Loading...

Khyamata Manishaku Durniti Parayana Kariba Anibarya Ki?( In Odia)

କ୍ଷମତା ମଣିଷକୁ ଦୁର୍ନୀତିପରାୟଣ କରିବା ଅନିବାର୍ଯ୍ୟ କି ?

ବର୍ଷ କେତୋଟି ତଳର କଥା୤ କୌଣସି ଏକ ବିଶିଷ୍ଟ ପ୍ରତିଷ୍ଠାନର ନିମନ୍ତ୍ରଣ ଥିଲା ‘‘କ୍ଷମତାର ଆୟତ୍ତୀକରଣ’’ (Management of Power) ଉପରେ ଏକ ବକ୍ତୃତା ଦେବାପାଇଁ୤ କୁହାଯାଇଥିଲା ଶ୍ରୋତୃମଣ୍ଡଳୀରେ ଯୋଗଦେବେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନର ହାକିମ ମାନେ, ‘‘ବାଣିଜ୍ୟ ପ୍ରଶାସନ’’(Business Management)ର ଅଧ୍ୟାପକବୃନ୍ଦ ତଥା ସେ ଜଗତର ଗବେଷକବର୍ଗ୤

କହିବା ବାହୁଲ୍ୟ, ସେ ଜଗତରେ ମୋର ପ୍ରବେଶ ନାହିଁ କି ସେ ବିଷୟ ଉପରେ ମୋର ଜ୍ଞାନ ନାହିଁ, ଏହା ଜଣାଇ ମୁଁ ଓହରି ଆସିବାକୁ ଚେଷ୍ଟା କରିଥିଲି୤ କିନ୍ତୁ ନିମନ୍ତ୍ରକମାନେ ମୋତେ ବୁଝାଇଦେଲେ, ‘‘ଆମେ ଆପଣଙ୍କଠାରୁ କୌଣସି ବୈଷୟିକ ବା ବୃତ୍ତିଗତ ବିଶ୍ଲେଷଣ ଆଶା କରୁନାହୁଁ୤ ଜଣେ ଲେଖକ ଓ ଚିନ୍ତକ ଭାବରେ ଆପଣ ବିଷୟଟି ଉପରେ ଆଳୋକପାତ କରିବେ, ଏହା ହିଁ ଆମର କାମ୍ୟ୤ ଆଜି ସର୍ବତ୍ର ରାଜନୀତିରେ ଅର୍ଥନୀତିରେ କ୍ଷମତାର ଅପବ୍ୟବହାର୤ ଏ ବିଷୟରେ ଆପଣ ଭାବୁଛନ୍ତି କ’ଣ, ତାହା ହିଁ ଆମର ଜିଜ୍ଞାସ୍ୟ ୤’’

ବିମାନ ବନ୍ଦରରେ ବା ବିମାନ ଭିତରେ ଚୁପଚାପ୍ ବସି ପଢ଼ାପଢ଼ିରେ ମନୋନିବେଶ ମୋର ଅଭ୍ୟାସ, ସହଯାତ୍ରୀ ମାନଙ୍କ ସହ ଗପସପ ଦିଗରେ ପ୍ରବୃତ୍ତି ହୁଏ ନାହିଁ୤ କିନ୍ତୁ ନିମନ୍ତ୍ରକମାନେ ବିମାନର ଉଚ୍ଚ ଶ୍ରେଣୀରେ ଯିବାର ବ୍ୟବସ୍ଥା କରିଦେଇଥିଲେ୤ ସେ ଶ୍ରେଣୀରେ ଯାତ୍ରୀ ଥିଲେ ମାତ୍ର ତିନି ଚାରିଜଣ୤ ପୂର୍ବରୁ ବିମାନ ବନ୍ଦରର ପ୍ରତୀକ୍ଷାଳୟରେ ଦୁଇଜଣ ମୁହଁ ଚିହ୍ନା ଭଦ୍ରବ୍ୟକ୍ତି ମୋ ଗନ୍ତବ୍ୟ ଉଦ୍ଦେଶ୍ୟ ସଂପର୍କରେ ପ୍ରଶ୍ନ କରି ସାରିଥିଲେ୤ ବିମାନ ଭିତରୁ ଅନୁରୂପ ପ୍ରଶ୍ନ କଲେ ଆଉ ଦୁଇଜଣ୤ ମୋଟ ଚାରି ଜଣଙ୍କରୁ ତିନିଜଣ ସେମାନଙ୍କ ପ୍ରତିକ୍ରିୟା ଜଣାଇଲେ ବଡ଼ ସ୍ବତଃସ୍ଫୂର୍ତ୍ତ ଭାବରେ୤ ତହିଁରୁ ପ୍ରଥମଙ୍କ ପ୍ରତିକ୍ରିୟା (ସେ ଜଣକ ଗୋଟିଏ ବିଖ୍ୟାତ ପ୍ରସାଧନ ଉତ୍ପାଦକ ସଂସ୍ଥାର ଡିରେକ୍ଟର) ମୋତେ ଆମୋଦିତ କରିଥିଲା୤ ‘‘Management of……..?’’ ସେ ମୋ ବିଷୟଟି ମୋଠୁଁ ଶୁଣି ସେ ଗୋଟିକୁ ପ୍ରଶ୍ନବାଚୀ ଶୈଳୀରେ ନିଜେ ଉଚ୍ଚାରଣ କରି ମନ୍ତବ୍ୟଟି ଯୋଗକଲେ, ‘‘ବାଃ, ବେଶ୍ ସମୟୋପଯୋଗୀ ବିଷୟ୤ Power breakdown, power-load-shedding ଆମମାନଙ୍କୁ ନାକେଦମ୍ କଲାଣି୤ ଆଶାକରେ ଆପଣଙ୍କ ବକ୍ତୃତାର ଆୟୋଜକ ମହାନଗରୀର ବିଦ୍ୟୁତ୍‌ନିଗମର ପରିଚାଳକମାନଙ୍କୁ ଡକାଇବେ ଏବଂ କିପରି ଭାବରେ ବିଦ୍ୟୁତ୍ ସରବରାହ ନିୟନ୍ତ୍ରଣ କଲେ ଆମ ଭଳି ଖାଉଟିମାନଙ୍କର ମଙ୍ଗଳ ହେବ, ସେ ଦିଗରେ ଆପଣ ବିହିତ ପରାମର୍ଶ ଦେବେ୤ ନିମନ୍ତ୍ରଣ ପତ୍ରଟିଏ ଯୋଗାଡ଼ ହୋଇପାରିଲେ ମୁଁ ବି ଶୁଣନ୍ତି୤’’

