Loading...

Odiya Short Story writer

ଧର୍ମପଦ : ନିର୍ଭୁଲ ଠିକଣା

ଏତେବେଳେ ଆକାଶରେ ନକ୍ଷତ୍ରର ସ୍ନିଗ୍ଧ ସମାବେଶ
ସାମୁଦ୍ରିକ ଦିଗନ୍ତରେ ତରଙ୍ଗିତ ପ୍ରଚ୍ଛନ୍ନ ଉଲ୍ଲାସ,
ଏବଂ କୁହେଳି – ମଗ୍ନ ଏ ନିର୍ଜନ ମନ୍ଦିର ଶିଖର
ମୋତେ କିଆଁ କରେ ବାରମ୍ବାର –
ସଜ୍ଞାନେ ଧ୍ୟାନସ୍ଥ,
ଏକାଗ୍ର ମୋ ସତ୍ତା ଆଜି, ସ୍ବଭାବତଃ ଯାହା ଅବିନ୍ୟସ୍ତ ୤
ଅନୁଭବ କରେ ମୋର ତନୁ ମନ ପ୍ରାଣ,
ଅନିର୍ବଚନୀୟ ଏକ ତୀବ୍ର ଆକର୍ଷଣ ୤
କାହା ପାଇଁ ? କେଉଁ ଲକ୍ଷ୍ୟ ମୋର ଅଭିପ୍ରେତ ?
ଉତ୍ତର ଅଜ୍ଞାତ ୤

