Loading...

Shri Bibhuti Patnaik

ଆମ ସମୟର ଶକ୍ତିମାନ୍,ଆଧୁନିକ କଥାଶିଳ୍ପୀ

ବିଭୂତି ପଟ୍ଟନାୟକ

ଆମେ ଯେଉଁମାନେ ପଥ-ପ୍ରାନ୍ତରେ, ବେଳ-ଅବେଳ

ହଠାତ୍ କିନା

ଅଜଗର-ଅହି ଗରଳବାହୀର ଧ୍ବଂସ ଲାଗି

ପ୍ରଜ୍ଜ୍ବଳ କରୁ ଜନ୍ମେଜୟର ବହ୍ନିବାନା ୤

ଚିହ୍ନିଚ କି?

ରାତିର ଦୁର୍ଗେ ଢଳିପଡେ ଯେବେ ତୁମରି ଆଖି-

ପୌର୍ଣ୍ଣବାସର ଚନ୍ଦ୍ର ହୋଇ ଏ ଆକାଶ ଦେହେ

ପହରା ଦେଉଁ

ନବସୂର୍ଯ୍ୟର ଉଦୟ ଯାଏଁ”

ମନୋଜ ଦାସଙ୍କ “ଆମେ ଯେଉଁମାନେ” କବିତାର ଏହି ଦୁଇଟି ଅଂଶ ଅନେକ ଦିନ ପର୍ଯ୍ୟନ୍ତ ମୋର ମନେ ରହି ଯାଇଥିଲା ୤ ସଚ୍ଚି ରାଉତରାୟଙ୍କ “ ପାଣ୍ଡୁଲିପି” କବିତା ସଂକଳନ ପରେ ମନୋଜ ଦାସଙ୍କ ଆଠଅଣା ମୂଲ୍ୟର ଛୋଟ କବିତା ବହି “ ପଦଧ୍ବନି” ରେ ମୁଁ ଖୋଜି ପାଇଥିଲି ମାର୍କ୍ସବାଦୀ ଚିନ୍ତାଧାରାର ଉଜ୍ଜ୍ବଳ ସ୍ବାକ୍ଷର ୤

ସେହିପରି ତାଙ୍କ “ସମୁଦ୍ରର କ୍ଷୁଧା” ଗଳ୍ପ ସଂକଳନ ୤

ଶୀର୍ଷକ ଗଳ୍ପଟି ଯେ ତାଙ୍କର ପ୍ରଥମ ଗଳ୍ପ, ସେ କଥା ମତେ ଜଣା ନଥିଲା ୤ ସେତେବେଳେ ସେ ଗଳ୍ପଟି ପଢି ମୁଁ ଚମକି ଯାଇଥିଲି ୤୧୯୭୨ ମସିହାରେ ମୋ ସଂପାଦିତ “ଗଳ୍ପ” ପତ୍ରିକାରେ ପ୍ରକାଶ ପାଇଁ ତାଙ୍କ ସହିତ ସାକ୍ଷାତକାର ନେଲାବେଳେ ଯେତେବେଳେ ତାଙ୍କୁ ଏ ଗଳ୍ପ ସମ୍ପର୍କରେ ପଚାରିଥିଲି, ସେ ଉତ୍ତରରେ କହିଥିଲେ-