ଅନ୍ୟ ଦୁଇଜଣ ସହଯାତ୍ରୀଙ୍କ ଆଶୁ ପ୍ରତିକ୍ରିୟା ଥିଲା ଗତାନୁଗତିକ ଏବଂ ପ୍ରତ୍ୟାଶିତ୤ ଦୁହେଁ ଯାକ କହିପକାଇଥିଲେ, ‘‘Power corrupts. and absolute power corrupts absolutely.’’(କ୍ଷମତା ଦୁର୍ନୀତିପରାୟଣ କରାଏ; ସୀମାହୀନ କ୍ଷମତା ସୀମାହୀନ ମାତ୍ରାରେ ଦୁର୍ନୀତିପରାୟଣ କରାଏ)୤

ଲର୍ଡ଼ ଏକ୍‌ଟନ୍‌ଙ୍କର Historical Essays and Studies ଅନ୍ତର୍ଭୁକ୍ତ ଏ ଉକ୍ତିଟି ଏକ ବହୁଳ ଜନପ୍ରିୟ ଉଦ୍ଧୃତି୤ ତେବେ ତାଙ୍କର ପରବର୍ତ୍ତୀ ବାକ୍ୟଟି, ଯାହା ଆହୁରି ଅଧିକ ଚମକପ୍ରଦ, ସେ ଗୋଟିକୁ ପ୍ରାୟ କେହି ମନେ ପକାନ୍ତି ନାହିଁ୤ ତାହା ହେଲା, ‘‘ମହାନ୍ ବ୍ୟକ୍ତିମାନେ ପ୍ରାୟ ସମସ୍ତେ ଖରାପ ଲୋକ୤’’ (Great men one almost always bad men.) ସେ ଦୟାକରି ‘ପ୍ରାୟ’ ଶବ୍ଦଟି ବ୍ୟବହାର କରି ସାନ୍ତ୍ବନାର ସାମାନ୍ୟ ଉପାଦାନ ଛାଡ଼ି ଯାଇଛନ୍ତି୤

ଏକ୍‌ଟନ୍ ମହୋଦୟ ମହାନ୍ ବ୍ୟକ୍ତି ବୋଇଲେ ନିଃସନ୍ଦେହରେ ପ୍ରଖ୍ୟାତ ବ୍ୟକ୍ତିବର୍ଗଙ୍କୁ ହିଁ ବୁଝାଇଛନ୍ତି୤ କଥା ହେଲା, ଯେତେ ମଣିଷ ପ୍ରଖ୍ୟାତ ସେମାନେ ସମସ୍ତେ ମହାନ ନୁହନ୍ତି୤ ଯେତେ ମଣିଷ ମହାନ୍, ସେମାନେ ପ୍ରଖ୍ୟାତ ନୁହନ୍ତି୤ ଏକାଧାରରେ ମହାନ୍ ଓ ପ୍ରଖ୍ୟାତ ବ୍ୟକ୍ତିଙ୍କ ସଂଖ୍ୟା ବିରଳ୤

ଏହି କଥାଟି ଉପରେ ବଡ଼ ତାତ୍ପର୍ଯ୍ୟପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଜର୍ଜ ବାର୍ଣ୍ଣାଡ଼୍‌ଶ : Power does not corrupt man; but fools, if they get into position of power, corrupt power (କ୍ଷମତା ବ୍ୟକ୍ତିକୁ ଦୁର୍ନୀତି ପରାୟଣ କରେ ନାହିଁ୤ କିନ୍ତୁ ବୁଦ୍ଦୁମାନେ ଯଦି କ୍ଷମତାସୀନ ହୁଅନ୍ତି, ତେବେ ସେମାନେ ହିଁ କ୍ଷମତାକୁ ଦୁର୍ନୀତିମୟ କରିପକାନ୍ତି୤)

ଅଣବୁଦ୍ଦୁମାନେ କ୍ଷମତାସୀନ ହେଲେ ତା’ହେଲେ କିଛି ବିପଦନାହିଁ ବୋଲି ଆମେ ଆଶା କରିବା୤ କିନ୍ତୁ ବିଡ଼ମ୍ବନା ହେଲା, ଜଣେ ମନୀଷୀ (ନାମଟି ମନେ ପଡୁନାହିଁ) କହିଛନ୍ତି, ‘‘କ୍ଷମତାରେ କେଇଦିନ ରହିବାପରେ ବୁଦ୍ଦୁ ବନିଯିବ ନାହିଁ, ଏହିଭଳି ବ୍ୟକ୍ତି ପ୍ରାୟ ନାହାନ୍ତି୤’’

