Loading...

Odiya Short Story writer

ତୁମଗାଁ : ସୂର୍ଯ୍ୟାବତରଣ

ବୁଦ୍‌ବୁଦ ତୁଟିଲା ପ୍ରାୟେ ତାରାମାନେ ଲିଭିଯିବା ପରେ
ତୁମ ଗାଆଁ ପୂର୍ବାଶାରେ ଉଷା ଯେବେ ଫୁଟେ ଧୀରେ ଧୀରେ,
ସେ ମୁହୂର୍ତ୍ତ ମନେହୁଏ ବଡ ସ୍ନିଗ୍‌ଧ, ବର୍ଣ୍ଣବୋଧ ପରି,
ସବୁକିଛି ମନେହୁଏ ଅ ଆ ଭଳି ସରଳ ଚାତୁରୀ !
ପୁଲକର ଅଶ୍ରୁଭଳି ପରିମିତ ଶିଶିର କଣାରେ,
ଆକାଶର ସୂର୍ଯ୍ୟ ଯେବେ ବିକଶିତ କରେ ଆପଣାରେ-
ଯେତେଦୂର ଆଖିପାଏ, କୁନି କୁନି ଅକ୍ଷୌହିଣୀ ସୂର୍ଯ୍ୟେ,
ହୀରାର ସ୍ଫୁଲିଙ୍ଗ ଅବା ବିଚ୍ଛୁରିତ ବ୍ୟାପକ ବୈଦୁର୍ଯ୍ୟେ ୤
ସେତେବେଳେ ବୁଝିହୁଏ ତୁମ ଗାଆଁ ମାଟିର କି ମାୟା,
ସେ ମାୟାରେ ଅବତରି ଆକାଶର ସୂର୍ଯ୍ୟ ହୁଏ ବାୟା!

ତୁମଗାଁ : ସୂର୍ଯ୍ୟାସ୍ତର ରଙ୍ଗ

ତୁମ ଗାଆଁ ଦିଗନ୍ତରେ ଏତେ ବେଶୀ ସୂର୍ଯ୍ୟାସ୍ତର ରଙ୍ଗ-
ଏତେ ବେଶୀ ! ବେଳେ ବେଳେ ଡୁବିଯାଏ ଏ ମୋର ସର୍ବାଙ୍ଗ !
ଡୁବିଯାଏ ମୋ ସତ୍ତାର ଭାସମାନ, ବେଗବାନ ତରୀ,
ଯେ ତରୀ ନଡୁବି କେତେ ଲଙ୍ଘିଥିଲା ଉତ୍ତାଳ ଲହରୀ !
ତୁମ ଗାଆଁ ଦିଗନ୍ତରେ ଏତେ ବେଶୀ ସୂର୍ଯ୍ୟାସ୍ତର ରଙ୍ଗ,
ସେ ରଙ୍ଗେ ଆଗ୍ନେୟ ସାରା ଆକାଶର ଅଜସ୍ର ବିହଙ୍ଗ !
ବଡ ବିଚଳିତ ମୁହିଁ ସେ ରଙ୍ଗର ବାହୁଲ୍ୟେ ଏମନ୍ତ-
ନିଶାର୍ଦ୍ଧେ ଦେଖିଲି ସ୍ୱପ୍ନ ମୁଁ ବି ଏକ ପକ୍ଷୀ ଉଦ୍‌ବେଳିତ,
ଉଦ୍ଦାମ ପକ୍ଷର ନୃତ୍ୟେ ଝାଡିଝୁଡି ରଙ୍ଗ ଅବିରତ,
କେତେବେଳେ ନିଜରେ ମୁଁ ଝାଡିଦେଇ କରିଛି ସମାପ୍ତ !

