Loading...

Shri Manmohan Mishra

ଶ୍ରୀଯୁକ୍ତ ମନମୋହନ ମିଶ୍ର

ମନମୋହନ ମିଶ୍ର ଥିଲେ ମୋ ପାଇଁ ଏକ କିମ୍ବଦନ୍ତୀ ପୁରୁଷ୤ ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ ସେ ବିଖ୍ୟାଟ ଛାତ୍ରନେତାଙ୍କୁ ଔପନିବେଶିକ ପୁଲିସ୍ ଗିରଫ କରିବା ନିମନ୍ତେ ଖୋଜୁଥିବା ବେଳେ ସେ କୌଣସି ଗୋପନ ସ୍ଥାନରୁ ଜନସାଧାରଣଙ୍କ ସକାଶେ ପ୍ରକାଶ କରିଥିଲେ ଏକ ବୈପ୍ଲବିକ ଆହ୍ବାନ୤ ବହୁଳ ବିତରିତ ସେ ମୁଦ୍ରିତ କାଗଜ ଖଣ୍ଡିଏ ପାଇଥିଲି ମାଇନର୍ ସ୍କୁଲରେ ପଢ଼ିବା ବେଳେ୤ ତାହା ହିଁ ତାଙ୍କ ରଚନା ସହ ପ୍ରଥମ ପରିଚୟ୤

ବାଲେଶ୍ବର କଲେଜରେ ପଢ଼ିବା ବେଳେ ରାଜନୀତିରେ ସକ୍ରିୟ ଏ ଲେଖକ ଦିନେ ଖବର ପାଇଲା, ସଦ୍ୟ କାରାମୁକ୍ତ କମ୍ୟୁନିଷ୍ଟନେତା ମନମୋହନ ବାବୁ କଲିକତାରୁ କଟକ ଯିବା ବାଟରେ ଦିନକ ସକାଶେ ବାଲେଶ୍ବରରେ ଅଟକି ରହିବାକୁ ପ୍ରସ୍ତୁତ୤ ସଭାଟିଏ ହୋଇପାରିଲେ ଉତ୍ତମ୤

ନିଶାର୍ଦ୍ଧରେ ସେ ଟ୍ରେନ୍‌ରୁ ଅବତରଣ କରିବେ୤ ପରଦିନ ସଭା ସକାଶେ ଉତ୍ସାହ ଓ ଆନନ୍ଦରେ ଆମେ ବ୍ୟାପୃତ ରହିଲୁଁ ଆୟୋଜନରେ୤

ସଂଧ୍ୟା୤ ରିକ୍ସାରେ ମାଇକ୍ରୋଫୋନ୍ ଖଞ୍ଜା ଚାଲିଛି୤ ବାଲେଶ୍ବରରେ ମନମୋହନ ମିଶ୍ରଙ୍କର ସମ୍ଭବତଃ ତାହା ପ୍ରଥମ ଜନସଭା୤ ଦିନକ ଆଗରୁ ଲୋକେ ଜାଣିବା ଚାହି୤

ମୋତିଗଞ୍ଜ ସିନେମା ଛକରେ ମାଇକ୍ରୋଫୋନ୍ ପରୀକ୍ଷା ହେଉଛି୤ ଆଠ ଦଶଜଣ କୌତୁହଳୀ ବେକାର୍ ପିଲା ଆଗ୍ରହରେ ରିକ୍ସାକୁ ଘେରି ଗଲେଣି୤ ସହଦେବ ଖୁଣ୍ଟାରେ ଅବସ୍ଥିତ କମ୍ୟୁନିଷ୍ଟ ପାର୍ଟି ଅଫିସରୁ କହ୍ନେୟା ନାମଧେୟ କର୍ମୀ ଗୋଟାଏ ଅନିଚ୍ଛୁକ ସାଇକେଲକୁ ମରଣାନ୍ତକ ଶ୍ରମରେ ଚଳମାନ ରଖି ମୋ ପାଖରେ ଓହ୍ଲାଇ ଧଇଁ ସଇଁ ହୋଇ କହିଲା, ‘‘ମନମୋହନ ବାବୁଙ୍କ ଆସିବା ବନ୍ଦ୤ ଟେଲିଗ୍ରାମ୍ ଆସିଛି୤’’

