Loading...

Pandita Laxminarayana Sahoo

ପଣ୍ଡିତ ଲକ୍ଷ୍ମୀନାରାୟଣ ସାହୁ

୧୯୪୪ ବା ୧୯୪୫ରେ, ଏ ଲେଖକ ଜଳେଶ୍ବରର ଅଦୂରବର୍ତ୍ତୀ ଜମାଳପୁର ବିଶ୍ବନାଥ ଏକାଡ଼େମିରେ ପଞ୍ଚମ ବା ଷଷ୍ଠ ଶ୍ରେଣୀର ଛାତ୍ର ଥିବାବେଳେ ଦିନକର ଶେଷ ଅପରାହ୍ନରେ ସେଠାରେ ପହଞ୍ଚିଥିଲେ ପଣ୍ଡିତ ଲକ୍ଷ୍ମୀନାରାୟଣ ସାହୁ୤ ସେତେବେଳକୁ ସ୍କୁଲ୍ ଛୁଟି ହୋଇଗଲାଣି୤ ଅତଏବ ହେଡ୍‌ମାଷ୍ଟର ମହୋଦୟ ହଷ୍ଟେଲବାସୀମାନଙ୍କୁ ସୁବର୍ଣ୍ଣରେଖା କୂଳସ୍ଥିତ ଏକାଡେମିର ଦୁଇ କୋଠାର ମଧ୍ୟବର୍ତ୍ତୀ ଘାସ ପଡ଼ିଆ ଉପରେ ଏକତ୍ର ହେବା ନିମନ୍ତେ ନିର୍ଦ୍ଦେଶ ଦେଲେ୤

ପନ୍ଦର ଷୋହଳ ସରିକି ଶ୍ରୋତା ସମାବେଶରେ ସାହିତ୍ୟ, ସଂସ୍କୃତି ଓ ସଭ୍ୟତା ଉପରେ ଭାଷଣ ଦେଲେ ପଣ୍ଡିତ ଲକ୍ଷ୍ମୀନାରାୟଣ୤ ତାଙ୍କର ବକ୍ତବ୍ୟ ମନେ ନାହିଁ, ତେବେ ମୁକ୍ତାକାଶ ତଳେ, ସୂର୍ଯ୍ୟାସ୍ତ କାଳୀନ ଦିଗନ୍ତ ଓ ନଦୀକୁ ପଟ୍ଟଭୂମି କରି ସେ ଯାହା ଯାହା କହୁଥିଲେ, ସେସବୁ ସେହି ମୃଦୁ ସମୀରଣ ରେ ସମଗୋତ୍ରୀୟ ବୋଲି ମୋର ଅନୁଭବ ଟିକକ ସ୍ମୃତିରେ ରହିଛି୤ ତାଙ୍କ ସହ ଥିଲେ ଜଣେ ବୟସ୍କ ଦେଶସେବୀ, ଜନୈକ ଶ୍ରୀଯୁକ୍ତ ମହାରଣା୤ ସେ ସଂପୂର୍ଣ୍ଣ ଦନ୍ତ ମୁକ୍ତ ହୋଇଥିବା ଯୋଗୁଁ ଖଣ୍ଡିଏ ଲୁହା ଗିନାରେ ପାନ ଛେପିବାରେ ବ୍ୟାପୃତ ଥା’ନ୍ତି୤ ଲକ୍ଷ୍ୟ କରୁଥାଏଁ, ଯେତେବେଳେ ଲକ୍ଷ୍ମୀନାରାୟଣ କୌଣସି ଭାବନା ଅପେକ୍ଷାକୃତ ଅଧିକ ଭାବପ୍ରବଣ ଭାବରେ ପରଷୁଥାନ୍ତି, ସେତେବେଳେ ଶ୍ରୀଯୁକ୍ତ ମହାରଣାଙ୍କ ପାନପେଷଣ କର୍ମ କ୍ଷୀପ୍ରତର ହେଉଥାଏ୤ ପରବର୍ତ୍ତୀକାଳରେ ଗାୟକର ଗାୟନ ଗତି ସହ ତବଲା ସଂଗୀତକାରୀର କର ଚାଳନାରେ ତାରତମ୍ୟ ଲକ୍ଷ୍ୟକଲେ ଅତୀତର ସେ ଦୃଶ୍ୟଟି ଥରେ ଥରେ ମାନସ ଚକ୍ଷୁରେ ଝଲସିତ ହୁଏ୤