“ ଆପଣ ଜାଣନ୍ତି, ଆମ ଘର ଉତ୍ତର ବାଲେଶ୍ବରର ଶଙ୍ଖାରି ଗ୍ରାମରେ-ସମୁଦ୍ରକୂଳିଆ ଗ୍ରାମ-ଦ୍ବିତୀୟ ମହାଯୁଦ୍ଧ ବେଳେ ଯୁଦ୍ଧ ଓ ଦୁର୍ଭିକ୍ଷ ଯୋଗୁଁ ଯେଉଁ ପ୍ରଳୟ ଅବସ୍ଥା ସୃଷ୍ଟି ହୋଇଥିଲା- ତାର ପ୍ରତ୍ୟକ୍ଷ ପ୍ରମାଣ ମୁଁ ଦେଖେ ସମୁଦ୍ର କୂଳରେ ଠିଆହୋଇ୤ ସମୁଦ୍ରରେ ଜାହାଜର ଭଙ୍ଗା ଅଂଶ, ସାହେବଙ୍କ ମୃତଦେହ ଭାସୁଥାଏ୤ ବାଲେଶ୍ବରର ଚାନ୍ଦିପୁରରେ ଥାଏ ସୈନ୍ୟ ଛାଉଣୀ-ତୋପ କମାଣ ଫୁଟିବାର ଶବ୍ଦ – ଏଇ ସବୁ – ମୃତ ଦେହ ଦେଖି, ଯୁଦ୍ଧ-ଦୁର୍ଭିକ୍ଷ ସଂପର୍କରେ ମୋ କିଶୋର ମନରେ ଯେଉଁ ସବୁ ଭାବନାର ଉଦ୍‌ବେଳନ ସୃଷ୍ଟି ହୋଇଥିଲା, ତାକୁ ମୁଁ ଗଳ୍ପରେ ରୂପ ଦେବାକୁ ଚେଷ୍ଟା କରିଥିଲି୤ ‘ସମୁଦ୍ରର କ୍ଷୁଧା’ ସେଇ ପ୍ରଚେଷ୍ଟାର ଫଳ୤’’

‘ପଦଧ୍ବନି’ କବିତା ବହି ଛପା ହୋଇଥିଲା ୧୯୫୪ ମସିହାରେ୤ ସେତେବେଳକୁ ଲେଖକଙ୍କର ବୟସ କୋଡ଼ିଏ୤ ତାର ଦୁଇବର୍ଷ ଆଗରୁ ‘ସମୁଦ୍ରର କ୍ଷୁଧା’ ପ୍ରକାଶିତ ହୋଇଥିଲା୤ ସେତେବେଳକୁ ମନୋଜ ବାବୁଙ୍କ ବୟସ ଆହୁରି କମ୍ – ଅର୍ଥାତ୍ ଅଠର୤ ଏତେ କମ ବୟସରେ ଉତ୍ତର ବାଲେଶ୍ବରର ଜଣେ କିଶୋର ବା ସଦ୍ୟ କିଶୋର ଜୀବନ ଓ ଜଗତକୁ ସମାଜ ସଚେତନ ଦୃଷ୍ଟିରେ ଦେଖିବାର କଳା-କୌଶଳ ଶିଖିଲେ କେଉଁଠୁ?

ଏ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ବେଶି ସମୀକ୍ଷା ନିରୀକ୍ଷା ପ୍ରୟୋଜନ ନାହିଁ୤ ‘ପଦଧ୍ବନି’ କବିତା ବହିର ପଛପଟେ ଲେଖକଙ୍କ ପ୍ରକାଶିତ ପୁସ୍ତକର ବିଜ୍ଞାପନରୁ ହିଁ ତାହା ସ୍ପଷ୍ଟ ହୋଇଯିବ୤

‘ଶତାବ୍ଦୀର ଆର୍ତ୍ତନାଦ’ ପୁସ୍ତକ ସଂପର୍କରେ ଉଲ୍ଲେଖ କରାଯାଇଛି – ‘‘ଅତୀତ ସ୍ବପ୍ନ-ସମାଧି-ଭିତରୁ ଆଗାମୀର ବାସ୍ତବ-ସତ୍ୟ ପଥରେ ଜଣେ କବିର ମାନସିକ କ୍ରମ ବିବର୍ତ୍ତନର ପ୍ରତିଚ୍ଛବି୤’’

‘ଶାନ୍ତି ସଂଗୀତ’ ସଂପର୍କରେ ବିଜ୍ଞାପନ ଦିଆଯାଇଛି, ‘‘ଗାଁ ଗହଳରେ ସେ ବହୁ ପରିଚିତ ପୁଲକିତ ସଂଗୀତ୤’’

