Loading...

Samuhika Dharana Bibhratara Ketoti Drustanta( In Odia)

ସାମୂହିକ ଧାରଣା ବିଭ୍ରାଟର କେତୋଟି ଦୃଷ୍ଟାନ୍ତ

୧୯୯୮ ମସିହା ଅକ୍ଟୋବର ମାସରେ ଭାରତର ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ଏହ ଆଲୋକଚିତ୍ର କଥା ମନେପଡ଼ିଲେ ଆଜି ବି ଏ ଲେଖକ ବିମର୍ଷ ତଥା କିଛି ପରିମାଣରେ ଆତଙ୍କ ଅନୁଭବ କରେ ୤ ଏକ ସମାବେଶ ଭିତରେ କେତେଜଣ ହୃଷ୍ଟପୁଷ୍ଟ ଭଦ୍ରଲୋକ ମୁଖ ବ୍ୟାଦାନ କରି ହାତମୁଠା ଉଠାଇଥିବାର ଦୃଶ୍ୟ ପରିବେଷଣ କରୁଥିଲା ସେ ଚିତ୍ର୤ସେମାନେ ଭାରତର ବିଭିନ୍ନ ରାଜ୍ୟର ଶିକ୍ଷାମନ୍ତ୍ରୀ ୤ ସେମାନେ ଉତ୍‌କ୍ଷିପ୍ତ ହେବାର ହେତୁ, କେନ୍ଦ୍ର ଶିକ୍ଷାମତ୍ରୀଙ୍କ ଦ୍ବାରା ଆହୂତ ସେ ସଭାରେ ପ୍ରଥମେ ଆବାହନୀ ସଂଗୀତ ରୂପେ ବୋଲା ହେଉଥିଲା ସରସ୍ବତୀ ବନ୍ଦନା୤ ଉତ୍‌କ୍ଷିପ୍ତ ରାଜ୍ୟମନ୍ତ୍ରୀମାନେ ଯେଉଁ ରାଜନୈତିକ ଦଳର ସଦସ୍ୟ, ସେ ଦଳ ‘ଧର୍ମ ନିରପେକ୍ଷ’୤ ସରସ୍ବତୀ ହିନ୍ଦୁ ଦେବୀ୤ ସରକାରଆୟୋଜିତ କୌଣସି ସଭାରେ କୌଣସି ଦେବାଦେବୀଙ୍କ ସ୍ତୁତି ସେମାନଙ୍କ ଧର୍ମନିରପେକ୍ଷତାକୁ ଅପମାନ ଦେଲା୤ ଅତଏବ ସେମାନେ ସରସ୍ବତୀଙ୍କୁ ଅପମାନ ଦେବାକୁ କୁଣ୍ଠାବୋଧ କଲେ ନାହିଁ୤ ( ଏ ଲେଖକ ତା’ର ତତ୍କାଳୀନ ପ୍ରତିକ୍ରିୟା ‘ଟାଇମସ୍ ଅଫ୍ ଇଣ୍ଡିଆ’ରେ ଏବଂ ‘ସମାଜ’ରେ ତା’ର ‘ସନ୍ଧାନ ଓ ସମୀକ୍ଷା’ ସ୍ତମ୍ଭରେ ବ୍ୟକ୍ତ କରିଥିଲା୤)

ଏ ମନ୍ତ୍ରୀମାନେ ଫ୍ରାନ୍ସ, ଇତାଲୀ ବା ଆଫ୍ରିକାରୁ ଆମଦାନୀ ହୋଇନଥିଲେ୤ ଏମାନଙ୍କ ଅବଚେତନରେ ସରସ୍ବତୀଧାରଣା ବଦ୍ଧମୂଳ ଥିବାକୁ ବାଧ୍ୟ୤ ଆଜିର ରାଜନୈତିକ ମତବାଦ ଅବଚେତନକୁ ଅନୁପ୍ରବେଶ କରିପାରେନା୤ ତାହା ଅତ୍ୟନ୍ତ ଉପରଠାଉରିଆ ସ୍ତରର ପ୍ରଭାବ୤ ଏ ମନ୍ତ୍ରୀମାନେ (ସମ୍ଭବତଃ ବର୍ତ୍ତମାଣ ସେମାନେ ସମସ୍ତେ ଭୂତ ମନ୍ତ୍ରୀ) ନିଜ ନିଜ ଜ୍ଞାତ ବା ଅଜ୍ଞାତସାରରେ ନିଜ ଅବଚେତନର ଦଂଶନ ଭୋଗିବାରୁ ନିସ୍ତାର ପାଇବେ ନାହିଁ୤ ତେବେ ତାହା ଏକ ଭିନ୍ନ ପ୍ରସଙ୍ଗ୤ ଏ ନିବନ୍ଧରେ ଯାହା ପ୍ରାସଙ୍ଗିକ, ତାହାହେଲା, ଆମେ ଆମ ଐତିହ୍ୟ ଏବଂ ଆନୁଷ୍ଠାନିକ ଧର୍ମ ପରମ୍ପରା ଭିତରେ ପାର୍ଥକ୍ୟ ଦେଖିବାର ସଦ୍‌ବୁଦ୍ଧି ହରାଇ ପକାଇଛୁଁ୤

