେଲିବି ଆଉ ପକୋଡି ଖାଉଁ, ତା’ପରେ ଯାଉଁ କଲେଜକୁ ଆଇନ କଲେଜର ଛାତ୍ର ୟୁନିୟନ୍ ପାଇଁ ନିର୍ବାଚନ ପାଖେଇ ଆସୁଥାଏ ସେ କହିଲେ, ‘‘ରାମପ୍ରସାଦ, ମୁଁ ଶୁଣୁଛି ତୁମେ ସଭାପତି ପଦ ପାଇଁ ଛିଡା ହେବାକୁ ଯାଉଛ କିନ୍ତୁ ମୋର ଗୋଟିଏ ଅନୁରୋଧ ରଖିବ ମୋତେ ସଭାପତି ପଦ ପାଇଁ ଛାଡିଦିଅ ଏବଂ ତୁମେ ସଂପାଦକ ପଦ ପାଇଁ ନିର୍ବାଚନରେ ଛିଡାହୁଅ ତମେ ମୋତେ ସମର୍ଥନ ଦେବ ଏବଂ ମୁଁ ତୁମକୁ ସମର୍ଥନ ଦେବି ଆମେ ଦୁହେଁ ଗୋଟାଏ ମଞ୍ଚରେ ଭାଷଣ ଦେବା ଏବଂ ଗୋଟାଏ ନିର୍ବାଚନ ଇସ୍ତାହାର୍ ବାଣ୍ଟିବା’’ ମୁଁ ଏଥିରେ ରାଜିହେଲି ସେ ବର୍ଷ ସେ ହେଲେ ମଧୁସୂଦନ ଆଇନ କଲେଜର ସଭାପତି ଓ ମୁଁ ହେଲି ସଂପାଦକ ଛାତ୍ରସଂଘର ବିରୋଧ ସତ୍ତ୍ବେ ହରିଶ୍ଚନ୍ଦ୍ର ବକ୍ସିପାତ୍ର ଓ ଗିରିଜା ଭୂଷଣ ପଟ୍ଟନାୟକ ମୋତେ ସମର୍ଥନ ଜଣାଇଲେ ଏତ ଗଲା କଲେଜର ନିର୍ବାଚନ କଥା
ମନୋଜ ଦାସ ‘ଆଗାମୀ’ ବୋଲି ପତ୍ରିକାଟିଏ ଆଗରୁ ପ୍ରକାଶ କରୁଥିଲେ ସେତେବେଳକୁ ସେ ପତ୍ରିକା ବଂଦ ହୋଇ ଯାଇଥିଲା ସେହି ପତ୍ରିକାଟି ତାଙ୍କରି ଉଦ୍ୟମରେ ପୁନଃପ୍ରକାଶିତ ହେଲା ଏବଂ ତାଙ୍କର ଅନୁରୋଧରେ ମୁଁ ପତ୍ରିକାଟିର ସଂପାଦନା ଦାୟିତ୍ବ ଗ୍ରହଣ କଲି ଏହାପରେ କେତେଜଣ କବିଙ୍କୁ ନେଇ ସଂକଳନଟିଏ ପ୍ରକାଶ କରିବାକୁ ମନସ୍ଥ କଲୁ ଓ ତାଙ୍କର ଅନୁରୋଧକ୍ରମେ ତାହାର ସଂପାଦନା ଦାୟିତ୍ବ ମୁଁ ଗ୍ରହଣ କଲି ‘ସୀମାନ୍ତ’ ନାମରେ ଏହି କବିତା ସଂକଳନଟି ପ୍ରକାଶ ପାଇଲା କବି ବିନୋଦ ନାୟକ, ରମାକାନ୍ତ ରଥ, ବ୍ରଜନାଥ ରଥ ପ୍ରଭୃତି ବାରଜଣ କବିଙ୍କୁ ନେଇ ଏହି କବିତା ସଂକଳନଟି ପ୍ରକାଶ ପାଇ ବେଶ୍ ଆଦୃତ ହୋଇଥିଲା