ଲର୍ଡ଼୍‌ଏକ୍‌ଟନ୍ ୧୯୦୨ରେ ପରଲୋକ ଗମନ କଲେ୤ ଦୁଇଟି ମହାଯୁଦ୍ଧ ପର୍ଯ୍ୟବେକ୍ଷଣ କରିବାର ଦୁର୍ଯ୍ୟୋଗ ତାଙ୍କର ହୋଇ ନଥିଲା୤ ହୋଇଥିଲେ ହୁଏତ ସେ ଲେଖିଥାନ୍ତେ, କ୍ଷମତା ଯେ ଖାଲି ବ୍ୟକ୍ତିଙ୍କୁ ଦୁର୍ନୀତିଗ୍ରସ୍ତ କରେ, ସେତିକି ନୁହେଁ, ମଣିଷକୁ ବିକୃତ କରିଦିଏ୤ ଦ୍ବିତୀୟ ମହାଯୁଦ୍ଧ ବେଳେ ହିଟଲର୍ ସ୍ଥାପିତ ଆସ୍‌ୱିଜ୍ ଭଳି ବନ୍ଦୀ ଶିବିରମାନଙ୍କରେ ଅସହାୟ ନରନାରୀଙ୍କୁ ଯେପରି କଲବଲ କରି ମରାଯାଇଛି ସେ ବିଧିବିଧାନର ପ୍ରବର୍ତ୍ତକମାନଙ୍କ ଆଚରଣକୁ ଆକ୍ଷରିକ ଅର୍ଥରେ ପୈଶାଚିକ ଛଡ଼ା ଆଉ କିଛି କୁହାଯାଇନପାରେ୤ କୌଣସି ମନସ୍ତାତ୍ତ୍ବିକ ଜ୍ଞାନଯୋଗେ ସେମାନଙ୍କୁ ବିଚାର କରିବା ଅପେକ୍ଷା ସେମାନେ କୌଣସି ପିଶାଚ ଶକ୍ତିଦ୍ବାରା କବଳିତ ହୋଇଥିଲେ, ଏଭଳି ବିଚାର ହିଁ ଅଧିକ ଯୁକ୍ତିଯୁକ୍ତ ମନେହୁଏ୤ ଏହି ବିକୃତି ଓ ବ୍ୟଭିଚାରର ଚୂଡ଼ାନ୍ତ ପରିପ୍ରକାଶ ଘଟେ ଯେତେବେଳେ ତୁଚ୍ଛା କ୍ଷମତା ପାଇଁ କ୍ଷମତା ହିଁ ହୁଏ ବ୍ୟକ୍ତି, ଗୋଷ୍ଠୀ ବା ଦଳର ଆଭିମୁଖ୍ୟ୤ ଅଜ୍ଞାନତା-ଶାଣିତ ଅହମିକା ଗୋଟାଏ ପରେ ଗୋଟାଏ ପର୍ଯ୍ୟାୟ କ୍ଷମତା ଦାଖଲ କରିନିଏ; ପରେ ପରେ ମନରେ ସଞ୍ଚାରିତ ହୁଏ ଆତଙ୍କ : ଏ କ୍ଷମତା ଚାଲିଗଲେ ମୋର ଗତି କ’ଣ ହେବ ? ସେ ଆହୁରି ନିର୍ମମ ଭାବରେ, ଆହୁରି ସ୍ବାର୍ଥାନ୍ଧ ରୀତିରେ କ୍ଷମତାକୁ ଜାବୁଡି ଧରେ; ନାନାଦି କପଟତା, ନାନା ଉପାୟରେ କ୍ଷମତାର କୁପ୍ରୟୋଗ କରି ସେ ସେହି ଦିଗରେ ଯାବତୀୟ ବାଧାପ୍ରତିବନ୍ଧକ ଦୂର କରିବାର ପ୍ରୟାସ କରେ୤ ସାହିତ୍ୟିକ ଜନ୍ ଷ୍ଟେଇନ୍‌ବେକ୍ ପ୍ରଣିଧାନଯୋଗ୍ୟ କଥାଟିଏ କହିଛନ୍ତି: ‘‘Power does not corrupt. Fear corrupts, perhaps the fear of a loss of power.’’ (କ୍ଷମତା ଦୁର୍ନୀତି ପରାୟଣ କରେ ନାହିଁ୤ ଦୁର୍ନୀତି ପରାୟଣ କରାଏ ଭୟ, ସମ୍ଭବତଃ କ୍ଷମତା ଚାଲିଯିବାର ଭୟ୤)

ଇତିହାସର ପ୍ରତ୍ୟୁଷରୁ ହିଁ ପରିଦୃଷ୍ଟ ହୁଏ କ୍ଷମତା ସକାଶେ ପ୍ରାଣୀର ଆକର୍ଷଣ୤ ମଣିଷ ନ କହି ପ୍ରାଣୀ ବୋଲି କହିବାର କାରଣ, ପଶୁ ଜଗତରେ ବି କ୍ଷମତାର ଆକର୍ଷଣ କିଛି କମ୍ ନୁହେଁ୤ ବାନର, ବାଘ, ସିଂହ- ଏମାନେ ବେଶ୍ କ୍ଷମତାପ୍ରବଣ୤ ତେବେ, ମୁଖ୍ୟତଃ ଆମେ ଦେଖୁଁ କ୍ଷମତାର ତିନି ଧାରା : ସହଜାତ କ୍ଷମତା ପ୍ରବଣତା, ଆଦର୍ଶ ପ୍ରବର୍ତ୍ତିତ କ୍ଷମତା ପ୍ରବଣତା ଏବଂ ଅହମିକା ପ୍ରଣୋଦିତ କ୍ଷମତାଲିପ୍‌ସା୤ ପଶୁ ଜଗତରେ ଚାଲୁ ରହିଛି ପ୍ରଥମ ଧାରା୤ ପ୍ରାକୃତିକ ନିୟମର ବଶବର୍ତ୍ତୀ ହୋଇ ସେ କ୍ଷମତା ସାବ୍ୟସ୍ତ କରେ୤ ଦ୍ବିତୀୟ ଓ ତୃତୀୟ ଧାରାର ପରିପ୍ରକାଶ ଦେଖାଯାଏ ସଚେତନ ଜୀବକ୍ଷେତ୍ରରେ୤ ମଣିଷ ବୋଲି ନ କହି ସଚେତନ ଜୀବ ବୋଲି କହିବାର କାରଣ, ପୌରାଣିକ ଦୃଷ୍ଟିରୁ ଦେଖିଲେ ମଣିଷ ସୃଷ୍ଟି ପୂର୍ବରୁ ଏ ଧରା ପୃଷ୍ଠରେ ସଚେତନ ଜୀବ ଥିଲେ ଅସୁର ଓ ଦେବଗଣ ସେହି ପର୍ଯ୍ୟାୟର ଅନ୍ତର୍ଭୂକ୍ତ୤ ଖାଲି ଭାରତୀୟ ପରଂପରା ନୁହେଁ, ଅନ୍ୟତମ ସୁପ୍ରାଚୀନ ସଭ୍ୟତା ରୋମାନ୍ ପରଂପରାରେ ଆମେ ଦେଖୁଁ ପ୍ରାକ୍-ମାନବ ଅତିଭୌତିକ ସତ୍ତାମାନଙ୍କ ଭିତରେ ଲଢ଼େଇ – ଗୋଟାଏ ପିଢ଼ିର ଆସୁରିକ ଦେବଗଣ ସହ ଦ୍ବିତୀୟ ପିଢ଼ିର ଏବଂ ପୁଣି ଦ୍ବିତୀୟ ପିଢ଼ି ସହ ତୃତୀୟ ପିଢ଼ିର ଲଢ଼େଇରେ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟଙ୍କ ବିଜୟ; ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟଙ୍କ କ୍ଷମତାଚ୍ୟୁତି୤

