Loading...

Shri P Hrushikesh

କୁସୁମ ପରଶେ
ପି. ହୃଷୀକେଶ

‘‘Manoj Das rare lays egg, but when lays, it is golden ’’ କଲେଜ ଜୀବନରେ ପଢୁଥିବା ସମୟରେ ଜଣେ ବରିଷ୍ଠ ଅଧ୍ୟାପକଙ୍କ ମୁହଁରୁ ଏହି କଥାଟି ଶୁଣିଥିଲି୤ କିନ୍ତୁ ଏହାର ମର୍ମ ବୁଝିଲି ଅନେକ ଦିନପରେ, ଯେତେବେଳେ ମୁଁ ସାହିତ୍ୟ ଜଗତକୁ ପ୍ରବେଶ କଲି୤ ୧୯୭୬ରୁ ୮୦, ପଣ୍ଡିଚେରୀ ଶ୍ରୀଅରବିନ୍ଦ ଆଶ୍ରମରେ ପଢୁଥିବା ସମୟରେ ସେ କେବଳ ମୋର ଶିକ୍ଷକ ନଥିଲେ, ସାହିତ୍ୟିକ ବନ୍ଧୁ, ଦିଗ୍‌ଦର୍ଶକ ତଥା ପଡ଼ୋଶୀ ମଧ୍ୟ ଥିଲେ୤ ଏହି ଦୀର୍ଘ ୫ବର୍ଷ ତାଙ୍କର ପ୍ରତ୍ୟକ୍ଷ ସଂପର୍କରେ ଆସିଲା ବେଳେ ମୋର ମନେହେଲା, ମୁଁ ଯେପତି ନିଜ ମଧ୍ୟରେ ମନୋଜ ଦାସଙ୍କୁ ହିଁ ଆବିଷ୍କାର କରୁଛି୤ ତାଙ୍କ ବାସଭବନରୁ ଅଳ୍ପ କେତେ ଗଜ ଦୂରରେ ରହି ଏକଲବ୍ୟ ପରି ମୁଁ ଦ୍ରୋଣାରୂପୀ ମନୋଜ ଦାସଙ୍କୁ ମୋର ପ୍ରାରମ୍ଭିକ ସାରସ୍ବତ ଜୀବନର ଗୁରୁରୂପେ ପୂଜା କରି ଆସିଛି୤ ଅନେକ ଥର ସନ୍ଧ୍ୟା ଆସରରେ ତାଙ୍କ ସହ ଗପିଛି, ମଜ୍ଜିଛି ଏବଂ ସାହିତ୍ୟ, ରାଜନୀତି ଓ ଆଧ୍ୟାତ୍ମିକତାର ଆଲୋଚନା ମଧ୍ୟରେ ମୁଁ ଖୋଜିଛି ସେହିପରି ଏକ ଅନାବିଳ ମହାନ ବ୍ୟକ୍ତିତ୍ବଙ୍କୁ, ଓଡ଼ିଶା ମାଟିର ଜଣେ ବରପୁତ୍ର ତଥା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ପ୍ରଖ୍ୟାତ କଥାକାରଙ୍କୁ ଏବଂ ପାଇଛି ମଧ୍ୟ୤

ଆନ୍ତର୍ଜାତୀୟ ସ୍ତରରେ ଜଣେ କ୍ଷୁଦ୍ର ଗଳ୍ପ ଲେଖକ ଭାବରେ ମନୋଜ ଦାସ ଅଧିକ ବିଖ୍ୟାତ ଓ ଆଦୃତ୤ ତାଙ୍କର ବହୁ କ୍ଷୁଦ୍ର ଗଳ୍ପ ବିଶ୍ବ ର ଅନେକ ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇଛି୤ ବହୁ ଇଂରାଜୀ କବି ଓ କଥାକାର ତାଙ୍କ ଗଳ୍ପ ଶୈଳୀର ଭୂୟସୀ ପ୍ରଶଂସା କରିଛନ୍ତି୤ ଗ୍ରାହାମ୍ ଗ୍ରୀନ୍, ରସ୍କିନ୍ ବଣ୍ଡ, ଏମ୍.ଭି. କାମାଥ୍, ଆର୍.କେ.ନାରାୟଣ୍, ଲଣ୍ଡନ୍‌ର ଆଲାନ୍ ମାକ୍‌ଲିନ୍ ପ୍ରମୁଖ ବିଶ୍ବ ପ୍ରସିଦ୍ଧ ସଂପାଦକ ଓ ଲେଖକବୃନ୍ଦ ମନୋଜ ଦାସଙ୍କ କାହାଣୀକୁ ଏକ ଅଦମ୍ୟ ଭାରତୀୟଙ୍କ ଅତିନ୍ଦ୍ରୀୟ ଗୁଣ ବୋଲି ସ୍ବୀକାର କରି ଆଜି ପୃଥିବୀରେ ଯେଉଁ ସାମାନ୍ୟ କେତେଜଣ ଭଲ ଗାଳ୍ପିକ ଅଛନ୍ତି, ସେମାନଙ୍କ ମଧ୍ୟରେ ମନୋଜ ଦାସ ଅନ୍ୟତମ ବୋଲି ଘୋଷଣା କରିଛନ୍ତି୤ କାରଣ ସେମାନଙ୍କ ମତରେ ମନୋଜ ଦାସଙ୍କର ସଂପୂର୍ଣ୍ଣ ଏକ ନିଜସ୍ବ ସାରସ୍ବତ ଇଲାକା ରହିଛି୤ ତାଙ୍କ ସୃଜନୀର ଯେ କୌଣସି ବିଭାବଟିଏ ଓଟାରି ଆଣିଲେ, ତାହା କେବଳ ମନୋଜ ଦାସଙ୍କ ସୁଶୋଭିତ ଉପତ୍ୟକା ବୋଲି ସହଜରେ ବାରି ହୋଇପଡେ୤ ସବୁଠାରୁ ବଡ଼ କଥା ହେଲା ସେ ପାଠକ ମାନଙ୍କ ଉପରେ ନିଜର ବିଶ୍ବାସକୁ ଲଦି ଦିଅନ୍ତି ନାହିଁ, ବରଂ ତାଙ୍କ ରଚନାର ରହସ୍ୟମୟତା ଭିତରେ ସେ ପାଠକଙ୍କୁ ଛାଡି ଦିଅନ୍ତି ସେମାନେ ନିଜେ ଏକ ସିଦ୍ଧାନ୍ତରେ ପହଞ୍ଚିବା ପାଇଁ୤ ତେବେ ଆଧୁନିକ ସାହିତ୍ୟ ଯାହା ମୁନାଫା, ମତଲବ୍ ଦ୍ବାରା ବନ୍ଦୀ, ବୈଠକଖାନାର ଶୋଭାବର୍ଦ୍ଧନ କଲାଭଳି ଯେଉଁ ସାହିତ୍ୟ ଅଶ୍ଳୀଳତା, ବିଜ୍ଞାପନ ଓ ରାଜନୀତିକ ଇସ୍ତାହାର ଦ୍ବାରା କଳୁଷିତ, ତାହାଠାରୁ ସେ ବହୁ ଉର୍ଦ୍ଧ୍ବରେ ୤ ଚେତନାର ଏକ ଉର୍ଦ୍ଧ୍ବଗାମୀ ଧାରାରେ ତାଙ୍କ ସାହିତ୍ୟ ସର୍ବଦା ପରିପୁଷ୍ଟ୤