ପରେ ପରେ ଛୁଟିରେ ଗାଁକୁ ଯାଇଥାଏଁ୤ ଗାଁ ପାଶ ବାଳୁକା ପ୍ରାନ୍ତର ଉପରେ କଂଗ୍ରେସ ଅଫିସ୍ ଟିଏ ସଦ୍ୟ ଖୋଲା ହୋଇଥାଏ୤ ସେତେବେଳେ ଉତ୍ତର ବାଲେଶ୍ବର ବ୍ୟାପୀ ଦାରୁଣ ଦୁର୍ଭିକ୍ଷ୤ ସେବା ଓ ସାହାଯ୍ୟ କାର୍ଯ୍ୟ ସଙ୍ଗେ ସଙ୍ଗେ ମହିଳାମାନଙ୍କୁ ଚରଖା ଯୋଗାଇଦେଇ ସୂତା କଟା ଶିକ୍ଷା ଦିଆଯାଉଥାଏ୤ ତଦାରଖ କରିବା ସକାଶେ ଆସିଲେ ଠକ୍କର୍ ବାପା୤ ସାଥିରେ ଈଶ୍ବରଲାଲ୍ ବ୍ୟାସ ଏବଂ ପଣ୍ଡିତ ଲକ୍ଷ୍ମୀନାରାୟଣ୤ ଜନସଭାରେ ଠକ୍କର ବାପାଙ୍କ ଭାଷଣକୁ ଅନୁବାଦ କରିଦେଉଥାନ୍ତି ପଣ୍ଡିତେ୤ ସାବଲୀଳ ଓ ପ୍ରାଞ୍ଜଳ୤

ସଭା ଅନ୍ତେ ଜଣେ ଅଦୂର ଗତ ଖଦଡ଼ଧାରୀ ମୋ ବୟସର ଦୁଇ ଚାରିଜଣଙ୍କୁ କହିଲେ : ‘‘ସବୁଠୁଁ ବଡ଼ ଗାନ୍ଧି୤ ତା’ପରେ ଠକ୍କର ବାପା; ତା’ପରେ ଈଶ୍ବରଲାଲ ବ୍ୟାସ; ତା’ପରେ ଲକ୍ଷ୍ମୀନାରାୟଣ ସାହୁ୤ ମନେ ରଖ୤’’

ମନେ ରଖିଛି୤

୧୯୪୯/୫୦ରେ ‘ଦିଗନ୍ତ’ ସଂପାଦନା କଲାବେଳେ ଲକ୍ଷ୍ମୀନାରାୟଣ କେତୋଟି କବିତା ପଠାଇଲେ୤ ଚିଠିରେ ଲେଖିଥିଲେ ଯେ ଜେଲ୍ ଭିତରୁ ଯେତେବେଳେ ସେ ପ୍ରଥମ ଗଦ୍ୟ ଲେଖିଲେ, ସେତେବେଳେ ମାୟାଧର ମାନସିଂହ ପ୍ରମୁଖ ତାକୁ ନାପସନ୍ଦ କଲେ, କିନ୍ତୁ ବର୍ତ୍ତମାନ ? ଗଦ୍ୟ କବିତାକୁ ସ୍ବୀକୃତି ନଦେବାର ସାହାସ କାହାରି ଅଛି କି ?

ସେ ପଠାଇଥିବା ଗୋଟିଏ ଯୋଡ଼ିଏ କବିତାର କିଞ୍ଚିତ୍ ମନେ ରହିଛି : ‘‘କି ପିଲା ତମେ ? ପାଣ ପିଲା ଆମେ୤ ଏତକ ଶୁଣି ମନମୋର ହୋଇଗଲା ପିତା୤’’

ଆଉ ଗୋଟିକରେ ଥିଲା : ‘‘ସବୁରି ଉପରେ ମଦନ ସତ୍ୟ୤ ସେଥିପାଇଁ, ମଣିଷକୁ କାହିଁ ପାଇଁ, ଦୋଷ ଦିଅ ଭାଇ ! ଥର୍ମୋମିଟରର ପାରା ପରି ତାହା ଉଠିଯାଏ, ପୁଣି ଖସିଆସେ…୤’’