ସଂକଳନଟିରେ ମୋର ଓ ମନୋଜ ଦାସଙ୍କ କବିତା ମଧ୍ୟ ରହିଛି ବୁଲ୍ଗାନିନ୍ ଓ କୃଶ୍ଚେଭଙ୍କ ଭାରତ ଆଗମନ ଉପଲକ୍ଷେ ସେମାନଙ୍କୁ ସ୍ବାଗତ ଜଣାଇ କବିତା ସଂକଳନ ଟିଏ ପ୍ରକାଶ କରିବାର ଯୋଜନା ଚାଲିଥାଏ ତାକୁ ସଂପାଦନା କରୁଥାନ୍ତି କାଳିନ୍ଦୀଚରଣ ପାଣିଗ୍ରାହୀ ମନୋଜ ମୋତେ ସେଥିପାଇଁ କବିତାଟିଏ ଲେଖିବାକୁ କହିଲେ କାଳିନ୍ଦୀ ବାବୁଙ୍କ ସହିତ ଆଗରୁ ପରିଚୟ ଥିଲା ସେ ମଧ୍ୟ କହିଲେ ରାମପ୍ରସାଦ ବାବୁ ଲେଖିଲେ ତାକୁ ଆମେ ନିଶ୍ଚିତ ସ୍ଥାନିତ କରିବୁ ଏଣୁ ମନୋଜ ଦାସଙ୍କ ଅନୁରୋଧରେ କବିତାଟିଏ ଲେଖିଲି ଓ ତାହା ସେହି ସଂକଳନଟିରେ ସ୍ଥାନିତ ହେଲା ଏଥିରେ ସନ୍ନିବେଶିତ କବିତା ଗୁଡିକ ଇଂରାଜୀ, ଋଷୀୟ ଓ ହିନ୍ଦୀ ଭାଷାରେ ଅନୂଦିତ ହୋଇଥିଲା ସେହି କବିତାଋ ପ୍ରଥମ ଧାଡ଼ି ଆଜି ବି ମୋର ମନେ ଅଛି, ‘‘ହେ ବନ୍ଧୁ ମିଳାଅ ହାତ, ସୋଭିଏତ୍ ଋଷ ଓ ଭାରତ’’ ଏଭଳି ଭାବରେ ସାହିତ୍ୟ କ୍ଷେତ୍ରରେ ମୋର କଟକ ରହଣୀ ସମୟରେ ଆମେ ଦୁହେଁ ପ୍ରାୟ ମିଳିତ ଭାବରେ ସବୁକାମ କରୁଥିଲୁ
କିଛି ବର୍ଷ ତଳେ ବଲାଙ୍ଗିରରେ ‘ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦ’ ମନୋଜ ଦାସଙ୍କୁ ନିମନ୍ତ୍ରଣ ଜଣାଇଥାଏ ଯେହେତୁ ତାଙ୍କ ସହିତ ମୋର ଘନିଷ୍ଟ ସଂପର୍କ ରହିଛି, ଏଣୁ ମୁଁ ବ୍ୟକ୍ତିଗତ ଭାବରେ ଅନୁରୋଧ ଜଣାଇ ତାଙ୍କ ପାଖକୁ ଚିଠିଟିଏ ଲେଖିଲି ସେତେବେଳେ ସେ ଇଂରାଜୀ ମାସିକ ‘The Heritage’ର ସଂପାଦକ ସେ ଉତ୍ତରରେ ଲେଖିଲେ, ‘‘ବନ୍ଧୁ ରାମପ୍ରସାଦ, ବନ୍ଧୁକୁ ‘ଆଜ୍ଞା’, ‘ଆପଣ’ ଲେଖାଯାଏ ନାହିଁ, ଏବଂ ତମର ଓ ମୋ ମଧ୍ୟରେ ଏମିତି ସାଧାରଣ ବନ୍ଧୁତା ନାହିଁ ଏଣୁ ଆଜିଠୁ ମୋତେ ‘ତୁମେ’ ବୋଲି ଲେଖିବ’’ ମୋ ମନ ଗର୍ବରେ କୁଣ୍ଢେ ମୋଟ ହୋଇଗଲା ସେ ଏଭଳି ଏକ ଅମାୟିକ, ବନ୍ଧୁଭାବାପନ୍ନ ବ୍ୟକ୍ତି ତାଙ୍କ ଓ ମୋ ଭିତରେ ବହୁ ଚିଠି ପତ୍ର ଆଦାନ ପ୍ରଦାନ ହୋଇଛି ଏବଂ ସେହି ବନ୍ଧୁ ଶବ୍ଦଟି ହିଁ ସମ୍ବୋଧିତ ହୋଇ ଆସୁଛି ସେ ରାତିରେ ବଲାଙ୍ଗିରରେ ପହଞ୍ଚି ପ୍ରଥମେ ମୋତେ ଖୋଜିଲେ ବହୁ ଦିନପରେ ତାଙ୍କର ମୋ ସହିତ ଭେଟ ସେ ମୋତେ ଦେଖିବା କ୍ଷଣି, ‘ଆରେ ରାମପ୍ରସାଦ’ ବୋଲି କହି ଛାତିରେ ଜାକି ଧରିଲେ ସେ ଅନୁଭୂତି ଭୁଲିବାର ନୁହେଁ ସେ ସର୍କିଟ୍ ହାଉସ( ସରକାରୀ ଡାକ ବଙ୍ଗଳା)ରେ ରହୁଥିଲେ ସେଇଠି ଆମେ ଦୁହେଁ ଘଣ୍ଟା ଘଣ୍ଟା ଧରି ଗପ କରିଛୁ ସେଇଠି କଥା ଉଠିଲା ଆମର ଏକ ସାଙ୍ଗରେ ଥିବା ଫଟୋଟିଏ ନାହିଁ ଏଣୁ ମୋର ପୁତୁରା ରମେଶ ପୁରୋହିତକୁ କ୍ୟାମେରାଟିଏ ଆଣିବାକୁ କହିଲି ସେ ଆମ ଦୁହିଁଙ୍କର ବିଭିନ୍ନ ପ୍ରକାରର ଫଟୋ ଉଠାଇଲା କାନ୍ଧକୁ କାନ୍ଧ ମିଶାଇ, କାନ୍ଧ ଉପରେ ହାତ ରଖି ଏମିତି ବିଭିନ୍ନ ଭଙ୍ଗୀରେ ଫଟୋ ଉଠେଇଲୁ ସେସବୁ ଏପର୍ଯ୍ୟନ୍ତ ମୋ ପାଖରେ ରହିଛି
ମୁଁ କହିଲି ମୁଁ ମୋର ଗପ ‘ପୋଷ୍ଟ ଅଫିସ’କୁ ଇଂରାଜୀରେ ଲେଖିଛି ତମେ ପଢ଼ ଓ ଭଲ ଲାଗିଲେ ‘ଦି ହେରିଟେଜ୍’ରେ ଛାପିବ ସେ କହିଲେ, ‘‘ତମ ଗପ ଖରାପ ଲାଗିବାର ନାହିଁ ଗପଟି ମୋତେ ଦିଅ ଯେତେ ଶୀଘ୍ର ହେବ ଛାପିବାକୁ ଚେଷ୍ଟା କରିବି କାହିଁକି-ନା-ଭାଇ, ଗୁଡାଏ ଲେଖା ପ୍ରକାଶ ହେବାକୁ ପଡି
