Loading...

Shri Gourahari Das

ମନୋଜ ବାବୁଙ୍କ ବଡ଼ପଣ
ଗୌରହରି ଦାସ

ସାମ୍ନାସାମ୍ନି ଦେଖାହେଲା ପରେ, ସଂପର୍କ ଗଢିଉଠିଲା ଅନେକ ଡେରିରେ୤ କିନ୍ତୁ ସେତେବେଳକୁ ମୁଁ ତାଙ୍କୁ ଗୋଟାପଣେ ଆଦରି ସାରିଥିଲି୤ ଆଉ କେଉଁ ଲେଖକଙ୍କୁ ଏଭଳି ଭାବରେ ଆଦରି ନେବା ମୋର ମନେ ପଡୁନାହିଁ୤ ଏହାର କାରଣ ସଂପର୍କରେ କେତେବାର ଚିନ୍ତା କରିଛି୤ ଉତ୍ତର ବି ପାଇଛି ମନେ ଭିତରେ, ଯେଉଁଥିପାଇଁ ତାଙ୍କୁ ଦେଖିବା ଆଗରୁ ଛପାବହି ପୃଷ୍ଠାରେ ମୁହ୍ଁ ଟେକୁଥିବା ତାଙ୍କ ଗଳ୍ପର ଚରିତ୍ର ମାନଙ୍କ ଜରିଆରେ ତାଙ୍କ ସହ ଅତୁଟ ସଂପର୍କ ଗଢି ଉଠିଛି୤ ଅନ୍ୟ ଲେଖକଙ୍କ ଗପ ଉପନ୍ୟାସ ଚରିତ୍ର ପରି ତାଙ୍କ ଗପ ଉପନ୍ୟାସର ଚରିତ୍ରମାନେ ଏତେ ଦୂରଛଡା, ବୟସ୍କ, ଗମ୍ଭୀର ଓ ଅବୁଝା ନୁହନ୍ତି୤ ସେମାନେ ମୋ ପରି, ମୋର କୈଶୋରର ବ୍ୟକ୍ତିତ୍ବ ପରି୤ ସେଇଥି ପାଇଁ ସେମାନେ ଏତେ ଭଲ ଲାଗିଛନ୍ତି୤ ଏବଂ ଭଲ ଲାଗୁଥିବା ସାଙ୍ଗଟିର ସଂପର୍କୀୟ ମାନେ ଭଲ ଲାଗିବା ନ୍ୟାୟରେ ସେହି ଲେଖା ଗୁଡ଼ିକର ଲେଖକ ଭଲ ଲାଗିଛନ୍ତି୤ ସେଇ ମନୋଜ ଦାସ, ମୋ ଭାଷା-ସାହିତ୍ୟର ଗର୍ବ, ଗୌରବ୤

ପରବର୍ତ୍ତୀ ସମୟରେ ପ୍ରତ୍ୟକ୍ଷ ସଂପର୍କ ହେଇଛି୤ ସେତେବେଳେ ମୋ ଦୃଷ୍ଟିରେ ସେ ଆହୁରି ଉଚ୍ଚକୁ ଉଠିଛନ୍ତି୤ ଚପଳ କିଶୋର ସାଙ୍ଗଟିର ଗମ୍ଭୀର ପିତାଙ୍କ ପରି ସେ ବ୍ୟକ୍ତିତ୍ବ୤ ତାଙ୍କର ଦର୍ଶନ ମୋତେ ଅଭିଭୂତ କରିଛି, ବକ୍ତୃତା ଦେବାର ଭଙ୍ଗୀ ମୋତେ ଖୁବ୍ ବେଶି ପ୍ରଭାବିତ କରିଛି ଏବଂ ଏସବୁ ଉର୍ଦ୍ଧ୍ବରେ ତାଙ୍କର ସରଳ ଅମାୟିକ ଓ ଅହଙ୍କାରଶୂନ୍ୟ ବ୍ୟବହାର, ତାଙ୍କୁ ଲକ୍ଷ ଲକ୍ଷ ପାଠକ ପରି ମୋର ପ୍ରିୟତମ ଲେଖକ ଭାବେ ପ୍ରତିଷ୍ଠା ଦେଇଛି୤

