Loading...

Shri Brajanath Rath

ଏକ ଅନିର୍ବାଣ ପ୍ରତ୍ୟୟର ସ୍ମୃତି
ମନୋଜ ଦାସ

କାହାରି କାହାରି ମୁହଁ ସ୍ମୃତିରେ ପରିସ୍ଫୁଟ ହେବା ମାତ୍ରେ ଖାଲି ଯେ ମନର ଆକାଶରେ ଝଲସି ଉଠେ ଉପର୍ଯ୍ୟପରି ଅସଂଖ୍ୟ ଚିତ୍ର ଓ ଚେହେରା, ସେତିକି ନୁହେଁ, ବରଂ ଅନୁଭୂତ ହୁଏ ବିଗତ ମୁହୂର୍ତ୍ତ ସବୁର ରଙ୍ଗ ଓ ବାସ୍‌ନା; ଅନୁଭୂତ ସ୍ମୃତିର ଅତଳ ଅନ୍ଧକାର କୋଠରୀରେ ନିସ୍ପନ୍ଦ ଭାବରେ ଲୁଚି ରହିଯାଇଥିବା ଉଚ୍ଛ୍ବାସ,ବିଶ୍ବାସ ଏବଂ ସ୍ବପ୍ନର ସ୍ପନ୍ଦନ ୤

ଯେଉଁସବୁ ଉଚ୍ଛ୍ବାସ, ବିଶ୍ବାସ ଏବଂ ସ୍ବପ୍ନ ଆମ କୈଶୋରର ଉପାଦାନ ୤

ଏ ଲେଖକ ସେତେବେଳେ (୧୯୪୯-୫୦) ବାଲେଶ୍ବର ଜିଲ୍ଲା ସ୍କୁଲର ଦଶମ ଶ୍ରେଣୀର ଛାତ୍ର ୤ କଟକରୁ ପ୍ରକାଶିତ ସେତେବେଳର ଅନ୍ୟତମ ସମ୍ବାଦପତ୍ର ‘ଦୈନିକ ଆଶା’ର ସମ୍ପାଦକ ଶ୍ରୀଯୁକ୍ତ ରମେଶଚନ୍ଦ୍ର ମହାନ୍ତିଙ୍କ ପୁତ୍ର ସୁରେଶ ମୋର ସହପାଠୀ ୤ ସୁନହଟସ୍ଥିତ ରମେଶ ବାବୁଙ୍କ ‘ମାଧବାଳୟ’ କୋଠାରେ ବହୁ ମୂଲ୍ୟବାନ ବହିପତ୍ର ସଞ୍ଚିତ ଥାଏ ୤ ସୁରେଶ ସହ ମୋର ସୌଖ୍ୟର ହେତୁ ସେହି ବିରଳ ପୁସ୍ତକ ଭଣ୍ଡାର; ପରେପରେ ସୁରେଶରେ ମହନୀୟା ଜନନୀଙ୍କ ସ୍ବତଃସ୍ଫୂର୍ତ୍ତ ସ୍ନେହ ୤

ସେତେବେଳେ (୧୯୫୦) ଓଡିଶାର ପତ୍ର-ପତ୍ରିକା ତିନିଚାରିରୁ ଅଧିକ ନଥାଏ ୤ ବାଲେଶ୍ବରରୁ କିଛିହିଁ ପ୍ରକାଶିତ ହେଉନଥାଏ ୤ ଏଲେଖକକୁ ଅନୁପ୍ରାଣିତ କରୁଥାଏ ‘ଦିଗନ୍ତ’ ନାମରେ ଏକ ସାହିତ୍ୟ ପ୍ରତ୍ରିକା ପ୍ରକାଶନର ସ୍ବପ୍ନ ୤ସେ ସଂପର୍କରେ ଯେଉଁ କେତେଜଣ ଅବହିତ ଥିଲେ, ତନ୍ମଧ୍ୟରେ ଅନ୍ୟ ହେଲା ସୁରେଶ ୤