ଭାରତର ପୌରାଣିକ ପରଂପରାରେ, ଦେବାସୁର ଯୁଦ୍ଧରେ ଆମେ ସ୍ପଷ୍ଟତଃ ଦେଖୁଁ କ୍ଷମତାର ଦ୍ବିତୀୟ ଓ ତୃତୀୟ ଧାରାର ପ୍ରତିଫଳନ ଏବଂ ଦୁଇ ଧାରା ଭିତରେ ସଂଘର୍ଷ୤ ଦେବତାମାନେ ଏକ ଉନ୍ନତ ଚେତନାର ବାହକ୤ ସେମାନଙ୍କ ବିଜୟରେ ନିହିତ ସୃଷ୍ଟିର ଭବିଷ୍ୟତ ପ୍ରଗତି୤ ଅସୁରମାନେ କେବଳ ମାତ୍ର ଅହଂ ଏବଂ ଔଦ୍ଧତ୍ୟର ଆଧାର୤ ସେମାନଙ୍କ ଯାବତୀୟ ଗୁଣ (ସଦ୍‌ଗୁଣ ସମୂହ ସମେତ) କେବଳ ଆଧିପତ୍ୟ ପାଇଁ ଆଧିପତ୍ୟ ବିସ୍ତାରରେ ପ୍ରଯୁକ୍ତ୤ ଭୂପୃଷ୍ଠରେ ଚେତନା ବିକାଶ ନିମନ୍ତେ ଦେବଗଣଙ୍କର ବିଜୟ ଥିଲା ଏକାନ୍ତ ଆବଶ୍ୟକ ବରଂ ଅପରିହାର୍ଯ୍ୟ୤

ଅସୁର ଜାତି ବିଲୁପ୍ତ; ଦେବଗଣ ସ୍ବ ସ୍ବ ଅଦୃଶ୍ୟ ଜଗତରେ ବିଦ୍ୟମାନ୤ କିନ୍ତୁ ମଣିଷ ଚେତନାରେ ଉଭୟ ଆସୁରିକତା ଏବଂ ଦେବତ୍ବ ସହାବସ୍ଥାନ ଘଟିଛି୤ ମଣିଷର ଇଚ୍ଛାଶକ୍ତି ତାକୁ ଦେବତ୍ବର ବିକାଶରେ ଅଗ୍ରସର କରାଇପାରେ; ଇଚ୍ଛାଶକ୍ତିର ବିଭ୍ରାନ୍ତି ବା ଉଦ୍‌ଭ୍ରାନ୍ତ ଚାଳନା ତାକୁ ଆସୁରିକ ଶକ୍ତି କବଳିତ କରିପାରେ୤

ଆସୁରିକ ଶକ୍ତି ମଣିଷକୁ ଆୟତ୍ତ କରିପାରେ ଯେଉଁ ଶକ୍ତିଟି ଅବଲମ୍ବନ କରି, ତାହା ହେଲା ଅହଂ୤ ଯେଉଁମାନେ ନିଜ ଜୀବନର ଆଭିମୁଖ୍ୟ ସଂପର୍କରେ ସଂପୂର୍ଣ୍ଣ ସଚେତନ, ସେମାନେ କ୍ଷମତାର ବ୍ୟବହାର ପ୍ରଣାଳିଠୁଁ ନିଜ ଅହଂକୁ ସଂପୂର୍ଣ୍ଣ ସ୍ବତନ୍ତ୍ର କରି ରଖିବାର ଉଦ୍ୟମ କରିଛନ୍ତି୤ ମୋର ମନେହୁଏ ଏ ଉଦ୍ୟମର ସର୍ବୋତ୍କୃଷ୍ଟ ଦୃଷ୍ଟାନ୍ତ ରାଜକୁମାର ଭରତ୤ ଘଟଣାକ୍ରମେ ସେ ଅଯୋଧ୍ୟାର ଶାସନ ଦାୟିତ୍ବ ନେବାକୁ ବାଧ୍ୟ ହୁଅନ୍ତେ ନିଜକୁ ସେ ଏଡ଼ିକି ସଜାଗ ଓ ସଚେତନ ଭାବରେ ଅହଂ-ମୁକ୍ତ ରଖିବାର ବ୍ୟବସ୍ଥା କରିଛନ୍ତି, ଯାହା ତାଙ୍କର ବିପୁଳ ଜ୍ଞାନ ଓ ନମ୍ରତାର ପ୍ରମାଣ୤ ସେ ଶାସକ – ଏ କଥା ମୁହୂର୍ତ୍ତକ ସକାଶେ ବି ସେ ତାଙ୍କ ଚେତନାରେ ସ୍ଥାନ ଦେବାକୁ ପ୍ରସ୍ତୁତ ନୁହନ୍ତି- ସେ କେବଳ ସେବକ ମାତ୍ର; ସେ ଶ୍ରୀରାମଙ୍କ ଆଜ୍ଞାଧୀନ ପ୍ରତିନିଧି୤ ରାଜସଭାରେ ସେ ତେଣୁ ସିଂହାସନରୂଢ଼ ନୁହନ୍ତି; ସିଂହାସନରେ ସୁରକ୍ଷିତ ଶ୍ରୀ ରାମଙ୍କ ପାଦୁକା୤ ସେ ରାଜକାର୍ଯ୍ୟ ପରିଚାଳନା ବେଳେ ସର୍ବଦା ସେବକ ରୂପେ ଦଣ୍ଡାୟମାନ୤