ବାଲିଯାତ୍ରା ଓ ଧ୍ରୁବତାରା

ଉପରେ ଧୂମାଳ ନୀଳ ଆକାଶର ଅନନ୍ତ ଇସାରା –
ସେ ନୀଳିମା ସେପାରିରେ ଅଛି ପରା ଜୀବନର
ଭିନ୍ନ ଏକ ପରିଚ୍ଛନ୍ନ ଗୋପନ ଖସଡା –
ଆକାଶର ଇସାରାରୁ ଛୁଟି ନେଇ ଆମେ ଆପାତତଃ
ଧୂଳି ବାଲି ପ୍ରାଣୋଚ୍ଛଳ କୋଳାହଳେ ମତ୍ତ ୤
ଏକ ଦିଗେ ମହାନଦୀ, ବହମାନ କାଳର ପ୍ରତୀକ
ଏ ମୁହୂର୍ତ୍ତେ ଆମେ କିନ୍ତୁ ସଂକଳ୍ପିତ, ଅତି ସାମୟିକ,
ଦହିବରା, ଆଳୁଦମ୍, ଲଘୁ କିଛି ସଂଗୀତର ମାୟା,
ଚୂନି-ଚୂନି କାମନାର ଚେନାଏ ଦୁନିଆ,
ପେନ୍ଥା ପେନ୍ଥା ସୁବିନ୍ୟସ୍ତ କବରୀରୁ ନିର୍ଗତ ମହକ
ବିଡି ଓ ସିଗ୍ରେଟ ଗନ୍ଧ ବିମିଶ୍ରିତ ରୋମାଞ୍ଚ କୁହୁକ
କିଛି କିଛି ଶୀତ ଏବଂ କାକରର ମୃଦୁ ଉପଦ୍ରବ
ଏବଂ ଜନତା ତନୁ ଉଷୁମରେ ତା’ର ପରାଭବ,
କଦାଚିତ୍ ପିକ୍‌ପକେଟ, ବେଣୀଟଣା, ଅଲୋଡା ଇଂଗିତ
କେହି ଜଣେ ମଦ୍ୟପର ବେପରୁଆ ଚେନାଚୁରୀ ଗୀତ
ଅଦୂରେ ଦଣ୍ଡାୟମାନ, ଅମିଳିତ ବିଚିତ୍ର ଦଂପତି
ଅଥର୍ବ କିଲ୍ଲାଟି ଏବଂ ଷ୍ଟାଡିୟମ-
ବୃଦ୍ଧସ୍ୟ ତରୁଣୀ ଭାର୍ଯ୍ୟା ଚହଟ ଶ୍ରୀମତି ୤
“ଏକଦା ଆମରି ଲୋକେ ବାଲିଦ୍ବୀପେ କରି ଅଭିଯାନ
ଆଣୁଥିଲେ ଧନରତ୍ନ, ଅବଶ୍ୟ ତା’ ବିଗତ ସପନ !”
ୟୁରୋପୀୟ ପର୍ଯ୍ୟଟକେ କହୁଥିଲେ ଦେଶୀ ଦିଗ୍‌ଦର୍ଶକ,
“ସେହି ଭବ୍ୟ ଅତୀତର ବାଲିଯାତ୍ରା ଉଜ୍ଜ୍ବଳ ସ୍ମାରକ ୤”
“ବିସ୍ମୟ, ବିସ୍ମୟ ବାବୁ ! ବଡ ଭଲ ତମର ଏ ଦେଶ !
ଆରେ, ଆରେ ! ପର୍ସ ମୋର ଅନ୍ତର୍ହିତ ! ହାୟ ସର୍ବନାଶ !”
ଗତବର୍ଷ ଏହି ଦିନେ ଧନବତୀ ଯେ ସୌମ୍ୟା ଯୁବତୀ
“ଆସିବିନି ଆଉ କେବେ” କହିଥିଲେ ହୋଇ କ୍ରୁଦ୍ଧ ଅତି,
ଯେହେତୁ ଗୋଟାଏ ଯୁବା, ଟାଇ ଟ୍ରାଉଜର୍ସ ପିନ୍ଧା ଗୋଟାଏ ମାଙ୍କଡ,
ଅନୁସରି ତାଙ୍କୁ ଠାଏଁ କରିଥିଲା କିଛି ହରବର,
ଯଥାବିଧି ସମାଗତା ସେହି ସୁଶ୍ରୀ ପୁନର୍ବାର ଆଜି
ଚୋରାଇ ଚୋରାଇ ଯେହ୍ନେ ଗହଳିରେ କାହାକୁ ବା ଖୋଜି ୤