“ତମ ପତ୍ରିକାର ଗ୍ରାହକ ହେବା ନିମନ୍ତେ ଜଣେ ଆଗ୍ରହରେ ଆଗଭର ହୋଇଛନ୍ତି ୤” ସୁସମ୍ବାଦ ପରିବେଷଣ କଲା ସୁରେଶ ୤

ଦ୍ବିପ୍ରହର ବିରତି ବେଳେ ସ୍କୁଲ ପରିସର ଅନ୍ତର୍ଭୁକ୍ତ ଏକ ଜାମୁକୋଳି ବୃକ୍ଷ ତଳେ କିଶୋର ଜଣକ ‘ଦିଗନ୍ତ’ ପାଇଁ ବାର୍ଷିକ ଦେୟ ବଢାଇ ଦେଲେ ୤ ପତ୍ରିକାଟିର ସେହି ପ୍ରଥମ ଗ୍ରାହକ ଜଣକ ହେଲେ ଶ୍ରୀ ବ୍ରଜନାଥ ରଥ; ନବମ ଶ୍ରେଣୀର ଛାତ୍ର ୤ ତାଙ୍କଠାରୁ ଯାହା ଗ୍ରହଣ କରିଥିଲି, ତାହା କେତୋଟି ମାତ୍ର ଟଙ୍କା ନୁହେଁ, ତାହା ‘ଏକ ଅନିର୍ବାଣ ପ୍ରତ୍ୟୟ’ ୤

‘ଦିଗନ୍ତ’ ର ପ୍ରକାଶନ କେତୋଟି ସଂଖ୍ୟା ପରେ ସ୍ଥଗିତ ରହିଲା -୧୯୫୯ରେ କଟକରେ ତାର ପୁନରାର୍ଭିବାବ ପର୍ଯ୍ୟନ୍ତ ୤ କିନ୍ତୁ ଅବ୍ୟାହତ ରହିଲା ବ୍ରଜନାଥଙ୍କ ସହ ସୌହାର୍ଦ୍ଦ୍ୟ ୤ ସାହିତ୍ୟରେ ସୀମିତ ନରହି କ୍ରମେ ତାହା ବ୍ୟାପ୍ତ ହେଲା ଜୀବନ-ଦର୍ଶନ ଓ ରାଜନୈତିକ ଆଦର୍ଶବାଦ ପର୍ଯ୍ୟନ୍ତ ୤ ବାଲେଶ୍ବରରେ ଘଟଣା-ବହୁଳ ଅର୍ଦ୍ଧଶତାବ୍ଦୀ ବ୍ୟାପି ଆମେ ଥିଲୁଁ ସାହିତ୍ୟ ରଚନାରେ ସହଯାତ୍ରୀ, ନାନା ଆନ୍ଦୋଳନରେ ସହଯୋଦ୍ଧା ଏବଂ କେତେବେଳେ ସୁରେଶ-ଘରେ, କେତେବେଳେ ବ୍ରଜନାଥଙ୍କ ଘରେ, ପୁଣି ବହୁ ପ୍ରାକ୍‌ସାନ୍ଧ୍ୟ ଅବସରେ ନିର୍ଜନ ଟାଉନ୍ ହଲ୍ ବାରନ୍ଦାରେ ରାଜନୈତିକ ତତ୍ତ୍ବ (ବିଶେଷତଃ ମାର୍କସ୍‌ବାଦ ) ଆଲୋଚନାରେ ଆମେ ଥିଲୁଁ ପରସ୍ପରର ପରିପୂରକ ୤ ଏ ଲେଖକ ତୃତୀୟ ବାର୍ଷୀକ ଛାତ୍ର ଥିଲାବେଳେ କଲେଜ ୟୁନିଅନ୍‌ର ସଭାପତି ରୂପେ ନିର୍ବାଚିତ ହେବା ପଛରେ ବ୍ରଜନାଥଙ୍କ ଉଦମ୍ୟ, ବାଲେଶ୍ବରରେ ପ୍ରଥମଥର ପାଇଁ ନିଖିଳ ଉତ୍କଳ ଛାତ୍ର ସମ୍ମିଳନୀ (୧୯୫୩) ଆୟୋଜନରେ ତାଙ୍କ ପରିଶ୍ରମ-ସେସବୁ ଏ ଲେଖକ ନିମନ୍ତେ ଅତୀତର ଏକଏକ ସୁକୁମାର ସ୍ମୃତି ୤