ଚିହ୍ନି ମୁଁ ନଥିଲି ଯେବେ କିଏ ମୋର ତାତ
ଚିହ୍ନିବାର ଆକର୍ଷଣେ ଚିତ୍ତ ମୋର ଥିଲା ଉଦ୍‌ବେଳିତ,
ପାଠକରି ପୁଞ୍ଜୀଭୂତ ପୋଥି ପରେ ପୋଥି,
ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ତତ୍ତ୍ବ ଅସରନ୍ତି,
ପାଇଥିଲି ଯେତିକି ବା ପିତୃ -ପରିଚୟ
ତାହା ଥିଲା ଚିହ୍ନିବାର ପ୍ରଥମ ପର୍ଯ୍ୟାୟ ୤
ତା’ପରେ ଭେଟିଛି ମୁହିଁ ଜଣେ ପରେ ଜଣେ
ଦୂରାଗତ ପଥଚାରୀଗଣେ,
ସମୁଦ୍ର ତଟର ବାର୍ତ୍ତା, ବାର୍ତ୍ତା ଚମତ୍କାର
ଅପୂର୍ବ ଉତ୍ଥାନମୁଖୀ ଅର୍କ ମନ୍ଦିରର,
ସେମାନେ ପରଶିଛନ୍ତି; ଆବେଗ-କମ୍ପିତ,
ସେ ବାର୍ତ୍ତା କରିଛି ମୋତେ ଅତି ଉଦ୍‌ବେଳିତ ୤
ଅଭିନବ ପ୍ରକଳ୍ପ ସେ, ଯହିଁ ଅଶ୍ବ ସପ୍ତ,
ପାଷାଣତ୍ବ ଅତିକ୍ରମି ଉଚ୍ଛଳ ଜୀବନ୍ତ,
ପୂର୍ବାଶାର ଦ୍ୟୁତି ଯହିଁ ମନ୍ଦିର ଗର୍ଭରେ,
ଅପୂର୍ବ ପୁଲକ ସୃଜେ ପ୍ରସ୍ତରେ ପ୍ରସ୍ତରେ,
ପ୍ରତ୍ୟହ ପ୍ରଭାତେ ଯହିଁ ଉଦୟ-ଭାସ୍କର,
ନିଜ ପ୍ରତିବିମ୍ବେ ନିଜେ ପ୍ରଫୁଲ୍ଲ ଅପାର
ଯେଉଁ ପ୍ରତିଷ୍ଠାନ ଏକ ପ୍ରତୀକ ମହାନ
ଅସୀମକୁ ସସୀମର ନମ୍ର ଆବାହନ,
ଅମାପ, ଅପରିସୀମ, ଉଦ୍ଦାମ, ପ୍ରଚଣ୍ଡ
ଜୀବନର ଯାଦୁ ଯେଉଁ ଦେଦିପ୍ୟ ମାର୍ତ୍ତଣ୍ଡ,
ଅତୀତ ଓ ବର୍ତ୍ତମାନ ତଥା ଭବିଷ୍ୟତ
ନିୟନ୍ତ୍ରଣ କରିଥାଏ ଯା’ର୍ ଉଦୟାସ୍ତ,
ବହ୍ନିମାନ ଏକ-ଚକ୍ର, ଅତନ୍ଦ୍ର ଦେବତା
ଯା’ର ସ୍ପର୍ଶେ ବିଦୂରିତ ତମିସ୍ର, ଜଡତା,
ଏ ମାଟିରେ ତା’ ପ୍ରତିଭୂ କରି ସଂସ୍ଥାପନ
ସ୍ବର୍ଗ ସହ ପୃଥିବୀର ମାର୍ମିକ ବନ୍ଧନ
ଦୃଢ କରିବାହିଁ ଯେଉଁ କର୍ମର ପ୍ରେରଣା,
ତା’ ପୁରୋଧା ପିତା ମୋର, ବିଶୁ ମହାରଣା ୤
ଏକଦା ନିଶାର୍ଦ୍ଧେ ମୋତେ ସ୍ବପ୍ନ ଏକ ଦେଲା ଚମକାଇ
ସୁଦୂର ସମୁଦ୍ର ତଟେ ପିତା ମୋର ଚିନ୍ତିତ, ସନ୍ଦେହୀ,
ଯେ ପୁତ୍ର ଭୂମିଷ୍ଠ ହେବାମାତ୍ରେ ତାଙ୍କୁ ମିଳିଲା ସମ୍ମାନ
ବାରଶହ ଭାସ୍କର ଓ ସ୍ଥପତିଙ୍କ ମୁଖ୍ୟର ଆସନ,
ସେ ପୁତ୍ର ହେବ ତ ତାଙ୍କ ସୁଯୋଗ୍ୟ ଦାୟାଦ ?
ତାଙ୍କ ଅବଧାନ ବିନା ହେବ ବିଷାରଦ ?
ଏକଲବ୍ୟ ସମ ମୁହିଁ କରିଥିଲି ପିତାଙ୍କୁ ବରଣ,
ଗୁରୁରୂପେ; କରୁଥିଲି ପୋଥି ଅଧ୍ୟୟନ,
ଦେଖୁଥିଲି ତାଙ୍କ ସୃଷ୍ଟ ମୋ ଗ୍ରାମର ସୁରମ୍ୟ ମନ୍ଦିର
ଅନୁସରି ତତ୍ତ୍ବରାଶି ଗଢୁଥିଲି କେତେ ବାଲିଘର ୤