ଗହନ ଏ ବାଲିଯାତ୍ରା ସତେ ଅବା ପ୍ରାଣର ଗହନ,
ଧୂଳି ଧୂଆଁ, ନାନା ରଙ୍ଗେ ମଣିଷର ଏ ଅବଚେତନ
ନିଶାର୍ଦ୍ଧରେ ଯେତେବେଳେ ସବୁ କିଛି ହୋଇଯିବ ମ୍ଳାନ,
ଲାଉଡ୍‌ସ୍ପିକର୍‌ ତଥା ବିଦ୍ୟୁତ୍‌ର ଉଜ୍ଜ୍ବଳ ପ୍ଳାବନ,
ଆକାଶର ତାରା-ମାନେ ହେଉଥିବେ କଥା ପରସ୍ପର,
ମହାନଦୀ ବକ୍ଷେ ତାଙ୍କ ପ୍ରତିବିମ୍ବ, ପ୍ରତିଧ୍ବନି ତା’ର :
“ବୁଝିଲ – ଏ ନରନାରୀ ବର୍ଷ ପରେ ବର୍ଷ,
ହର୍ଷର ଶିକାରେ ଆସି ଲେଉଟନ୍ତି ପ୍ରାୟତଃ ବିମର୍ଷ
କ୍ଲାନ୍ତି ଓ ବିରକ୍ତି ସହ ପୁନର୍ବାର କିଞ୍ଚିତ୍‌ ଆଶ୍ବାସ –
ହୁଏତ ଆସନ୍ତା ବର୍ଷ ମିଳିପାରେ ଏକମାତ୍ରା ଅଧିକ ଉଲ୍ଲାସ –
ସେ ଆଶା କି ବିଡମ୍ବନା ?” କହେ ଏକ ତାରା,
ଉତ୍ତରେ କହଇ ଆନ, “ବୃଥା ନୁହେଁ ପରା –
ଆଦିମ ସେ ଆସ୍ଥା ତଥା ମୃତ୍ୟୁହୀନ ସେ ମୃଦୁ ପ୍ରତ୍ୟୟ
ଯାହା ତାଡନାରେ ଏହି ବାଲିଯାତ୍ରା ଉଦ୍‌ବେଳ, ଅଥୟ
ଆବାଳ ବୃଦ୍ଧ ବନିତା ଯାହାର ସଂଧାନେ
ପରସ୍ପର ଆକର୍ଷିତ, ସମବେତ ଏହି ଅନୁଷ୍ଠାନେ
ଆପଣାର ଅଭ୍ୟନ୍ତରେ ସୁପ୍ତ ତାହା, ଅଥଚ ଅଜ୍ଞାନ –
ଏ ଦଳାଚକଟା ମଧ୍ୟେ କରୁଥାଏ ତା’ର ଅନ୍ବେଷଣ ୤”
“ଏ ମେଳା ଉତ୍ସବ ତେବେ ଅସତ୍ୟ ଓ ସଂପୂର୍ଣ୍ଣ ଅଳିକ ?”
ପ୍ରଶ୍ନ କରେ ତାରା ଏକ, ଉତ୍ତର ତା’ ପରଷେ ଆରେକ :
“ବହୁତ ଗଭୀରେ ବଂଧୁ ! ଗୂଢତର ସତ୍ୟର ସଂସ୍ଥିତି
ଆତ୍ମା ପ୍ରତି ଆତ୍ମାର ଯା’ ଅଲଂଘ୍ୟ ସଂପ୍ରୀତି
ପ୍ରାୟତଃ ଚୁମ୍ବକ ଭଳି ଟାଣେ ପରସ୍ପରେ,
ଅଭିବ୍ୟକ୍ତ ଯାହା ହୁଏ ଅଜ୍ଞାନ ତିମିରେ
କେବେ ବା ସଦିଚ୍ଛା ରୂପେ, କେବେ ବା ସଂଘର୍ଷେ,
ଅବା ବାଲିଯାତ୍ରା ରୂପେ ଥରୁଟେ ବରଷେ ୤”
ଆମୋଦର କ୍ଳାନ୍ତି ଅନ୍ତେ ନରନାରୀ ସ୍ବଗୃହେ ସୁଷୁପ୍ତ,
ଧୂଳି ଧୂଆଁ ଅତିକ୍ରମି କରିବାକୁ ଆକାଶେ ଦୃକ୍‌ପାତ,
କାହାର ବା ଅଛି ତର ?
ଅବ୍ୟାହତ କିନ୍ତୁ ଯା’ର ଉଜ୍ଜ୍ବଳ ଇସାରା,
ପ୍ରତ୍ୟୟର ଆଶୀର୍ବାଦ, ସିଏ ଧ୍ରୁବତାରା ୤
(କବିତା ଉତ୍କଳ)

