Shri Mohapatra Nilamani Sahoo
ମହାପାତ୍ର ନୀଳମଣି ସାହୁ
ମନୋଜ ଦାସ
କବିତାର ସୁକୁମାର ଘନିଷ୍ଠତାରୁ ଅନେକ ଦିଗନ୍ତର ବିସ୍ତାର କିମ୍ବା ଶତେକ ପ୍ରଶ୍ନର ଉତ୍ତରର ଗଭୀରତା ଯାଏଁ ପ୍ରାୟ ଅର୍ଦ୍ଧେକ ଶତାବ୍ଦୀର ସୁଦୀର୍ଘ ସୁଦିଘ୍ର ଯାତ୍ରାପଥ ଯେ ଅତିକ୍ରମ କରି ଆସିଛନ୍ତି, “ଆରଣ୍ୟକ ” ର ହିଂସ୍ରତାଠାରୁ “ ଅମୃତଫଳ” ର ଦିବ୍ୟାନୁଭଭବ ପର୍ଯ୍ୟନ୍ତ ବିକାଶର ସମ୍ଭାବନା ଯେ ଦେଖିଆସିଛନ୍ତି, ରୁଷୀୟ ସାମ୍ୟବାଦଠାରୁ ଅତିମାନସର ଦିବ୍ୟ ଜୀବନଯାଏଁ , ବନ୍ଧୁରପନ୍ଥା ଯେ ସ୍ଵୀକାର କରିଛନ୍ତି, ସେ ବିପୁଳ ବିସ୍ତାର ଓ ଅନୁଭବର ମଣିଷ ହେଉଛନ୍ତି ମନୋଜ ଦାସ ।
ଭାରତଭାରତୀଙ୍କ ଅନ୍ୟତମ ପରପୁତ୍ର ଉତ୍କଳ ରତ୍ନ, ମନୋଜ ଦାସଙ୍କ ବ୍ୟକ୍ତିତ୍ବ ଓ ସାରସ୍ବତ ପ୍ରତିଭା ଏବଂ ତାଙ୍କ ଆଚରଣ ଓ ଉଚ୍ଚାରଣର ମୁଁ ଜଣେ ମୋହଗ୍ରସ୍ତ ସ୍ତାବକ କହିଲେ ବିଶେଷ ଭୁଲ୍ ହେବେ ନାହିଁ
ତାଙ୍କ ସାରସ୍ବତ ଜୀବନ ଓ ଆଧ୍ୟାତ୍ମିକ ଜୀବନର ଉନ୍ମେଷକାଳରୁ ଓଡିଶାର ଲକ୍ଷ ଲକ୍ଷ ନରନାରୀଙ୍କ ସହିତ ମୁଁ ଆଜି ମଧ୍ୟ ତାଙ୍କର ଜଣେ ମନ୍ତ୍ରମୁଗ୍ଧ ଗୁଣଗ୍ରାହୀ ହୋଇ ରହିଛି ସେ ଏଭଳି ଏକ ବିରଳ ବ୍ୟକ୍ତିତ୍ବ ଯାହାଙ୍କ ଉପରେ ଏ ପୃଥିବୀର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ବେଶ୍ ନିର୍ଭର କରିହୁଏ ଏବଂ ସେ ପ୍ରତ୍ୟୟ ମଧ୍ୟ ସେ ଆମକୁ ଦେଇ ଆସିଛନ୍ତି
ମୋର “ଅଭିଶପ୍ତ ଗନ୍ଧର୍ବ” ପୁସ୍ତକର ଭୂମିକାରେ ମୋର ସମକାଳୀନ ଓ ସାମାନ୍ୟ ପରବର୍ତ୍ତୀ ଲେଖକମାନଙ୍କ ଭିତରେ ମୁଁ ତାଙ୍କୁ ମୋର ମୁଣ୍ଡ ଉପରେ ଆସୀନ ବୋଲି ଖୁବ୍ ସହଜରେ ସ୍ବୀକାର କରିଛି