ସେ ସ୍ବପ୍ନର ସ୍ମୃତି ମୋତେ କରିଥିଲା ଅଥୟ, ବ୍ୟଥିତ
ଅତଏବ କୋଣାର୍କର ଦ୍ବାରଦେଶେ ହେଲି ଉପନୀତ ୤
ଦ୍ବାଦଶ ବରଷ ବ୍ୟାପୀ ପ୍ରସ୍ତ ପରେ ପ୍ରସ୍ତ
ସେ ବିଶାଳ ମନ୍ଦିରର କଳେବର ଗଠନରେ ବ୍ୟସ୍ତ
ଶୀର୍ଷକ-ସ୍ଥାପନ କଳା ପିତା ମୋର ହେବାରେ ବିସ୍ମୃତ,
କିବା ଆଚମ୍ବିତ !
ଉପଲବ୍ଧି କଲି ମୁହିଁ, ମୋ ସ୍ବପ୍ନର ପ୍ରଚ୍ଛନ୍ନ କାରଣ,
ଏ ସଙ୍କଟେ ଦୈବଦୃଷ୍ଟ ମୋର ଅବଦାନ ୤
ମୋ ପରିବେଶିତ ତତ୍ତ୍ବେ ସମସ୍ୟାର ହେଲା ସମାଧାନ,
ଆନନ୍ଦ ଉଲ୍ଲାସେ ଆଜି ମୁଖରିତ ମନ୍ଦିର ପ୍ରାଙ୍ଗଣ ୤
ଦ୍ବାଦଶ ବରଷ ବ୍ୟାପୀ ସାଧନାର ଅନ୍ତେ,
ବାରଶହ ଶିଳ୍ପୀ ଯେବେ ନିମଜ୍ଜିତ ପୁଲକର ସ୍ରୋତେ,
ମୁଁ ଏକାକୀ ଜ୍ୟୋତ୍ସ୍ନାପ୍ଳୁତ ଶିଖର ଆରୋହି
ନିଜକୁ ମୁଁ ଦେଇଛି ହଜାଇ,
ଅନିର୍ବଚନୀୟ ଏକ ଧ୍ୟାନ-ତନ୍ଦ୍ରା ବଶେ,
ଏକାନ୍ତେ, ନିଃଶେଷେ ୤
ମନେହୁଏ ଏ ସମୁଦ୍ର ତଥା ତା’ର ବିପୁଳ ପ୍ରଶାନ୍ତି,
ମୋ ତନୁ-ମନର ଏକ ସ୍ନିଗ୍‌ଧ ପରିବ୍ୟାପ୍ତି,
ଏତେବେଳେ ମନେହୁଏ ଏ ନକ୍ଷତ୍ରଗଣ,
ମୋ ପ୍ରାଣର ନାନାବିଧ ଅଜସ୍ର ସ୍ପନ୍ଦନ ୤
ମନେହୁଏ ଏ ଆକାଶ ନିସ୍ତବ୍ଧ ଅସୀମ
ଆଉ କିଛି ନୁହେଁ, ମୋର ଚେତନାର
ଭିନ୍ନ ଏକ ନାମ ୤
ଚାହୁଁ ଚାହୁଁ ରାତି ହୁଏ ଗତ –
ସହସ୍ର କୁଟୀର ବ୍ୟାପୀ ନିମ୍ନଦେଶେ ସଭିଏଁ ସୁଷୁପ୍ତ ୤
ପୂର୍ବାଶାରେ ସ୍ବର୍ଣ୍ଣପ୍ରଭ ସୂର୍ଯ୍ୟର ସଙ୍କେତ,
ସେ ଅବା ମୋହରି ଆତ୍ମା, ମୋ ସମ୍ମୁଖେ
ଉଦୟ ଉଦ୍ୟତ ୤
ଏତେବେଳେ ମନେହୁଏ ତାହା ସହ ହୋଇ ଏକୀଭୂତ
ଏ ମନ୍ଦିର ଗର୍ଭଗୃହେ ସଂଗୋପନେ ହେବି ଆବିର୍ଭୂତ ୤
ମନ୍ଦିରକୁ ଘେରି,
ଉଦ୍ଦାମ ଉତ୍ତାଳ ଏହି ଅସଂଖ୍ୟ ଲହରୀ-
ମୃଦୁ ମୃଦୁ ହିଲ୍ଲୋଳରେ କହୁଛନ୍ତି ସେମାନଙ୍କୁ ଜଣା,
ସୂର୍ଯ୍ୟଲୋକେ ମୋର ଯାହା ନିର୍ଭୂଲ ଠିକଣା ୤
ମୋର ପରିଚୟ ନୁହେଁ ଧର୍ମପଦ, ମହାରଣା-ସୂତ,
ମୁଁ ଏକ ଓଁକାର ଧ୍ବନି, ଅଜାତ, ଅଶ୍ରୁତ ୤
(କୋଣାର୍କର ଅବଲୁପ୍ତ ମୁଖ୍ୟ ମନ୍ଦିରର ଶିଖର ସ୍ଥାପନ ଅନ୍ତେ ଧର୍ମପଦ ର ନିରୁଦ୍ଦେଶକୁ ଭିତ୍ତିକରି ଯେଉଁ କିଂବଦନ୍ତି ପ୍ରଚଳିତ, ତାହା ଏକ ସାଧାରଣ କୈଫିୟତ୍‌ ମାତ୍ର ୤ ଧର୍ମପଦ ଏକ କ୍ଷଣଜନ୍ମା ବିଭୂତି ୤ ସେଭଳି ସତ୍ତା-ସମୂହର ଜନ୍ମ ଓ ବିଲୟର ହେତୁ ଭିନ୍ନ ସ୍ତରର ପ୍ରେରଣା-ପ୍ରସୂତ ୤)
(କବିତା ଉତ୍କଳ)