ବାଲେଶ୍ବର : ଜିଲ୍ଲାସ୍କୁଲ

ଦେଖିଲିଣି ଜୀବନରେ କେତେ ଦେଶ, ସହର ନଗର,
ମୋ ସ୍ମୃତିର ଆକାଶରେ ତମେ କିନ୍ତୁ “ଏକ ଚନ୍ଦ୍ର” ସ୍ନିଗ୍ଧାଲୋକ ପ୍ରିୟ ବାଲେଶ୍ବର !
ମୂଢ ଓ ମଧୁର ମୋର କୈଶୋରର ରଙ୍ଗମଞ୍ଚ ତୁମେହିଁ ଏକକ
ନିଜେ ମୁଁ ନାୟକ ଯହିଁ, ନିଜେ ପୁଣି ବିଦଗ୍ଧ ଦର୍ଶକ ୤
ତୁମ ରାଜପଥ ପରେ ଚାଲି ଅବା ଦ୍ବିଚକ୍ର ଆରୋହି
ସତେ ଅବା ମାର୍କୋପୋଲୋ,ଚଷୁଥିଲି ସସାଗରା ମହୀ,
ଧୂଳିନ ମଳିନ ତୁମ ମୋତିଗଞ୍ଜ,ଷ୍ଟେସନ୍ ବଜାର,
ନ୍ୟୁୟର୍କ, ଲଣ୍ଡନ,ରୋମ, ପ୍ୟାରିସ୍ ର ଅବା ନାମାନ୍ତର,
ପ୍ରତିବେଶୀ ଚାନ୍ଦିପୁର, ନୀଳଗିରି ଅଥବା ରେମୁଣା,
ସେସବୁ ବା ବହୁଦୂର ଅଷ୍ଟ୍ରେଲିଆ, ଆମେରିକା, ୟୁରୋପରେ ଗଣା !
ଅନତି ବୃହତ୍ ତୁମ ଟାଉନ୍ ହଲ୍ ରେ
ନିହାତି ଅବୋଲକରା ମାଇକ୍ରୋଫୋନ୍ ରେ
ଉଦ୍ଦାମ ଭାଷଣ ଅନ୍ତେ, ହୋଇଥିବ ଧାରଣା ଏମନ୍ତ
ସେ ହୁଙ୍କାରେ ପ୍ୟାପିଯିବ ବିଦ୍ରୋହର ଅଗ୍ନି ଆଦିଗନ୍ତ!
ହାୟ ମୋ ହତାଶା, ଯେବେ ଦେଖାଯାଏ ଅନ୍ତରଙ୍ଗ ଏ ମୋର ସହର,
ଥରୁଟିଏ ତାଳିମାରି, ଚାମୁଚାଏ ହସିଦେଇ ହାଇମାରି ତନ୍ଦ୍ରାବିଷ୍ଟ ହୁଏ ବୁନର୍ବାର ୤
“ଡଗର” ବା “କୁଙ୍କୁମ” ରେ ଛାପାହେଲେ କାହାଣୀ, କବିତା
କୌଣସି ବିଦଗ୍ଧ ଯଦି କହିଦିଏ “ବାଃ, ଭଲକଥା !”
ପୁଲକର ଆଲୋକରେ ସେତେବେଳେ ପୃଥିବୀ ଉଜ୍ଜ୍ବଳ
ମୋ ସୃଜନୀ-ପ୍ରତିଭାର ସ୍ବୀକୃତିରେ ଉଦାର, ଉତ୍ତାଳ,
ଛତ୍ରହସ୍ତ କିରାଣିଠୁଁ ନିରିମାଖି ଗୋବରଗୋଟେଇ‌
ଜ୍ଞାନଯୋଗୀ ଷଣ୍ଢବର ଆପାମର ପଣ୍ଡିତ ବାଟୋଇ-
ସେତେବେଳେ ସର୍ବପ୍ରାଣୀ ସାହିତ୍ୟ-ରସିକ,
ଏବଂ ସେହି ସାହିତ୍ୟର ଆପାତତଃ ମୁଁ ହେଲି ପ୍ରତୀକ!
ସର୍ବୋପରି ବାଲେଶ୍ବର ଜିଲ୍ଲାସ୍କୁଲ, ହେ ମୋ ପୂଜନୀୟ,
ଅସଂଖ୍ୟ ଉତ୍ତମ ମଧ୍ୟେ ଏ ଅଧମେ ସମାନ ସଦୟ,
ଶ୍ରଦ୍ଧା ଏବଂ ପ୍ରତ୍ୟୟର ଜଳବାୟୁ ତୁମର ଭୂଗୋଳ,
ସ୍ମୃତିରେ ସଙ୍ଗୀତ ଆଜି ସେଦିନର ସବୁ ହଟ୍ଟଗୋଳ-
ସ୍ମୃତିର ଦିଗନ୍ତେ ମୋର ଝଲ୍ ମଲ୍ ,ଦ୍ବିପ ହିରଣ୍ମୟ
ତୁମକୁ ପ୍ରଣାମ ମାତଃ, ହେ ମହାନ୍ ଆଦି ବିଦ୍ୟାଳୟ !!

