Prof. Chandrasekhar Rath
Smt. Rajashree Das
ସୁସମାନ
ମନୋଜ ଦୀର୍ଘାୟୁ ହୁଅନ୍ତ, ମନୋଜ ଆହୁରି ପ୍ରତିଷ୍ଠିତ ହୁଅନ୍ତୁ ,ଭାରତରେ, ଭାରତ ବାହାରେ । ସରସ୍ଵତୀଙ୍କ କୃପା ନିରବଛିନ୍ନ ବର୍ଷା ହେଉଥାଉ ତାଙ୍କ ଉପରେ । ଏହିପରି ସ୍ଵତଃସ୍ଫୁର୍ତ ଶୁଭେଛା ଯାହାଙ୍କ ପାଇଁ ଝରିଆସେ,ସେ ହେଉଛନ୍ତି ଉତ୍କଳର ବରପୁତ୍ର ମନୋଜ ଦାସ । ଆଚରଣରେ ଆଭିଜାତ୍ୟ , ଉଚ୍ଚାରଣରେ ଶାଳୀନତା, ବ୍ୟବହାରରେ ଭଦ୍ରତା, ମାର୍ଜିତ ରୁଚି, କଥାକଥାକେ କୌଳିନ୍ୟ , ଶିଷ୍ଠାଚାର , ସମଦର୍ଶିତା , ଯାହାଙ୍କ ସ୍ଵଭାବସିଦ୍ଧ ଗୁଣ ସେ ହେଉଛନ୍ତି ମନୋଜ ଦାସ ।
କବିତାର ସୁକୁମାର ଘନିଷ୍ଠତାରୁ ଅନେକ ଦିଗନ୍ତର ବିସ୍ତାର କିମ୍ବା ଶତେକ ପ୍ରଶ୍ନର ଉତ୍ତରର ଗଭୀରତା ଯାଏଁ ପ୍ରାୟ ଅର୍ଦ୍ଧେକ ଶତାବ୍ଦୀର ସୁଦୀର୍ଘ ସୁଦିଘ୍ର ଯାତ୍ରାପଥ ଯେ ଅତିକ୍ରମ କରି ଆସିଛନ୍ତି, “ଆରଣ୍ୟକ ” ର ହିଂସ୍ରତାଠାରୁ “ ଅମୃତଫଳ” ର ଦିବ୍ୟାନୁଭଭବ ପର୍ଯ୍ୟନ୍ତ ବିକାଶର ସମ୍ଭାବନା ଯେ ଦେଖିଆସିଛନ୍ତି, ରୁଷୀୟ ସାମ୍ୟବାଦଠାରୁ ଅତିମାନସର ଦିବ୍ୟ ଜୀବନଯାଏଁ , ବନ୍ଧୁରପନ୍ଥା ଯେ ସ୍ଵୀକାର କରିଛନ୍ତି, ସେ ବିପୁଳ ବିସ୍ତାର ଓ ଅନୁଭବର ମଣିଷ ହେଉଛନ୍ତି ମନୋଜ ଦାସ ।
ଅସଂଖ୍ୟ ଗଳ୍ପ ବଖାଣିବାରେ ବିଚକ୍ଷଣତା, ରସିକତା, ସରଳତା, ସମ୍ବେଦନଶୀଳତା, ବିବିଧତା, ବିଚିତ୍ରତା, ଅଲୌକିକତାପାଇଁ ପୃଥିବୀରେ ଜଣେ ଅଗ୍ରଗଣ୍ୟ କଥାକାରରୂପେ ଯେ ମାନ୍ୟତା ଅର୍ଜନ କରିଛନ୍ତି, ବହୁ ଭାଷାରେ ବହୁ କ୍ଷେତ୍ରରେ ବୟସ ନିର୍ବିଶେଷରେ ବହୁବିଧ ପାଠକଙ୍କୁ ବିମଳ ରସାନୁଭବ, ବିସ୍ମୟାନୁଭବ ଦେବାରେ ଯାହାଙ୍କର ମୌଳିକତା,ସୃଜନଧର୍ମିତା , ପରିପକ୍ଵତା ପ୍ରମାଣିତ ହୋଇଛି , ସେ ହେଉଛନ୍ତି ଅନନ୍ୟ କଥାକାର ମନୋଜ ଦାସ ।
ସୂଚାରୁ ବଗ୍ନିତା ଓ ବିଦବତ୍ତା ସହିତ ବିନୟ, ସତ୍ୟବାଦିତା ସହିତ ପ୍ରିୟବାଦିତା , ଭାବଗମ୍ଭୀର୍ଜ୍ୟ ସହିତ ଚଟୁଳ ରସିକତା, ସାମାଜିକ ସୌଜନ୍ୟ ସହିତ ନିରାଡମ୍ବର ସାରଲ୍ୟ, ଆଧୁନିକ ଜୀବନର ଜଟିଳତା ସହିତ ଚିରନ୍ତନ ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟବୋଧ , ମଣିଷର ସମସ୍ତ କ୍ଷୁଦ୍ରତା, କ୍ଳୀବତା , ଅପରିଛନତା ପାଇଁ ଅଗାଧ ସମ୍ବେଦନା ସହିତ ତାର ଉତ୍ତରଣ ପାଇଁ ପ୍ରାର୍ଥନା, ସ୍ମୃତିବିଜଡିତ ଆପଣାର ଜନ୍ମଭୂମିର ବିବିଧ ବିପର୍ଜୟ ସହିତ, ସମ୍ଭାବନାମୟ ଯୋଗଭୂମିର ପ୍ରତୟ ଓ ପ୍ରତିଶ୍ରୁତି, ଯେ ଅକାତର ଧାରଣ କରି ସମନ୍ବୟ ପ୍ରତିଷ୍ଠା କରନ୍ତି, ସେ ହେଉଛନ୍ତି ଅସାଧ୍ୟ ସାଧକ ମନୋଜ ଦାସ ।
ସୌଜନ୍ୟ: “ ମନୋଜାୟନ”