Shri Debabrata Madanray
ପ୍ରଣାମ : ମନୋଜ ଦାସଙ୍କୁ
ଦେବବ୍ରତ ମଦନରାୟ
ମନୋଜ ଦାସ ହିଁ ମନୋଜ ଦାସ ଗୋଟେ ବିରାଟ ବ୍ୟକ୍ତିତ୍ବର ଅଧିକାରୀ ବିଶିଷ୍ଟ ସାମ୍ବାଦିକ ଏମ୍.ଭି.କାମଥ୍ ଥରେ ‘ଦି ୱିକ୍’ ପତ୍ରିକାରେ ଲେଖିଥିଲେ – ‘‘ମନୋଜ ଦାସ ବୋଇଲେ କ’ଣ? ଜଣେ ସମୀକ୍ଷକ? ଜଣେ ମନୋବିଜ୍ଞାନୀ? ଅନ୍ୟର ହୃଦୟ ଚୋରାଇ ପଢ଼ିନେଇ ପାରୁଥିବା ଜଣେ କୁଶଳୀ? ନା, ଜଣେ ଗଳ୍ପ ଲେଖକ? ଏକ ଆରକୁ ବଳି ତାଙ୍କ ଗଳ୍ପ ସବୁ ପଢିଲେ ଅନୁଭବ କରେ ଯେ ସେ ଏ ସବୁର ସମାହାର…’’
ଏକଥା ସ୍ବୀକାର୍ଯ୍ୟ ଓଡ଼ିଆ ଭାଷାରେ ଅପ୍ରତିଦ୍ବନ୍ଦୀ ଗଳ୍ପ ଲେଖକ ଭାବରେ ମନୋଜ ଦାସ ବେଶ୍ ସୁପରିଚିତ ସେ ଦୃଷ୍ଟିଭଙ୍ଗୀରେ ଯେପରି ଏକକ, ପରିବେଷଣରେ ସେହିଭଳି ମୌଳିକ ତାଙ୍କ ଗଳ୍ପରେ ସମନ୍ବୟ ଘଟିଥାଏ ଭାବ ଓ ଶବ୍ଦର ଭାବ ଓ ଶବ୍ଦରେ ସମ୍ମୋହିତ ହୋଇ ପାଠକଟି ଯେତେବେଳେ ଗଳ୍ପ ଭିତରକୁ ପ୍ରବେଶ କରିଥାଏ ସେତେବେଳେ ମନୋଜ ଦାସ ତାଙ୍କୁ ନେଇଯାଆନ୍ତି ଆଉ ଗୋଟେ ନିଆରା ପୃଥିବୀକୁ, ନିମିଷକରେ ସେହି ନିଆରା ପୃଥିବୀକୁ ସେ ନିଜେ ତୋଳି ଧରିଥାଆନ୍ତି ଆଧ୍ୟାତ୍ମିକ ଚେତନାର କୋମଳ ସ୍ପର୍ଶରେ ସେଠି ପହଞ୍ଚିଲା ପରେ ପାଠକଟି ଆଉ ଫେରି ଆସିବାକୁ ଚାହେଁନାହିଁ ନିଜସ୍ବ ପୃଥିବୀକୁ
ଏମିତି କେତେଜଣ ଗାଳ୍ପିକଙ୍କ ଭାଗ୍ୟରେ ଥାଏ !
