Kantakabi Laxminkanta Mohapatra
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ବାଲେଶ୍ବର ଏବଂ ‘ଦିଗନ୍ତ’ ପ୍ରସଙ୍ଗରେ ମନେ ପଡୁଛି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କଥା ପ୍ରଥମ ସଂଖ୍ୟାରେ ତାଙ୍କର ବାର୍ତ୍ତାଟିଏ ରହିବା ଅତ୍ୟାବଶ୍ୟକ ମନେ ହେଲା – ଯେହେତୁ ସେ (ଅବିଭକ୍ତ) ବାଲେଶ୍ବର ଜିଲ୍ଲାର ସର୍ବାଧିକ ସମ୍ମାନିତ ସାହିତ୍ୟିକ ଭଦ୍ରକରେ ପହଞ୍ଚି, କାନ୍ତକବିଙ୍କ ଦ୍ବିତୀୟ ସୁପୁତ୍ର ଗୌରବାବୁଙ୍କଠୁଁ ଚିଠି ଏବଂ ତାଙ୍କରି ସାଇକେଲ ଖଣ୍ଡିକ ଧରି ଚାଲିଲି ତାଳପଦା ଅଭିମୁଖେ ରାସ୍ତାଯାକ ଭୀଷଣ ବର୍ଷା କିନ୍ତୁ ତାରୁଣ୍ୟ ଓ ଜଣେ ମହାନ୍ ସାହିତ୍ୟିକଙ୍କୁ ଭେଟିବାର ଉତ୍ସାହ ସାମ୍ନାରେ ସେ ଦୁର୍ଯ୍ୟୋଗର କରାମତି କେଡ଼େ କ୍ଷୀଣ !
ମୋତେ ବିସ୍ମିତ କରିଥିଲା ସମସାମୟିକ ଇଂରାଜୀ ସାହିତ୍ୟ ଉପରେ ତାଙ୍କର ଜ୍ଞାନ ସେ ମୋତେ ବୁଝାଇଥିଲେ ମାତ୍ର ବର୍ଷ କେତୋଟି ତଳେ ପ୍ରକାଶିତ ଟି.ଏସ୍. ଇଲିୟଟ୍ଙ୍କ ‘‘ଫୋର୍ କ୍ବାର୍ଟେଟସ’’ର ବିଶେଷତ୍ବ ମଧ୍ୟରାତ୍ର ପର୍ଯ୍ୟନ୍ତ ସେ କହୁଥିଲେ ଜର୍ଜ ବର୍ଣ୍ଣାଡ଼ ଶ’ଙ୍କ ଏକ ପରେ ଏକ ନାଟକର କାହାଣୀ ; ତତ୍ ନିହିତ ବ୍ୟଙ୍ଗ ବିଦ୍ରୁପ ଓ ବର୍ଣ୍ଣାଡ଼ ଶ’ଙ୍କ ଦର୍ଶନ ଦଶମ ଶ୍ରେଣୀର ଏ ଛାତ୍ରଟି ପାଇଁ ସେ ସବୁ ଥିଲା ଅଭିନବ ଶିକ୍ଷା
ଖୁବ୍ ଭୋର, କବି ଶଯ୍ୟାତ୍ୟାଗ କରିବା ପୂର୍ବରୁ, ମୁଁ ତାଳପଦା ତ୍ୟାଗ କରିଥିଲି ତାଙ୍କ ଭଦ୍ରକ କୋଠାରେ ସାଇକେଲ୍ଟି ଛାଡ଼ି (ଗୌରବାବୁ ନ ଥିଲେ; ମୁଁ ଟ୍ରେନ୍ ଆରୋହଣ କରିବାବେଳେ ମୋତେ ଆସି ବିଦାୟ ଦେଇଥିଲେ) ଷ୍ଟେସନରେ ପହଞ୍ଚି, ଖଣ୍ଡିଏ ଇଂରାଜୀ ଦୈନିକ (ସେତେବେଳର ‘ଅମୃତ ବଜାର ପତ୍ରିକା’) କିଣି ଦେଖିଲି ପ୍ରଥମ ପୃଷ୍ଠାର ମୁଖ୍ୟ ସଂବାଦ : ଜର୍ଜ ବର୍ଣ୍ଣାଡ଼ ଶ’ ଆଉ ନାହାନ୍ତି ତାଙ୍କ ପ୍ରତି କାନ୍ତକବିଙ୍କ ଶ୍ରଦ୍ଧାଞ୍ଜଳି, ମନେହେଲା ସତେ ଅବା ସେଇଥିପାଇଁ ଥିଲା ଏଡ଼େ ପ୍ରାଣବନ୍ତ !
କାନ୍ତକବିଙ୍କ ସହ ମୋର ଶେଷ ଦେଖା ୧୯୫୧ ମସିହାର ଶେଷାର୍ଦ୍ଧରେ ବାଲେଶ୍ବରଠିଁ ସେ ତାଙ୍କ ଶାଳକଙ୍କ ଘରେ ସସ୍ତ୍ରୀକ ଅତିଥି ହୋଇ ରହିଥାନ୍ତି କଲେଜ ହଲ୍ରେ ଅନୁଷ୍ଠିତ ହେଉଥାଏ ନିଖିଳ ଉତ୍କଳ ସାହିତ୍ୟ-ସଂଗୀତ ସମ୍ମିଳନୀ ଶେଷ ସାଂଧ୍ୟ ଅଧିବେଶନକୁ ସେ ଆସିବା କଥା କିନ୍ତୁ କୌଣସି କାରଣରୁ ଆବାହକମାନଙ୍କୁ ଫେରାଇଦେଲେ ଶେଷରେ ମୁଁ ଗଲି ଦେଖିବା ମାତ୍ରେ ସେ ତାଙ୍କ ସ୍ତ୍ରୀଙ୍କୁ କହିଲେ, ‘‘ଆଉ କୈଫିୟତ୍ ଚଳିବ ନାହିଁ; ଚାଲ’’ ସେ ଆସିଲେ ପ୍ରେକ୍ଷାଳୟର ପ୍ରଥମ ଧାଡ଼ିରେ ବସିଥିବା ବେଳେ ତାଙ୍କୁ ମୁଁ ନିଜ ହାତରେ ଜଳଖିଆ ଖୁଆଇ ଦେଇଥିଲି ତାଙ୍କ ସହ ତାହାହିଁ ଶେଷ ଦେଖା