ବିଶ୍ବାବସୁର ଅଶ୍ରୁ

ଅରଣ୍ୟନିଳୟ ତ୍ୟଜି ସିଂହାସନେ ହେବାକୁ ଆସୀନ,
ଥିଲ ଯେବେ ଏଡିକି ଉଚ୍ଛନ୍ନ,
ମୋତେ କିମ୍ପା ନ କହିଲ, ହେ ନୀଳମାଧବ !
କୃଷ୍ଣାବତାରର ସେହି ଚପଳ ସ୍ବଭାବ,
ଅଦ୍ୟାବଧି ହେଲାନାହିଁ ହାୟ ଅତିକ୍ରାନ୍ତ,
ହେ ପ୍ରଶାନ୍ତ, ଲୀଳାରେ ଅଶାନ୍ତ !
ପ୍ରଥମେ ତ ବିଦ୍ୟାପତି ଚୋରାଇଲା ମୋ କନ୍ୟା ହୃଦୟ,
ଚୋରି ପୁଣି କଲା ଯାହା ପୁରୁଷ ପୁରୁଷ ଧରି
ମୋ ବଂଶର ଧ୍ୟେୟ !
ସେ ଚୌର୍ଯ୍ୟର ସାଫଲ୍ୟରେ ସେ ପୁଣି ମହାନ
ଯେ ଚୌର୍ଯ୍ୟର ଆବିଷ୍କାରେ ମୋ ହୃଦରେ ତୀବ୍ର ହୁତାଶନ !
ହେ ନୀଳମାଧବ !
ଯେତେବେଳେ ଦେଖିଲି ମୁଁ ଗୁମ୍ଫା ହତପ୍ରଭ,
ତୁମେ ଅପହୃତ,
ଯେତେବେଳେ ମୋ କ୍ରନ୍ଦନେ ସ୍ତମ୍ଭୀଭୂତ ବନସ୍ତ ପର୍ବତ,
ଏକା ତୁମେ ବୁଝିଥିବ ମୋ କଣ୍ଠର ତୀବ୍ର ବିସ୍ଫୋରଣ,
ବୁଝିଥିବ ମୋ ଚିତ୍ତର ଅଚାନକ ଦିବ୍ୟ-ଉତ୍ତରଣ,
ତୁମେ ଦେଖି ହସିଥିବ, ଚେତନାର ଯେ ଉଚ୍ଚ ଶିଖରେ,
ହଠାତ୍ ଆରୋହୀ ବନି ଚାହୁଁଥିଲା ବିଶ୍ବାବସୁ ବିଶ୍ବ ଚରାଚରେ,
ଅଶ୍ରୁଜଳେ ହେବା ସତ୍ତ୍ବେ ଚକ୍ଷୁ ଅବରୁଦ୍ଧ
ଯେଉଁ ଅନୁଭବେ ତା’ର ପ୍ରାଣ ଥିଲା ସମାଧି-ବିମୁଗ୍ଧ !
ହେ ନୀଳମାଧବ !
ବୁଝୁଥିଲି ସେତେବେଳେ ଅତି ଗୋପନୀୟ ଏକ ତତ୍ତ୍ବ ଅସମ୍ଭବ –
ବୁଝୁଥିଲି, ତୁମ ମାର୍ଗେ ଏପରିକି ଚୌର୍ଯ୍ୟ –
କଦାଚିତ୍ ଅର୍ଜିପାରେ ମହାକାଳେ ଅମାପ ତାତ୍ପର୍ଯ୍ୟ !
(କବିତା ଉତ୍କଳ)