ଆନୁଷ୍ଠାନିକ ହିନ୍ଦୁ ଧର୍ମ ବୋଇଲେ ଆଜି ଆମେ ଯେଉଁସବୁ ନୀତିନିୟମ, ଧ୍ୟାନଧାରଣାକୁ ବୁଝାଉଁ, ଭାରତର ଐତିହ୍ୟ ତାହାଠୁଁ ବହୁ ଅଧିକ ପ୍ରାଚୀନ୤ ଏଡ଼େ ଦୃଢ଼, ସୁସଂବଦ୍ଦ ଐତିହ୍ୟ ପୃଥିବୀର ଯୋଡ଼ିଏ ତିନୋଟି ମହାଜାତିକୁ ଛାଡ଼ିଦେଲେ ଆଉ କାହାରି ଭାଗ୍ୟରେ ସମ୍ଭବପର ହୋଇନାହିଁ୤ ଭାରତୀୟ ମାତ୍ରେ ଧର୍ମମତ ନିର୍ବିଶେଷରେ ଏ ଐତିହ୍ୟକୁ ନେଇ ଗର୍ବ କରିବା ସ୍ବାଭାବିକ ହେବା କଥା୤ ଜଣେ ମୁସଲିମ୍ ବା ଖ୍ରୀଷ୍ଟିଆନ ସରସ୍ବତୀଙ୍କୁ ପୂଜା ସିନା କରିବ ନାହିଁ, କିନ୍ତୁ ତାଙ୍କୁ ଏକ ମହାନ ଐତିହ୍ୟର ପ୍ରତୀକ ରୂପେ ସ୍ବୀକୃତି ନ ଦେବାର କାରଣ ନାହିଁ୤ ରାମାୟଣ ଏବଂ ମହାଭାରତ (ବେଦ, ଉପନିଷଦ୍ ତ ନିଶ୍ଚୟ) ହିନ୍ଦୁମାନଙ୍କଦ୍ବାରା ଧର୍ମଗ୍ରନ୍ଥ ରୂପେ ବିବେଚିତ ହୋଇପାରେ, କିନ୍ତୁ ସମସ୍ତଙ୍କ ପାଇଁ ବିଶ୍ବସାହିତ୍ୟକୁ ତାହା ଭାରତର ଗୌରବମୟ ଅବଦାନ ରୂପେ ସମ୍ମାନିତ ହେବା ଚାହି୤ ବସ୍ତୁତଃ ପୃଥିବୀର କେତୋଟି ବିଶେଷ ଧର୍ମମତର ପବିତ୍ର ଗ୍ରନ୍ଥମାନଙ୍କରେ ମଧ୍ୟ ସେସବୁ ମତ ଅଭ୍ୟୁଦୟ ହେବାର ପୂର୍ବବର୍ତ୍ତୀ ଐତିହ୍ୟକୁ ଯଥାର୍ଥ ସ୍ବୀକୃତି ଦିଆଯାଇଛି୤ ଖ୍ରୀଷ୍ଟଧର୍ମର ବାଇବେଲ୍‌ର ପ୍ରଥମ ଭାଗ (Old Testament) ପ୍ରାକ୍-ଖ୍ରୀଷ୍ଟ ଐତିହାସିକ ବା କିମ୍ବଦନ୍ତୀଗତ ବିବରଣୀ; କୋରାନ୍ ମଧ୍ୟ ପ୍ରାକ୍-ମହମ୍ମଦ ଯୁଗର ମହାପୁରୁଷ ମାନଙ୍କୁ ସମ୍ମାନ ଦେଇଛି; ଗ୍ରନ୍ଥ ସାହେବ୍‌ରେ ପ୍ରାକ୍-ନାନକ ଅବତାର ମାନଙ୍କର ସମାବେଶ ଘଟିଛି୤

ଐତିହ୍ୟ ବିନା କୌଣସି ମହାଜାତିର ପରିଚୟ ସମ୍ଭବ ନୁହେଁ୤ ସାମୂହିକ ଅଜ୍ଞାନ ଓ ଅସାବଧାନତା ଯୋଗୁଁ ହିନ୍ଦୁ ଧର୍ମ ସହ ଭାରତର ଐତିହ୍ୟକୁ ଏକାକାର ଭାବରେ ଦେଖିବାର ଯେଉଁ ଅପରିପକ୍ବ ପରମ୍ପରା ସୃଷ୍ଟି ହୋଇଛି, ସରସ୍ବତୀ ବନ୍ଦନା ବେଳେ କତିପୟ ଶିକ୍ଷାମନ୍ତ୍ରୀଙ୍କ ଉଛ୍ହ୍ରୁଙ୍ଖଳତା ତାହାରି ଅନ୍ୟତମ ଦୁର୍ଭାଗ୍ୟଜନକ ପରିପ୍ରକାଶ୤