ମୁଁ ସେହିପରି ଜଣେ ପାଠକ ସବୁବେଳେ ଚାହେଁ ମନୋଜ ଦାସଙ୍କ ପୃଥିବୀ ବିଶ୍ବାସ ରଖେ ମଣିଷର ଜୀବନ ଧାରଣ ପାଇଁ ବସ୍ତୁବାଦୀ ହେବା ମୋଟେ ଆବଶ୍ୟକ ନୁହେଁ ବରଂ ଆଧ୍ୟାତ୍ମବାଦୀ ହୋଇ ନିଜକୁ ନିଜେ ଆବିଷ୍କାର କରିବା ଉଚିତ
ଏହି ଆଧ୍ୟାତ୍ମବାଦ ତଥା ରହସ୍ୟବାଦର କଥା କହୁଥିବା ଗାଳ୍ପିକଙ୍କ ସହ ଆକସ୍ମିକ ଭେଟ ହୋଇଥିଲା ଗୋଟେ ବହି ଦୋକାନରେ ଆଗରୁ ଚିଠି ପତ୍ରରେ ଯୋଗାଯୋଗ ଥିବାରୁ, ମୋ ପରିଚୟ ସାକ୍ଷାତ ଜାଣିବା ପରେ ସେ କହିଥିଲେ – ‘‘ମୋର ସୌଭାଗ୍ୟ ଆପଣଙ୍କ ସହ ଦେଖା ହେଲା’’
ହାତ ଲମ୍ବି ଆସିଥିଲା ଶ୍ରଦ୍ଧା, ସଦିଚ୍ଛାର ମନୋଜ ଦାସଙ୍କର
ସେହି ଦିନ ଠାରୁ ଆଜିଯାଏ ସେ ମୋତେ ଭୁଲିପାରି ନାହାନ୍ତି ବରଂ ମୁଁ ତାଙ୍କୁ ମନେ ପକେଇବା ପୂର୍ବରୁ ସେ ମୋତେ ମନେ ପକାଇଛନ୍ତି ଚିଠିରେ, ଫୋନରେ ଅତି ଆତ୍ମୀୟ ମଣିଷ ଭାବରେ
ଏହାଠାରୁ ଉଦାର ଭାବ ଆଉ କାହା ପାଖରେ ମିଳିପାରେ !
ସେ କହନ୍ତି – ‘‘ମଣିଷକୁ ଭଲ ପାଇବାର ମୋର ଯେଉଁ ଆନ୍ତରିକତା, ସେଥିରେ କୌଣସି ଫାଙ୍କି ନାହିଁ ମୁଁ ମଣିଷକୁ ନିଷ୍ଠାର ସହ ଭଲପାଏ ବୋଲି ମଣିଷର ଚରମ ଅସହାୟତାର କଥା ବେଶୀ ଭାବରେ ମୋ ଗଳ୍ପରେ ମୁଁ ଫୁଟାଇଛି ମଣିଷର ଅସହାୟତାକୁ ଚିତ୍ରଣ କରି ମୁଁ ତା’ପାଇଁ ଅନ୍ୟଠାରୁ ସହାନୁଭୂତି ଆକର୍ଷଣ କରିବାକୁ ଚାହେଁ’’
ଆଉ ଥରକର କଥା
‘ଅମୃତ ଫଳ’ ବହି ହୋଇ ପ୍ରକାଶିତ ହୋଇନଥାଏ ବରଂ ‘ନବଲିପି’ରେ ସେଥିରୁ ଗୋଟେ ପରିଚ୍ଛେଦ ପ୍ରକାଶିତ ହେବା ଉଦ୍ଦେଶ୍ୟରେ ସେ ମୋ ପାଖକୁ ପଠାଇ ଥାଆନ୍ତି ସେହି ପରିଚ୍ଛେଦଟି ପାଠ କରିସାରିବା ପରେ ମୁଁ ତାଙ୍କୁ ଜଣାଇଥିଲି ଯେ ‘ ଅମୃତ ଫଳ’ ଆପଣଙ୍କୁ ଅମୃତ ହିଁ ଆଣିଦେବ ସେ ଉତ୍ତର ଦେଇଥିଲେ – ‘‘ଯାହା ଈଶ୍ବରଙ୍କ ଇଚ୍ଛା ତାହା ହିଁ ହେବ’’
ତାହା ହିଁ ଈଶ୍ବରଙ୍କ ଇଚ୍ଛା ଥିଲା
‘ଅମୃତ ଫଳ’ ମନୋଜ ଦାସଙ୍କ ପାଇଁ ଅମରତ୍ବ ନେଇ ଆସିଲା ଓଡ଼ିଆ ସାହିତ୍ୟରେ ଯେ କେହି ବିଦଗ୍ଧ ପାଠକ ମନୋଜ ଦାସଙ୍କୁ ଜାଣିବାକୁ ଚାହିଁବ ତେବେ ପ୍ରଥମେ ‘ଅମୃତ ଫଳ’କୁ ଆଦରି ନେବ ଦୁଇ ହଜାର ବର୍ଷ ତଳର ଗୋଟେ ଅପୂର୍ବ ନାଟକୀୟ କିମ୍ବଦନ୍ତୀର ପୁନଃବିନ୍ୟାସ ଘଟାଇ ସେ ଆମ ସମସାମୟିକ ଏକ ଅଣ- ନାଟକୀୟ ଚରିତ୍ର ମାଧ୍ୟମରେ ଆମକୁ ଦେଇଛନ୍ତି ବୈଚିତ୍ର୍ୟମୟ ଉପଲବ୍ଧି