ମହାବିଦ୍ୟାଳୟରେ ଆପଣମାନେ ପଢ଼ିଥିବେ ଫ୍ରାନ୍ସିସ୍ ବେକନ୍‌ଙ୍କର ପ୍ରବନ୍ଧମାଳା୤ ତାଙ୍କର ଅନ୍ୟତମ ରଚନା ‘‘Of Great Place’’ କାହାରି କାହାରି ମନେ ବି ଥାଇପାରେ୤ ବଡ଼ ଚମତ୍କାର କଥାଟିଏ ସେ କହିଛନ୍ତି ସେଥିରେ : ‘‘It is a strange desire to seek power and lose liberty.’’ (ମଣିଷର ଏକ ବିଚିତ୍ର ଅଭିଳାଷ, ସେ କ୍ଷମତା ପାଇବା ପାଇଁ ନିଜ ସ୍ବାଧୀନତା ଟିକକ ହରାଇଥାଏ୤) କଥାଟି ଉପରେ ଟିକିଏ ଗାଢ଼ ଭାବରେ ଚିନ୍ତା କଲେ ହିଁ ଆମେ ବୁଝିପାରିବା ଏହା କେଡ଼େ ମହାନ ସତ୍ୟ୤ ‘The Animal Farm’,’1984’ ଇତ୍ୟାଦି ରାଜନୈତିକ ଉପନ୍ୟାସର ସ୍ବନାମଧନ୍ୟ ଲେଖକ ଜର୍ଜ ଓରୱେଲ୍ ତାଙ୍କ ଜୀବନର ଆଦ୍ୟ ପର୍ଯ୍ୟାୟରେ ଭାରତବର୍ଷ ଓ ବ୍ରହ୍ମଦେଶରେ ଜଣେ ପୁଲିସ ଅଫିସର୍ ରୂପେ କାମ କରୁଥିବା ଆପଣମାନେ ଜାଣିଥିବେ୤ ନିମ୍ନୋକ୍ତ ଘଟଣାଟି ତାଙ୍କ ଆତ୍ମକାହାଣୀର ଏକ ଅଂଶ୤ ସେତେବେଳେ ସେ ବର୍ମାରେ୤ ଦିନେ ଗୋଟାଏ ହାତୀ ମାତିଛି ବୋଲି ତାଙ୍କୁ ଖବର ଦିଆଗଲା୤ ଓରୱେଲ୍ ଇଂରେଜ ଶାସନ କ୍ଷମତାର ପ୍ରତିନିଧି, ସେ ଜନତାର ମାଆବାପ୤ ସେ ବର୍ତ୍ତମାନ ରକ୍ଷକ ଭୂମିକାରେ ଅବତୀର୍ଣ୍ଣ ହେବା ଚାହି୤

ବନ୍ଧୁକ ଧରି ବାହାରିଲେ ଓରୱେଲ୍ ସାହେବ୤ ହାତୀକୁ ଠାବ କଲେ୤ ବୁଝିଲେ, ହାତୀମାନେ ସାମୟିକ ଭାବରେ ‘ମସ୍ତ୍’ ହୁଅନ୍ତି୤ ଅଭିଯୁକ୍ତ ହାତୀର ସେହି ଅବସ୍ଥା ହୋଇଥିଲା, ସେଥିରୁ ସେ ବାହାରି ଆସିଲାଣି୤ ବର୍ତ୍ତମାନ ‘‘ସେ ଗୋଟାଏ ଗାଈଠୁଁ ଅଧିକ ବିପଜ୍ଜନକ ନୁହେଁ ୤’’ ତାକୁ ଶାନ୍ତିରେ ରହିବାକୁ ଛାଡ଼ିଦେବା ଉଚିତ ହେବ୤ କିନ୍ତୁ ପରମୁହୂର୍ତ୍ତରେ ସେ ସଜାଗ ହୋଇ ଦେଖିଲେ, ନୀରବରେ ତାଙ୍କୁ ଅନୁସରଣ କରୁଛନ୍ତି ଦୁଇ ହଜାର ସରିକି ନରନାରୀ୤ ସାହେବ୍ ତାଙ୍କ ବନ୍ଧୁକ ଯୋଗେ ଗୋଟାଏ ‘ଚମତ୍କାର’ (Miracle) ଦେଖାଇବେ ଏହା ହିଁ ସେ ଜନତାର ପ୍ରଚଣ୍ଡ ଆଶା୤

ଦୁଇ ହଜାର ସରିକି ଅନୁଚ୍ଚାରିତ ବାସନା – ସାହେବ ହାତୀଟିକୁ ମାରି ପକାନ୍ତୁ – ତାଙ୍କ ଉପରେ କ୍ରମାଗତ ଚାପ ପକାଉଥିଲା ୤ ସେ ଲେଖିଛନ୍ତି : ‘‘ହେଇଟି ମୁଁ, ବନ୍ଧୁକ ହସ୍ତେ ଜଣେ ଗୋରା ଲୋକ ଠିଆ ହୋଇଛି ଗୋଟାଏ ନିରସ୍ତ୍ର ଜନତା ଆଗରେ୤ ବାହାର ଦୃଷ୍ଟିରେ ମୁଁ ହେଲି ମୁଖ୍ୟ ନାୟକ୤ କିନ୍ତୁ ବାସ୍ତବରେ ମୁଁ ଥିଲି ଗୋଟାଏ ଉଦ୍ଭଟ ପୁତୁଳା (absurd puppet) ମାତ୍ର, ଯାହାକୁ ନଚାଉଥିଲା ମୋ ପଛରେ ଥିବା ଏହି ହଳଦିଆ ମୁହାଁ ଜନତା୤ ସେହି ମୁହୂର୍ତ୍ତରେ ମୁଁ ବୁଝିପାରିଲି – ଯେତେବେଳେ ଗୋରାଲୋକଟାଏ ସ୍ବେଚ୍ଛାଚାରୀ ଉତ୍ପୀଡ଼କ ବନିଯାଏ, ସେତେବେଳେ ସେ ଆପଣାର ସ୍ବାଧୀନତା ହିଁ ଧ୍ବଂସକରେ୤’’

