Loading...

Pandita Godabarisha Mishra

ପଣ୍ଡିତ ଗୋଦାବରୀଶ ମିଶ୍ର

ଗୋପବନ୍ଧୁ ସ୍ମୃତି ସମର୍ପିତ ‘ସମାଜ’ ବିଶେଷାଙ୍କ ସକାଶେ ଖାଲି ଏଥର (୨୦୦୪) ନୁହେଁ, ପୂର୍ବରୁ ମଧ୍ୟ ଯେତେଥର କିଛି ଲେଖିବାକୁ ବସିଛି, ଗୋଟାଏ ପ୍ରଶ୍ନ ବଡ଼ ଜୀବନ୍ତ ହୋଇ ଉଠିଛି ମନରେ : ସେଭଳି ମଣିଷ ଜଣେ – ମାତ୍ର ଅଶି ନବେ ବର୍ଷ ତଳେ – ଓଡ଼ିଶାର ବାତାବରଣରେ ସମ୍ଭବପର ହୋଇଥିଲେ କେମିତି ? ମାତ୍ର ଅର୍ଦ୍ଧ ଶତକ ବର୍ଷର ଜୀବନକାଳ ଭିତରେ ଜଣେ ଏତେ ପ୍ରକାରର ତ୍ୟାଗ ଓ କୃତିତ୍ବର ଦୃଷ୍ଟାନ୍ତ ବା ରଖିଗଲେ କେମିତି ?

ସେହି ଅଦେଖା ମନିଷଟିର ସ୍ମୃତି ଆଜି ଏ ଲେଖକ ଦେଖିଥିବା ଅଥଚ ମହାକାଳର ଆକାଶରେ ଅଦୃଶ୍ୟ ହୋଇଯାଇଥିବା କେତୋଟି ସ୍ମରଣୀୟ ଏବଂ ଅବିସ୍ମରଣୀୟ ଚରିତ୍ରର ସାମାନ୍ୟ ଏକ ଏକ ଝଲକ ପରିବେଷଣ କରିବାକୁ ପ୍ରେରଣା ଦେଉଛି୤

ଗୋପବନ୍ଧୁଙ୍କ ଦୁଇ ସହକର୍ମୀ-ସହକାରୀଙ୍କ ସ୍ମୃତିରୁ ହିଁ ଆରମ୍ଭ କରୁଛି୤ (ଶ୍ରୀ ରାଧାନାଥ ରଥଙ୍କ ବିଷୟରେ ପୂର୍ବରୁ ଲେଖିଛି୤ ‘ସନ୍ଧାନ ଓ ସଙ୍କେତ’ ଗ୍ରନ୍ଥରେ ‘‘ପର୍ବତ : ଦୂରର ସୌନ୍ଦର୍ଯ୍ୟ ଓ ଅଦୂରର ଗାମ୍ଭୀର୍ଯ୍ୟ’’ ଦ୍ରଷ୍ଟବ୍ୟ)୤

ବାଲେଶ୍ବର ଜିଲ୍ଲା ସ୍କୁଲରେ ପଢ଼ିଲାବେଳେ ପ୍ରଥମେ ପଣ୍ଡିତ ଗୋଦାବରୀଶଙ୍କୁ ଦେଖିବାର ସୁଯୋଗ ହୋଇଥିଲା୤ ଫକୀରମୋହନ କଲେଜର କୌଣସି ଅନୁଷ୍ଠାନକୁ ସେ ଆସିଥିଲେ୤ ମଞ୍ଚ ଉପରକୁ ଯିବା ପୂର୍ବରୁ ପ୍ରେକ୍ଷାଳୟର ପ୍ରଥମ ଧାଡ଼ିରେ ଏକାକୀ ବିଦ୍ୟମାନ ସେ ସୁଦର୍ଶନ, ସୁଗମ୍ଭୀର ବ୍ୟକ୍ତିତ୍ବଟି ସହ ଟିକିଏ ଆଳାପ କରିବା ପାଇଁ କେହି ଯେମିତି ଭରସି ପାଖକୁ ଯାଇ ପାରୁ ନ ଥିଲେ୤ ତେବେ ଅଚିରେ ମଞ୍ଚ ଉପରକୁ ଯାଇ ଭାଷଣ ଆରମ୍ଭ କରିବା ମାତ୍ରେ ସେ ଗାମ୍ଭୀର୍ଯ୍ୟର ଆବରଣ ଭିତରୁ ଉଦ୍‌ଗତ ହୋଇଥିଲା ଢେଉ ପରେ ଢେଉ ମଧୁର ରସ୤ କବିତା କେତେ ପ୍ରକାରର ହୋଇପାରେ ତା’ର ଅନ୍ୟତମ ନମୂନା ରୂପେ ସେ ଆବୃତ୍ତି କରିଥିଲେ ଏକଦା ତାଙ୍କର ଜଣେ ସହପାଠୀ ରଚନା କରିଥିବା ଉପଧା ମିଳନ ସମନ୍ବିତ ‘‘ଆରାରୁଟ୍’’ ଶୀର୍ଷକ କୃତିର ପ୍ରଥମ ଦୁଇ ଧାଡ଼ି :

“ଆରାରୁଟ୍ ! ତୋହଭଳି କେ ଅଛି ସଂସାରେ,

ତୁହି ସିନା ପଥ୍ୟ ଅଟୁ ଜ୍ବର ଓ ଝାଡ଼ାରେ !”