ବ୍ରଜନାଥଙ୍କ ତତ୍କାଳିନ ଗୃହ ଏବଂ ତାର ପରିବେଶ ମୋତେ ଏକ ଗୁରୁକୁଳ ଭଳି ମନେ ହେଉଥାଏ ୤ ସେମିତି ମନେ ହେବାର ମୁଖ୍ୟ ହେତୁ ସମ୍ଭବତଃ ତାଙ୍କ ପିତୃଦେବେ ୤ ସୌମ୍ୟ ଗମ୍ଭୀର ବ୍ୟକ୍ତିତ୍ବ, ପବିତ୍ରତା ଓ ପାଣ୍ଡିତ୍ୟର ସେ ସମାହାର କୌଣସି ସୂକ୍ଷ୍ମ ପର୍ଯ୍ୟାୟରେ ଦେଖୁଥିଲି ଏକ ଧୂମାଭ ଦୃଶ୍ୟ-ସେବେଠୁଁ ବହୁ ବର୍ଷ ପରେ ରୂପାୟିତ ହେବାକୁ ଥିବା ବ୍ରଜନାଥ-ପ୍ରତିଷ୍ଠିତ ଆଜିର ଗ୍ରନ୍ଥ-ରତ୍ନାଗାର, ଦୁର୍ଲଭ ବହିପତ୍ର ଓ ପତ୍ର-ପତ୍ରିକାରେ ସମାବେଶ; ଆଜି ଏବଂ ଆବାମୀକାଲିର ଜ୍ଞାନ-ସଂଧାନୀ ଓ ଗବେଷକଙ୍କ ସକାଶେ ମହତ୍ ଓ ଦିବ୍ୟ ବିଦ୍ୟାଭୂମି ୤

ଜୀବନର ପରିମାପ ବୟସର ଦୈର୍ଘ୍ୟରେ ନୁହେଁ, ତାର ବୈଚିତ୍ର୍ୟ ଓ ପ୍ରାଚୁର୍ଯ୍ୟରେ ୤ ବ୍ରଜନାଥ ଅବିସମ୍ବାଦିତ ପ୍ରତିଭାବାନ ଓ ପ୍ରଖ୍ୟାତ କବି ୤ କିନ୍ତୁ ସେହି ସୃଜନଶୀଳତାରେ ସୀମିତ ନୁହେଁ ତାଙ୍କ ପ୍ରାଣୋଚ୍ଛଳତା ୤ ବାଲେଶ୍ବର ତଥା ଓଡିଶାର ବହୁବିଧ ସାଂସ୍କୃତିକ ଓ ସାହିତ୍ୟିକ ଅନ୍ଦୋଳନ, ଆଲୋଡନ ଓ ସଂଗଠନ ସହ ସେ ସଂପୃକ୍ତ ୤ ତାଙ୍କ ବିବେକବୋଧର ମାପକାଠିରେ ଯାହା ଅନ୍ୟାୟ ଏବଂ ଅସାଧୁତା, ନିଜ ସ୍ବାର୍ଥକୁ ବିପନ୍ନ କରି ସେ ସେସବୁ ବିରୋଧରେ ଜଣାଇଛନ୍ତି ପ୍ରଖର ପ୍ରତିବାଦ ୤