ବାଲେଶ୍ବର ଯୁଗର ‘ଦିଗନ୍ତ’ ଥିଲା ଅନିୟମିତ ଏବଂ କେତୋଟି ସଂଖ୍ୟାମାତ୍ର ପ୍ରକାଶ ପାଇଥିଲା୤ ଲକ୍ଷ୍ମୀନାରାୟଣଙ୍କ କବିତା ପ୍ରକାଶ କରିବାର ସୁଯୋଗ ମିଳିନଥିଲା୤

୧୯୫୪ରେ ବାଲେଶ୍ବରରେ ଅନୁଷ୍ଠିତ ହେଲା ନିଖିଲ ଉତ୍କଳ ଛାତ୍ର ସଂଘ ସମ୍ମିଳନୀ୤ ପ୍ରୟୋଜନୀୟ ଅର୍ଥ ସଂଗ୍ରହାର୍ଥେ ସ୍ବେଚ୍ଛାସେବକମାନେ ଷ୍ଟେସନ୍ ରେ ବିଶ୍ରାମରତ ରେଳଗାଡ଼ି ଭିତରେ ପଶି ଯାତ୍ରୀମାନଙ୍କୁ ସମ୍ମିଳନୀର ତାତ୍ପର୍ଯ୍ୟ ସଂପର୍କରେ ସଂକ୍ଷିପ୍ତ ଭାଷଣଟିମାନ ଦେଇ ଖାଲି ଟିଣଡ଼ବା ହଲାଉଥାନ୍ତି୤ ଅଣାରୁ ଆଠ ଅଣା, କ୍ବଚିତ୍ କେବେ ଟଙ୍କାଟିଏ ସେ ଡ଼ବାଗର୍ଭକୁ ଅବତରଣ କରୁଥାଏ୤

କୌଣସି କାରଣରୁ ଟ୍ରେନ୍‌ଟିଏ ଦିନେ ଦୀର୍ଘ ସମୟ ଅଟକି ରହିଥାଏ୤ ପ୍ଲାଟଫର୍ମରେ ଥାଇ ଶୁଣିଲି, ଆମର ଦୁଇଚାରିଜଣ ସ୍ବେଚ୍ଛାସେବକଙ୍କୁ ଗୋଟିଏ ଡବା ଭିତରେ ସେମାନଙ୍କ ଭାଷଣ ଶୁଣିବା ପରିବର୍ତ୍ତେ କେହି ଜଣେ ଅନର୍ଗଳ ଭାଷଣ ଦେଇ ଚାଲିଛନ୍ତି୤ କୌତୁହଳୀ ହୋଇ ଉଠିଗଲି୤ ଉତ୍ତେଜିତ ଭାବରେ ଲକ୍ଷ୍ମୀନାରାୟଣ ସାହୁ କହୁଥାନ୍ତି, ‘‘ମୋତେ ପୁଣି ତମେମାନେ ଛାତ୍ରସଂଘ ପାଇଁ ଚାନ୍ଦା ମାଗୁଛ ? ଏହି ଅପମାନିତ ଲୋକଟିକୁ ?’’

ମୁଁ ଆଗକୁ ଯାଇ ନମସ୍କାର କଲି ଓ ପଚାରିଲି, ‘‘ଆଜ୍ଞା ? ଅପମାନିତ ?’’

‘‘ଓଃ, ତମେ ମୁଁ ଯାହା କହିଲି ଶୁଣିନାହଁ୤ ଥରେ ମୋତେ ଛାତ୍ର ସଂଘର ସଭାପତି କରିଥିଲ ତମ କମ୍ୟୁନିଷ୍ଟ ଛାତ୍ରନେତାମାନେ୤ କିନ୍ତୁ ମୋତେ ଗୋରୁ ମୁଣ୍ଡ ଭଳି ଖାଲି ଥାପି ଦେଇଥାନ୍ତି, କୌଣସି କଥାରେ ମୋର ପରାମର୍ଶ ଲୋଡୁ ନ ଥାନ୍ତି୤ ଶେଷକୁ ସମ୍ମିଳନୀ ଆରମ୍ଭ ହେଲା୤ ଦେଖିଲି, କାର୍ଯ୍ୟକ୍ରମରେ ମୋର କୌଣସି ଭୂମିକା ନାହିଁ୤ ଅନୁରୋଧ କଲି, ମୋତେ ଟିକିଏ ସମୟ ଦିଅ୤ ସଂଗଠକମାନେ କହିଲେ, ହେଉ ପାଞ୍ଚ ମିନିଟ୍୤ ମୁଁ ଠିଆ ହେଲି ଏବଂ ଉଚ୍ଚ କଣ୍ଠରେ ଘୋଷଣା କଲି – ମୋର ପାଞ୍ଚ ମିନିଟ ଲୋଡ଼ାନାହିଁ, ଗୋଟାଏ ମିନିଟ୍ ଯଥେଷ୍ଟ୤ ମୁଁ ଇସ୍ତଫା ଦେଲି୤’’