ସେ ଟେଲିଗ୍ରାମ୍ ଖଣ୍ଡିକ ଆଣିନଥିଲା୤ ତେବେ ପାର୍ଟି ଅଫିସ ଦାୟିତ୍ବରେ ଥିବା କମ୍ରେଡ଼୍ ବୃଥାରେ ତାକୁ ପ୍ରେରଣ କରିବାର ଯୁକ୍ତି ନଥିଲା୤ କାର୍ଯ୍ୟକ୍ରମ ବାତିଲ୍ ନିମନ୍ତେ ଯାହା କରିବାର କରାଗଲା୤

ମଧ୍ୟ ରାତ୍ରର ଅବ୍ୟବହିତ ପୂର୍ବରୁ ଥରେ ଷ୍ଟେସନ ଯିବା ସକାଶେ ମନ ହେଲା୤ ମନମୋହନ ବାବୁ ଖାଲି ବାଲେଶ୍ବରରେ ଅଟକି ପାରିବେ ନାହିଁ ବୋଲି ସଭା ବାତିଲ କଲେ ନା ମୋଟେ କଲିକତାରୁ ଆସୁନାହାନ୍ତି, ସେ ସଂପର୍କରେ ନିଶ୍ଚିତ ହୋଇପାରୁ ନଥିଲି୤ ଯଦି ଗାଡ଼ିରେ ଯାଉଥିବେ, ହୁଏତ ବାଲେଶ୍ବର ଠିଁ ପ୍ଲାଟଫର୍ମ ଆଡ଼େ ଅନାଇବେ୤ ଫଟୋ ଦେଖିଛି; ଚିହ୍ନି ପାରିବି୤ ଅଭିବାଦନ ଜଣାଇବାର ସୁଯୋଗ ପାଇବି୤

ଏକାକୀ ପ୍ଲାଟଫର୍ମରେ ଏପଟ ସେପଟ ହେଉଛି, ଗାଡ଼ି ଆସି ଅଟକିଗଲା୤ ବାହାରି ଆସିଲେ ମନମୋହନ ମିଶ୍ର୤ ନମସ୍କାର କରି ପରିଚୟ ଦେବା ଅବସ୍ଥାରେ ଲକ୍ଷ୍ୟକଲି, ସେ ହାତରେ ସୁଟକେଶ୍ ଧରିଛନ୍ତି୤

‘‘ଆପଣ କ’ଣ ଏଠି ରହିବେ ?’’ଆଶ୍ଚର୍ଯ୍ୟ ହୋଇ ପଚାରିଲି୤

‘‘ମାନେ ? ସଭା ହେବ ପରା ? ମୋ ଟେଲିଗ୍ରାମ୍ ମିଳିନାହିଁ ?’’

‘‘ଆପଣ ପରା ଆସିବେ ନାହିଁ ବୋଲି ଟେଲିଗ୍ରାମ୍ କଲେ !’’

‘‘କି ଆଶ୍ଚର୍ଯ୍ୟ ! କାହିଁ, ଦେଖାଇଲ ଟେଲିଗ୍ରାମ୍ !’’

ଟେଲିଗ୍ରାମ୍ ମୁଁ ନିଜେ ଦେଖିନଥିଲି୤ ଦେଖାଇବି ବା କ’ଣ ! ସମୟ ନାହିଁ୤ ଗାଡ଼ି ଛାଡ଼ିବ୤ ମନମୋହନ ବାବୁ ଟି.ଟି.ଆଇ.କୁ ତାଙ୍କ ଟିକଟର ମିଆଦ ବଢ଼ାଇବାର ଅନୁରୋଧ ଜଣାଇ ଡ଼ବା ଭିତରକୁ ଉଠିଗଲେ୤ ଗାଡ଼ି ଛାଡ଼ିଦେଲା୤ ବିରକ୍ତି ସତ୍ତ୍ବେ ତାଙ୍କର ବିଚକ୍ଷଣ ହସ ସହ ଲାଲ୍‌ସଲାମ ଜଣାଇବାରେ ସେ କିନ୍ତୁ କାର୍ପଣ୍ୟ କଲେ ନାହିଁ୤

