Loading...

Hinsa Pramatta Bharata( In Odia)

ହିଂସା ପ୍ରମତ୍ତ ଭାରତ

ଭାରତର ଭିନ୍ନ ଭିନ୍ନ ପ୍ରାନ୍ତରେ ଆଜି ହିଂସାଚରଣ ଏତେ ବ୍ୟାପକ ହୋଇ ଉଠିଛି, ସ୍ବତଃ ପ୍ରଶ୍ବ ଉଠେ, ହଠାତ୍ ଭାରତୀୟମାନେ ଏତେ ହିଂସ୍ର, ଏଡ଼େ ନିର୍ମମ ହୋଇଗଲେ କିପରି ?

ବାସ୍ତବିକ, ଏହା ଏକ ମୌଳିକ ପ୍ରଶ୍ନ୤ ଅତୀତର ମଣିଷ ତୁଳନାରେ ଆଜିର ମଣିଷ କ’ଣ ସତରେ ଅଧିକ ମନ୍ଦ ? ଅବଶ୍ୟ ଏ ଆଲୋଚନା ଭିତରକୁ ‘ମଣିଷ’ ଶବ୍ଦ ଆଣିବା ମାତ୍ରେ ସେ ଜୀବ ଆଉ ଭାରତ ଭିତରେ ସୀମାବଦ୍ଧ ହୋଇ ରହୁନାହିଁ୤ ତେବେ ପ୍ରଶ୍ନଟି ଏପରି- କେବଳ ମାତ୍ର ଭାରତର ପରିସର ଭିତରେ ଏହାର ବିଚାର ସମ୍ଭବପର ନୁହେଁ୤ ଭାରତର ପରିସ୍ଥିତି ଏ ଆଲୋଚନାର ବିଶେଷ ପଟ୍ଟଭୂମି ହେଲେ ମଧ୍ୟ ପ୍ରଥମେ ସମଗ୍ର ମାନବଜାତିର ଆଚରଣ ଉପରେ ଆଲୋକପାତ ହେବା ଆବଶ୍ୟକ ୤

ହିଂସାଚରଣ ଓ ଆକ୍ରମଣଶୀଳତା (Violence and Aggression) ଯେ ମଣିଷର ସ୍ବାଭାବର ଗୁଣବିଶେଷ, ଆଧୁନିକ ମନସ୍ତତ୍ତ୍ବବିଦ୍‌ମାନେ ଏହା ଦର୍ଶାଇବାର ବହୁ ପୂର୍ବରୁ ହିଁ ଏହା ସାଧାରଣଜ୍ଞାନର ଅନ୍ତର୍ଭୂକ୍ତ୤ ଯୁଗେ ଯୁଗେ ସମାଜ ମଣିଷର ଏହି ସ୍ବଭାବକୁ କୌଣସି ନା କୌଣସି ଗ୍ରହଣଯୋଗ୍ୟ ମାର୍ଜିତ ଧାରାରେ ଚାଳିତ କରିବାର ପ୍ରୟାସ କରିଛି୤ ଖେଳ ବା ପ୍ରତିଯୋଗିତା ମାଧ୍ୟମରେ, ଲଢ଼େଇଠୁଁ ଆରମ୍ଭ କରି ଆଇନ୍ ମାଧ୍ୟମରେ ଲଢ଼େଇ କରିବା ପର୍ଯ୍ୟନ୍ତ, ଏହି ଗୁଣର ନାନାବିଧ ସାମାଜିକ ଅଭିବ୍ୟକ୍ତି ଦେଖାଯାଏ ୤ ସୈନ୍ୟବାହିନୀରେ ସାମିଲ୍ ହୋଇ ଦେଶର ସୁରକ୍ଷା ଅଥବା ଦେଶର ଗୌରବ ବଢାଇବା ଭଳି ଆଦର୍ଶ ମାଧ୍ୟମରେ ଏ ଗୁଣର ଅଭିବ୍ୟକ୍ତି ମଧ୍ୟ ହୋଇଥାଏ ଆଉ ଏକ ସ୍ତରରେ୤ ଆଦର୍ଶବାଦୀ ପର୍ଯ୍ୟାୟର ଶୀର୍ଷସ୍ତରରେ ମଣିଷ ସେତେବେଳେ ପହଞ୍ଚିପାରେ, ଯେତେବେଳେ ସେ ପରିସ୍ଥିତିରେ ହିଂସାତ୍ମକ ଆଚରଣ କରିବାକୁ ବାଧ୍ୟ ହେଲେ ମଧ୍ୟ ନିଜ ଚେତନାରୁ ହିଂସାକୁ ହଟାଇଦେଇପାରିଥାଏ ୤ କହିବା ବାହୁଲ୍ୟ, ତାହା ଅସମ୍ଭବ ନୁହେଁ୤ ସାଧାରଣ ଜୀବନରେ ବି ସେ ସମ୍ଭାବନାର କ୍ଷୀଣ ସ୍ଫୁରଣ ହୋଇଥାଏ – ପିତାମାତା ଶିଶୁ ସନ୍ତାନକୁ ଶାସନ କଲାବେଳେ ଯେମିତି୤ ସେମିତି ସମ୍ଭାବନାର ଆଧ୍ୟାତ୍ମିକ ରୂପାୟନ ମହତ୍ ମଣିଷ (ଯଥା ଗୀତାର ଅର୍ଜୁନ) ନ ଦେଇପାରିବ କାହିଁକି ? ତେବେ ତାହା ଭିନ୍ନ ପ୍ରସଙ୍ଗ ୤