ମୁଁ ତାଙ୍କର ସମସ୍ତ ଲେଖା ତନ୍ନ ତନ୍ନ କରି ପଢିଛି ଓ ତାଙ୍କ ପାଖକୁ ସେ ସମ୍ପର୍କରେ ବହୁ ପତ୍ର ମଧ୍ୟ ଲେଖିଛି ମନୋଜଙ୍କ ଗଳ୍ପ ଗୁଡିକୁ ବା କାହାଣୀ ଗୁଡିକ ପଢିଲେ – ମୋର ପୁଜ୍ୟପାଦ ଦୀନକୃଷ୍ଣ ଦାସଙ୍କ “ ରସ କଲ୍ଲୋଳ” କାବ୍ୟର ଗୋତିଏ ପଦ ମନେ ପଡେ-
“ କେତେ କଉତକ ଅଛନ୍ତି ଏଥି
କେବଳ କ୍ଷୀରସିନ୍ଧୁ ପ୍ରାଏ ମନ୍ଥି
କର ରସଜାତ,
କରି ଧୀଷଣା ମନ୍ଦର ପର୍ବତ ”
ସତକଥା ମନୋଜଙ୍କ ଗଳ୍ପଗୁଡିକ ପଢିଲେ ମନେହୁଏ-ସେ ଜଣେ ଗାନ୍ଧର୍ବୀୟ ଓ ସାରସ୍ବତ ଯାଦୁକର ତାଙ୍କର ନବନବ ଉନ୍ମେଷଶାଳିନୀ ଜାଦୁବଳରେ ସେ ବାସ୍ତବକୁ ଅଳୀକ ଏବଂ ଅଳୀକକୁ ବାସ୍ତବରେ ପରିଣତ କରିଦିଅନ୍ତି
ବେଳେବେଳେ ସେ କେଉଁ ଅଦୃଶ୍ୟ ଲୋକରେ ଚିତ୍ରିତ ହୋଇଥିବା ବ୍ୟଙ୍ଗଚିତ୍ରଗୁଡିକୁ ଆଣି ଏବଂ ସେଗୁଡିକୁ ଜୀବନ୍ୟାସ ଦେଇ ଆମ ଆଗରେ ଲୀଳାୟିତ କରିଦେଖାନ୍ତି କେବେ ପୁଣି ଆମ ଭଳି ମଣିଷଗୁଡିକ ତାଙ୍କ କାଉଁରୀ କଲମର ସ୍ପର୍ଶ ଲାଗି ଅନ୍ୟମାନଙ୍କ ଆଗରେ ବ୍ୟଙ୍କଚିତ୍ର ଭଳି ପ୍ରତିଭାତ ହୁଅନ୍ତି
ମୋର ସନ୍ଦେହ ହୁଏ—ତାଙ୍କର ସ୍ଥିତଧୀ ଦୃଷ୍ଟିରେ ଆମ ଭିତରୁ ବହୁ ନରନାରୀ ତାଙ୍କୁ ବ୍ୟଙ୍ଗଚିତ୍ର ବା କାର୍ଟୁନ ଭଳି ଦିଶନ୍ତି ତାଙ୍କର ସେଇ ଯାଦୁକରୀ ମାୟାଲୋକରେ ମନ୍ତ୍ରୀଟିଏ-ରାଜାଟିଏ- ସୈନିକଟିଏ-ଶିକ୍ଷକଟିଏ-ବାଳିକାଟିଏ-ବାଘଟିଏ-ବୃଦ୍ଧ ମଣିଷଟିଏ- ରାଣୀ ବା ରାଜଜେମାଟିଏ-ଏବଂ ଏମାନଙ୍କ ସହିତ ଡାହାଣୀଟିଏ, ଭୂତୁଣୀ ଟିଏ, ଠାକୁରାଣୀ ଟିଏ-ଏପରିକି କିମ୍ଭୀରିଣୀଟିଏ ବା ବିଲେଇଟିଏ ଲୀଳାଖେଳା କରୁଥାନ୍ତି