ସୌଜନ୍ୟ: “ସ୍ମୃତି ସଞ୍ଚୟନ” (ବାଲେଶ୍ବର ଜିଲ୍ଲାସ୍କୁଲ : ସାର୍ଦ୍ଧଶତବାର୍ଷିକ ସ୍ମରଣିକା)



ଆମ ଗାଁ : ବରଗଛ

ସେ ଏକ ମାର୍ମିକ ସତ୍ତା, ଶାନ୍ତ ଓ ଉଦାର
ସ୍ନେହମୟ, ଯଦ୍ୟପି ଗମ୍ଭୀର,
ଆମ ଗାଁଆ ବରଗଛ ଅତିଶୟ ଭଦ୍ର
ଶିର ତା’ର ସମୁନ୍ନତ; ଦୃଶ୍ୟ ତା’ର ଆକାଶ ସମୁଦ୍ର ୤
ଆମ ଗାଁ ବରଗଛ, ଚତୁର୍ଦ୍ଦିଗେ ଧୂଉ ଧୂଉ ବାଲି
ବିନ୍ଦୁଏ ସବୁଜ ଦ୍ବୀପ, ଗୋଧୂଳିରେ ପକ୍ଷୀର କାକଳି
କରେ ତାକୁ ଉଜ୍ଜୀବିତ, ସତେ ଅବା ସେ ଏକ ସହର,
ତହିଁ ଚାଲେ ସୌଦାଗରି, ନାନା କାରବାର ୤
ତା’ ଓହଳେ ଦୋଳି ଖେଳିବାରେ
ମନେହୁଏ ସତେ ଅବା ଉଡୁଛି ମୁଁ ଦେଶ ଦେଶାନ୍ତରେ,
କାଉଁରୀ କାମାକ୍ଷା ମନ୍ତ୍ରେ ନିଶାର୍ଦ୍ଧେ ସେ ହୋଇ ସଂଜୀବିତ
ପକ୍ଷୀରାଜ ଅଶ୍ବ ଭଳି ସତେ ଅବା ଉଡିପାରେ ଦିଗରୁ ଦିଗନ୍ତ,
ମୋତେ ଧରି ପୃଷ୍ଠଦେଶେ; ତନ୍ଦ୍ରାଗତ ଧ୍ୟାନେ
ରାତି ପରେ ରାତି ମୁହିଁ ବିତାଇଛି ଅଦୃଶ୍ୟ ଭ୍ରମଣେ ୤