ଜଣେ ସମସାମୟିକ ମନସ୍ତତ୍ତ୍ବବିଦ୍ ରବାର୍ଟ୍ ବ୍ୟାରନ୍ ଏବଂ ଆଉ କେହି କେହି ମଧ୍ୟ ହିସାବକରି ଦେଖାଇଛନ୍ତି, ଗତ ପାଞ୍ଚ ହଜାର ଛଅ ଶହ ବର୍ଷ ବ୍ୟାପ୍ତ ପୃଥିବୀର ଲିପିବଦ୍ଧ ଇତିହାସରେ ଚଉଦ ହଜାର ଛଅଶହ ଯୁଦ୍ଧ ସଂଘଟିତ ହୋଇଛି – ଅର୍ଥାତ୍ ବର୍ଷକୁ ଦୁଇ ଦଶମିକ ଛଅଟି କରି୤ ହିଂସାପ୍ରମତ୍ତ ଭାରତ ଏହି ସମୟ ଭିତରେ ଭୂପୃଷ୍ଠରେ କାଳାତିପାତ କରିଛନ୍ତି ଏକଶହ ପଞ୍ଚାଅଶୀ ପୁରୁଷ୤ ତହିଁ ଭିତରୁ ମାତ୍ର ଦଶ ପୁରୁଷର ଲୋକେ ଶାନ୍ତିରେ ରହି ପାରିଛନ୍ତି୤ (ଅବଶ୍ୟ ଯୁଦ୍ଧର ଅନୁପସ୍ଥିତି ହିଁ ଶାନ୍ତି ନୁହେଁ୤ କ୍ଷେତ୍ର ଉପରେ ଲଢ଼େଇ ଆରମ୍ଭ ହେବାର ବହୁ ପୂର୍ବରୁ ଯେ ତାହା ମଣିଷର ମନ ଭିତରେ ଥାଏ, ଏହା ସର୍ବଜନବିଦିତ)୤

ମଣିଷ ମନର ହିଂସା ଉତ୍ପନ୍ନ ହେବାର ହେତୁ ବହୁ ମନୀଷୀ ବିଶ୍ଳେଷଣ କରିଛନ୍ତି୤ ତେବେ ତିନିଜଣ ମନସ୍ତତ୍ତ୍ବବିଦ୍‌ଙ୍କ ପରିବେଶିତ ତତ୍ତ୍ବ ବିଶେଷ ପ୍ରଣିଧାନଯୋଗ୍ୟ ୤ (Robert A. Baron ଙ୍କର Human Aggresion ଦ୍ରଷ୍ଟବ୍ୟ) ପ୍ରଥମ ହେଲେ ପ୍ରଖ୍ୟାତ୍ ଫ୍ରୟେଡ଼୍ ୤ ପ୍ରଥମ ମହାଯୁଦ୍ଧର ବିଭୀଷିକା ଲକ୍ଷ୍ୟ କରି ସେ ଦର୍ଶାଇଲେ, ମଣିଷ ଭିତରେ ନିହିତ ରହିଛି ଏକ ମାରାତ୍ମକ ଶକ୍ତି, Thanatos, ସେ ମଣିଷକୁ ମୃତ୍ୟୁମୁଖୀ କରାଏ୤ ଯେତେବେଳେ ସେ ଶକ୍ତି ଘଟଣାଚକ୍ରରେ ବହିର୍ମୁଖୀ ହୁଏ, ସେତେବେଳେ ସେ ଅନ୍ୟକୁ ମାରିବାରେ ବ୍ୟାପୃତ ରହେ୤

କନ୍‌ରାଡ଼୍ ଲରେଞ୍ଜଙ୍କ ମତରେ, ବିବର୍ତ୍ତନର ଗତିରେ ମଣିଷ ଭିତରେ ଆକ୍ରମଣାତ୍ମକ ପ୍ରବୃତ୍ତିର ବିକାଶ ଘଟିଛି, କାରଣ ଜୀବଜଗତରେ ଆକ୍ରମଣ ଜରିଆରେ ଭିନ୍ନ ଭିନ୍ନ ପ୍ରାଣୀ ଜାତି ନିଜ ନିଜ ପାଇଁ ସୁବିଧା ସୁଯୋଗ କରି ନେଇଛନ୍ତି୤