ତାଙ୍କ କାହାଣୀ-ଜଗତ ପ୍ରକୃତରେ ବିଚିତ୍ର କାହାଣୀ ଶୁଣାଇ ସେ ଆମ ଜୀବନର ବହୁ ଅନ୍ଧାରି ଅଞ୍ଚଳକୁ ଆଲୋକିତ କରିଦିଅନ୍ତି-ଗୋଧୂଳିର ବାଘ ସଙ୍ଗେ ଭେଟାଇ ଦିଅନ୍ତି- କିମ୍ବା ବୁଲ୍ ଡୋଜର୍ ଚଲାଇ ଗୋଟିଏ ରାତି ଭିତରେ ଆମର ସବୁ କିଛି ନିରର୍ଥକ ବ୍ୟବସ୍ଥିତ ଅନୁଷ୍ଠାନ, ପ୍ରତିଷ୍ଠାନାଦିକୁ ଓ ଅନାନ୍ତରିକ ବ୍ୟବସ୍ଥାଗୁଡିକୁ ଭାଙ୍ଗି ଉଡାଇ ଦିଅନ୍ତି
କିନ୍ତୁ ମନୋଜ ବାବୁ ମତେ ଯେତିକି ଆନନ୍ଦ ଦିଅନ୍ତି- କନ୍ଦାନ୍ତି ତା ଥାରୁ ଅଧିକ
ମୋର ତାଙ୍କ ଉପରେ ରାଗିବାର ଓ କାନ୍ଦିବାର ଉପାଦାନ ରହିଥିବା ଯେତୋଟି ଗଳ୍ପ ମୁଁ ପଢିଛି- ତା ଭିତରେ
“ବୁଲ୍ ଡୋଜର୍” ମୋ ଅନ୍ତରରେ ବେଶୀ ପ୍ରତିକ୍ରିୟା ସ୍ରୁଷ୍ଟି କରିଛି ପ୍ରଥମେ ଏହି ବହିଟିର ଇଂରାଜୀ ସଂସ୍କରଣ ପଢି ମୁଁ ରବି ଓ ଗୀତା ପାଇଁ ( ଗୀତା ମୋତେ ମୋର ଅଲିଅଳୀ ଝିଅ ଭଳି ଲାଗୁଥିଲା) ମୁଁ ପ୍ରାୟ ପନ୍ଦରଦିନ କାନ୍ଦିଛି ମୂଳରୁ ହସି ହସି ଶେଷକୁ କାନ୍ଦିବାର କଷ୍ଟ କେତେ ମର୍ମନ୍ତୁଦ, ତାହା ଅନୁଭବୀ ମାତ୍ରେ ଜାଣନ୍ତି ତା ପରେ ଦ୍ବିତୀୟଥର ସେ ବହିଟିର ଓଡିଆ ଅନୁବାଦ ପଢିଲା ପରେ ସେଇ କ୍ରନ୍ଦନ ପ୍ରତିକ୍ରିୟା ମୋର ଆହୁରି ବଢିଗଲା ମନେ ମନେ ଭାବିଲି- “ ମନୋଜ! ମୋ ଭଳି ସବୁକଥାକୁ ସହଜରେ ବିଶ୍ବାସ କରି ଯାଉଥିବା ଓ ତା ସହିତ ମିଶି ଯାଉଥିବା ଓ ତାକୁ ଭଲପାଇ ଯାଉଥିବା ଗୋଟାଏ ବୋକା ମଣିଷକୁ ବା ପାଠକକୁ ତୁମେ ଏପରି ହସାଇ ହସାଇ ଶେଷରେ କନ୍ଦାଅ କାହିଁକି ? ମୋର ଧାରଣା- ତୁମ ଭଳି ଧୀମାନ୍ ମଣିଷଙ୍କ ଭିତରେ ବି କୌତୁକପ୍ରିୟ ପିଲାଟିଏ ଅଛି ତାକୁ ଅବଶ୍ୟ ନିଷ୍ଠୁର ବୋଲି କହି ହେବ ବାହିଁ କିନ୍ତୁ ଦୁଷ୍ଟ ପିଲା ନିଶ୍ଚୟ କୌତୁକ କରିବାକୁ ଭଲ ପାଏ ସେ ତୁମେ କେଡେ ସୁନ୍ଦର ଶିଶୁସୁଲଭ ବାଲିଘରଟିଏ ତିଆରି କରିଦିଅ