ରେଭେନ୍‌ସା କଲେଜରେ ପଢାଦିନ କଥା ମନେପଡେ୤ ବାଲେଶ୍ବର ଜିଲ୍ଲାର ବଡ଼ପଣ ଦେଖାଇବାର୍ ପ୍ରୟୋଜନ ପଡେ ବନ୍ଧୁଙ୍କ ମେଳରେ୤ ଡଗଡଗ କରି କହିଯାଏ ବ୍ୟାସକବି ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଡକ୍ଟର ହରେକୃଷ୍ଣ ମହତାବ ଓ ମନୋଜ ଦାସ୤ ଓଡ଼ିଆ ସାହିତ୍ୟକୁ ବାଲେଶ୍ବରର ଅବଦାନ ଅତୁଳନୀୟ୤ ସେଇଥିପାଇଁ ଅବିଭକ୍ତ ବାଲେଶ୍ବର ଜିଲ୍ଲାରୁ ଭଦ୍ରକ କଟି ଆସିଲାପରେ ମନ ଖୁବ୍ ଦୁଃଖ ହୋଇଥିଲା୤ ଏ ଦୁଃଖ ଅନ୍ୟମାନଙ୍କୁ ପିଲାଳିଆମି ମନେ ହୋଇପାରେ, କିନ୍ତୁ ମୋ ପାଇଁ ଅତ୍ୟନ୍ତ ଅନ୍ତରଙ୍ଗ୤

ମନୋଜ ବାବୁଙ୍କ ଗପ ପଢି ଦିନଦିନ, ରାତିରାତି ବିହ୍ବଳିତ ଅବସ୍ଥାରେ ରହିଛି୤ ତାଙ୍କର ଗଳ୍ପ କଥନର ଭଙ୍ଗୀ ମନେପଡିଲେ ଶୁଖିଲା ମୁହଁରେ ହସ ଫୁଟିଉଠେ୤ ସେ ଗପଟିର କାହାଣୀ ଆଉ କାହା ଆଗରେ କହିଦେବା ଲାଗି ମନ ଅଥୟ ହୁଏ୤ କାହିଁକି ସେ ସବୁ ଏତେ ଭଲ ଲାଗେ? ତାହା ସଂକ୍ଷେପରେ କହିବା ସତରେ କଷ୍ଟ୤

ମଣିଷକୁ ତା’ର ସ୍ବପ୍ନ ଏବଂ ସ୍ବପ୍ନଭଙ୍କକୁ ଅତି ମର୍ମସ୍ପର୍ଶୀ ଭାବରେ ବର୍ଣ୍ଣନା କରିଛନ୍ତି ମନୋଜ ବାବୁ୤ ପରବର୍ତ୍ତୀ ସମୟରେ ତାଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ହୋଇଛି୤ ତାଙ୍କର ଭାଷଣ ମୋତେ ମୁଗ୍ଧ କରିଛି୤ ଅତ୍ୟନ୍ତ ଗମ୍ଭୀର କଥା ସେ ଅତି ସ୍ବାଭାବିକ ଭାବରେ କହିଯାଆନ୍ତି-ଶ୍ରୋତା ଶୁଣୁଥାଏ୤ ମୁଁ ଦମ୍ଭର ସହ କହିବି ଯେ, ମନୋଜ ବାବୁଙ୍କ ଭାଷଣ ଶୁଣିବା ପାଇଁ ଯେତିକି ଶ୍ରୋତା ଏକାଠି ହୁଅନ୍ତି, ଅନ୍ୟ କୌଣସି ଲେଖକଙ୍କ ଭାଷଣ ଶୁଣିବା ଲାଗି ସେତିକି ହୁଅନ୍ତି ନାହିଁ୤ ସୂଚନାଭବନ ପ୍ରେକ୍ଷାଳୟରେ ଚଉକି ନପାଇ ଚଟାଣ ଉପରେ ବସି ବିଶିଷ୍ଟ ବ୍ୟକ୍ତିମାନେ ମନୋଜ ବାବୁଙ୍କୁ ଭାଷଣ ଶୁଣିବା ନିଜେ ମୁଁ ଦେଖିଛି୤ ଗର୍ବରେ ଛାତି ଫୁଲି ଉଠିଛି୤

ମନୋଜ ବାବୁ ‘ସରସ୍ବତୀ ସମ୍ମାନ’ ପାଇଛନ୍ତି, ‘ଜ୍ଞାନପୀଠ’ ସେ ବହୁତ ଆଗରୁ ପାଇଥାନ୍ତେ୤ ସମୟ ଆସିବ ଜ୍ଞାନପୀଠ ପୁରସ୍କାର ପାଇଥିବା କିଛି ଲେଖକଙ୍କୁ ଲୋକେ ଭୁଲିଯିବେ୤ କିନ୍ତୁ ସେଦିନ ମଧ୍ୟ ଲକ୍ଷ ଲକ୍ଷ ପାଠକ ମନୋଜ ବାବୁଙ୍କୁ ମନେ ରଖିଥିବେ୤ ତାଙ୍କର ସାହିତ୍ୟ ଆଜିଠାରୁ ଆହୁରି ନିବିଡ଼ ଭାବରେ ପଢୁଥିବେ୤