ଓରୱେଲ୍ ଥିଲେ ବିଚକ୍ଷଣ ବ୍ୟକ୍ତି୤ ନିଜ ବ୍ୟକ୍ତିଗତ ଅନୁଭୂତି ଭିତର ଦେଇ ସେ ଏକ ବ୍ୟକ୍ତି-ନିରପେକ୍ଷ ସିଦ୍ଧାନ୍ତରେ ଉପନୀତ ହୋଇପାରିଥିଲେ୤ କିନ୍ତୁ ଅଧିକାଂଶ ମଣିଷ ତାଙ୍କ ପରିସ୍ଥିତିରେ ଥାଇ ନିଜେ ହିଁ ସେ ପରିସ୍ଥିତିର କର୍ତ୍ତା ବୋଲି ମୋହାଚ୍ଛନ୍ନ ହୋଇ ରହିଥିବେ୤ ସେମାନଙ୍କ ଚିନ୍ତା ଓ ଆଚରଣକୁ ଖାଲି ପ୍ରଭାବିତ ନୁହେଁ, ପରିଚାଳିତ କରୁଥିବା ଶକ୍ତି ମାନଙ୍କ ସଂପର୍କରେ ସେମାନେ ସଚେତନ ହେବେ ନାହିଁ୤

ଗୋଟାଏ ଦୃଷ୍ଟିରୁ କ୍ଷମତାକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇ ପାରେ : ନୈବ୍ୟକ୍ତିକ ଏବଂ ବ୍ୟକ୍ତିଗତ୤ ନୈର୍ବ୍ୟକ୍ତିକ ବା ବ୍ୟକ୍ତି ନିରପେକ୍ଷ କ୍ଷମତା ସବୁ (ପ୍ରକୃତିର ନାନାବିଧ କ୍ଷମତାକୁ ଛାଡ଼ି) ହେଲେ (କ) ରାଜତନ୍ତ୍ରଠୁଁ ଗଣତନ୍ତ୍ରଯାଏଁ ରାଜନୈତିକ କ୍ଷମତା, (ଖ) ଆର୍ଥନୀତିକ କ୍ଷମତା, (ଗ) ସାମୂହିକ କ୍ଷମତା (ଦଳ, ଟ୍ରେଡ଼୍ ୟୁନିଅନ୍, ସମିତି ଇତ୍ୟାଦି), (ଘ) ବୈଜ୍ଞାନିକ / ବୈଷୟିକ କ୍ଷମତା୤

ବ୍ୟକ୍ତିଗତ କ୍ଷମତା ସବୁ ହେଲେ : (କ) ଶାରୀରିକ କ୍ଷମତା, (ଖ) ପ୍ରାଣିକ କ୍ଷମତା, (ଗ) ମାନସିକ କ୍ଷମତା, (ଘ) ଚୈତ୍ୟ ବା ଆତ୍ମିକ କ୍ଷମତା୤

ଆଉ ଏକ ଦୃଷ୍ଟିକୋଣରୁ ଦେଖିଲେ କ୍ଷମତା (କ) ଉତ୍ତରାଧିକାର ସୂତ୍ରେ (ଖ) ଉପାର୍ଜନ ସୂତ୍ରେ ଅଥବା (ଗ) ଜବରଦସ୍ତି ବା ଆତ୍ମସାତ୍ ସୂତ୍ରେ ହାସଲ ହୋଇପାରେ୤ ଅନୁପାର୍ଜିତ ବା ଅନଧିକାର କ୍ଷମତା ଭୟଙ୍କର ହୋଇଥାଏ୤ ଦ୍ରୋଣାଚାର୍ଯ୍ୟ ତାଙ୍କ ଯୋଗ୍ୟ ଶିଷ୍ୟ ଅର୍ଜୁନଙ୍କୁ ବ୍ରହ୍ମାସ୍ତ୍ର ଜ୍ଞାପନ କରନ୍ତେ ତାଙ୍କ ପୁତ୍ର ଅଶ୍ବତ୍‌ଥାମା ଅଭିମାନ କରି ଅଭିଯୋଗ କରି ସେ ସୂତ୍ର ଜ୍ଞାତହେଲା – କିନ୍ତୁ ଫଳ ହେଲା ଅମଙ୍ଗଳକର୤