ଝଡ଼ ବାଦଲର ବକ୍ଷ ଭେଦକରି ଉର୍ଦ୍ଧ୍ବକୁ ଉଡିଯାଉଥିବା ସୀମାହୀନ ଆକାଶର ଏକ ମୁକ୍ତ ବିହଙ୍ଗ ହେଉଛନ୍ତି ମନୋଜ ଦାସ୤ ଥକି ପଡିବାର କ୍ଲାନ୍ତି ନାହିଁ କି ରୁକି ଯିବାର ଭ୍ରାନ୍ତି ମଧ୍ୟ ନାହିଁ୤ ତାଙ୍କୁ ସମାଲୋଚନାର ସରହଦ ଭିତରକୁ କେହି କେହି ଟାଣି ଆଣିବାକୁ ବହୁବାର ଚେଷ୍ଟା କରିଥିଲେ ବି ସେଥିପ୍ରତି ତାଙ୍କର ଭ୍ରୂକ୍ଷେପ ନାହିଁ, ବରଂ ପ୍ରତ୍ୟୁତ୍ତରରେ ସେ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ତାଙ୍କ ସହ ଉର୍ଦ୍ଧ୍ବକୁ ଉଡିଯିବାକୁ, ଏକ ଅନନ୍ତ ପଥର ଦିଶାରୀ ହେବାକୁ, ଯେଉଁଠି ଶେଷ ନାହିଁ କି ଆରମ୍ଭ ନାହିଁ, ବାଦ ନାହିଁ କି ବିସମ୍ବାଦ ନାହିଁ୤ ଅଛି ଖାଲି ଉଡ଼ିବାର, ଖାଲି ଉଡ଼ିବାର ଆନନ୍ଦ୤

ଆଜି ମନେ ପଡୁଅଛି, ଛାତ୍ର ଜୀବନରେ ମୁଁ ପଢିଥିବା ତାଙ୍କର ଏକ କ୍ଷୁଦ୍ର କବିତାରୁ ପଦେ, ଯାହା ତାଙ୍କ ଭଳି ଏ ମାଟିର ଜଣେ ସାରସ୍ବତ ସମ୍ରାଟଙ୍କୁ ଚିହ୍ନିବା ପାଇଁ ଆମ ଭଳି ବାଟବଣା ପଥିକ ମାନଙ୍କୁ ବାଟ କଢାଇ ନେଇ ପାରିବ : –

‘‘ଆମେ ଯେଉଁମାନେ ନଷ୍ଟନୀଡ଼ର ଭ୍ରଷ୍ଟ ଦଳ – ବିହଙ୍ଗମ
ରୁକ୍ଷ ମେଘର ବକ୍ଷ ଦୁଆରେ ପକ୍ଷ ପିଟି
ସୃଷ୍ଟି କରୁଛୁ ବୃଷ୍ଟି ଝଡ;
ତୁମ ମର୍ମର ହର୍ମ୍ୟ ତଳର ବର୍ମ ଛାଡି
ପାସୋରି ତୁମରି ମଞ୍ଜୁ ଆଖିର ଇସାରାଧାରା
ବର୍ଷା ବାଦଲ ରାସ୍ତା-କଡ଼େ
ଆମେ ଯେଉଁ ମାନେ ଜୀର୍ଣ୍ଣ କରୁଁ ଏ ରାତ୍ରିସାରା;
ଚିହ୍ନିଚ କି ?
ରାତିର ଦୁର୍ଗେ ଢଳିପଡେ ଯେବେ ତୁମର ଆଖି
ପୌର୍ଣ୍ଣବାସର ଚନ୍ଦ୍ର ହୋଇ ଏ ଆକାଶ ଦେହେ
ପହରା ଦେଉଁ
ନବସୂର୍ଯ୍ୟର ଉଦୟ ଯାଏ ୥’’

(ଆମେ ଯେଉଁମାନେ)-ସାହିତ୍ୟ ମନ୍ଦିର, ତିହିଡି, ଭଦ୍ରକ

About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.