ମନୋଜ ବାବୁଙ୍କ ସହ ପାଞ୍ଚ ଦଶ ମିନିଟର କଥାବାର୍ତ୍ତା ମୋ ମନ ଭିତରର ଏକାଧିକ ଅଡୁଆ ଗଣ୍ଠିକୁ ଖୋଲିଦିଏ୤ ଆମେରିକା ଉପରେ ବିନ୍ ଲାଦେନଙ୍କ ଆକ୍ରମଣ ଏବେ ସମଗ୍ର ପୃଥିବୀକୁ ସ୍ତମ୍ଭୀଭୂତ କରିଦେଇଛି୤ ଅନେକଙ୍କ ପରି ମୋ ମନରେ ଧାରଣା ଥିଲା ଯେ, ସଭ୍ୟତାର ବିକାଶ ପ୍ରକ୍ରିୟାରେ ବର୍ବରତା ଦୂରେଇ ଯାଏ୤ ମଣିଷ ସଭ୍ୟ ହୁଏ, ସଂସ୍କୃତ ହୁଏ, ଜୀବନବାଦୀ ହୁଏ୤ କିନ୍ତୁ ଏ ଘଟଣା ତ ତା’ର ବିରୋଧାଭାଷ୤ ମନୋଜ ବାବୁଙ୍କ ଭାଷଣ ଶୁଣିଲେ ଏହାର ଉତ୍ତର ମିଳେ୤ ନିକଟରେ ତାଙ୍କ ଭାଷଣ ଶୁଣୁଥିଲି୤ ସେଥିରେ ସେ ମୋଟା ମୋଟି ଯାହା କହିଥିଲେ ତାହା ହେଲା, ‘‘ରାମ ଯେଉଁ ସମୟ ଓ ଯେଉଁ ସଭ୍ୟତାର ଅଂଶବିଶେଷ, ରାବଣ ମଧ୍ୟ ସେଇ ସମୟ ଓ ସଭ୍ୟତାର ଅଂଶବିଶେଷ୤ ବିଜ୍ଞାନର ଚମତ୍କାରିତାକୁ କେବଳ ଦେବତା ନୁହେଁ ଅପଦେବତା ମଧ୍ୟ କର୍ମରେ ଲଗାଇ ପାରନ୍ତି୤ ଆଭିମୁଖ୍ୟର ଭିନ୍ନତା ହିଁ ଦେବତା ଓ ଅପଦେବତାର ଭୂମିକା ନିର୍ମାଣ କରେ୤’’ ତାଙ୍କର ବକ୍ତବ୍ୟ ଉପସ୍ଥାପନ ଶୈଳୀ, ମଝିରେ ମଝିରେ ଛୋଟ ଛୋଟ ଗପର ଅବତାରଣା ଏବଂ ପରିଚ୍ଛନ୍ନ ଭଙ୍ଗୀ ମୋ ପରି ଅନେକଙ୍କୁ ମୁଗ୍ଧ କରିଥାଏ ୤

ମନୋଜ ବାବୁ ଆର୍.କେ.ନାରାୟଣଙ୍କ ପରି ସଂଖ୍ୟାଗରିଷ୍ଠ ପାଠକଙ୍କର ପ୍ରିୟ ଲେଖକ୤ ସେ ତାଙ୍କ ଗଳ୍ପରେ ଜୀବନର ଅସ୍ତିବାଚକ ଦିଗକୁ ହିଁ ଆଲୋଚନା କରିଛନ୍ତି ୤ ଏକଥା କହିବାର ତାତ୍ପର୍ଯ୍ୟ ନୁହେଁ ଯେ ସେ ଜୀବନର ଅନ୍ଧାର ଦିଗ ସଂପର୍କରେ କିଛି କହିନାହାନ୍ତି୤ ‘ଆରଣ୍ୟକ’ରେ ଯେଉଁ ବୀଭତ୍ସ ବିକୃତିର କଥା ଅଛି, ତାହାଠୁଁ ଅନ୍ଧାର କଥା ଆଉ କ’ଣ ହୋଇଥାନ୍ତା? କିନ୍ତୁ ସେ ଗଭୀର ଆଶାବାଦୀ୤ ମଣିଷ ଉପରେ ଅଦ୍ଭୁତ ଆସ୍ଥା ତାଙ୍କ ସାହିତ୍ୟର ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଶେଷତ୍ବ ବୋଲି ମୋର ମନେହୁଏ ୤

ମନୋଜବାବୁ ପଣ୍ଡିଚେରୀରେ ରହନ୍ତି୤ ତାଙ୍କୁ ଭେଟିବା ପାଇଁ ଥରେ ପଣ୍ଡିଚେରୀ ଯାଇଥିଲି୤ ପଣ୍ଡିଚେରୀ ପାଇଁ ମନୋଜ ବାବୁ କେତେ ପ୍ରିୟ, ସେକଥା ମୁଁ ଅଙ୍ଗେ ନିଭେଇଛି୤ ସେ ବିଷୟରେ ମୋର ‘କଥାବାର୍ତ୍ତା’ ବହିରେ ବି ଲେଖିଛି୤