କିଛି ସମୟ ବିମୂଢ଼ ରହିବା ଅନ୍ତେ ସେହି ଅନ୍ଧକାର ରାତିରେ ହଷ୍ଟେଲକୁ ନ ଫେରି ସିଧା ସହଦେବଖୁଣ୍ଟା ଚାଲିଲି୤ ସେତେବେଳର ସେ ମୁଲକ ଦୁର୍ଗମ; ବିଦ୍ୟୁତ୍-ବିରହିତ୤ ପାର୍ଟି ଅଫିସରେ ମଧ୍ୟ ଆଲୋକର ଉତ୍ସ ଗୋଟିଏ ମାତ୍ର ଲଣ୍ଠନ୤

କବାଟରେ ଶତାଧିକ ଆଘାଟ ଅନ୍ତେ ଟେଲିଗ୍ରାମ-ବ୍ୟାଖ୍ୟାକାରୀ କମ୍ରେଡ଼ ଜଣକ କବାଟ ଖୋଲିଲେ୤ ବାହାରେ ମୃଦୁ ଜହ୍ନ ଆଲୁଅ୤

‘‘ମନମୋହନ ମିଶ୍ରଙ୍କ ଟେଲିଗ୍ରାମ୍‌ଟି କାହିଁ?’’

‘‘କାହିଁକି ? ମୁଁ ପରା ସଙ୍ଗେ ସଙ୍ଗେ କହ୍ନେୟାକୁ ପଠାଇଲି ! ସେ ଖବର ନ ଦେଇ ଆଉ କୁଆଡ଼େ ଚାଲିଯାଇଛି ? ଏଠାକୁ ବି ଫେରିନାହିଁ୤ ଭାରି ଚଗଲା୤’’

‘‘କମ୍ରେଡ଼୍ ! କହ୍ନେୟା ମୋଟେ ଚଗଲା ନୁହେଁ୤ ବସ୍ତୁତଃ ସେ ମୋଠୁଁ, ତମଠୁଁ ଅଧିକ ନିଷ୍ଠାପର ଏବଂ ନିର୍ଭରଯୋଗ୍ୟ୤ ସେ ଖବର ଦେଇଛି ଠିକ୍୤ କିନ୍ତୁ ମୁଁ ଟେଲିଗ୍ରାମଟି ଦେଖିବା ଜରୂରୀ୤’’

ସେତେବେଳେ ରାତି ଗୋଟାଏରୁ କିଞ୍ଚିତ୍ ଅଧିକ୤ କମ୍ରେଡ଼୍ ଲଣ୍ଠନ ଲଗାଇଲେ୤ ଟେଲିଗ୍ରାମ୍ ଖଣ୍ଡିକ ଉଡ଼ିଯାଇ ଅଥବା ସେ ମାଟି ଚାଳ ଘରର ସ୍ଥାୟୀ ବାସିନ୍ଦା ବଳବାନ ମୂଷାମାନଙ୍କ ଦ୍ବାରା ଘର କୋଣର ଏକ ବିଳ ପାଖରେ ପହଞ୍ଚି ଯାଇଥାଏ୤

କମ୍ରେଡ଼୍ ତାକୁ ଉଠାଇ ଧରି, ମୋତେ ନ ଦେଖାଇ ପୁନର୍ବାର ପ୍ରଶ୍ନ କଲେ, ‘‘ରହସ୍ୟ କ’ଣ କହିଲ ?’’