ଆମ ଗାଁ : ସମୁଦ୍ର

କେତେବେଳେ ମନେହୁଏ ସେ ଯେହ୍ନେ ଜନନୀ
ଢେଉର ପଣତ ମେଲି ନେବାକୁ କୋଳେଇ
ବଡ ବ୍ୟଗ୍ର, ଭାଷା ତା’ର ଅତି ଅନ୍ତରଙ୍ଗ
ମାଆର ଆକଟ ଭଳି ଚେତନାରେ ତୋଳେ ପ୍ରତିଧ୍ବନି ୤
କେତେବେଳେ ମନେହୁଏ ସିଏ ଏକ ମହତୀ ରହସ୍ୟ
ଦେବୀ ଆତ୍ମା, ସତତ ନମସ୍ୟ,
ଅଥବା ସେ ସୀମାହୀନ ଆକାଶ ସେପାରି
ଅଛି ଯେଉଁ ଗୋପନୀୟ ସ୍ନିଗ୍ଧ ସ୍ବର୍ଗପୁରୀ,
ତାହା ସହ ବାର୍ତ୍ତାଳାପେ ରତ
ନିଜର ପ୍ରଶାନ୍ତ ବୁକେ କରୁଥାଏ ତାକୁ ସେ ଫଳିତ ୤
କିନ୍ତୁ ଯେବେ ପୂର୍ଣ୍ଣିମାର ଜ୍ୟୋତ୍ସ୍ନାରାଶି ନିଃଶବ୍ଦେ ସଞ୍ଚରେ
ଆଦିଗନ୍ତ ସମୁଦ୍ର ଜୁଆରେ,
ସେତେବେଳେ ଏ ସମୁଦ୍ର ହୁଏ ଏକ ଭିନ୍ନ ବାସ୍ତବତା
ଅତୀନ୍ଦ୍ରିୟ ଜଗତର ତନ୍ଦ୍ରାମୟ ଭିନ୍ନ ଅଭିଜ୍ଞତା ୤
ସେତେବେଳେ ଦୃଷ୍ଟି ଦେଲେ ସମୁଦ୍ର କୂଳରୁ –
ଆମ ଗାଁ ମନେ ହୁଏ ଗାରେ ମାତ୍ର ସବୁଜ ସପନ
ବିମୁଗ୍ଧ ସମୁଦ୍ର ଏବଂ ପୂର୍ଣ୍ଣିମାର୍ ଯାଦୁରୁ ଉତ୍ପନ୍ନ ୤

ଗ୍ରାମର ନାମ “ନିଶ୍ଚିନ୍ତକୋଇଲି”

ସେ କେଡ଼େ ନିଘଞ୍ଚ ତୋଟା ସବୁଜ ଅତୀବ
କେଡ଼େ ନମ୍ର ପାଣିପାଗ, କମ୍ର ଅନୁଭବ,
ମଣିଷ ଓ ଗୋରୁ ଗାଈ ଏମନ୍ତ ଶ୍ରୀମନ୍ତ –
ଘନ ବନ ଗହନରେ କୋଇଲି ନିଶ୍ଚିନ୍ତ ।
ଆଶାକରେଁ ବୈଶାଖର ଝଡ଼ର ହୁଙ୍କାର
ସେ ପଲ୍ଲିର ହୃଦୟକୁ କରିବନି କେବେ ଥରହର,
ଆଶାକରେଁ ସାଧୁଜନେ କରିବେନି କେବେ ନିମନ୍ତ୍ରଣ
ମନ୍ତ୍ରୀଠୁଁ ମହାତ୍ମା ଯାଏ କାହାକୁ ବି ଦେବାକୁ ଭାଷଣ,
ଆଶାକରେଁ ଦିନେ ଏକ ଜିପ୍ ଅବା ଟ୍ରକ୍ ର ଘର୍ଘର
କରିବନି ସ୍ତବ୍ଧ ତା’ର ବନସ୍ତର ମନ୍ଥର ମର୍ମର,
ଯେହେତୁ ସେ ପଲ୍ଲିଟିର ହୃଦୟ ଓ କୋଇଲି ହୃଦୟ
ଅଭିନ୍ନ ଓ ଏକାକାର, ଲୋଡା ତା’ର ଏକାନ୍ତ ନିର୍ଭୟ ୤
ଦୈବାତ୍ ଯଦ୍ୟପି କେବେ ଯାଏଁ ମୁହିଁ ସେ ଗାଁ ପାଖଦେଇ
ବନ୍ଧୁ ମୋର, ମୋତେ ତୁମେ ସେ କଥାଟି ଜଣାଇବନାହିଁ ୤
ମୋ ମନର ଦିଗନ୍ତରେ ସେ ଗ୍ରାମରେ ଅଖଣ୍ଡ ବସନ୍ତ
ତେଣୁ ତା’ ବିଧୁର ସ୍ୱରେ କୋଇଲି ନିଶ୍ଚିନ୍ତ !