ଏହି ଧରଣର ଦୁର୍ଭାଗ୍ୟ କିନ୍ତୁ କେବଳ ମାତ୍ର ଆମ ଐତିହ୍ୟକୁ ଏକ ନିର୍ଦ୍ଦିଷ୍ଟ ଧର୍ମମତ ସହ ଗୋଳାଇପକାଇବାରେ ସୀମାବଦ୍ଧ ନୁହେଁ୤ ଆଧ୍ୟାତ୍ମିକରା ସହ ଧର୍ମମତକୁ ମଧ୍ୟ ଆମେ ଏକାକାର କରିଦେଖୁଁ୤ ପ୍ରତ୍ୟେକ ଧର୍ମମତର ପ୍ରବର୍ତ୍ତନ ଏକ ବା ଏକାଧିକ ମହାପୁରୁଷଙ୍କ ଆଧ୍ୟାତ୍ମିକ ଉପଲବ୍ଧି ଭିତରୁ ସମ୍ଭବପର ହୋଇଥାଏ୤ କିନ୍ତୁ ସମୟଗତିରେ କ୍ରମେ ତାହା ଯାନ୍ତ୍ରିକ ଆନୁଷ୍ଠାନିକତା, ପ୍ରାଣହୀନ ଗତାନୁଗତିକତାରେ ପରିଣତ ହୋଇଯାଏ୤ ଅବଶ୍ୟ ବ୍ୟକ୍ତିଗତ ଭାବରେ କେହି କେହି ନିଜର ନିଜ ଆନ୍ତରିକତା ଓ ବିଶ୍ବାସ ଗୁଣରେ ସେଭଳି ଆନୁଷ୍ଠାନିକତା ଭିତରେ ବି ଆଧ୍ୟାତ୍ମିକତାର ସ୍ପର୍ଶ ଅନୁଭବ କରିବା ସମ୍ଭବ, କିନ୍ତୁ ସାମାଜିକ କ୍ଷେତ୍ରରେ ଆନୁଷ୍ଠାନିକ ଧର୍ମମତ ଅନେକ ସମୟରେ ଆଧ୍ୟାତ୍ମିକତାର ପରିପନ୍ଥୀ ହେବାର ଦେଖାଯାଏ୤ ବୁଦ୍ଧ, ଯିଶୁ ବା ମହମ୍ମଦ ଜଣେ ଜଣେ ବିପ୍ଲବୀ ସମାଜ ସଂସ୍କାରକ ଥିଲେ; ରକ୍ଷଣଶୀଳତା, ଅନ୍ଧବିଶ୍ବାସ ଓ କୁସଂସ୍କାରର ବନ୍ଧନରୁ ନିଜ ନିଜ ପରିସ୍ଥିତିରେ ସେମାନେ ମଣିଷକୁ ମୁକ୍ତ କରିବାକୁ ଉଦ୍ୟମ କରିଥିଲେ୤ ଅନ୍ୟ ଭାଷାରେ କହିଲେ, ସେମାନେ ଥିଲେ ଚେତନାର ମୁକ୍ତି-ଯୋଦ୍ଧା୤ କିନ୍ତୁ ପରବର୍ତ୍ତୀ କାଳରେ, ବିଭିନ୍ନ ଧର୍ମମତର ଅନୁଗତମାନଙ୍କ ହୃଦୟରରୁ ପ୍ରଥମ ଯୁଗର ପ୍ରେରଣା ଅନ୍ତର୍ହିତ ହୋଇଯିବା ଅନ୍ତେ, ଧର୍ମଗୁଡ଼ିକ ସେ ସବୁର ବ୍ୟାଖ୍ୟାକାରମାନଙ୍କ ଦ୍ବାରା ଲିପିବଦ୍ଧ ନୀତିନିୟମରେ ଆବଦ୍ଧ ହୋଇଯାଇ ଅନ୍ୟର ସ୍ବାଧୀନତାକୁ ଅପହରଣ କରିବା ଦିଗରେ ହିଁ ବ୍ୟବହୃତ ହୋଇଛନ୍ତି୤ ଯେଉଁ ଅନ୍ଧଶକ୍ତିର ଆୟୁଧ ବନି ଖ୍ରୀଷ୍ଟ-ବିରୋଧୀମାନେ ଯିଶୁଙ୍କୁ କ୍ରୁଶବିଦ୍ଧ କଲେ, ସେହି ଅନ୍ଧଶକ୍ତିର ଆୟୁଧ ହୋଇ ଯିଶୁଙ୍କ ଦ୍ବାହି ଦେଇ ପୁଣି ଅନ୍ୟମାନେ ଜୋନ୍ ଅଫ୍ ଆର୍କଙ୍କୁ ପୋଡ଼ି ମାରିଦେଲେ୤ କହିବା ବାହୁଲ୍ୟ, ଜୋନ୍ ଅଫ୍ ଆର୍କ ଥିଲେ ଜଣେ ଯିଶୁଙ୍କ ଭଳି ଆଧ୍ୟାତ୍ମିକ ବ୍ୟକ୍ତିତ୍ବ; ତଥାକଥିତ ଧର୍ମବାଦୀ ନୁହେଁ୤