ତୃତୀୟ ଉଲ୍ଲେଖଯୋଗ୍ୟ ତତ୍ତ୍ବରେ ମନସ୍ତତ୍ତ୍ବବିଦ୍ ଡଲାର୍ଡ଼୍‌ଙ୍କ ଦ୍ବାରା ପରିବେଶିତ ୤ ଉଦ୍ଦେଶ୍ୟ ପୂରଣରେ ବାଧା, ତଜ୍ଜନିତ ହତାଶା, ଏହାରି ଭିତରୁ ହିଂସାର ଉଦ୍ରେକ ହୁଏ ୤

ଯେଉଁ ରବାର୍ଟ୍ ବ୍ୟାରନ୍‌ଙ୍କ ଗବେଷଣାକୁ ଭିତ୍ତିକରି ଏ ତିନୋଟି ମତର ଉଲ୍ଲେଖ କଲି, ସେ ଆହୁରି କେତେକ ଆଧୁନିକ ତତ୍ତ୍ବର ଅବତାରଣା କରି ଦେଖାଇଛନ୍ତି କି କେତେକଙ୍କ ମତରେ ହିଂସା ମଣିଷର ଅନ୍ତର୍ନିହିତ ପ୍ରବୃତ୍ତି ନୁହେଁ, ଏହା ମଣିଷ ପରିବେଶରୁ ଅଭିଜ୍ଞତାରୁ ଆହରଣ କରେ୤

ଏ ସମସ୍ତ ତତ୍ତ୍ବରେ ଆଂଶିକ ସତ୍ୟ ନିହିତ, କିନ୍ତୁ ମଣିଷର ଚେତନା ଓ ଆଚରଣକୁ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ତତ୍ତ୍ବ, ଏପରିକି ଏକାଧିକ ତତ୍ତ୍ବର ସମଷ୍ଟି ମଧ୍ୟ ସର୍ବୋତଭାବେ ବ୍ୟାଖ୍ୟା କରି ପାରିବ, ଏହା ଭାବିବା ଭୁଲ୤

ହିଂସା ମଣିଷର ଅନ୍ତର୍ନିହିତ ପ୍ରବୃତ୍ତି ହେଉ ବା ଆହରିତ ଅଭ୍ୟାସ ହେଉ, ଆବହମାନ କାଳରୁ ମଣିଷ ହିଂସାଚରଣ କରିଛି, କିନ୍ତୁ ଯାହା ତାତ୍ପର୍ଯ୍ୟପୂର୍ଣ୍ଣ, ସେ ନିଜର ସେ ପ୍ରବୃତ୍ତି ବା ଅଭ୍ୟାସ ଯେ ନିନ୍ଦନୀୟ, ଏକଥା ବି ମୋଟାମୋଟି ଭାବରେ ସ୍ବୀକାର କରିଛି୤ ଗୋଟିଏ ନିର୍ଦ୍ଧିଷ୍ଟ ହିଂସାକାଣ୍ଡରେ ଲିପ୍ତ ବ୍ୟକ୍ତିଟିଏ ନିଜ କର୍ମ ସପକ୍ଷରେ ସଫେଇ ଦେଇପାରେ, କିନ୍ତୁ ସେହି ବ୍ୟକ୍ତି ଅନ୍ୟକୃତ ହିଂସାଚରଣକୁ ଅକାତରରେ ବର୍ଜନୀୟ ବୋଲି ଘୋଷଣା କରିବ୤ ବର୍ତ୍ତମାନ ପ୍ରଥମ ପ୍ରଶ୍ନକୁ ଫେରିଯିବା : ଯୁଗେ ଯୁଗେ ହିଂସାଚରଣ ମନ୍ଦ ବୋଲି ଜାଣି ମଧ୍ୟ, ଆଜି ଶିକ୍ଷା, ସଂସ୍କୃତି, ନୈତିକତା ଇତ୍ୟାଦିର ବ୍ୟାପକ ପ୍ରସାର ସତ୍ତ୍ବେ ମଣିଷ କିପରି ଅଧିକରୁ ଅଧିକ ହିଂସ୍ର ମନେ ହେଉଛି ? ଏଭଳି ପତନ ସମ୍ଭବ ହେଲା କିପରି ?