ସୌଜନ୍ୟବୋଧ ଓ ଶୃଙ୍ଖଳାର ପୃଥକ ପରିଭାଷା ମନୋଜ ବାବୁ୤ ଅଖ୍ୟାତ-ବିଖ୍ୟାତ ନିର୍ବିଶେଷରେ ସବୁ ପତ୍ରପ୍ରେରକଙ୍କ ଚିଠିର ଉତ୍ତର ଦେଉଥିବା ତାଙ୍କ ପରି ଲେଖକ ବିରଳ୤ ଜୀବନରେ ବହୁ ଲେଖକଙ୍କୁ ନିକଟରୁ ଓ ଦୂରରୁ ଦେଖିବାର ସୁଯୋଗ ହୋଇଛି୤ ବିଭିନ୍ନ ଦର୍ଶନ, ବାଦ ଓ ଧର୍ମସହ ସଂଶ୍ଳିଷ୍ଟ ହେଲେ ଯେ ମଣିଷ ବିଖ୍ୟାତ ହୁଅନ୍ତି, ସେଭଳି ବିଶ୍ବାସ ମୋର ନାହିଁ୤ ପ୍ରତିଭା ସହ ନିରୀହ ନମ୍ରତା ମିଶିଲେ ବୋଧହୁଏ ତାହା ହୁଏ ସାଧନା, ପ୍ରତିଭାରୁ ସେହି ନମ୍ରତା ହଟିଗଲେ ତାହା ଅହଙ୍କାର ପାଲଟିଯାଏ୤ ବହୁଦିନ ତଳେ କେଉଁଠି ପଢିଥିବା ଏକଥାଟି ମନେ ପଡ଼ିଲେ ମନୋଜ ବାବୁ ଏବଂ ତାଙ୍କର ଅନ୍ୟ କେତେଜଣ ସତୀର୍ଥଙ୍କ ଚେହେରା ଆଖି ଆଗରେ ଭାସିଯାଏ୤ ମନୋଜ ବାବୁ ଉଜ୍ଜ୍ବଳ ହୋଇ ଦିଶନ୍ତି୤

ଜଣେ ଅତ୍ୟନ୍ତ ଉଚ୍ଚଦରର ଲେଖକ, ବାଗ୍ମୀ, ଦାର୍ଶନିକ ଓ ସର୍ବୋପରି ଖୁବ୍ ଭଲ ମଣିଷ ଭାବରେ ମନୋଜ ବାବୁଙ୍କର ଏକ ନିଆରା ଭାବମୂର୍ତ୍ତି ମୋ ମନ ଭିତରେ ରହିଛି୤ କୌଣସି ବ୍ୟକ୍ତିଙ୍କୁ ଦେଖିବା ଆଗରୁ, କେବଳ ତାଙ୍କ ବିଷୟରେ ପଢ଼ି ଅଥବା ଶୁଣି ସୁଦ୍ଧା ତାଙ୍କ ସଂପର୍କରେ ଗୋଟିଏ ଭାବମୂର୍ତ୍ତି ତିଆରି ହୋଇଯାଇଥାଏ୤ ପଛକୁ, ସେ ବ୍ୟକ୍ତିଙ୍କ ସଙ୍ଗେ ଦେଖାହେଲାବେଳେ, ତାଙ୍କ ବ୍ୟକ୍ତିତ୍ବ ସହ ଧାରଣାର ଭାବମୂର୍ତ୍ତି ମିଶିଗଲେ ଭଲହୁଏ, ନ ମିଶିଲେ ମୋହଭଙ୍ଗ ଘଟେ୤ ଭାବମୂର୍ତ୍ତିକୁ ବାସ୍ତବ ଅତିକ୍ରମ କରିଗଲେ ଉଲ୍ଲାସ ସୃଷ୍ଟିହୁଏ୤ ମନୋଜ ବାବୁଙ୍କ କ୍ଷେତ୍ରରେ ମୋର ସେହିପରି ହୋଇଛି୤ ମୋର ବିଶ୍ବାସ ତାଙ୍କୁ ଭେଟିଥିବା ସବୁ ଲୋକଙ୍କ ଅନୁଭବ ସେହିପରି ହୋଇଥିବ୤

ଏହା ହିଁ ମନୋଜ ବାବୁଙ୍କର ବଡ଼ପଣ୤

ମୁଁ ତାଙ୍କୁ ପ୍ରଣାମ କରୁଛି ଏବଂ ଅଭିନନ୍ଦନ ଜଣାଉଛି୤

-୩୭୮, ବରମୁଣ୍ଡା, ଭୁବନେଶ୍ବର-୭୫୧୦୦୩

ସୌଜନ୍ୟ: “ ମନୋଜାୟନ”

About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.