ରହିଛି ଛାପି ପାରେ ନାହିଁ ତଥାପି ତମ ଗପଟାକୁ ଆଗ ବିଚାରକୁ ନେବି’’ ସେହି ‘The Post Office’ ଗପଟି ‘The Heritage’ର ନଭେମ୍ବର ୧୯୮୬ ସଂଖ୍ୟାରେ ପ୍ରକାଶିତ ହୋଇଥିଲା ଯେଉଁଦିନ ମନୋଜ ବାବୁଙ୍କ ଭାଷଣ ଥାଏ ବଲାଙ୍ଗିରରେ ଲୋକଙ୍କ ଭିଡ ଦେଖିବାର କଥା ତାଙ୍କ ଭାଷଣ ଶୁଣିବା ପାଇଁ ଅଧଘଣ୍ଟା ପୂର୍ବରୁ ଲୋକେ ସବୁ ଚୌକି ଅକ୍ତିଆର କରି ନେଇଥାନ୍ତି ଏକ ସାହିତ୍ୟ ଓ ସାଂସ୍କୃତିକ ସଭାରେ ଏତେ ଲୋକ ଜମାହେବା ବଲାଙ୍ଗିରରେ ଏଇ ପ୍ରଥମ ମନୋଜ ଦାସଙ୍କ ଲିଖିତ ବହି ସବୁ ଏତେ ପରିମାଣରେ ବିକ୍ରି ହୋଇଗଲା ଯେ ବଜାରରେ ଆଉ ମିଳିଲା ନାହିଁ କଲେଜ୍ ଛାତ୍ର ଛାତ୍ରୀ ମନୋଜ ବାବୁଙ୍କୁ ଲେଖା ବହି ଗୁଡ଼ିକରେ ତାଙ୍କର ଦସ୍ତଖତ କରେଇ ନେଉଥାନ୍ତି ସେ ଗୋଟାଏ ଦେଖିବାର ଦୃଶ୍ୟ
ଏହାପରେ ଆମେ କେତେଜଣ ମନୋଜବାବୁଙ୍କ ସହ ନୃସିଂହନାଥ ଦେଖିବାକୁ ଗଲୁ ସେହିଦିନ ପାଟଣାଗଡରେ ତାଙ୍କର ଭାଷଣ ଥାଏ ଆମେ ପାଟଣାଗଡ ଫେରିଲା ବେଳକୁ ରାତି ଦଶଟା ତଥାପି ଲୋକମାନେ ମନୋଜବାବୁଙ୍କୁ ଶୁଣିବାକୁ ଅପେକ୍ଷା କରି ରହିଥାନ୍ତି ସେହି ରାତିରେ ପାଟଣାଗଡ ଭାଷଣ ପରେ ସରକାରୀ ଡାକ ବଙ୍ଗଳାରେ ବିଶ୍ରାମ ନେଲେ ଓ ସକାଳେ ଆସି ମୋଠାରୁ ଓ ମୋର ପତ୍ନୀ ରାଜେଶ୍ବରୀଙ୍କଠାରୁ ବିଦାୟ ନେଇ ବଲାଙ୍ଗିର ଗଲେ ମୁଁ ସେତେବେଳେ ପାଟଣାଗଡରେ ରହୁଥାଏ ସେ ପଣ୍ଡିଚେରୀ ଫେରିଯାଇ ଚିଠି ଦେଲେ ଚିଠିରେ ବଲାଙ୍ଗିର ଓ ପାଟଣାଗଡର ଆତିଥ୍ୟର ଭୂରି ଭୂରି ପ୍ରଶଂସା କରି ଲେଖିଥାନ୍ତି ସେହିଦିନଠୁ ତାଙ୍କର ମୋର ଆଉ ଦେଖା ସାକ୍ଷାତ ହୋଇ ପାରିନାହିଁ ହେଲେ ଏଭଳି ବିରାଟ ବ୍ୟକ୍ତିତ୍ବକୁ ଭୁଲିବାର ନୁହେଁ ତାଙ୍କ ପାଖରୁ ଓଡ଼ିଆ ସାହିତ୍ୟ ବହୁତ କିଛି ଆଶା କରେ ବନ୍ଧୁ ମନୋଜ ଦାସ ଦୀର୍ଘଜୀବୀ ହୁଅନ୍ତୁ
ସୌଜନ୍ୟ: “ମନୋଜାୟନ”