ଶିକ୍ଷା, ସଂସ୍କୃତି ଇତ୍ୟାଦିର ପ୍ରସାର ସତ୍ତ୍ବେ ମଣିଷର ଚେତନାରେ ବିଶେଷ ପ୍ରଗତି ହୋଇନାହିଁ, ଏକଥା ସ୍ବୀକାର କରିବାକୁ ପଡ଼ିବ, କିନ୍ତୁ ନୂଆ କରି ତା’ର କୌଣସି ପତନ ହୋଇନାହିଁ୤ ତା’ଭିତରେ ଯେଉଁ ହିଂସାତକ ରହିଛି (ପ୍ରବୃତ୍ତିଗତ ହେଉ ବା ଆହରିତ ହେଉ), ଆଜିର ପରିସ୍ଥିତିର ଆଶୀର୍ବାଦରୁ ତାହା ଅଧିକ ଭୟାବହ, ଅଧିକ ମାରାତ୍ମକ ଭାବରେ ପ୍ରକଟିତ ହେଉଛି ମାତ୍ର୤

‘ଆଜିର ପରିସ୍ଥିତି’ ବୋଇଲେ କ’ଣ ? – ବହୁ ବ୍ୟାପାରର ସମାବେଶ୤ ଶହେ ବର୍ଷତଳେ ଯଦି ଜଣେ ବ୍ୟକ୍ତି ‘କ’ ତା’ର ଶତ୍ରୁ ‘ଖ’କୁ ମାରିଦେବାକୁ ସିଦ୍ଧାନ୍ତ କରିଥିବ, ତେବେ ସେ ସିଦ୍ଧାନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ତାକୁ ଯଥେଷ୍ଟ ହିମ୍ମତ୍ ବାନ୍ଧିବାକୁ ପଡ଼ିଥିବ୤ ସୁଯୋଗକୁ ଅପେକ୍ଷା କରିବାକୁ ପଡ଼ିଥିବ୤ ସିଦ୍ଧାନ୍ତ ଏବଂ ତାକୁ କାର୍ଯ୍ୟକାରୀ କରିବା ଦିଗରେ ସୁଯୋଗ ଭିତରେ ବେଶ୍ କିଛି ଦିନ ବିତିଯାଇପାରେ୤ ସେ ସମୟ ଭିତରେ ‘କ’ର ମନୋଭାବ ବଦଳି ଯାଇପାରେ ମଧ୍ୟ୤

କିନ୍ତୁ ଆଜି ହିମ୍ମତ ଲୋଡ଼ା ନାହିଁ୤ ଆଜିର ଅସ୍ତ୍ରର କରାମତି ଏମିତି, ଜଣେ ନିପଟ ଭୀରୁ ମଧ୍ୟ ସେ ଅସ୍ତ୍ରର ଦୟାରୁ ଓସ୍ତାଦ୍ ହତ୍ୟାକାରୀ ବୋଲାଇପାରେ୤ ସ୍ବୟଂଚାଳିତ ବନ୍ଧୁକ ଚାଳନା ପାଇଁ, ଦୂର-ନିର୍ଦ୍ଦେଶିତ (Remote Control) ବିସ୍ଫୋରଣ ଘଟାଇବା ପାଇଁ, ହିମ୍ମତ ପ୍ରୟୋଜନ ନାହିଁ୤ ବସ୍ତୁତଃ ଅନେକ ଆଧୁନିକ ଆତତାୟୀ ବ୍ୟକ୍ତିଗତ ଭାବରେ ଭୀରୁ୤ ସେହି ଭୀରୁତା ଭୁଲୁଯିବା ଦିଗରେ ଏକ ବିକଳ ବିକୃତ ଉଦ୍ୟମ ଭାବରେ ସେ ଅସ୍ତ୍ର ବ୍ୟବହାର କରିଥାଏ୤ ଅର୍ଥାତ୍ ଯେଉଁ ସାହସ ନିଜ ଭିତରେ ନଥାଏ, ବାହାରେ ଅସ୍ତ୍ରଟିଏ ଭିତରେ ସେ ସେହି ଅଭାବ ପୂରଣର ସ୍ବପ୍ନ ଦେଖେ୤ (ନୂଆ ନୂଆ, ଚକ୍‌ମକ୍, ମନୋହରୀ ଅସ୍ତ୍ରର ମଧ୍ୟ ଏକପ୍ରକାର ‘ବ୍ୟକ୍ତିତ୍ବ’ ଅଛି, ପ୍ରଭାବ ଅଛି୤ ଜଣେ ବ୍ୟକ୍ତିତ୍ବହୀନ ମଣିଷ ସେ ବସ୍ତୁର ‘ବ୍ୟକ୍ତିତ୍ବ’ ବା ଯାଦୁଦ୍ବାରା ସମ୍ମୋହିତ ହୋଇ ବସ୍ତୁଟିକୁ ନିଜର ଆୟୁଧ ରୂପେ ବ୍ୟବହାର କରିବା ପରିବର୍ତ୍ତେ ସ୍ବୟଂ ବସ୍ତୁର ଆୟୁଧ ବନିଯାଇ ପାରେ୤)