‘ସମୁଦ୍ରର କ୍ଷୁଧା’ ବିଷୟରେ କୁହାଯାଇଛି – ‘‘ଯେଉଁ ବହିର ପାଣ୍ଡୁଲିପି ଓ ଅଧିକାଂଶ ମୁଦ୍ରିତ ଅଂଶ କଂଗ୍ରେସୀ ଚକ୍ରାନ୍ତରେ ଚିରଦିନ ପାଇଁ ଲୁଚି ରହିଲା୤’’

ସ୍ବପ୍ନ-ସମାଧି ଭିତରୁ ବାସ୍ତବ ପ୍ରତ୍ୟୟ ଅନ୍ବେଷଣ, ଗାଁ ଗହଳରେ କମ୍ୟୁନିଷ୍ଟ ପାର୍ଟି କର୍ମୀମାନଙ୍କ ଦ୍ବାରା ଗାନ କରାଯାଇଥିଲା ସୁଲଳିତ ଯୁଦ୍ଧ-ବିରୋଧୀ ସଂଗୀତ ଏବଂ ସାମ୍ୟବାଦ ବିରୋଧୀ କଂଗ୍ରେସୀ ଚକ୍ରାନ୍ତ ଫଳରେ ସ୍ଥିତାବସ୍ଥା – ବିରୋଧୀ ଗଳ୍ପର ପାଣ୍ଡୁଲିପି ଓ ମୁଦ୍ରିତାଂଶ ବିନଷ୍ଟ – ଗୋଟିଏ ଆଡ଼କୁ ଆଙ୍ଗୁଠି ଦେଖାଏ; ତାହା ହେଉଛି ମନୋଜ ବାବୁଙ୍କ ଲେଖାରେ ମାର୍କ୍ସବାଦୀ ଚେତନା୤ ସେଇ ଚେତନା ତାଙ୍କୁ ସେ କିଶୋର ବା ଆଦ୍ୟ – ଯୌବନରେ ରୋମାଣ୍ଟିକ୍ ଦୃଷ୍ଟିଭଙ୍ଗୀ ବଦଳରେ ଏକ ସମାଜ-ବାସ୍ତବବାଦୀ ଜୀବନ-ଦର୍ଶନରେ ଅଧିକାରୀ କରିଥିଲା୤

ସେତେବେଳେ ତାଙ୍କୁ କୁହାଯାଉଥିଲା ଓଡ଼ିଶାର ସୁକାନ୍ତ ଭଟ୍ଟାଚାର୍ଯ୍ୟ୤

ଏହି ସମୟରେ ତାଙ୍କର ଅଧିକାଂଶ ଗଳ୍ପରେ ସାମନ୍ତବାଦ-ବିରୋଧୀ, ପ୍ରଗତିଶୀଳ (ମାର୍କ୍ସବାଦର ଆପୋଷମୂଳକ ପ୍ରତିଶବ୍ଦ) ଭାବନାର ଉଜ୍ଜଳ ସ୍ବାକ୍ଷର ଅଙ୍କିତ ହୋଇଛି୤ କିନ୍ତୁ ସଚ୍ଚି ରାଉତରାୟ କିମ୍ବା ମନୋଜ ଦାସଙ୍କ ଭଳି ପ୍ରଚଣ୍ଡ ପ୍ରତିଭାବାନ ସ୍ରଷ୍ଟା ଗୋଟିଏ ନିର୍ଦ୍ଦିଷ୍ଟ ରାଜନୀତିକ ବା ଅର୍ଥନୀତିକ ଚିନ୍ତାଧାରା ଦ୍ବାରା ବେଶିଦିନ ବନ୍ଦୀ ହୋଇ ରହିବେ, ଏକଥା ଆଶା କରାଯାଇ ପାରେନାହିଁ୤