ବିଦ୍ୟାପତି

ବିଦ୍ୟାପତି !
ଯୁଗେ ଯୁଗେ କେତେ କିଏ ବାଟବଣା ହୋଇ ବା ନାହାନ୍ତି !
ହୃଦୟ ବି ବାଟ ହୁଡେ, ଥରେ ଥରେ ତାରା ବା ନକ୍ଷତ୍ର,
ବାଟବଣା ହୋଇ ଯତ୍ର ତତ୍ର,
ଆକାଶକୁ ଚମକାଇ ଖୋଜିବାରେ ବିସ୍ମୃତ ଆଶ୍ରୟ
ଦେଖାଯାଏ ବ୍ୟଗ୍ର ଅତିଶୟ ୤
କିନ୍ତୁ ବିଦ୍ୟାପତି,
ତୁମଭଳି ବାଟବଣା ହେବାର ଦୃଷ୍ଟାନ୍ତ
ଦିଏନାହିଁ ଇତିହାସ ଅବା କିଂବଦନ୍ତି !
ଶ୍ରେୟ ଅନ୍ବେଷଣେ ଯାଇ ପ୍ରେୟର ସନ୍ଧାନ ?
ବିଧିର କି ବିଚିତ୍ର ବିଧାନ !
ସେ ଦିନର ଆରଣ୍ୟକ ଗୋଧୂଳି ଲଗନେ
ଯେତେବେଳେ ଧରାଦେଲ ଲଳିତାର ପ୍ରେମର ବନ୍ଧନେ,
ବିଦ୍ୟାପତି ! ଜାଣ ତମେ କଲ କି ବିଭ୍ରାଟ ?
ଧର୍ମ ଓ ଦର୍ଶନ ପାଇଁ ସୃଷ୍ଟି କଲ କେମନ୍ତ ସଂକଟ ?
ଯେଉଁ ଅଭିଯାତ୍ରୀ ପାରେ ଭ୍ରମଣର ଉଦ୍ଦେଶ୍ୟ ବିସ୍ମରି,
ବିପ୍ର ହୋଇ ବରିପାରେ ପତ୍ନୀରୂପେ ଅରଣ୍ୟ – ଶବରୀ,
ତା ହାତରେ ଧରାଦେବେ ପ୍ରଚ୍ଛନ୍ନ ଈଶ୍ବର,
ଏ କି ବିଡମ୍ବନା, ଏ କି ବିଚିତ୍ର ବେଭାର !
ବିଦ୍ୟାପତି ! ଏ ଜଟିଳ ମୌଳିକ ପ୍ରଶ୍ନର
ଆଜି ବି ମୁଁ ପାଇନାହିଁ ଉଚିତ ଉତ୍ତର,
ଅଥଚ ମଜାର କଥା, ଶୁଣ ବିପ୍ରବର,
ସଂଗୋପନେ କହିଦିଏ ମୋତେ ଚିତ୍ତ ମୋର
ବରଂ ଅସମାହିତ ରହୁ ଏ ବିଚାର –
ମାନେ ବହି ଲୋଡାନାହିଁ ସାର୍ବଭୌମ ଦିବ୍ୟ କରୁଣାର !



ଗ୍ରାମର ନାମ ‘ଅସ୍ତରଙ୍ଗ’

ଉଦୟର ରଙ୍ଗେ ଏବଂ ଅସ୍ତରଙ୍ଗେ ପାର୍ଥକ୍ୟ ତ ଜଣା,
ପ୍ରଥମଟି ସ୍ବାଗତର ସ୍ମିତହସ, ସ୍ବିତୀୟଟି ବିଦାୟର ଉଦାସ ମୂର୍ଚ୍ଛନା ୤
ସେ ଗ୍ରାମର ବୃକ୍ଷଲତା, ସରୋବରେ ସୂର୍ଯ୍ୟ ପ୍ରତି
ସରାଗ ଏମନ୍ତ
ସେମାନେ ଚାହାନ୍ତି-ନାହିଁ ସୂର୍ଯ୍ୟ ଯାଉ ଅସ୍ତ,
ଅପ୍ରତିଭ ସୂର୍ଯ୍ୟ ତେଣୁ ବିଦାୟର ମୃଦୁ ଆଲିଙ୍ଗନେ
ଏମନ୍ତ ବିଭୂତି ଏକ ଛାଡିଯାଏ ଏମନ୍ତ ଗୋପନେ –
ସେ ଗ୍ରାମର ହୃଦୟରେ, ଯାହା ଫଳେ ଆସନ୍ନ ନିଶିଥ
ଅଜସ୍ର ରଙ୍ଗିନ୍ ସ୍ବପ୍ନେ ଶତ ହୃଦ କରିବ ମନ୍ଥିତ ୤
ସୂର୍ଯ୍ୟାସ୍ତର ମୁହୂର୍ତ୍ତକ ପୂର୍ବେ ଅବା ପରେ –
ଅସ୍ତରଙ୍ଗ ଗ୍ରାମ ଦେଇ କେବେ ଯଦି ଯାଉଥିବି ମୁହିଁ,
ମୁଁ ଯେମିତି ପଶ୍ଚିମର ଦିଗନ୍ତକୁ ନ ପାରିବି ଚାହିଁ,
ମୋ ରାଣ, ହେ ବନ୍ଧୁମୋର, ମୋତେ ତୁମେ ରଖିବ ଭୁଲାଇ,
ପୂର୍ବ ବା ଦକ୍ଷିଣ ଅବା ଉତ୍ତରରେ ସଂଘଟିତ-
କିଛି ଏକ ମଜା କଥା କହି ୤
ନ ହେଲେ ହେ ମିତ,
ସେ ରଙ୍ଗର ଇନ୍ଦ୍ରଜାଲେ ହୁଏତ ମୁଁ ହୋଇ ଏକୀଭୂତ,
ଲିଭିଯିବି, ଯେତେବେଳେ ସନ୍ଧ୍ୟାଗମେ ସେ ହେବ ଅତୀତ ୤