ଦୁଇ ତିନି ବର୍ଷପରେ, ୧୯୫୨ ବା ୧୯୫୩ ରେ, ତାଙ୍କୁ ଭେଟିଥିଲି ତାଙ୍କ କଟକ ବାସଭବନରେ୤ ତାଙ୍କୁ ନିମନ୍ତ୍ରଣ କରିବାକୁ ମୋତେ ପଠାଇଥିଲେ ଫକୀରମୋହନ କଲେଜ୍ ର ୟୁନିଅନ୍୤ ମୋ ସହ ଯାଇଥିଲେ ଜଣେ ରାଜନୀତି-ଯଶ-ପ୍ରାର୍ଥୀ ଯୁବକ୤ ଗୋଦାବରୀଶ ବାବୁ ତାଙ୍କୁ ପଚାରିଦେଲେ : ‘‘ଅଧ୍ୟୟନ ଅନ୍ତେ ଯୋଜନା କ’ଣ?’’ ଯୁବକ ଉତ୍ତର ଦେଲେ : ‘‘ରାଜନୀତି କରିବି୤’’

ଭାବଭଙ୍ଗୀରେ କୌଣସି ପ୍ରତିକ୍ରିୟା ନ ଦେଖାଇ ମୃଦୁ କିନ୍ତୁ ଶାଣିତ କଣ୍ଠରେ ଗୋଦାବରୀଶ ବାବୁ କହିଲେ : ‘‘ଆମ ଯୁବାବସ୍ଥାରେ ‘ରାଜନୀତି କରିବା’ ଭଳି ଧାରଣା ମନକୁ ଆସୁନଥିଲା୤ ଦେଶ ସେବାର ଆଦର୍ଶ ଆମକୁ ଅନୁପ୍ରାଣିତ କରୁଥିଲା୤ ରାଜନୀତି ଥିଲା ବହୁଧା ପ୍ରବାହିତ ସେ ସେବାଧାରାର ଏକ ଶାଖା ମାତ୍ର୤’’

ପରେ ପରେ ଯାଇଥିଲି ପଣ୍ଡିତ ନୀଳକଣ୍ଠ ଦାସଙ୍କ ନିବାସକୁ୤ ପଣ୍ଡିତ ପ୍ରବର ବସିଥିଲେ ଶଯ୍ୟା ଉପରେ୤ ଚିବୁକ ନ୍ୟସ୍ତ ଥିଲା ବଙ୍କୁଲି ବାଡ଼ିର ଅଗ୍ରଦେଶରେ୤ ତଳକୁ ପ୍ରସାରିତ ପାଦ ପାଖରେ ଉପବିଷ୍ଟ ଥିଲେ ଜଣେ ଅନୁଗତ୤ କାହିଁକି କେଜାଣି, ସେ ଆକର୍ଣ୍ଣ ଆପ୍ୟାୟିତ ହସ ଖେଳାଇ ବାରମ୍ବାର ବାଡ଼ିଟିକୁ ଆଉଁସି ପକାଉଥିଲେ୤ ପାଖରେ, ଚୌକୀ ଉପରେ ସମାସୀନ ଥିଲେ ପଣ୍ଡିତ ଗୋଦାବରୀଶ୤ ମୁଁ ତଳେ ବସିଲି୤

ଉଭୟ ପଣ୍ଡିତ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ମୋର ଯେତେଦୂର ମନେ ପଡୁଛି, ନୂଆ ଦଳଟିଏ ଗଢ଼ିଥିଲେ୤ ଅଳ୍ପଦିନ ପୂର୍ବରୁ ପଣ୍ଡିତ ନୀଳକଣ୍ଠଙ୍କ ‘ନବଭାରତ’ରେ ମୋର ଏକ କବିତା ପ୍ରକାଶ ପାଇଥାଏ୤ ତା’ର ପ୍ରଥମ ଦୁଇ ଧାଡି ମୋଟାମୋଟି ଏହି ପ୍ରକାର :

ଆଜି ଅକଳନ କାଳ ପରେ,

ଶଙ୍କର ତୁମେ ତାଣ୍ଡବ ରଚ ମର୍ତ୍ତ୍ୟଭୂବନେ ବାରେ !

ପଣ୍ଡିତଙ୍କୁ ତାଙ୍କର କୌଣସି ସହକାରୀ ସ୍ମରଣ କରାଇ ଦିଅନ୍ତେ, ସେ ମୁଣ୍ଡ ହଲାଇ କହିଲେ, ‘‘ତାହା ହିଁ ହେଉ, ତାହା ହିଁ ହେଉ୤’’

ଆପ୍ୟାୟିତ ହୋଇ ମୁଁ ବିଦାୟ ନେବା ବେଳକୁ ପଣ୍ଡିତେ ମୋ ମୁଣ୍ଡଟି ଆଡ଼େ ହାତ ବଢ଼ାଇ ଦେଇ ଅପେକ୍ଷା କରିଥିଲେ୤ ଅଗତ୍ୟା ମୁଁ ଦୁଇ ପାହୁଣ୍ଡ ଲେଉଟିଯାଇ ମୁଣ୍ଡଟି ଆନତ କଲି୤


About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.