‘‘ରହସ୍ୟ ବେଶ ଜଟିଳ୤ କମ୍ରେଡ୍ ମନମୋହନ ମିଶ୍ର କହିଲେ କି ସେ ଆସୁଛନ୍ତି ଏବଂ ସଭା ହେବ – ଏହି ମର୍ମରେ ସେ ଟେଲିଗ୍ରାମ୍ କରିଛନ୍ତି୤ ତମେ କହୁଛ ସେ ଆସିବେ ନାହିଁ ବୋଲି ଜଣାଇଛନ୍ତି୤ ଏଥର ଖୋଲ ଟେଲିଗ୍ରାମ ୤’’

‘‘ଖୋଲିବା ତ ନିଶ୍ଚୟ୤ କିନ୍ତୁ ମୁଁ ଯାହା ସନ୍ଦେହ କରୁଥିଲି, ତାହା ଠିକ୍ ବୋଲି ପ୍ରମାଣ ହେବାକୁ ଯାଉଛି୤ କୌଣସି ଜନଶତ୍ରୁ କିମ୍ବା ଆମେରିକାନ୍ ଚର, ଟେଲିଗ୍ରାମରେ ଗୋଟିଏ ଯୋଡ଼ିଏ ଶବ୍ଦ ଯୋଡ଼ିଛି୤ ସବୋଟାଜ୍୤’’

କମ୍ରେଡ୍ ମିଞ୍ଜି ମିଞ୍ଜି ଲଣ୍ଠନ ଆଗରେ ଟେଲିଗ୍ରାମ ଖୋଲି ଧରିଲେ୤ ପଢ଼ିଲି :

REACHING BY HOWRAH PURI STOP MEETING CONFIRMED STOP INFORM MANOJ – MANMOHAN MISHRA

କମ୍ରେଡ୍ ଙ୍କ ଆଡ଼କୁ ଅନାଇଲି୤ ତାଙ୍କ ଆଖିରେ ଫୁଟିଥାଏ ନିଜ ତତ୍ତ୍ବ ଠିକ୍ ବୋଲି ପ୍ରତିପାଦିତ ହେବାର ଗର୍ବ୤

‘‘ଏଠାରେ ସାବୋଟାଜ୍ କେଉଁଠି ?’’ ପ୍ରଶ୍ନ କଲି୤

‘‘ଏମିତି କ’ଣ ପଚାରୁଛ କମ୍ରେଡ଼ ? ମୋତେ କ’ଣ ଇଂରାଜୀ ଜଣାନାହିଁ ଧରିନେଲ ? ଖାଲି ସଭା ବନ୍ଦ ନୁହେଁ, ଟ୍ରେନ୍ ଯୋଗେ ତାଙ୍କ ଆସିବା ମଧ୍ୟ ବନ୍ଦ୤ ଦୁଇ ଦୁଇଟା STOP କ’ଣ ଅର୍ଥହୀନ ? ସେ ଯଦି ନିଜେ ବିନା STOPରେ ଟେଲିଗ୍ରାମ୍ କରିଥିଲେ, ଶତ୍ରୁ ଛଡ଼ା STOP ବସାଇବାର ଗରଜ କାହାର ?’’

କିଛି କହିବାର ଉତ୍ସାହ ମୋର ନ ଥିଲା୤ କମ୍ରେଡ଼ କିନ୍ତୁ ଗୁଣୁ ଗୁଣୁ ହୋଇ ବିରକ୍ତି ପ୍ରକାଶ କରୁଥାନ୍ତି : ‘‘କ’ଣ STOP ଶବ୍ଦର ଅର୍ଥ ବୁଝିବା ପାଇଁ ‘ବି.ଏ.ଲଣ୍ଡ୍.’ ହେବା ଦରକାର୤’’ ( ଏ ମନ୍ତବ୍ୟର ତାତ୍ପର୍ଯ୍ୟ ହେଲା କଲେଜର ପୂର୍ବ ଅଧ୍ୟକ୍ଷ ଶ୍ରୀ ଘନଶ୍ୟାମ ଦାସଙ୍କ ଉପାଧି B.A.(Lond.) !)