ପୂର୍ବେ ଜଣେ ଲୋକ ଆଉ ଜଣକୁ ହତ୍ୟା କରିବାରେ ଯେତିକି ଶକ୍ତି ବା ସମୟ ପ୍ରୟୋଗ କରୁଥିଲା, ସେତିକି ପ୍ରୟାସରେ ସେ ଆଜି ଶତାଧିକ ବ୍ୟକ୍ତିଙ୍କୁ ମୃତାହତ କରି ପାରିବ, ପ୍ରଯୁକ୍ତ ଅସ୍ତ୍ରର କରାମତିରୁ୤

‘ଆଜିର ପରିସ୍ଥିତି’ର ଆଉ ଏକ ଅବଦାନ ହେଲା ପୋଖତ ବ୍ୟବସ୍ଥା (Management)୤ କି ପ୍ରକାରର ଗାଡ଼ିରେ ଯାଇ, କି ପ୍ରକାରର ଅସ୍ତ୍ର ବ୍ୟବହାର କରି, କେଉଁଠି ଗାଡ଼ି ବଦଳାଇ, କେଉଁ ମାର୍ଗରେ ଆତତାୟୀ ପଳାୟନ କରିପାରିବ, ସେ ସବୁ ଆତତାୟୀକୁ ସ୍ଥିର କରିବାକୁ ପଡ଼େନା, ସ୍ଥିର କରନ୍ତି ବିଶେଷଜ୍ଞ ମାନେ୤

‘ଆଜିର ପରିସ୍ଥିତି’ର ଅନ୍ୟ ଏକ ବିଶେଷତ୍ବ ହେଲା, ଏ ଜାତୀୟ ଘଟଣା ସବୁର ବ୍ୟାପକ ପ୍ରଚାର୤ ଏଭଳି ପ୍ରଚାର ଭଲ କି ମନ୍ଦ, ଅଥବା କେତେଦୂର ଭଲ, କେତେଦୂର ମନ୍ଦ, ତାହା ଭିନ୍ନ ପ୍ରସଙ୍ଗ୤ ପ୍ରଚାରକୁ ଏଡ଼ାଇବା ସମ୍ଭବ ନୁହେଁ କିମ୍ବା ଉଚିତ ବି ନୁହେଁ୤ କାଶ୍ମୀର ଉପତ୍ୟାକାରେ ଯେତେବେଳେ ବସନ୍ତ ଉଛୁଳି ଉଠେ, ଡାଲ୍ ହ୍ରଦ ଉପରେ ଯେତେବେଳେ ଅପୂର୍ବ ଏକ ଇନ୍ଦ୍ରଧନୁ ବିରାଜମାନ କରେ, ସେତେବେଳେ ଖବର କାଗଜର ସମ୍ବାଦଶିରୋନାମାରେ ସେମାନଙ୍କ ସକାଶେ ସ୍ଥାନ ନଥାଏ୤ କାଶ୍ମୀର ଉପତ୍ୟକାରେ ବୋମା-ବିସ୍ଫୋରଣ ହେଲେ କିନ୍ତୁ ସେ ବିବରଣୀ ସମ୍ବଳିତ ସମ୍ବାଦ-ବିସ୍ଫୋରଣ ଅପ୍ରତିରୋଧ୍ୟ୤

ଏଯାବତ୍ ଏ ଲେଖକର ବକ୍ତବ୍ୟର ମର୍ମ ହେଲା ମଣିଷର ଚେତନା -ନିହିତ ହିଂସାରେ ଗୁଣଗତ ପରିବର୍ତ୍ତନ ହୋଇନାହିଁ, ସେ ଯେ ଅଧିକ ହିଂସ୍ରତା ବା ନିର୍ମମତା ହାସଲ କରିଛି, ତାହା ନୁହେଁ୤ କିନ୍ତୁ ଏ ଯୁଗର ଅସ୍ତ୍ରଶସ୍ତ୍ର ଯୋଗୁଁ ସମାନ ପରିମାଣର ହିଂସା ବ୍ୟବହାର କରି ସେ ଅଧିକ ସଂଖ୍ୟକ ମଣିଷ ମାରିପାରୁଛି ବା ବହୁ ଅଧିକ ସଂପଦର ଧ୍ବଂସସାଧନ କରୁଛି୤ ଦ୍ବିତୀୟରେ ଯେଉଁ ଭୀରୁ ପୂର୍ବକାଳରେ ହିଂସାଚରଣ କଲାଭଳି ହିମ୍ମତ୍ ସଞ୍ଚୟ କରିପାରନ୍ତା ନାହିଁ, ଆଜି କୌଶଳବିଦ୍ (Strategist) ଓ ବିଶେଷଜ୍ଞମାନଙ୍କ ବଳରେ ଅକ୍ଲେଶରେ ନିଜର କ୍ଷୀଣ ଦର୍ପର ଉପଯୋଗ କରୁଛି୤ ତୃତୀୟରେ ଆଜିର ପ୍ରଚାର ମାଧ୍ୟମ ଜରିଆରେ ସମସ୍ତ ହିଂସାଚାର ବ୍ୟାପକ ଭାବରେ ଜ୍ଞାତ ହେବାଫଳରେ ବାତାବରଣରେ ହିଂସାର ପ୍ରାଦୁର୍ଭାବ ସମସ୍ତେ ସର୍ବଦା ଅନୁଭବ କରିବାକୁ ବାଧ୍ୟ୤