ଅବୋଲକରା

ହେ ଅବୋଲକରା, ଟିକେ ଦିଅନ୍ତନି ଠିକଣା ତୁମର
କେଉଁ ଜନପଦ ଅବା କେଉଁ ସେ ନଗର
କେଉଁ ଗଳି, କେଉଁ ଘର ତମର ନିବାସ
ତୁମର ଜାତକ ନାମ ଏବଂ ବୟସ ?
ମନ୍ତ୍ରୀ ଓ ହାକିମ ସାଥେ ରହନ୍ତି ସତତ
ଆଠଦଶ ବୋଲକରା, ଅତୀବ ବିନୀତ
ତମେ କିନ୍ତୁ ଦୁର୍ବିନୀତ ଅବୋଲ ଶ୍ରୀମାନ
ଅବୁଝର ଅନ୍ତରାଳେ ଚିର ମୂର୍ତ୍ତ ସବୁଜ ସନ୍ଧାନ ୤
ହେ ମିତ୍ର ଅବୋଲ, ଦିନେ ଦେଖିଲି ସପନେ
ମୋତେ ତୁମେ ଅନୁସରି ଚାଲିଛ ମଉନେ
ନଥିଲା କମ୍ବଳ କିମ୍ବା ଛତାବୋଝ ତମ ଶିର ପରେ,
ମୋ ରେକ୍‌ସିନ୍ ବ୍ୟାଗ୍‌ସହ ଠେଲୁଥିଲ ଟ୍ରଲି ସହଜରେ ୤
ଭାବୁଥିଲି ମୋତେ ତୁମେ ପ୍ରଶ୍ନବାଣେ କରିବ ଅଥୟ
ବିମାନକୁ ମନେକରି ହିମାଦ୍ରିର ପକ୍ଷୀ ଅତିକାୟ ୤
କିନ୍ତୁ ମୁଁ ଚାହିଁବା ମାତ୍ରେ ତୁମର ବଦନେ,
ତୁମେ ମୋତେ ପଚାରିଲ –
“କି ହେଲା ହୋ ବାବୁ, କିଛି ପ୍ରଶ୍ନ ଅଛି ମନେ ?”
ବିସ୍ମୟର ପ୍ରଚଣ୍ଡ ପ୍ରହାରେ
ଉଠିବସି ବଲ ବଲ ଅନାଇଲି ଗାଢ ଅନ୍ଧକାରେ !
(କବିତା ଉତ୍କଳ)

ମାଟିର ଉଲ୍‌କା :ବାଇମୁଣ୍ଡି

ଅବଶ୍ୟ ନଥିବ ମନେ ତୁମର କଦାପି
ତୁମ ସହ ଭେଟ ମୋର ହୋଇଛି ଯଦ୍ୟପି
କାଠଯୋଡି କିନାରାର ଧୂସର ସଡକେ
ଦିଶିଯାଅ, ହଜିଯାଅ, ତୁମେ ଯହିଁ ପଲକେ ପଲକେ ୤
ଦିଶିଯାଇ ଛପିଯିବା ଯାଦୁରେ ପ୍ରବୀଣ
ତଡିତ୍ ଅଥବା ଉଲ୍‌କା ଆକାଶେ ଯେବଣ
ଏ ମାଟିରେ ସେହିଭଳି ତୁମର ସ୍ଫୁରଣ
ବାଇମୁଣ୍ଡି ! ତୁମ ବ୍ୟାଖ୍ୟା –
କରେ ନାହିଁ ଜୀବନର ସ୍ଥୂଳ ବ୍ୟାକରଣ ୤
About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.