ଆଧ୍ୟାତ୍ମିକତାର ପରିସର ବ୍ୟାପକ୤ ଜଣେ ଭଗବାନ୍‌ଙ୍କ ଅସ୍ତିତ୍ବରେ ବିଶ୍ବାସ କରେ କି କରେ ନାହିଁ,ଭଗବାନ୍ ବୋଇଲେ ସେ କ’ଣ ବୁଝାଏ, ଏଭଳି ପ୍ରଶ୍ନ ଉପରେ ଜଣେ ଆଧ୍ୟାତ୍ମିକ କି ନୁହେଁ ତା’ର ଉତ୍ତର ନିର୍ଭର କରେ ନାହିଁ୤ ଜଣେ ଯଦି ସତ୍ୟର ସନ୍ଧାନ କରୁଥିବ, ଚିନ୍ତା, ବିଜ୍ଞାନ, କର୍ମ ବା ଦର୍ଶନ ମାଧ୍ୟମରେ ପ୍ରକୃତି-ନିହିତ ରହସ୍ୟର ଉନ୍ମୋଚନ ଦିଗରେ ବ୍ରତୀ ଥିବ, ଜଣେ ଯଦି ନିଜର ସମସ୍ତ ଅଜ୍ଞାନର ଉତ୍ସ ନିଜର ଅଂହର ଏକଚ୍ଛତ୍ରବାଦ ବିରୋଧରେ ନିଜ ଚେତନା ଭିତରେ ସଂଗ୍ରାମ କରୁଥିବ, ତେବେ ସେ ଆଧ୍ୟାତ୍ମିକ ସାଧନାରେ ବ୍ରତୀ୤

ଆଜିର ପୃଥିବୀରେ ଧର୍ମର ଅଭାବ ନାହିଁ; ଧର୍ମମତାନୁଗତଙ୍କ ଅଭାବ ନାହିଁ୤ ବିଜ୍ଞାନ ଓ ବସ୍ତୁବାଦର ଜୟଯାତ୍ରା ସତ୍ତ୍ବେ ସମୀକ୍ଷାରୁ ଜଣାଯାଏ, ବିଂଶଶତାବ୍ଦୀର ଶେଷ ଦୁଇ ଦଶନ୍ଧିରେ ଧର୍ମବିଶ୍ବାସୀଙ୍କ ସଂଖ୍ୟା ବଢ଼ିଛି୤ ଅଥଚ ପୃଥିବୀରେ ଦୁଷ୍କୃତଙ୍କ ସଂଖ୍ୟା ମଧ୍ୟ ଯେ ବିପୁଳ ଭାବରେ ବଢ଼ିଛି, ଏଥିରେ ସନ୍ଦେହ ନାହିଁ୤ ଆଫ୍‌ଗାନିସ୍ଥାନ (ପ୍ରାଚୀନ ମଦ୍ରଦେଶ)ର ବୌଦ୍ଧ ଐତିହ୍ୟକୁ ଯେଉଁମାନେ ବୋମାଦ୍ବାରା ଧ୍ବଂସ କରୁଛନ୍ତି, ସେମାନେ ନିଜକୁ ସବୁଠୁଁ ସଚ୍ଚା ଧାର୍ମିକ ଭାବରେ ଜାହିର୍ କରୁଛନ୍ତି୤ ଏଭଳି ଦୁଃଖଦାୟକ ଦୃଷ୍ଟାନ୍ତର ତାଲିକା ଦୀର୍ଘ ହେବ୤