ସେ ଘରେ ସବୁ ଥାଏ ସତ ମନେହେଉଥିବା ମିଛିମିଛିକା ବାଳକ ବାଳିକା ଥାନ୍ତି ତାଙ୍କ ସଙ୍ଗେ ବଡ ମଣିଷଙ୍କ ଭଳି ସବୁ କଥା କରା ଯାଏ ରନ୍ଧାବଢା-କୃଷି- ବାଣିଜ୍ୟ- ରାଜ୍ୟ ଶାସନ ଏବଂ ଏପରିକି ପ୍ରେମ ବିବାହାଦି ମଧ୍ୟ ମାତ୍ର ଅଳ୍ପ ସମୟ ପରେ ତୁମେ ହସିହସି କୌତୁକରେ ଧୀରେ ଗୋଇଠାଟିଏ ମାରି ସବୁତକ ଖେଳଘର ଭାଙ୍ଗିଦିଅ ଦୁଇଥର “ ବୁଲ୍ ଡୋଜର୍” ପଢି ମତେ ତ ତାହା ହିଁ ଲାଗିଥିଲା ତେଣୁ ମୁଁ କାନ୍ଦିଲି ଓ ରାଗିଲି
ମନୋଜ ! କାହିଁକି ତୁମେ ବୁଲ୍ ଡୋଜର ଚଳାଇ ଦେଇ ଏଇ ନିରୀହ ପିଲାଙ୍କ ଖେଳଘର ଭାଙ୍ଗିଦେଲ? ମନୋଜ ! ତୁମେ କେଡେ ସୁନ୍ଦର, ନିରୀହ, କୋମଳ, ସରଳ ଓ ସୁକୁମାର ମଣିଷମାନଙ୍କୁ ସୃଷ୍ଟି କରିପାର ! ଏପରି ସୃଷ୍ଟି ଆମ ସାହିତ୍ୟରେ କେହି କରିଥିଲା ଭଳି ମନେ ହୁଏ ନାହିଁ
ଏହି ରୁକ୍ଷ, କର୍କଶ, ସ୍ଥୂଳ, ଜଟିଳ, ଅଶ୍ଳୀଳ, ବିକୃତ ମେଦିନୀ ଉପରେ ଏତେ ବାଳୁତସୁଲଭ ଶୁଦ୍ଧ ସରଳ ସୁକୁମାରତା ? ବର୍ଷ ବର୍ଷ ଧରି ଗୋତିଏ ଖବରକାଗଜରେ ସମ୍ପାଦକଙ୍କୁ ପତ୍ର ଲେଖୁଥିବା ମଣିଷଟି କଣ ଏତେ ବଡ ବିଖ୍ୟାତ ପ୍ରତିଭାଶାଳି ଲେଖକ ?
ତାଙ୍କର ସ୍ମ୍ରୁତିକୁ ଅମର କରି ରଖିବା ପାଇଁ ଏତେ ବ୍ୟାକୁଳ ହୋଇ ପଡିଥିବା ଦାସ ମହାଶୟ ନାମକ ବ୍ୟକ୍ତିଜଣକ ଜଣେ ଆଡବାଇଆ, ନିର୍ବୁଦ୍ଧିୟା ଲୋକ?ନା ଜଣେ ଶୁଦ୍ଧ, ସରଳ, ନିର୍ମାୟା,ନିରୀହ ଓ ଅନ୍ୟର ଗୁଣମୁଗ୍ଧ ପ୍ରେମୀ ମଣିଷଟିଏ ?କିନ୍ତୁ ସେ ଦୁଇଜଣଯାକ ସତେକି ମୋ ଭିତରେ ବି ଅଛନ୍ତି !ତେଣୁ ସେମାନଙ୍କ ନିର୍ଯାତନାରେ ମୋତେ କାନ୍ଦ ମାଡିବ ନାହିଁ?