ସର୍ବୋପରି, ନିଜକୁ ବିଜ୍ଞାପିତ ନକରି ସେ ନିରବରେ ଭବିଷ୍ୟତ ନିମନ୍ତେ ଏକ ପ୍ରତିଷ୍ଠାନ ନିର୍ମାଣରେ ବ୍ରତୀ ରହି ଆସିଛନ୍ତି ୤ ଭାରତର କେତେଜଣ ସୃଜନଶୀଳ ସାହିତ୍ୟିକ ତାହା କରିଥିବେ ? ଅନ୍ତତଃ ଓଡିଶାରେ ସେ ଦିଗରେ ବ୍ରଜନାଥ ଅଦ୍ୟାବଧି ଅଦ୍ବିତୀୟ ୤

ବ୍ରଜନାଥଙ୍କ କବିତାର ପରିସର ବ୍ୟାପକ ୤ ଆଦର୍ଶ ଓ ବିଦ୍ରୋହର ସ୍ବରଠୁଁ ଆରମ୍ଭକରି ସୁନ୍ଦର, ଲଳିତ ଓ କମନୀୟତା ପ୍ରତି ତାଙ୍କ ମାର୍ମିକ ସ୍ବୀକୃତି, ସମସାମୟିକ ସମ୍ବାଦ-ବିସମ୍ବାଦର ପ୍ରତିକ୍ରିୟାଠୁଁ ଦୁରାଚାରୀ, ଦୁଃଶାସନୀ ଓ ପ୍ରତାରକମାନଙ୍କ ପ୍ରତି କଦବା ତିର୍ଯ୍ୟକ, କଦବା ପ୍ରଖର ବ୍ୟଙ୍ଗ ପର୍ଯ୍ୟନ୍ତ ଝଙ୍କୃତ ତାଙ୍କ କାବ୍ୟିକ ପ୍ରେରଣାର ଧ୍ବନି ୤ ଛନ୍ଦର ସାବଲୀଳ,ସର୍ବଜୟୀ ପ୍ରୟୋଗରେ ସେ ଅତୁଳନୀୟ ୤ ବ୍ୟାପକ ଜାଲ୍-ଭେଜାଲ୍ ଅଧ୍ୟୁଷିତ ଆଧୁନିକ କବିତାର ଶୁଷ୍କ ମୈଦାନ ସହ ସମାନ୍ତରାଳ ଭାବରେ ବ୍ୟାପ୍ତ ବ୍ରଜନାଥଙ୍କ ଏକକ ସୃଜନୀର ସବୁଜ ଉଦ୍ୟାନ ୤ ତାଙ୍କ ବିଭିନ୍ନ କବିତାର ବହୁ ଅବିସ୍ମରଣିୟ ଅଂଶ ଏ ଲେଖକ ର ସ୍ମୃତିକୁ ରସାପ୍ଳୁତ କରୁଛି, କିନ୍ତୁ ସେସବୁର ମୁଲ୍ୟାୟନର ଭାର ନେଉଥିବେ ସୁଯୋଗ୍ୟ ସମୀକ୍ଷକବୃନ୍ଦ ୤ ଏହା ଏକ ସ୍ବଚ୍ଛ ଶ୍ରଦ୍ଧାର୍ପଣ ମାତ୍ର ଜଣେ ଅକୃତ୍ରିମ, ଦରଦୀ ବନ୍ଧୁ ପ୍ରତି; ଷାଠିଏ ବର୍ଷ ଧରି ଅବ୍ୟାହତ ରହିଥେବା ଏକ ସୌହାର୍ଦ୍ୟର ମହିମା ପ୍ରତି ୤ କିମଧିକମ୍ ୤

(ସୌଜନ୍ୟ: “ମହାଜୀବନର କବି ବ୍ରଜନାଥ ଜୀବନାଲୋକ”,ପ୍ରକାଶକ: ଶ୍ରୀ ବ୍ୟୋମନାଥ ରଥ, ‘କାବ୍ୟ ପ୍ରକାଶନୀ’,ବାଲେଶ୍ବର-୩)

About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.