ତାଙ୍କ ବିବର୍ତ୍ତିତ ଚିନ୍ତାଧାରରେ ପ୍ରଥମ ପ୍ରତିନିଧିମୂଳକ ଗଳ୍ପ ହେଉଛି ‘ଆରଣ୍ୟକ’୤ ଏ ଗଳ୍ପ ସେତେବେଳେ ଜ୍ଞାନେନ୍ଦ୍ର ବର୍ମା ଓ ମୋ ସମ୍ପାଦନାରେ ପ୍ରକାଶ ପାଉଥିବା ଗଳ୍ପପତ୍ର ‘ମୌସୁମୀ’ରେ ପ୍ରକାଶନ ପାଇଁ ମୁଁ ମନୋଜ ବାବୁଙ୍କ ଠାରୁ ମାଗି ଆଣିଥିଲି୤ କିନ୍ତୁ ଜ୍ଞାନେନ୍ଦ୍ର ବାବୁ ଏ ଗଳ୍ପଟି ‘ମୌସୁମୀ’ରେ ଛାପିବାକୁ ରାଜି ହେଲେ ନାହିଁ୤ ତାଙ୍କର ପ୍ରଧାନ ଯୁକ୍ତି ହେଲା – ଏ ଗଳ୍ପଟି ମନୋଜ ବାବୁଙ୍କ ଆଗ ଗପ ଭଳି ହୋଇନାହିଁ୤

ଆଗ ମାନେ ପଛ; ପୂର୍ବରୁ ମନୋଜ ବାବୁ ଯେଉଁ ପରି ସମାଜ-ବାସ୍ତବବାଦୀ ଗଳ୍ପ ଲେଖୁଥିଲେ, ଏ ଗଳ୍ପଟି ତାର ବ୍ୟତିକ୍ରମ୤ ଜ୍ଞାନେନ୍ଦ୍ରବାବୁ ଏ ବ୍ୟତିକ୍ରମୀ ଗଳ୍ପଟିକୁ ଭୁଲ ମଧ୍ୟ ବୁଝିଥିଲେ୤ ତାଙ୍କର ଧାରଣା ହୋଇଥିଲା, ମଦ ନିଶାରେ ପ୍ରକୃତରେ ଆଦିମ ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ସେଇ ଆରଣ୍ୟକ ପରିବେଶ ମଧ୍ୟରେ ସେମାନେ ଶୀକାର କରାଯାଇଥିବା ବାର୍‌ହା ନୁହେଁ, ମିସେସ୍ ମିଟିଙ୍କ ମିଥ୍ୟା ଅଭିଯୋଗ ଫଳରେ ମାଡ଼ ଖାଇ ଅଚେତ ହୋଇ ଶୋଇପଡିଥିବା ଶ୍ୟାମଳକୁ ଆଣି ନିଆଁ କୁଣ୍ଡ ଭିତରେ ସିଝାଇ ଖାଈ ଦେଇଛନ୍ତି୤

ମୁଁ ବୁଝାଇଲି ଯେ, ମିସେସ୍ ମିଟି ‘‘ଧର ଯଦି କୋଠରୀ ଭିତରେ ଶ୍ୟାମଳ ବଦଳରେ ବାର୍‌ହାକୁ ଦେଖ’’ କଥାକୁ ବାରମ୍ବାର ପୁନରାବୃତ୍ତି କରିବା ମଧ୍ୟରେ ତାଙ୍କର ଅତୃପ୍ତ ଯୌନ କ୍ଷୁଧାର ଇଙ୍ଗିତ ବହନ କରିଛି, ପ୍ରକୃତରେ ସେମାନେ ସେଦିନ ବାର୍‌ହା ମାଂସ ହିଁ ଖାଇଛନ୍ତି୤’’ – ସେ କଥା ସେ ବୁଝିବାଉ ରାଜି ହୋଇନଥିଲେ୤