ତା ପରେ-ଦାସ ମହାଶୟଙ୍କର ନାତୁଣୀ ଗୀତା ଓ ବାପ ମା ଛେଉଣ୍ଡ ଏବଂ ରାୟସଦନର ତତ୍ବାବଧାରକ ସେଇ ଉଚ୍ଚଶିସ୍ଖିତ ଶୁଦ୍ଧ ସରଳଚିତ୍ତ ତରୁଣ ରବି!ସେ ଦୁହିଁଙ୍କ ଭିତରେ ଜେଉଁ ଅନାବିଳ, ସହଜ,ସରଳ, ସୁକୁମାର ପ୍ରେମ! ସତେକି ତାଙ୍କର ସେ “ ପ୍ରେମ” ପ୍ରଜାପତିଟିଏ ଭଳି
ଧରିଲେ, ପରତକ ଛିଡିଯିବ- ଆଉ ହାତରେ ତା ଡେଣାର ପାଉଡରତକ ଲାଗିଯିବ !! ସତେକି, ନିତୀହ ନାଲି ଟୁକୁଟୁକୁ ସୁକୋମଳ ସାଧବ ବୋହୂଭଳି ଘାସ ଉପରୁ ତାକୁ ହାତରେ ଟେକି ନେବା ପଇଁ ଆମ ହାତରେ ସେ ସୁକୁମାର କୋମଳତା କାହିଁ? ଆମ ହାତରେ ସେ ଲଳିତ ପ୍ରସାରଣ ଅଛି କି ?
ମନୋଜ ! ଏଡେ ସୁକୁମାରୀ ଝିଅ ଓ ଏତେ ସୁକୁମାର ସୁବୋଧ ପୁଅଙ୍କର ଏଡେ ସୁକୁମାର ପ୍ରେମର ସମ୍ମାନ ରକ୍ଷା କରିବା ପାଇଁ ତୁମେ ସେମାନଙ୍କ ମଧୁଚନ୍ଦ୍ରିକା ପାଇଁ ଗୋରିଏ ରାତିର ସୁଯୋଗକୁ ବି ରକ୍ଷା କରି ପାରିଲ ନାହିଁ ?
ମନୋଜ ! ମୁଁ ଜାଣେ- ଆମ ଜୀବନକୁ ପ୍ରଚ୍ଛନ୍ନରେ ଥାଇ ନିୟଂତ୍ରଣ କରୁଥିବା ନିୟତି ବଡ ନିଷ୍ଟୁର ଓ ଅନ୍ଧ ଏବଂ ଇଛାମୟ ଭଗବାନ ମଧ୍ୟ ବେଳେବେଳେ ବଡ ଖିଆଲୀ
ସେମାନେ ଯଦି ରବି ଓ ଗୀତାଙ୍କ ମଧୁଚନ୍ଦ୍ରୀକା ପାଇଁ ରାତିଟିଏ ଦେଇ ପାରିଲେ ନାହିଁ- ତୁମେ କଣ ସେତକ କରିପାରି ନଥାନ୍ତ? କାହିଁକି ମତେ ଆଜିଯାଏ ସେଥିପାଇଁ କନ୍ଦାଇଲ? ଏଥିପାଇଁ ତୁମ ଉପରେ ରାଗିଥିଲି
ମାତ୍ର ମନୋଜ! ବର୍ତ୍ତମାନ ମତେ ହସ ଲାଗୁଛି ବେଶ୍ ଲାଗୁଛି ଉତ୍ସାହିତ ଲାଗୁଛି ଅଶୀବର୍ଷରେ ବୁଦ୍ଧି ପାକଳ ହୋଇଥାଏ ବୋଲି ବିଜ୍ଞଜନେ କହନ୍ତି ମୋର ତାହା ହିଁ ହେଲା ମୁଁ ଅଶୀ ପାରିହେଲିଣି