ନୈର୍ବ୍ୟକ୍ତିକ ଏବଂ ବ୍ୟକ୍ତିଭିତ୍ତିକ କ୍ଷମତା ଭିଅତରେ ସର୍ବଦା ରହିଆସିଛି ନିବିଡ଼ ସଂପର୍କ୤ ଜଣେ ନରପତି ତା’ର ନୈର୍ବ୍ୟକ୍ତିକ ବା ଆନୁଷ୍ଠାନିକ କ୍ଷମତା କିଭଳି ରୀତିରେ କାର୍ଯ୍ୟକାରୀ କରିବ, ତାହା ନିର୍ଭର କରିବ ତା’ ବ୍ୟକ୍ତିଗତ କ୍ଷମତାର ପରିମାଣ ତଥା ଗୁଣ ଉପରେ୤ ସେ ଦୈହିକ, ପ୍ରାଣିକ, ମାନସିକ ଦିଗରୁ କେତେ ସ୍ବାଭାବିକ? ତା’ର ଆତ୍ମିକ ଚେତନା କେତେଦୂର ବିକଶିତ? ଆର୍ଥନୀତିକ ବା ବୈଜ୍ଞାନିକ/ବୈଷୟିକ/ଯାନ୍ତ୍ରିକ କ୍ଷମତା ଯେଉଁ ବ୍ୟକ୍ତିବର୍ଗଙ୍କ ଅଧୀନରେ, ଦାୟିତ୍ବରେ ରହିଛି, ସେମାନଙ୍କ କ୍ଷେତ୍ରରେ ମଧ୍ୟ ଏକହିଁ ନିୟମ ପ୍ରଯୁଜ୍ୟ୤ କିମ୍ବଦନ୍ତୀ କହେ, ସୁପ୍ରାଚୀନ ଯୁଗରେ ଥରେ ତାମିଲ ରାଜ୍ୟରେ ପଡ଼ିଲା ଭୀଷଣ ମରୁଡ଼ି୤ ଜଳ ବିନା ଲୋକଙ୍କର ହାହାକାର ସହି ନ ପାରି ରାଜା ତଣ୍ଡମାନ ପାଗଳପ୍ରାୟ ବୁଲୁ ବୁଲୁ ହଠାତ୍ ଅଗସ୍ତ୍ୟ ଋଷିଙ୍କୁ ଭେଟିଲେ୤ ଋଷିବର ଟିକିଏ ପୂର୍ବରୁ ସହ୍ୟାଦ୍ରି ପର୍ବତରେ ଧ୍ୟାନମଗ୍ନ ରହି ଅବତରଣ କରିଥିଲେ୤ ସେହି ଧ୍ୟାନାବସ୍ଥାରେ ସେ ଜାଣିଥିଲେ କି ନିକଟରେ ସେ ପର୍ବତମାଳାରୁ ଜନ୍ମନେବ ଏକ ନୂତନ ନଦୀ୤ ରାଜା ତଣ୍ଡମାନଙ୍କୁ ସେ ମୁଲକର (କୁର୍ଗ) ରାଜା କାବେରଙ୍କ ପାଖକୁ ନେଇଗଲେ୤ ରାଜାଙ୍କ ସହ ଆଲୋଚନା ଅନ୍ତେ ସହ୍ୟାଦ୍ରି ପାଦଦେଶରେ ଋଷି ବସିଲେ ଧ୍ୟାନରେ୤ ରାଜାଙ୍କ ସୈନ୍ୟବାହିନୀ ଏମିତି ଭାବରେ ମାଟି ଖୋଳାଖୋଳି କରି ଗତିପଥଟି ପ୍ରସ୍ତୁତ କରି ରଖିଲେ, ଯାହା ଫଳରେ ନବଜାତା ନରୀ ଅବତରଣ କରି ତାମିଲ ରାଜ୍ୟ ଅଭିମୁଖେ ପ୍ରବାହିତ ହେଲା୤ ସେଦିନ ଏମନ୍ତ ଭାବରେ ହୋଇଥିଲା ଋଷିଙ୍କ ଆତ୍ମିକ ଶକ୍ତି ସହିତ ଶାସନ ବ୍ୟବସ୍ଥାର ସ୍ଥୂଳ ଶକ୍ତିର ସମନ୍ବୟ ୤ (ରାଜା କାବେରଙ୍କ ସୌଜନ୍ୟ ଯୋଗୁଁ ନଦୀର ନାମ କାବେରୀ୤)

କ୍ଷମତାର ଯଥାର୍ଥ ବ୍ୟବହାର ନୈର୍ବ୍ୟକ୍ତିକ ତଥା ବ୍ୟକ୍ତିଗତ କ୍ଷମତା ଭିତରେ ସଂହତି ସାଧନ ଫଳରେ ହିଁ ସମ୍ଭବପର୤ ବ୍ୟବହାରକାରୀର ବ୍ୟକ୍ତିଗତ କ୍ଷମତାର ମାନ ଯେତିକି ମହତ୍ ହୋଇଥିବ, ନୈର୍ବ୍ୟକ୍ତିକ କ୍ଷମତାକୁ ସେ ସେତିକିମାତ୍ରାରେ ଫଳପ୍ରସୂ କରିପାରିବ୤ ସଂହତିର ସ୍ତର ତଦନୁଯାୟୀ ମହନୀୟ ହେବ୤

ପ୍ରଶ୍ନ ଉଠିବା ଉଚିତ – ଏ ସଂହତିର ଆଭିମୂଖ୍ୟ କ’ଣ? ଚେତନା ବିକାଶର ଉଷାଲୋକରୁ ମଣିଷ ଯେଉଁ ଲକ୍ଷ୍ୟ ଉଦ୍ଦେଶ୍ୟରେ ଧାବମାନ, ଏହାର ଆଭିମୁଖ୍ୟ ତାହାଠାରୁ ପୃଥକ୍ ନୁହେଁ୤ ଅନ୍ୟର ସମସ୍ତ କାର୍ଯ୍ୟକାଳ, ସମସ୍ତ ଅଗ୍ରଗତି ଓ ପ୍ରଗତି, ସଚେତନ ଭାବରେ ହେଉ ବା ଅବଚେତନ ଭାବରେ, କେତୋଟି ଲକ୍ଷ୍ୟରେ ପହଞ୍ଚିବା ନିମନ୍ତେ ଉଦ୍ଦିଷ୍ଟ୤ ସେ ସବୁ ଲକ୍ଷ୍ୟ ହେଲେ ଭଗବାନ, ଆଳୋକ, ସ୍ବାଧୀନତା, ପ୍ରଶାନ୍ତି ଏବଂ ଅମରତ୍ବ୤ ବିବର୍ତ୍ତନର ପ୍ରଥମ ଯୁଗରେ ପ୍ରକୃତିର ପ୍ରଚଣ୍ଡ ଶକ୍ତି ସମୂହ ଭିତରେ ଲାଗିଥାଏ ପ୍ରଚଣ୍ଡ ସଂଘର୍ଷ୤ ସଂଘର୍ଷ ହିଁ ଯେପରି ସେସବୁ ପ୍ରାଗୈତିକ ଶକ୍ତି ପରସ୍ପର ଜାଣିବା ଦିଗରେ, ସହାବସ୍ଥାନ ସକାଶେ ତଥା କ୍ରମେ ପ୍ରସ୍ତୁତ ହେବା ଦିଗରେ ଏକମାତ୍ର ମାଧ୍ୟମ୤ ସେହି ଘୂର୍ଣ୍ଣାବର୍ତ୍ତ ଭିତରେ ଜୀବନର ପ୍ରଥମ ସ୍ଫୁରଣ୤ ଜୀବନ ବା ପ୍ରାଣଶକ୍ତି ସେତେବେଳେ କେଡ଼େ ଅସହାୟ ! କ୍ରମେ ସେ ପ୍ରାଣସତ୍ତା ନିଜଶକ୍ତି ସଂପର୍କରେ ସଚେତନ ହେଲା୤ ସେହି ସଚେତନା ହିଁ ଆତ୍ମ ସଚେତନତା୤ The Life Devine ଗ୍ରନ୍ଥରେ, ‘Death, Desire and Incapacity’ ଶିରୋନାମା ସଂପନ୍ନ ପରିଚ୍ଛେଦରେ ଶ୍ରୀ ଅରବିନ୍ଦ ଏ ପର୍ଯ୍ୟାୟ ଉପରେ ବିଶେଷ ଆଲୋକପାତ କରିଛନ୍ତି୤