ସେ ଗଳ୍ପଟି ଛାପି ନପାରି ଫେରାଇ ଦେଲାବେଳେ ମୁଁ ଖୁବ୍ ଅସ୍ବସ୍ତି ଓ ଅପ୍ରସ୍ତୁତ ବୋଧ କରିଥିଲି୤ କିନ୍ତୁ ସେଇଟି ଯେ ତାଙ୍କର ଏକ ଶକ୍ତିଶାଳୀ ମୋଡ ବଦଳର ଗଳ୍ପ, ଏଥିରେ ମୋର ସଂଦେହ ନଥିଲା୤

ଷାଠିଏ ଦଶକ ମଝିରେ ମନୋଜ ବାବୁ ଆସ୍ତେ ଆସ୍ତେ ମାର୍କ୍ସବାଦ ଠାରୁ ଘୁଞ୍ଚି ଘୁଞ୍ଚି ଆଧ୍ୟାତ୍ମିକତା ପାଖରେ ପହଞ୍ଚି ସାରିଥିଲେ୤ ଶ୍ରୀ ଅରବିନ୍ଦଙ୍କ ଦର୍ଶନ ପ୍ରଭାବରୁ ଏପରି ଘଟିଥିଲା କି ମାର୍କ୍ସବାଦର ସୀମାବଦ୍ଧତା ତାଙ୍କ ସୃଜନଶୀଳ ଚେତନାରେ ପରିବର୍ତ୍ତନ ଆଣିଥିଲା, ସେ ପ୍ରଶ୍ନ ଅବାନ୍ତର୤ କିନ୍ତୁ ସମକାଳୀନ ସମସ୍ୟା କଣ୍ଟକିତ ସମାଜ-ଜୀବନ ବଦଳରେ ସେ ଯେ ଡିଭାଇନ୍‌ଲାଇଫ୍ ବା ବ୍ରହ୍ମଲୋକର ସନ୍ଧାନରେ ବାହାରି ଥିଲେ ତାଙ୍କର ପରବର୍ତ୍ତୀ ଗଳ୍ପ ଗୁଡିକରେ ତାହା ସ୍ପଷ୍ଟ ହୋଇ ଉଠୁଥିଲା୤

ମାର୍କ୍ସ ନିଜେ ଆଧ୍ୟାତ୍ମିକ ଜୀବନର ପୂଜାରୀ ଥିଲେ୤ Erich Frommଙ୍କ ଭାଷାରେ ‘‘Marx’s aim was that of the spiritual imancipation of man, of his liberation, from the chains of economic determination, of restituting him in his human wholeness of enabling him to find unity and harmony with his fellow men and with nature.’’

ମାର୍କ୍ସବାଦ ମଧ୍ୟ ମାନବ ମୁକ୍ତିର ଦର୍ଶନ୤ ବ୍ୟକ୍ତି ଅନ୍ୟ ସାମାଜିକ ମଣିଷ ଏବଂ ପ୍ରକୃତି ସହିତ ଐକ୍ୟ ଓ ସଂହତି ସ୍ଥାପନ କରିବା ଜରିଆରେ ଏହି ଆଧ୍ୟାତ୍ମିକ ମୁକ୍ତିଲାଭ କରିପାରେ୤ କିନ୍ତୁ ‘ଅନ୍ନ ବିହୁନେ ହଂସ ହାନି’; ଅନ୍ନ କଷ୍ଟ ଭୋଗୁଥିବା ମଣିଷ ଆଧ୍ୟାତ୍ମିକ ମୁକ୍ତି ପାଇଁ ଯୋଗସାଧନା ବା କରି ପାରିବ କିପରି?