ଆଧ୍ୟାତ୍ମିକତା ଓ ଧର୍ମ ଭିତରେ ପାର୍ଥକ୍ୟ ସ୍ମରଣ ରଖିବା ଅତ୍ୟନ୍ତ ଜରୂରୀ୤

ଅନ୍ୟ ଏକ ମୂଲ୍ୟବୋଧଗତ ବିଭ୍ରାଟ ପରିଲକ୍ଷିତ ହୁଏ ଆଧ୍ୟାତ୍ମିକତା ଏବଂ ବୈରାଗ୍ୟ ଭିତରେ ସଂପର୍କକୁ ଭିତ୍ତିକରି୤ ବହୁ ଶତାବ୍ଦୀ ଧରି ଏ ବିଭ୍ରାଟ ଅବ୍ୟାହତ ରହିଛି୤ ଆଧ୍ୟାତ୍ମିକତାର ଅର୍ଥ ସଂସାର ବିମୁଖତା ବା ସନ୍ୟାସ, ଏ ପ୍ରଚଣ୍ଡ ବଳବାନ୍ ଧାରଣା ଭାରତର ଯେଉଁ କ୍ଷତି ସାଧନ କରିଛି, ଅନ୍ୟ କିଛି ସେତେ କରିନାହିଁ ବୋଲି ମନେହୁଏ୤ ଇତିହାସ ଅନୁଶୀଳନ କରି, ଏ ବ୍ୟାପକ ଭ୍ରାନ୍ତି ପାଇଁ ଦୁଇ ଚାରିଜଣ ମହାନ୍ ବ୍ୟକ୍ତିତ୍ବଙ୍କୁ ଦାୟୀ କରାଯାଇ ପାରେ୤ କିନ୍ତୁ ଲାଭ ନାହିଁ୤ ଅନସ୍ବୀକାର୍ଯ୍ୟ ସତ୍ୟ ହେଲା, ଭାରତର ବୃହତ୍ତର ଜନତା ଯେହେତୁ ସଂସାର ତ୍ୟାଗ କରିବାକୁ ଅକ୍ଷମ, ତେଣୁ ସେ ସଚେତନ ବା ଅର୍ଦ୍ଧଚେତନ ଭାବରେ ଧରିନେଇଛି ଯେ ଆଧ୍ୟାତ୍ମିକତା ତା’ର ଅଧିକାର ବାହାରେ୤ ସେ ଦିଗରେ ତା’ର ଯୋଗ୍ୟତା ନାହିଁ୤ ଅତଏବ ସେ ଏହି ବସ୍ତୁ –ସର୍ବସ୍ବ, ଇନ୍ଦ୍ରିୟ-ସୁଖ-ସର୍ବସ୍ବ ସଂସାରରୁ ଯାହା ଯେତିକି ପାରିବ, ସେତିକି ଆନନ୍ଦ ପାନ କରିବ୤ କିଞ୍ଚିତ୍ ଧର୍ମାନୁଷ୍ଠାନ କରି ଜୀବନର ସୂକ୍ଷ୍ମ ବା ଆଧ୍ୟାତ୍ମିକ ଦାୟିତ୍ବ ତୁଲାଇନେବ ୤

ସେ ସିନା ସ୍ଥୂଳ, ଭୋଗ-ଜୀବନ ଭିତରେ ମଜ୍ଜି ରହିଛି, କିନ୍ତୁ ଆଧ୍ୟାତ୍ମିକ ଆବଶ୍ୟକତାକୁ ଆଖିଠାର ମାରୁଥିବାରୁ ଏକ କ୍ରମାଗତ ଗ୍ଲାନିବୋଧରୁ ତ୍ରାହି ପାଇପାରି ନାହିଁ୤ ଫଳରେ ସାଧାରଣ ଭାରତୀୟ ନା ପୂରାପୂରି ବସ୍ତୁବାଦୀ ହୋଇପାରିଛି, ନା ଆଧ୍ୟାତ୍ମିକତାର ଉପାସକ ହୋଇପାରିଛି୤ ସେ ବସ୍ତୁ ଜଗତର ଭୋଗ ବିଳାସକୁ ଯେମିତି ଛାଡ଼ିପାରିନାହିଁ, ସେମିତି ମଧ୍ୟେ ମଧ୍ୟେ ତାକୁ ମିଛ ମାୟା ବୋଲି ଅଭିହିତ କରି ତାକୁଘୃଣା କରିବାର ଆବେଗ ମଧ୍ୟ ରୋକି ପାରିନାହିଁ୤

ଏକଦା ଭାରତ ଚେତନା-ବିଜ୍ଞାନରେ ଯେପରି ଅତୁଳନୀୟ ପ୍ରଗତି ସାଧନ କରିଥିଲା, ବସ୍ତୁ ବିଜ୍ଞାନରେ ମଧ୍ୟ ସେହିପରି ଅଗ୍ରଗତି ହାସଲ କରିଥିଲା୤ କିନ୍ତୁ ଉପରୋକ୍ତ ପରସ୍ପର -ବିରୋଧୀ ମାନସିକତା ଯୋଗୁଁ ଉଭୟ ମାର୍ଗରେ ତା’ର ସେ ପ୍ରଗତି ଖାଲି ଯେ ବାଧାପ୍ରାପ୍ତ ହେଲା ସେତିକି ନୁହେଁ, ସେ ଯେତିକି ମହତ୍ତ୍ବର ଅଧିକାରୀ ହୋଇଥିଲା, ତା’ର ଯଥାର୍ଥ ବ୍ୟାଖ୍ୟା ମଧ୍ୟ କରିପାରିଲା ନାହିଁ୤ ଫଳରେ ତାହା ବିକୃତ ଭାବରେ ଉପସ୍ଥାପିତ ହେଲା; ତା’ର ଭୁଲ ବ୍ୟାଖ୍ୟା ପ୍ରଚଳିତ ହେଲା୤