ଏଇ ଦୁଇମାସ ତଳେ ତୁମ “ ବୁଲଡୋଜର୍” ଆଉଥରେ ପଢିଲି ଏବଂ ପଢିସାରି ମନେ ହେଲା- ମୁଁ ବର୍ତ୍ତମାନ ହିଁ ତୁମ ବୁଲଡୋଜର୍ କୁ ଠିକ୍ ଭାବେ ବୁଝିଲି ଏବଂ ତୁମର ସୁକବି-ସୁଲଭ-ନ୍ୟାୟ ବୁଦ୍ଧି-ସଂଜାତ-ନିର୍ଦ୍ଦେଶାତ୍ମକ ବାର୍ତ୍ତାଟିକୁ ମଧ୍ୟ ଏତେ ଘୋଘା, ଧୂମ୍ ଧଡସ୍ ଭିତରେ ବି ଶୁଣି ପାରିଲି କିନ୍ତୁ ଶୁଣିକରି ଥୟ ପଡିଲି ନାହିଁ କିପରି ଥୟ ପଡିଥାନ୍ତି? ରାୟ ସଦନରେ ଲାଗିଥିବା ସବୁତକ ମାଇକ୍ କୁ ଚାଲୁକରି ଦେଇ ମୋର ନାତି ରବି ଯେଉଁ ଭୀଷଣ ରଡି କରି ଅଟ୍ଟହାସ୍ୟ ଆରମ୍ଭ କରିଦେଲା- ମୁଁ ମୋର ଘାଇଲା ମନରେ ତା ସହିତ ମିଶି ମଧ୍ୟ ଉଚ୍ଚସ୍ବରରେ ଅଟ୍ଟହାସ୍ୟ କରିବାକୁ ଲାଗିଲି
ଏବଂ ବର୍ତ୍ତମାନ ବି, ଏ ବୟସରେ ସେମିତି ଉଚ୍ଚସ୍ବରରେ ଅଟ୍ଟହାସ୍ୟ କରି ଚାଲିଛି ରାୟ ସଦନର ସେଇସବୁ ମାଇକ୍- ନିଃସୃତ ଅଟ୍ଟହାସ୍ୟରେ ମୋର ସ୍ବର ମଧ୍ୟ ମିଶିଯାଇଛି
ବାଳସୂର୍ଯ୍ୟର କନକ କିରଣରେ ଉଦ୍ ଭାସିତ ଛନଛନ ଘାସ ଉପରେ ନାଲି ଟୁକୁଟୁକୁ କୋମଳ ଦେହୀ ଟିପାକାର ସାଧବବୋହୁଟିଏ ଧୀରେ ଧୀରେ କେଡେ ନିରୀହ ଛନ୍ଦରେ ତା ବରକୁ ଭେଟିବାକୁ ଯାଉଛି କେଉଁ ଦୈତ୍ୟମାନେ ହଠାତ୍ ଆସି କାହିଁକି ତା ଉପରେ ବୁଲ୍ ଡୋଜର୍ ଚଳାଇ ଦେଲେ !
ଝୁପୁରୁଝୁପୁରୁ ବର୍ଷା ହେଉଛି ନିରୀହା ବେଙ୍ଗୁଲୀଟିଏ ସାରୁଗଛ ତଳେ ତରୁଣ ବେଙ୍ଗ କୁମାରଟିକୁ ବାହା ହେଉଛି ଇନ୍ଦ୍ରରାଜାଙ୍କ ଢୋଲିଆମାନେ ଢୋଲ ବଜାଉଛନ୍ତି କୁମ୍ଭାଟୁଆମାନେ ଶଂଖ ବଜାଉଛନ୍ତି ହଠାତ ସେମାନଙ୍କ ଉପରେ କେଉଁ ମନୁଷ୍ୟ ରୁପୀ ପିଶାଚ ଓ ସଇତାନମାନେ ବୁଲ୍ ଡୋଜର୍ ଚଳାଇ ଦେଉଛନ୍ତି ?