ଶ୍ରୀ ଅରବିନ୍ଦଙ୍କ ପରିକଳ୍ପିତ ‘The ideal of the Kingdom of God’ ପାଖକୁ ଫେରିଯିବାକୁ ହେଲେ ମଣିଷକୁ ତାର ଚେତନାର ଉତ୍ତରଣ ଉପରେ ନିର୍ଭର କରିବାକୁ ପଡିବ୤ ସବୁ ଥିବା ଭିତରେ କିଛି ନ ଥିବାର ଅତୃପ୍ତି, ମଣିଷର ଅସହାୟତାର ନିଶାଣ୤ ସେଇ ଅସହାୟତା ସଂପର୍କରେ ସଚେତନତା ମଣିଷକୁ ଆଧ୍ୟାତ୍ମିକତା ଆଡକୁ ନେଇଯାଏ୤ ଏହିପରି ଭାବରେ ତାର ଚେତନାର ବିକାଶ ଘଟେ୤

ମନୋଜ ଦାସ ତାଙ୍କ ପରବର୍ତ୍ତୀ ଗଳ୍ପଗୁଡିକରେ ମଣିଷର ଏହି ଅସହାୟତାକୁ ଖୁବ୍ ଯତ୍ନର ସହିତ ଉପସ୍ଥାପନ କରିଛନ୍ତି୤ ଆର୍ଥିକ ଅନଟନରୁ ଅସହାୟତା ଏବଂ ଆଧ୍ୟାତ୍ମିକ ନିଃସଙ୍ଗତା ଏକା କଥା ନୁହେଁ୤ ଶ୍ରେଣୀ ସଂଘର୍ଷ ଦ୍ବାରା ଆର୍ଥନୀତିକ ବୈଷମ୍ୟକୁ ଦୂର କରାଯାଇପାରେ, କିନ୍ତୁ ଆତ୍ମିକ ସଂକଟରୁ ତ୍ରାହି ପାଇବା ପାଇଁ ପ୍ରୟୋଜନ ଚେତନାର ଉତ୍ତରଣ୤

ମନୋଜ ଦାସ ଆମ ସମୟର ସବୁଠାରୁ ଶକ୍ତିଶାଳୀ ଏବଂ ଆଧୁନିକ କଥାଶିଳ୍ପୀ୤ ସ୍ଥୁଳ କାହାଣୀକୁ ରୂପକରେ ରୂପାନ୍ତରିତ କରିବା ପାଇଁ ସେ ଆମର ଲୋକକଥା, ରୂପକଥାର ଆଙ୍ଗିକକୁ ସଫଳତାଋଅ ସହିତ ବ୍ୟବହାର କରିଛନ୍ତି୤ ମୋ ସଂପାଦିତ ଅନିୟମିତ ଗଳ୍ପପତ୍ର ‘ଗଳ୍ପ’ର ପ୍ରଚ୍ଛଦପଟରେ ଥରେ ମାତ୍ର ଜଣିଏ କଥାଶିଳ୍ପୀଙ୍କର ଛବି ଛପା ହୋଇଥିଲା – ସେ ହେଉଛନ୍ତି ମନୋଜ ଦାସ୤ ତାପରେ ଅନେକ ପ୍ରବୀଣ, ନବୀନ ଗାଳ୍ପିକ ‘ଗଳ୍ପ’ର ପ୍ରଚ୍ଛଦ ଅଧିକାର କରିବା ପାଇଁ ମୋ ଉପରେ ଚାପ ପ୍ରୟୋଗ କରିଛନ୍ତି – ମୁଁ ଚାପି ହୋଇଯାଇ ନାହିଁ୤ କାରଣ ଏବେ ବି ମୋର ଦୃଢ ବିଶ୍ବାସ ଆମ ସମସାମୟିକ ଗଳ୍ପ-ଲେଖକ ମାନଙ୍କ ମଧ୍ୟରୁ କ୍ଲାସିକ୍‌ଧର୍ମୀ ଆଧୁନିକ ଗଳ୍ପ ଲେଖିବାରେ କେହି ମନୋଜ ବାବୁଙ୍କୁ ଆଜି ସୁଦ୍ଧା ଅତିକ୍ରମ କରି ପାରିନାହାନ୍ତି୤

ସୌଜନ୍ୟ: “ ମନୋଜାୟନ”

About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.