ତେବେ ଏଇଠି ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ମନେ ରଖିବାକୁ ହେବ୤ ମଣିଷ ଗୁଣାତ୍ମକ ଦୃଷ୍ଟିରୁ ଅଧିକ ଖରାପ ହୋଇଯାଇନାହିଁ ସତ, କିନ୍ତୁ ଯେଉଁ ବିପୁଳ ସଂଖ୍ୟକ ଲୋକଙ୍କ ଭିତରେ ଅଳ୍ପବହୁତ ‘ଖରାପ’ ଥିଲେ ବି ତାହା ନିସ୍ତେଜ ହୋଇ ରହୁଥିଲା, ଆଜି ଯେକୌଣସି ଆଳରେ ସେ ‘ଖରାପ’ର ଖାଲି ଅଭିବ୍ୟକ୍ତି ନୁହେଁ, ଅଗ୍ନ୍ୟୁତ୍ପାତ ଘଟୁଛି୤ ଏଭଳି ବିଷମ ପରିସ୍ଥିତିର ହେତୁ କ’ଣ ?

ହେତୁ ଅନେକ୤ ଏକ ସହ ଆରେକ ଅବିଚ୍ଛିନ୍ନ ସଂପର୍କିତ ଶତେକ ହେତୁ୤ ସେଥିରୁ କେତୋଟିର ଅବତାରଣା କରାଯାଇ ପାରେ :

ବହୁ ଯୁଗ ଧରି ସାଧାରଣ ମଣିଷ ଆନୁଷ୍ଠାନିକ ଧର୍ମ ଓ ଆନୁଷଙ୍ଗିକ ନୀତିନିୟମକୁ ମାନି ବା ମାନିବାର ଛଳନା କରି ( ଏ କ୍ଷେତ୍ରରେ ଛଳନା ମଧ୍ୟ ଏକ ସନ୍ତୋଷ) ନିଜ ଆଚରଣ ଉପରେ ସଂଯମ ରଖୁଥିଲା୤ ଆଜି, ସମାଜ-ବିକାଶର ଗତିରେ, ଆନୁଷ୍ଠାନିକ ଧର୍ମର ପ୍ରଭାବ ମଣିଷର ବହିର୍ଚେତନା ଉପରେ ନାହିଁ୤ ଧର୍ମର ବିକଳ୍ପ ଯେଉଁ ଆଧ୍ୟାତ୍ମିକ ଅଭୀପ୍‌ସା, ତା’ର ସ୍ଫୁରଣ କେବଳ ଆନ୍ତର୍ଚେତନାରେ ସମ୍ଭବପର୤ ଆନ୍ତର୍ଚେତନା ସହ ଖୁବ୍ କମ୍ ଲୋକଙ୍କର ସଂପର୍କ୤ ଅତଏବ ସାମୂହିକ ସ୍ତରରେ ଆଧ୍ୟାତ୍ମିକତାର ବିକାଶ ସମୟ-ସାପେକ୍ଷ୤

ଏକଦା ମଣିଷର ଆନୁଗତ୍ୟ ରାଜା ବା ସିଂହାସନ ଭଳି ପ୍ରତୀକାତ୍ମକ ପ୍ରତିଷ୍ଠାନ ପ୍ରତି ଧାବମାନ ହେଉଥିଲା୤ ରାଜା ପାଇଁ ଲଢ଼ିବାରେ, ଜୀବନ ଦେବାରେ ଥିଲା ଆଦର୍ଶ ପୂର୍ତ୍ତିର ଗୌରବବୋଧ୤ ଆଜି, ସାମାଜିକ ବିବର୍ତ୍ତନର ନିୟମରେ, ସେଭଳି ଅନୁଷ୍ଠାନମାନ ଇତିହାସରେ ସେମାନଙ୍କର ଭୂମିକା ତୁଲାଇସାରିବା ପରେ ବି କିଛିକାଳ ଦୟନୀୟ ଭାବରେ ତିଷ୍ଠିରହି ତା’ପରେ ବିଲୁପ୍ତ୤

ଏକଦା ଐଶ୍ବର୍ଯ୍ୟ ସହ କିଛି ରହସ୍ୟ ଜଡ଼ିତ ରହିଥିଲା୤ ଯିଏ ବିତ୍ତବାନ, ତା’ପ୍ରତି ଲକ୍ଷ୍ମୀ ସଦୟା, ଅତଏବ ସେ ବ୍ୟକ୍ତି ପ୍ରତି ସମ୍ଭ୍ରମବୋଧ ଆସିବା ସ୍ବାଭାବିକ୤ ଆଜି କିନ୍ତୁ ବିତ୍ତ ଦୁର୍ନୀତି କିମ୍ବା ଶୋଷଣର ନାମାନ୍ତର୤ ବିତ୍ତବାନ୍ ତା’ ଆଚରଣଦ୍ବାରା ନିୟତ ପ୍ରମାଣ କରି ଚାଲିଛି, ସେ କୌଣସି ପ୍ରକାର ଶ୍ରଦ୍ଧାର ହକଦାର୍‌ନୁହେଁ୤ ଆଜି ଧନୀ ବୋଇଲେ ଗୋଟିଏ ଲୋଭୀ ଲୋକମାତ୍ର୤

ଏହି ଅବସ୍ଥା ସହିତ ନିବିଡ଼ସଂପର୍କିତ ହେଲା ବଣିକ ଅର୍ଥନୀତିର ଅନୈତିକ ଲୁଣ୍ଠନ-ବ୍ୟଗ୍ରତା୤ ମଣିଷ ଭିତରେ ଆଶାର ଉଦ୍ରେକ କରାଇ, କାମନା ପାଇଁ ଇନ୍ଧନ ଯୋଗାଇ ତାକୁ ମୋହିତ କରି ବୋକା ବନାଇ ତା’ମୁଣିରୁ ଶେଷ ପଇସାଟି ବାହାର୍ କରିନେବାକୁ ଉତ୍ସୁକ ବଣିକ୤ ସର୍ବଦା କାମନା ପ୍ରଜ୍ଜ୍ବଳିତ କରିରଖିବାରେ ଏ ବିଜ୍ଞାପନବାଦୀ ବଣିକ ଗୋଷ୍ଠୀର ସ୍ବାର୍ଥକାମନାର ସନ୍ତୋଷ ବିଧାନ ହେଲେ ଏମାନଙ୍କ କାରବାର ଅନ୍ତ ହେବ୤ ଅତଏବ ଶବ୍ଦ, ସଂଗୀତ, କଳା ସବୁ କିଛି ଶୋଷଣ କରି ସବୁ କିଛିର ଅପପ୍ରୟୋଗ କରି ଏମାନେ ମଣିଷ ଭିତରେ କାମନା ବଢ଼ାଇ ଚାଲିଥିବେ୤ ଯେହେତୁ ଏଭଳି କାମନାର ସନ୍ତୋଷ କଦାପି ସମ୍ଭବପର ନୁହେଁ, ସାମୂହିକ ଅସନ୍ତୋଷ ସାମାଜିକ ବାତାବରଣକୁ ରୁଗ୍‌ଣ କରିବ ହିଁ କରିବ୤

ଆଦର୍ଶ ଓ ନୀତି ଜଳାଞ୍ଜଳି ଦେଇ ଅଧିକରୁ ଅଧିକ ଅର୍ଥ ଉପାର୍ଜନ କରିବାର ସର୍ବବ୍ୟାପୀ ଲାଳସା ଭଳି ଅନ୍ୟ ଏକ ଲାଳସା ହେଲା କ୍ଷମତା୤ ଯେକୌଣସି ପ୍ରକାରେ କ୍ଷମତାରେ ରହିବା ନିମନ୍ତେ ଲୋଡ଼ା ପ୍ରଚୁର ଅର୍ଥ୤ ସେତେ ଅର୍ଥ ସଦୁପାୟରେ ଅର୍ଜିତ ହେବା ସମ୍ଭବ ନୁହେଁ କିମ୍ବା ସଦୁପାୟରେ ଉପାର୍ଜନ କରିଥିବା ବ୍ୟକ୍ତି ତା’ ବିତ୍ତର ଅସଦୁପଯୋଗ ହେବାକୁ ଦେବ ନାହିଁ୤ ଅତଏବ କ୍ଷମତାଲିପ୍‌ସୁକୁ ଦୁର୍ନୀତିଗ୍ରସ୍ତ ବେପାରୀଙ୍କ ଟଙ୍କା ଥଳି ଉପରେ ନିର୍ଭର କରିବାକୁ ପଡ଼ିବ – ଅର୍ଥାତ୍ ଦୁର୍ନୀତିର ସହାୟତା କରିବାକୁ ପଡ଼ିବ୤

ରାଜନୀତି ଓ ଦୁର୍ନୀତିର ଏ ସମ୍ପର୍କ ଯେତିକି ନିବିଡ଼ ହେଉଛି ଲୋକଙ୍କ ଭିତରୁ ଉଭୟ କ୍ଷମତା ଓ ଅର୍ଥ ପ୍ରତି ସେତିକି ମାତ୍ରାରେ ଶ୍ରଦ୍ଧାଭାବ ଦୂର ହୋଇ ଘୃଣା କିମ୍ବା ଈର୍ଷାର ଉଦ୍ରେକ ହେଉଛି୤ ଘୃଣା ଓ ଈର୍ଷାର ଅଭିବ୍ୟକ୍ତି ହେଲା ଯାହା ପ୍ରତି ଘୃଣା ଓ ଈର୍ଷା, ତାକୁ ଆକ୍ରମଣ୤ ଅର୍ଥାତ୍ ତା’ପ୍ରତି ହିଂସାଚରଣ୤