ସଂସାର-ବିରାଗୀ ସନ୍ନ୍ୟାସ ଆଧ୍ୟାତ୍ମିକତାର ଏକ ମାର୍ଗ ହୋଇପାରେ, କିନ୍ତୁ ତାହା ଅଧ୍ୟାତ୍ମିକତାର ସଂପୂର୍ଣ୍ଣ ପରିଚୟ ହୋଇପାରେନା୤ ଏ ସମଗ୍ର ସୃଷ୍ଟି ଦିବ୍ୟଶକ୍ତିର ଏକ ପ୍ରଚ୍ଛନ୍ନ ରୂପ୤ ଆମ ଚେତନା ଯେତେ ଅନ୍ଧକାରାଚ୍ଛନ୍ନ ଅବସ୍ଥାରେ ଥିଲେ ମଧ୍ୟ ଏହା ଭିତରେ ରହିଛି ଉଦ୍‌ଭାସନର ପ୍ରତିଶ୍ରୁତି୤ ବସ୍ତୁଜଗତ ଭଗବାନ୍‌ଙ୍କର ଏକ ରୂପ୤ ଏହାକୁ ସୁନ୍ଦର ଓ ସତ୍ୟନିଷ୍ଠ କରିବା ଦିଗରେ ସମସ୍ତ ଉଦ୍ୟମ ଆଧ୍ୟାତ୍ମିକ ସାଧନାର ଅନ୍ତର୍ଭୁକ୍ତ୤ ଜୀବନର ଯେଉଁ କ୍ଷେତ୍ରରେ ଜଣେ କାର୍ଯ୍ୟରତ ଥାଉନା କାହିଁକି, ସେ ଯଦି ଏ ସମ୍ପର୍କରେ ସଚେତନ ଏବଂ ନିଜ ଚିନ୍ତା, ଆସ୍ପୃହା ଏବଂ କର୍ମଦ୍ବାରା ଏ ସୃଷ୍ଟିକୁ ମହତ୍‌ରୁ ମହତ୍ତର କରିବାର ଆଭିମୁଖ୍ୟ ଗ୍ରହଣ କରିଥିବ, ତେବେ ସେ ସାଧକ୤

ସାଧାରଣ ଜୀବନରେ ଆଉ ଏକ ଭ୍ରାନ୍ତି ହେଲା ବାସନା ପୂର୍ତ୍ତିକୁ ସୁଖସନ୍ତୋଷ ଲାଭର ଉପାୟ ବୋଲି ଧରିନେବା୤ କାମନା ବାସନାର ଉର୍ଦ୍ଧ୍ବକୁ ଯିବା କ୍ବଚିତ୍ କେତେଜଣଙ୍କ ପକ୍ଷରେ ସମ୍ଭବପର ହୁଏ୤ ଅଧିକାଂଶ ମଣିଷଙ୍କ ଜୀବନରେ କାମନା ବାସନା ଚରିତାର୍ଥ କରିବା ଦିଗରେ ନିରବଧି ପ୍ରଚେଷ୍ଟା ସ୍ବାଭାବିକ୤ ଏଥିରୁ ସାମୟିକ ସନ୍ତୋଷ ଆଶା କରିବାରେ ଅନ୍ୟାୟ ବା ଭୁଲ୍ ନାହିଁ୤ କିନ୍ତୁ ବାସ୍ତବରେ ଆମ ଅନ୍ତର ଯେଉଁ ଆନନ୍ଦର ଅନ୍ବେଷଣ କରୁଛି, ତାହା ଏଥିରୁ ମିଳିଯିବ, ଏହି ଧାରଣା ମଣିଷକୁ ପ୍ରଥମେ ଉନ୍ମତ୍ତ, ତା’ପରେ ଉଦ୍‌ଭ୍ରାନ୍ତ ଏବଂ ପରିଶେଷରେ ହତାଶ କରେ୤ବାହ୍ୟ ମଉଜ୍ ମଜଲିସ୍ ଏବଂ ଇନ୍ଦ୍ରିୟସମୂହର ଦାବିକୁ ଅଧିକାଂଶ ବ୍ୟକ୍ତିଅ ଏଡ଼ାଇ ପାରିବେ ନାହିଁ, କିନ୍ତୁ ଏହି ପ୍ରବୃତ୍ତିରେ ସଂପୂର୍ଣ୍ଣ ନିମଜ୍ଜିତ ରହିଲେ କ୍ରମେ ମଣିଷ ଆନ୍ତର୍ଜୀବନର ଦାବିକୁ ପାସୋରିଦିଏ୤ ଏପରିକି ଆନ୍ତର୍ଜୀବନର ଅସ୍ତିତ୍ବ ମଧ୍ୟ ସେ ଆଉ ଅନୁଭବ କରେ ନାହିଁ୤ ଅଥଚ ଇନ୍ଦ୍ରିୟ-ନିର୍ଭର ବହିର୍ଜୀବନ ଆଶାଜନକ ସୁଖ ଓ ତୃପ୍ତି ଦେଇ ପାରୁ ନଥିବାରୁ ମଣିଷ ଅଧିକରୁ ଅଧିକ ଭୋଗଲାଳସାର ଉପାୟ ଉଦ୍‌ଭାବନ କରେ୤ ସେ ସବୁ ଅଚିରେ ପୁରୁଣା ହୋଇଯାଏ୤ ପୁଣି ନୂଆ ନୂଆ ଆଶା ଉଦ୍ଦୀପ୍ତ କରି ସେ ନୂଆ ମରୀଚିକା ପଛରେ ଗୋଡ଼ାଏ୤ ଶେଷରେ ଆସେ ଅବସାଦ, ଅବିଶ୍ବାସ ଓ ବିଷାଦ୤