ସେହି ଆତ୍ମ ସଚେତନତାର ପ୍ରକ୍ରିୟା ଅଦ୍ୟାବଧି ଅବ୍ୟାହତ ରହିଛି୤ ମଣିଷ ନିଜ ଅନ୍ତର୍ନିହିତ ଶକ୍ତି ଓ କ୍ଷମତାର ପରିପୂର୍ଣ୍ଣ ଉପଲବ୍ଧି କରିବାରେ ହେବ ଏହି ପ୍ରକ୍ରିୟାର ଚୂଡ଼ାନ୍ତ ପରିଣତି୤

କ୍ଷମତାର ସଦୁପଯୋଗ ଏବଂ ଯଥାର୍ଥ ବ୍ୟବହାର ନିମନ୍ତେ ଭାରତର ପରମ୍ପରାରେ ନିର୍ଭୁଲ ଦିଗ୍‌ଦର୍ଶନ ଥିବା ସତ୍ତ୍ବେ ବହୁ ଶତାବ୍ଦୀ ଧରି ଆଧ୍ୟାତ୍ମିକତାର ପ୍ରତିଶବ୍ଦ ଯେହେତୁ ସଂସାର-ବୈରାଗ୍ୟ ବୋଲି ବିବେଚିତ ହୋଇଛି, ସେଥିପାଇଁ କ୍ଷମତାକୁ ହେୟ ଦୃଷ୍ଟିରେ ଦେଖିବା ଅଥବା ଆଧ୍ୟାତ୍ମିକତାର ପରିପନ୍ଥୀ ଭାବରେ ବିବେଚନା କରିବାର ଅଭ୍ୟାସ ଆମର ଅସ୍ଥିମଜ୍ଜାଗତ ହୋଇଯାଇଛି୤ ଆମେ ଭୁଲିଯାଉଁ ଯେ ସମଗ୍ର ସୃଷ୍ଟିର ଭିତ୍ତି ଯେଉଁ ମହାଶକ୍ତି, କ୍ଷମତା ମଧ୍ୟ ସେହି ଶକ୍ତିର ଏକ ଅଭିବ୍ୟକ୍ତି, ଏକ ଧାରା୤ ଶ୍ରୀ ଅରବିନ୍ଦ କହୁଛନ୍ତି, ‘‘ନୈତିକ ବା ଧର୍ମନୈତିକ ମନ ଯେ କ୍ଷମତା ଦୁର୍ନୀତିଯୁକ୍ତ ଏବଂ ଅନିଷ୍ଟକାରୀ ବୋଲି କହି ତାକୁ ଅଭିଯୁକ୍ତ କରେ, ତାହା ଭୁଲ୍୤ ଏଭଳି ଧାରଣା ସପକ୍ଷରେ ଯେତେ ଯୁକ୍ତି ଓ ଦୃଷ୍ଟାନ୍ତ ଥାଉନା କାହିଁକି ଏହା ମୌଳିକ ଭ୍ରାନ୍ତି ଏବଂ ଅନ୍ଧବିଶ୍ବାସ୤ କ୍ଷମତାର ଯେତେ ଅପବ୍ୟବହାର ଓ ମନ୍ଦ ପ୍ରୟୋଗ ହେଉନା କାହିଁକି, ଏହା ଏକ ଦିବ୍ୟଶକ୍ତି ଏବଂ ଦିବ୍ୟତାର ସେବା ନିମନ୍ତେ ହିଁ ଏହା ଉଦ୍ଦିଷ୍ଟ୤ ପ୍ରେମ ଓ ଜ୍ଞାନର ମଧ୍ୟ ନାନାଦି ଦୁରୁପଯୋଗ ସତ୍ତ୍ବେ ସେ ସବୁ ମଧ୍ୟ ମୂଳତଃ ଯେମିତି ଦିବ୍ୟଜ୍ଞାନ (ମୁକ୍ତ ଅନୁବାଦ)୤

ଅଜ୍ଞାନ ଚେତନାଦ୍ବାରା ବ୍ୟବହୃତ ହେଉଥିବା ଯୋଗୁଁ କ୍ଷମତାର ଅବସ୍ଥା ଆଜି ବିକଳ ସତ, ଉଦ୍ଧତ ଅସୁର ପ୍ରକୃତି ତାକୁ ନେଇ ଖେଳୁଛି ସତ, କିନ୍ତୁ ମହତ୍ତର ଚେତନାଦ୍ବାରା କ୍ଷମତାର ଉପଯୁକ୍ତ ବ୍ୟବହାର ହେବାର ଦୃଷ୍ଟାନ୍ତ ପୂର୍ବରୁ ରହିଛି ଏବଂ ଭବିଷ୍ୟତରେ ସେଭଳି ବ୍ୟବହାର ହିଁ ହେବ ସ୍ବାଭାବିକ ଓ ସାଧାରଣ ବାସ୍ତବତା୤ କ୍ଷମତାକୁ ନିନ୍ଦା କରିବା, ତାକୁ ବର୍ଜନ କରିବା କିମ୍ବା ଘୃଣା କରିବା ଦିବ୍ୟତା ନୁହେଁ, ବ୍ୟକ୍ତିଗତ ଜୀବନରେ ତଥା ସାମାଜିକ ଜୀବନରେ ଯେପରି ଉପଯୁକ୍ତ ଚେତନା ହେବ ତା’ର ନିୟାମକ, ସେ ଦିଗରେ ଯାହାର ଯେତେଦୂର ସମ୍ଭବ ଅବଦାନ ଦେବା ଚାହି୤ ଭବିଷ୍ୟତର ଉନ୍ନତ ଚେତନା ଦିଗରେ ତାହା ହିଁ ହେବ ଆମର ସାମୂହିକ ଅବଦାନ ୤


THE QUEST ETERNAL AND LITERATURE TODAY" : A Talk by Prof. Manoj Das

About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.