ଗଣତନ୍ତ୍ର ଓ ସମାଜବାଦ ଭଳି ଆଦର୍ଶର ଅନୁସରଣ ଓ ସେ ସମ୍ପର୍କରେ ଜନସାଧାରଣଙ୍କୁ ଯାହା ଯେତିକି ମାଲୁମ୍ ଅଛି, ତାହା ପ୍ରତ୍ୟେକଙ୍କୁ ଅଧିକାର ସଚେତନ କରିଦେଇଛି୤ ପୁଣି ଭୋଟ୍ ଦେବାର ବୟସ କମ କରିଦେଇ ତରୁଣମାନଙ୍କ ଅହଂକୁ ଆଉଁଶିଦିଆଯାଇଛି୤ କିନ୍ତୁ ସମାନ୍ତରାଳ ଭାବରେ, ଗଣତନ୍ତ୍ର ଓ ସମାଜବାଦ ଜନିତ କର୍ତ୍ତବ୍ୟ ଓ ଦାୟିତ୍ବ ସଂପର୍କରେ ସେମାନଙ୍କୁ ଅବହିତ କରିବାର କୌଣସି ବ୍ୟବସ୍ଥା କରାଯାଇନାହିଁ୤ ଫଳରେ ଅଧିକାଂଶ ମଣିଷ ସ୍ବାଧିକାର-ପ୍ରମତ୍ତ, ଅଥଚ ଦାୟିତ୍ବମୁକ୍ତ୤

ଦାୟିତ୍ବମୁକ୍ତ ମଣିଷ ଅଚିରେ ବନିଯାଏ ଦାୟିତ୍ବହୀନ୤ ବ୍ୟକ୍ତିଗତ ବିବେକରେ ସେ ଜଳାଞ୍ଜଳି ଦିଏ୤ ବ୍ୟକ୍ତିଗତ ବିବେକୀ ସତ୍ତା ବଦଳରେ ଆଜି ଆମେ ଦେଖୁଁ ଏକ ଏକ ଗୋଷ୍ଠିସତ୍ତା୤ ଏହି ଗୋଷ୍ଠିସତ୍ତା ନାମରେ ବ୍ୟକ୍ତି ଏଭଳି ଭୟଙ୍କର କାମଟି ମାନ କରିପାରେ, ଯାହା ବ୍ୟକ୍ତିଗତ ଭାବରେ, ନିଜ ଦାୟିତ୍ବରେ ସେ କଦାପି କରନ୍ତା ନାହିଁ୤ ସେ ନିଜ ଜିଦିରେ ଅଟଳ ରହି ରାସ୍ତା ରୋକିବା ପାଇଁ ଶହେ ବର୍ଷର ମହାର୍ଘ୍ୟ ବୃକ୍ଷ୍ୟମାନ କାଟିପକାଇ ଗଡ଼ାଇଦେଇପାରେ, ନିଜର ଦାୟିତ୍ବରେ ଥିବା ରାଷ୍ଟ୍ରର ଯେକୌଣସି ସମ୍ପଦ (ବିଦ୍ୟୁତ, ଦୂରଭାଷ, ଏପରିକି ଜଳଭଣ୍ଡାର) ଅଚଳ କରି ଦେଇପାରେ, ରେଳଗାଡ଼ିକୁ ଓଲଟାଇଦେଇପାରେ୤ ତା’ପାଖରେ ଆତ୍ମ-ସମର୍ପଣ କରିଥିବା ମୁମୂର୍ଷୁ ରୋଗୀକୁ ମରିବାକୁ ଛାଡିଦେଇ ହାସପାତାଳରୁ ବାହାରି ଯାଇପାରେ, ପାଗଳ ଗାରଦର ଦରଜା ଖୋଲା ରଖି, ପାଗଳ ମାନଙ୍କୁ ରାସ୍ତାକୁ ବାହାରି ଯାଇ ଗାଡ଼ି ଘୋଡ଼ା ତଳେ ଦଳି ହୋଇ ମରିବାର ବ୍ୟବସ୍ଥା କରିଦେଇପାରେ, ଇତ୍ୟାଦି ଇତ୍ୟାଦି୤

ଗୋଷ୍ଠୀସତ୍ତାର ବିବେକ ବୋଲି କିଛି ନାହିଁ, ଅଥଚ ଏହାର ଅଂହ ରାକ୍ଷସ ପ୍ରମାଣ୤


THE QUEST ETERNAL AND LITERATURE TODAY" : A Talk by Prof. Manoj Das

About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.