(ପରେ ଅନୁସନ୍ଧାନ କରି ଯାହା ବୁଝିଥିଲି ଛାତ୍ର ସଂଘର ନୁହେଁ, ତେବେ ଛାତ୍ରସଂଘର କୌଣସି ଏକ ସମ୍ମିଳନୀ ପାଇଁ ଗଠିତ ଅଭ୍ୟର୍ଥନା ସମିତିରେ ତାଙ୍କୁ ସଭାପତି କରାଯାଇଥିଲା ସମ୍ଭବତଃ୤)

ଗାଡ଼ି ଛାଡ଼ିବା ସଙ୍କେତ ଦେଲା୤ ‘‘ଦୁଃଖିତ, ଆଜ୍ଞା, ଦୁଃଖିତ !’’କହି ତାଙ୍କୁ ନମସ୍କାର କରି ଅନ୍ୟମାନଙ୍କୁ ଓହ୍ଲାଇପଡ଼ିବାକୁ କହି ନିଜେ ବି ସେ ପାଇଁ ବୁଲି ପଡ଼ିଲି୤ ସେ ବୁଝିଥିବେ ତାଙ୍କୁ ଛାତ୍ରସଂଘର ନେତାମାନେ ହିନସ୍ତା କରିଥିବା ଯୋଗୁଁ ମୁଁ ଦୁଃଖ ପ୍ରକାଶ କରୁଛି୤ ମୁଁ ଦୁଃଖପ୍ରକାଶ କରୁଥିଲି ଆମର ସେତକ ଶ୍ରମ ଓ ସମୟ ବ୍ୟର୍ଥ ଗଲା ବୋଲି୤

‘‘ରୁହ ବାବୁ, ରୁହ !’’ ସେ ତାଙ୍କର ଚିରାଚରିତ ସ୍ନେହପୂର୍ଣ୍ଣ କଣ୍ଠରେ କହିଲେ୤ ପକେଟରୁ କାଗଜପତ୍ର ବାହାର କଲେ୤ ତହିଁ ଭିତରୁ ଆତ୍ମପ୍ରକାଶ କଲା ପାଞ୍ଚଖଣ୍ଡି ଏକ ଟଙ୍କିଆ ନୋଟ୍୤ ଅନ୍ୟ ପକେଟରୁ ରେଜାତକ ବାହାର କଲେ୤ ଆଠ ଅଣିଟିଏ ରଖି ବାକି ସବୁ ମୋ ହାତକୁ ବଢ଼ାଇଦେଲେ୤

‘‘ଏଇ ଆଠ ଅଣା ଭିତରେ କଟକ ଷ୍ଟେସନ୍ ରୁ ବସା ପର୍ଯ୍ୟନ୍ତ ଯିବି୤’’

‘‘ଆଜ୍ଞା, ଆଉ କିଛି ରଖନ୍ତୁ – ଅନ୍ତତଃ ଟଙ୍କାଟିଏ୤’’ ମିନତି ଭରେ କହିଲି୤ ସେ ନାସ୍ତି କରିଦେଲେ୤ ଗାଡ଼ିଛାଡି ଦେଇଥାଏ୤ ତରତରରେ ଓହ୍ଲାଇ ଆସିଲି୤ ସେ ନଦେଖିଲେ ବି ତାଙ୍କୁ ପ୍ଲାଟଫର୍ମରୁ ସ୍ବତଃସ୍ଫୁର୍ତ୍ତ, ସଚ୍ଚା ନମସ୍କାରଟିଏ କଲି୤


About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.