ଏକାଧିକ ମନୋଚିକିତ୍ସକ ଏ ଲେଖକକୁ କହିଛନ୍ତି, ମୁନାଫାଧର୍ମୀ ବଡ଼ଲୋକୀ ସମାଜର ଏହାହିଁ ଏକ ସଂକ୍ଷିପ୍ତ ଚରିତ୍ର-ଚିତ୍ର୤ ସେମାନଙ୍କ ପାଇଁ ମୁନାଫାହିଁ ସୁଖର ନାମାନ୍ତର୤ ନ୍ୟାଯ୍ୟ ମାର୍ଗରେ ମୁନାଫା ଯଥେଷ୍ଟ ନ ମିଳିଲେ ପ୍ରତାରଣା ଓ ପ୍ରବଞ୍ଚନାର ସୂକ୍ଷ୍ମ ଆର୍ଥନୀତିକ କୌଶଳ ପ୍ରୟୋଗ କରିବାର ନିଶା ସେମାନଙ୍କୁ କବଳିତ କରେ୤ ମୁନାଫା ସ୍ଥୂଳ ସୁଖଲାଭର ଅନ୍ୟତମ ଉପାୟ ହୋଇପାରେ୤ କିନ୍ତୁ କେତେବେଳେ ମଣିଷ ସୁଖ କଥା ପାସୋରିଦେଇ ସେଇ ଉପାୟ ପାଖରେ ନିଜକୁ କ୍ରୀତଦାସ କରିପକାଏ, ତା’ର ସେ ହେତୁ ରହେ ନାହିଁ୤

ବହିର୍ଜୀବନ ଏବଂ ଆନ୍ତର୍ଜୀବନ ସମନ୍ବୟ, ସହାବସ୍ଥାନ ଏବଂ ସମାନୁଭାବ ମୋଟେ ଅବାସ୍ତବ ତତ୍ତ୍ବ ନୁହେଁ୤ ଆନ୍ତର୍ଜୀବନକୁ ଗୁରୁତ୍ତ୍ବ ଦେଲେ ମଣିଷ ବହିର୍ଜୀବନର ଅଳି ଆବ୍‌ଦାର୍‌ଯେ ଅଳୀକ, ତାହା ବୁଝିପାରିବ୤ ସେତକ ବୁଝିପାରିଲେ ସେ ଅନେକ ଅବାଞ୍ଛିତ କର୍ମରୁ ନିଜକୁ ମୁକ୍ତ ରଖିପାରିବ୤ ସେତକ କରିପାରିଲେ ଅନେକ ଅନିବାର୍ଯ୍ୟ ଗ୍ଲାନିବୋଧ, ମାନସିକ ପୀଡ଼ା ଏବଂ ଦେହ ଓ ପ୍ରାଣ ଉପରେ ତା’ର ପ୍ରତିକ୍ରିୟାରୁ ରକ୍ଷା ପାଇପାରିବ୤

ସଚ୍ଚା ଶାନ୍ତି, ସନ୍ତୋଷ ଏବଂ ଆନନ୍ଦ କେବଳ ମାତ୍ର ଆନ୍ତର୍ଜୀବନ ଆମକୁ ଦେଇପାରେ୤ ସେ ଦିଗରେ ବହିର୍ଜୀବନର ଅବଦାନ ରହିଛି ନିଶ୍ଚୟ; କିନ୍ତୁ ତାହା ଗୌଣ ୤