ଏକ ଦୀର୍ଘନିଃଶ୍ବାସ ଛାଡ଼ି ଦେଢ଼ ମାଇଲ ବାଟ ଚାଲି ଚାଲି ହୋଷ୍ଟେଲରେ ପହଞ୍ଚିବା ବେଳକୁ ଭୋର୍ ହେଲାଣି ୤

ପରବର୍ତ୍ତୀ କେତେ ବର୍ଷ ଭିତରେ ମନମୋହନ ମିଶ୍ରଙ୍କ ସହ ଘନିଷ୍ଟ ହେବାର ସୁଯୋଗ ପାଇଛି, କେତେ ସଭାରେ ଏକାଠିଁ ଭାଷଣ ଦେଇଛୁଁ, ଉଭୟେ ଗୀତ ବୋଲିଛୁଁ୤ ସେ ଥିଲେ ଅସାଧାରଣ ବକ୍ତା, ସ୍ବଚ୍ଛଳ କବି, ବଳିଷ୍ଠ ନେତା୤ କିନ୍ତୁ ସର୍ବୋପରି ସେ ଥିଲେ ଜଣେ ଦରଦୀ, ସ୍ନେହୀ ମଣିଷ୤ ୧୯୫୫ରେ ମୁଁ ଆଫ୍ରୋ-ଏସିଆ ଛାତ୍ର ସମ୍ମିଳନୀରେ ଯୋଗଦେବା ନିମନ୍ତେ ବାନ୍ଦୁଂ ଯିବା କଥା୤ କିନ୍ତୁ ପାଥେୟର ଅଭାବ୤ ‘‘ଚାଲ, ତମକୁ ପୁରୀ ନେଇଯିବି୤ ଜଣେ ବିଖ୍ୟାତ ମହନ୍ତଙ୍କ ସହ ସେଇଦିନ ଆଳାପ ହେଲା୤ ମନେ ହେଲା ସେ ଭଲ କାମରେ ସାହାଯ୍ୟ କରିବାକୁ ପ୍ରସ୍ତୁତ୤ ଆଶା କରୁଛି, କିଛି ଆଦାୟ କରିଦେବି୤ ହୁଏତ ସେ ସମୁଦାୟ ଅର୍ଥ ଦେଇଦେବେ – ଯଦି ଆମେ ତାଙ୍କ ନାନାଦି ଜିଜ୍ଞାସାର ଯଥାର୍ଥ ସନ୍ତୋଷ ବିଧାନ କରିପାରିବୁଁ୤ ବିପୁଳ ବିତ୍ତର ଅଧିକାରୀ ସେ ଯୁବକ ମହନ୍ତ୤’’

ଖୁବ୍ ସକାଳେ କୌଣସି ଗୋଟିଏ ଟ୍ରେନ୍ ଧରି ଆମେ ଦିନ ନଅଟା ସୁଦ୍ଧା ଯାଇ ସେ ବିଖ୍ୟାତ ମଠରେ ଉପନୀତ ହେଲୁଁ୤ ମହନ୍ତ ମହାରାଜଙ୍କୁ ଖବର ଦିଆଗଲା୤ ସେ ଆସି ଅବିଳମ୍ବେ ଆମକୁ ସ୍ବାଗତ କଲେ୤ ଆରମ୍ଭ ହେଲା ଆଳାପ୤ ସେ ପ୍ରଶ୍ନ କରୁଛନ୍ତି, ମନମୋହନ ମିଶ୍ର ଅନର୍ଗଳ ଉତ୍ତର ଦେଉଛନ୍ତି୤ ଦଶଟା ବାଜିଲା, ଏଗାରଟା ବାଜିଲା୤ ମନମୋହନ ବାବୁଙ୍କ ଧୈର୍ଯ୍ୟ ସିନା ବିପୁଳ, ମୋର ନୁହେଁ୤ ମୁଁ ଛଟପଟ ହେଉଥାଏଁ୤ କିନ୍ତୁ ସଙ୍ଗେ ସଙ୍ଗେ ଏହି ଆଶା ବଳବତ୍ତର ହେଉଥାଏ – ଯେତିକି ଉଚ୍ଛୁର ହେବ, ଚାନ୍ଦାର ପରିମାଣ ହେବ ସେତିକି ଅଧିକ୤