ମନୋଜ ! ମୁଁ ମାନୁଛି- ଏ ପୃଥିବୀରେ ଶୁଦ୍ଧ ନିରୀହ ସରଳତା ଓ ସୁକୁମାରତାର ସ୍ଥାନ ନାହିଁ ସ୍ଥାନ ନାହିଁ ମଧ୍ୟ କୋମଳ ଗାନ୍ଧାର ବିଲମ୍ବିତ ଲୟ ଓ ତାଳର ଖେୟାଲ ଓ ଠୁମୁରୀ ସଙ୍ଗୀତମାନଙ୍କର ଖୁବ୍ ବୁଦ୍ଧିମାନ—କିନ୍ତୁ ହୃଦୟହୀନ, ବିବେକହୀନ ମାନବ ନାମଧାରୀ ଏହି ସବୁ ଅସଂଖ୍ୟ ହୁଣ୍ଡା ଗୁଣ୍ଡା ଓ ଧୁଣ୍ଡାମାନେ ଏ ସବୁ ଉପରେ ସେମାନଙ୍କର ନୃଶଂସ ବୁଲ୍ ଡୋଜର୍ ଚଳାଇ ଚାଲିଛନ୍ତି
କିନ୍ତୁ ପାଠକେ ! ମନୋଜ ତାଙ୍କ ଗଳ୍ପର ଶେଷରେ ଏକ ନୂତନ ବୁଲ୍ ଡୋଜର୍ ଧରାଇ ଦେଇଛନ୍ତି ତାଙ୍କ ଗଳ୍ପର ନାୟକ ରବିକୁ ଖୁବ୍ ଆନନ୍ଦର କଥା ଯେ- ରବି ଶେଷରେ ଅଚେତ ହୋଇ ପଡିଥିବା ସତ୍ତ୍ବେ ବି- ରାୟସଦନର ଅର୍ଦ୍ଧଶତ ମାଇକ୍ ମାନଙ୍କ ଭିତରୁ ସେ ଯେଉଁ ଭୟଙ୍କର ଅଟ୍ଟହାସ୍ୟ କରି ଚାଲିଛି- ସେହି ଅଟ୍ଟହାସ୍ୟ ରବିର ଏକ ପରାଜିତ ଅସହାୟ ହୃଦୟର ବିକଳ ଆର୍ତ୍ତନାଦ ନୁହଁ
ଏହା ମଧ୍ୟ ଏକ ଭୟଙ୍କର ବୁଲ ଡୋଜର୍ ମହିଷାସୁରକୁ ବଧ କରିବା ପୂର୍ବରୁ ଅଷ୍ଟଭୂଜା ମାହାଶକ୍ତିଶାଳିନୀ ଦୁର୍ଗା ମଧୁପାନ କରି ପ୍ରମତ୍ତା ହୋଇ ଯେଉଁ ଅଟ୍ଟହାସ୍ୟ କରିଥିଲେ ରବିର ଅଟ୍ଟହାସ୍ୟ ସେଇ ଅଟ୍ଟହାସ୍ୟର ଏକ ଯୁଗାନ୍ତକାରି ପ୍ରତିଶ୍ରୁତିମୟ ପ୍ରତିଧ୍ବନି ନୁହେଁ କି ? ରବିର ସେହି ଅଟ୍ଟହାସ୍ୟରେ ଭାଙ୍ଗି ପଡୁଛନ୍ତି-ଆମ ସମୟର ଓ ଆମ ପୃଥିବୀର ସବୁତକ ବିଦୃତ ଓ ଅବକ୍ଷୟମାଣ ତଥାକଥିତ କୃତିତ୍ବ ସବୁ ଆମର ଧର୍ମ, ଆମ ସାହିତ୍ୟ, ଆମ ସଂସ୍କୃତି, ଆମ ରାଜନୀତି- ଆମ ଆଚାର ବିଚାର- ଆମର ଏଇ ତଥାକଥିତ ଗଣତନ୍ତ୍ର, ସମାଜବାଦ ଓ ଅଜ୍ଞାନ ଅହମିକା- ପରିଚାଳିତ ଆମର ଏଇ ଶାସନ ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ରବିର ଏହି ଅଟ୍ଟହାସ୍ୟ ଏକ ପ୍ରଚନ୍ଦ ବୁଲ୍ ଡୋଜର୍ ପରି ଚାରିଆଡେ ମାଡିଗଲା ଏବଂ ଏହି ସବୁର ମୁଳ ଭିତ୍ତିକୁ ହୋହଲାଇ ଦେଲା ଓ ଭାଙ୍ଗି ଧୂଳିସାତ୍ କରି ଦେଲା
ପାଠକେ ! ରବିର ଏଇ ଅଟ୍ଟହାସ୍ୟକୁ ଏକ ଯୁଦ୍ଧଂ ଦେହି ପ୍ରାଣର ତୁର୍ଯନାଦ ବୋଲି ମଧ୍ୟ ଭାବିବେ ନାହିଁ ଏହା ଏକ ଶୁଦ୍ଧ ସରଳ ନିରୀହ ସଚେତନ ଆତ୍ମାର ଅଟ୍ଟହାସ୍ୟ ମୟ ରୁଦ୍ର ଅଭିଶାପ ଏବଂ ସେହି ଅଟ୍ଟହାସ୍ୟ କେବଳ ବୁଲ୍ ଡୋଜର୍ ଭଳି ସବୁକିଛି ଭାଙ୍ଗି ଦେଉ ନାହିଁ
ସେଇ ସବୁ ଭଗ୍ନସ୍ତୁପ ଭିରରୁ ସେ ମଧ୍ୟ ଏକ ନୂତନ ସୃଷ୍ଟିର ସମ୍ଭାବନାକୁ ଖୋଜି ବୁଲୁଛି ପାଠକେ ! ଆସନ୍ତୁ ଆଜି ରାତିଟା ପାଇଁ ଅନ୍ତତଃ, ଅନିଦ୍ରା ରହି ଆମେ ମନୋଜ ଦାସଙ୍କ ରବିର ଅଟ୍ଟହାସ୍ୟ ସଙ୍ଗେ ସ୍ବର ମିଳଇ ଉଚ୍ଚସ୍ବରରେ ଅଟ୍ଟହାସ୍ୟ କରିବା ଓ ଏକ ନୂତନ ସୃଷ୍ଟି ଓ ବିଧାନର ଆଗମନୀକୁ ଆମ ଅନ୍ତର ଭିତରେ ଆହ୍ବାନ କରିବା ଏ କଥା ନିଶ୍ଚିତ ଯେ , ଏ ରାତି ପାହିବାକୁ ଆଉ ବେଶୀ ଡେରି ନାହିଁ
ଏବଂ ଆସନ୍ତା ସକାଳରେ ଆମର ଏଇ ମଧୁର ସ୍ମିତହାସ୍ୟରେ ନିଶ୍ଚୟ ରୂପାନ୍ତରିତ ହୋଏଯିବ ଆମର ସାଧବବୋହୂ, ବେଙ୍ଗୁଲୀନାନୀ, ଗୁଣ୍ଡଚି ମୂଷୀ ଓ ଗୀତାମାନେ ସେଦିନ ସେମାନଙ୍କର ମଧୁଚନ୍ଦ୍ରିକା ରାତି ମହା ଆନନ୍ଦ ଉଲ୍ଲାସରେ ନିର୍ଦ୍ବନ୍ଦରେ ପାଳନ କରିବେ ସେମାନେ ସେଦିନ ଆଉ ହାସପାତାଳରେ ରୋଗ ଶଯ୍ୟାରେ ନ ଶୋଇ ବାସର ସଯ୍ୟା ମଣ୍ଡନ କରିବେ
ମନୋଜ ଦାସ୍ !ଜିନ୍ଦାବାଦ୍ !