ଅପେକ୍ଷାକୃତ ସ୍ଥୂଳ ସାମାଜିକ ଜୀବନ ଉପରେ ଦୃଷ୍ଟିପାତ କଲେ ଆମେ ଦେଖିବୁ, ଆଜି ଅନ୍ୟ ଯେଉଁ ମୂଲ୍ୟବୋଧ-ବିଭ୍ରାଟ ଭୀଷଣ ଉତ୍ପାତ କରୁଛି, ତାହା ହେଲା ଗଣତନ୍ତ୍ର ଏବଂ ସାମୂହିକ ଅହଙ୍କାରକୁ ଅଭିନ୍ନ ବୋଲି ବିଚାର କରିବା୤ ଏକ ନିର୍ଦ୍ଦିଷ୍ଟ ସାମୟିକ ସ୍ବାର୍ଥଦ୍ବାରା ଗୁନ୍ଥା ହୋଇଥିବା ଯେକୌଣସି ଦଳେ ଲୋକ ମନେକରନ୍ତି ସେହିମାନେ ହିଁ ଗଣତନ୍ତ୍ର! ଗଣତାନ୍ତ୍ରିକ ଅଧିକାରର ଦ୍ବାହି ଦେଇ ଆଜି ଦଳେ ନାଗରିକ ଦେଶର ଡାକ ବ୍ୟବସ୍ଥାକୁ ଅଚଳ କରିଦେବେ ତ ଆଗାମୀ କାଲି ଦଳେ ନାଗରିକ ଦେଶର ଟେଲିଫୋନ ସୁବିଧାକୁ ବିପର୍ଯ୍ୟସ୍ତ କରିଦେବେ୤ କୌଣସି ଏକ ରେଳବାଇ ପ୍ଲାଟଫର୍ମରେ ଥରେ ଏ ଲେଖକ ଦେଖୁଥିଲା ‘ଗଣତନ୍ତ୍ର’ ଏବଂ ‘ଅହିଂସ ବିକ୍ଷୋଭ’ର ବିଡ଼ମ୍ବନା୤ ବିରାଟ ରେଳଗାଡ଼ିଟିରେ କେତେ ଯାତ୍ରୀ ଥିଲେ ଜଣା ନାହିଁ – ଅନ୍ତତଃ ଏକ ହଜାର୤ ମନେ ହୋଇଥିଲା, ସେ ରେଳଗାଡ଼ି ସମଗ୍ର ଜାତିର ହିଁ ପ୍ରତୀକ୤ ସେଥିରେ ଥିଲେ ଧନୀ, ମଧ୍ୟବିତ୍ତ ଏବଂ ଗରିବ; ଥିଲେ ହିନ୍ଦୁ, ମୁସ୍‌ଲିମ୍ ଏବଂ ଖ୍ରୀଷ୍ଟିୟାନ୍୤ ଥିଲେ ଶିଶୁ, ତରୁଣ, ଯୁବା, ମଧ୍ୟବୟସ୍କ ଏବଂ ବୟସ୍କା ନରନାରୀ୤ ଥିଲେ ବଣିକ, ଚାକିରିଜୀବୀ, ବେକାର ଏବଂ ଅବସରପ୍ରାପ୍ତ ବ୍ୟକ୍ତି; ଥିଲେ ଧର୍ମପ୍ରାଣ, ଧର୍ମବିରାଗୀ, ଦାର୍ଶନିକ, ସଂସାରସର୍ବସ୍ବ, ଈଶ୍ବରସର୍ବସ୍ବ, ନିର୍ଦ୍ଦୟ ତଥା ସଦୟ ନରନାରୀ; ଥିଲେ କଂଗ୍ରେସ୍, ସମାଜବାଦୀ, ସାମ୍ୟବାଦୀ ତଥା ଆୟାରାମ-ଗୟାରାମ ବାଦୀ୤ ସେ ହଜାରେ ବ୍ୟକ୍ତିଙ୍କର ଥିଲା ଏକହାଜାର କାର୍ଯ୍ୟକ୍ରମ, ସ୍ବପ୍ନ, ଯୋଜନା, ଉତ୍କଣ୍ଠା ଏବଂ ନିର୍ଘଣ୍ଟ୤

କିନ୍ତୁ ମହାଜାତିର ସେ ପ୍ରତୀକକୁ ଅସହାୟ କରି ରଖିଥିଲେ ଶହେ ସରିକି ବିକ୍ଷୋଭକାରୀ୤ ସେମାନଙ୍କ ନେତା ରେଳ ଲାଇନ ଉପରେ ଠିଆ ହୋଇ ବକ୍ତୃତା ଦେଉଥିଲେ : ‘‘ଯେ ଯାଏ ଆମ ଦାବୀ ପୂରଣ ନ ହୋଇଛି, ସେଯାଏ ଆମେ ଏମିତି ଗଣତାନ୍ତ୍ରିକ ଅହିଂସା ମାର୍ଗରେ ଚାଲୁ ରଖିବୁଁ ଆମ ଅନ୍ଦୋଳନ୤’’

ହଜାରେ କଳେବର ଏବଂ ଚେତନାର ସ୍ବାଧୀନତା ହରଣକାରୀ, ହଜାରେ ନରନାରୀଙ୍କ ଉପରେ ହିଂସାଚାର କରୁଥିବା ସେ ନେତା ଅହିଂସା ଆନ୍ଦୋଳନ ଭଳି ସ୍ଲୋଗାନ୍‌ଦେଇ ପାରୁଥିଲେ – ଗଣତନ୍ତ୍ର ନାମରେ !


THE QUEST ETERNAL AND LITERATURE TODAY" : A Talk by Prof. Manoj Das

About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.