ମଧ୍ୟାହ୍ନ ହେଲା୤ ମହନ୍ତ ମହାରାଜ ମଠର କୌଣସି ରୀତିନୀତିରେ ପୌରହିତ୍ୟ କରିବାକୁ ଉଠିପଡ଼ିଲେ୤ ଖଣ୍ଡିଏ କାଗଜରେ ତାଙ୍କ ଖାଜାଞ୍ଚି ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦେଲେ, ‘‘କୌଣସି ପୂଣ୍ୟ କର୍ମରେ ଶ୍ରୀମାନ୍ ମନୋଜ ଦାସ ବିଦେଶ ଯାଉଥିବା ହେତୁ ତାଙ୍କୁ ଟ୨୫ (ପଚିଶ ଟଙ୍କା) ସାହାଯ୍ୟ ଦିଆଯାଉ୤’’

ଆମେ ଖାଜାଞ୍ଚିଙ୍କ ଝରକା ପାଖରୁ ଟଙ୍କା ଧରି ରାସ୍ତାକୁ ବାହାରି ଆସିଲୁଁ୤

‘‘ମନ ଖରାପ କରନାହିଁ, ମନୋଜ ! ଏମିତି ହୁଏ୤’’ ସେ କହିଲେ୤

‘‘କିନ୍ତୁ ଆପଣ ଏତେ ସମୟ ଦେଲେ, ଅଥଚ…’’

‘‘ଚିନ୍ତା ନାହିଁ୤ ତାଙ୍କ ସହ ପରିଚୟ ଆଉ ଟିକିଏ ନିବିଡ଼ ହେଲା୤ ଭବିଷ୍ୟତରେ ପୁଣି କାମରେ ଆସିବ୤’’ ସେ ମୋତେ ଆଶ୍ବାସ ଦେଇ ତାଙ୍କର ସେଇ ବେପରୁଆ ଅଥଚ ଅର୍ଥପୂର୍ଣ୍ଣ ହସ ଦ୍ବାରା ମୋତେ ଯେଉଁ ଶିକ୍ଷା ଦେଲେ, ତାହାର ମୂଲ୍ୟ ପଚିଶ ଟଙ୍କାରୁ ବହୁତ-ବହୁତ- ବହୁତ ଅଧିକ୤

୧୯୬୩ରେ ଏ ଲେଖକ ପଣ୍ଡିଚେରୀ ଚାଲିଆସିବା ପରେ ତାଙ୍କ ସହ ସାକ୍ଷାତ ହୋଇଥିଲା ୧୯୬୫ ଡ଼ିସେମ୍ବରରେ – କେରଳର କୋଚିନ୍ ପାର୍ଶ୍ବବର୍ତ୍ତୀ ଉଦ୍ୟୋଗମଣ୍ଡଳ ଠାରେ୤ ନିଖିଳ ଭାରତ ଲେଖକ ସମ୍ମିଳନୀକୁ ନିମନ୍ତ୍ରୀତ ହୋଇ ମୁଁ ଯାଇଥାଏଁ୤ ଓଡ଼ିଶାରୁ ସର୍ବ ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ର, ଅଧ୍ୟାପକ (ଇଂରାଜୀ) ସର୍ବେଶ୍ବର ଦାସ ପ୍ରମୁଖଙ୍କ ସହ ସେ ବାବୁ ଆସିଥାନ୍ତି୤ ଫେରନ୍ତା ବାଟରେ ସେ ସିଦ୍ଧାନ୍ତ ନେଲେ – ପଣ୍ଡିଚେରୀ ଆସିବେ୤ ଆସିଲେ ମଧ୍ୟ – ୧୯୬୬ ର ନବବର୍ଷ ଦିବସରେ୤ ତାହା ହିଁ ଶେଷ ସାକ୍ଷାତ୍୤ ତେବେ ମୁଁ ତାଙ୍କ ଚେତନାରେ ରହିଥିଲି୤ ଏହାର ପ୍ରମାଣ ସେ ଦେଇଥିଲେ ମୋ ଉପରେ ଏକ ସ୍ନେହପୂର୍ଣ୍ଣ ଚେତାବନୀ ସମ୍ବଳିତ ନିବନ୍ଧ ରଚନା କରି୤


About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.