ଗୁଣ୍ଡିଚା ଉବାଚ

ଜଗନ୍ନାଥ !
ଏ ଜଗତ ଅସଂପୂର୍ଣ୍ଣ, ତୁମେ ଯଦି ସତେ ତା’ର ନାଥ
ତୁମକୁ କେମନ୍ତେ ଅବା ଶୋଭନ୍ତା ବା ପୂର୍ଣ୍ଣ ଗୋଡ ହାତ ?
ଏତିକି ରହସ୍ୟ ହାୟ, ବୁଝେ ନାହିଁ ଲୋକ ଇତିହାସ
ତୁମ ଅପୂର୍ଣ୍ଣତା ପାଇଁ ମୋତେ କରେ ଦାୟୀ, ଉପହାସ !
ଏ ଜଗତ ମୂଢ ଅତି, ଅଜ୍ଞାନର ନିଦ୍ରାରେ ସୁଷୁପ୍ତ,
ତୁମେ ଯଦି ଚକାଡୋଳା ଅପଲକ ନରୁହ ଜାଗ୍ରତ,
ଚଳିବ କି ? କିନ୍ତୁ ହାୟ, ଜନଶ୍ରୁତି କ୍ରୂର, ଦୁର୍ନିବାର
ମୋ ଅବସ୍ଥା ପାଇଁ ପରା ଏ ବିଚିତ୍ର ଅବସ୍ଥା ତୁମର !
ଧର,ତୁମ ରୂପ ଯଦି ହୋଇଥାନ୍ତା ଗତାନୁଗତିକ
ଭିନ୍ନ ଭିନ୍ନ ଶିହରଣେ ତୁମ ଭକ୍ତ, ବିଦଗ୍ଧ ସାଧକ
ହାତୀଠୁଁ ଆରମ୍ଭ କରି ପର୍ବତ ପର୍ଯ୍ୟନ୍ତ
କ୍ଷୟମାନ ଦାରୁଠାରୁ ଅସୀମ ଅନନ୍ତ
ଏମନ୍ତ ଶତେକ ରୂପ, ଶତେକ ବିଭୁତି
ଅକଲନ କରିବର ଅଶ୍ଚର୍ଯ୍ୟ ଶକତି,
କାହୁଁ ବା ପାଆନ୍ତେ କୁହ, ତୁମକୁ ଅନାଇ ?
କାହାକୁ ବା ବୁଝାଇବି –
ତୁମ ରୂପ ସ୍ଥୂଳ ନୁହେଁ; ଭାବମୟ; ଆହେ ଭାବଗ୍ରାହୀ !
ସୀମାହୀନ ଧୈର୍ଯ୍ୟ ତୁମ, ମୋ ଅଧୈର୍ଯ୍ୟ ମୁଖବନ୍ଧ ତା’ର
କିଏ ବା ବୁଝିବ କହ
ତୁମ ଆଉ ମୋ ଭିତରେ ରହସ୍ୟର ଏହି ଚମତ୍କାର !
(କବିତା ଉତ୍କଳ)


About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.