ଏହି ଉପଲବ୍ଧି ଆମର ବସ୍ତୁବାଦୀ ଚିନ୍ତାଧାରାକୁ ଆଘାତ ଦେଉନି ବରଂ ଚୁରମାର କରି ଆମରି ଭିତରେ ସୁପ୍ତ ହୋଇ ରହିଥିବା ଆଧ୍ୟାତ୍ମିକ ଚେତନାଟିକୁ ଜାଗ୍ରତ କରିବାରେ ସହାୟକ ହେଉଛି
ବାସ୍ତବରେ ମନୋଜ ଦାସଙ୍କ ସୃଷ୍ଟିରେ ଭିଜି ରହିଥାଏ ଅଭିଜାତ ଶୈଳୀ, ବୁଦ୍ଧିଦୀପ୍ତ ବ୍ୟଙ୍ଗ, ସୂକ୍ଷ୍ମ ଅନୁଶୀଳନ ଏବଂ ଆଧ୍ୟାତ୍ମିକ ଚେତନାର ମନ୍ତ୍ର ତାଙ୍କର ପ୍ରତ୍ୟେକଟି ଗଳ୍ପର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବସ୍ତୁବାଦୀ ମଣିଷର ଶରୀର ଉପରୁ ଏହି ମନ୍ତ୍ରରେ ଅନାବରଣ କରି ଦିଅନ୍ତି ସେ ତା’ର ବିବିଧ ଛଦ୍ମ ବେଶ ଯା’ ଫଳରେ ପାଠକଟି ଦେଖିପାରେ ସେହି ବିବିଧ ଛଦ୍ମବେଶ ତଳେ ଥିବା ମଣିଷଟି କେଡେ ଅସହାୟ ଏବଂ ଆବିଷ୍କାର କରିବାରେ ସେ ନିଜେ ସମର୍ଥ ହୁଏ ଜୀବନର ରହସ୍ୟ
ଜୀବନ ରହସ୍ୟର ସନ୍ଧାନ ଦେଇ ପାରୁଥିବା ଗାଳ୍ପିକଙ୍କ ସମ୍ବନ୍ଧରେ ଆଉ କ’ଣ କୁହା ଯାଇପାରେ !
ହଁ, କୁହା ଯାଇପାରେ
ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ ଗଳ୍ପ ସାହିତ୍ୟରେ ମନୋଜ ଦାସଙ୍କ ଭଳି ଜଣେ ଗଭୀର ସମ୍ବେଦନଶୀଳ ସ୍ରଷ୍ଟାଙ୍କର ଆବିର୍ଭାବ ଓଡ଼ିଆ ଗଳ୍ପ ଜଗତକୁ ଯେତିକି ରୁଦ୍ଧିମନ୍ତ କରିଛି ତା’ଠାରୁ ଅଧିକ ଓଡ଼ିଆ ସାହିତ୍ୟକୁ ବିଶ୍ବ ସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ଦେଇ ପାରିଛି
ସେ ଅମୃତର ସନ୍ଧାନ ପାଇ ସାରିଥିବା ସନ୍ନ୍ୟାସୀ ଶ୍ରୀମା ଶ୍ରୀଅରବିନ୍ଦଙ୍କର ଆଶୀର୍ବାଦର କରୁଣା ବର୍ଷାରେ ସେ ସିକ୍ତ, ପବିତ୍ର
ସେହି ସନ୍ନ୍ୟାସୀଙ୍କୁ ମୁଁ ପ୍ରଣାମ ଜଣାଉଛି
ସେହି ସ୍ରଷ୍ଟାଙ୍କୁ ମୁଁ ପ୍ରଣାମ ଜଣାଉଛି
ସେହି ମନୋଜ ଦାସଙ୍କୁ ମୁଁ ପ୍ରଣାମ ଜଣାଉଛି
ଏହାଠାରୁ ଅଧିକା କ’ଣ ଥାଇପାରେ ମୋ ଭାଗ୍ୟରେ !
-ବିହାରୀବାଗ, କଟକ-୨