Loading...

Dr. Sukanti Mohapatra

Life
ମୋ ଅନୁଭବରେ ‘ମନୋଜ ଦାସ’
ଡଃ. ସୁକାନ୍ତି ମହାପାତ୍ର

ମନୋଜ ଦାସଙ୍କୁ ମୁଁ ଜାଣିଛି ଉତ୍ତରାଧିକାର ସୂତ୍ରରେ| ସ୍ଥୂଳ ଓ ସୂକ୍ଷ୍ମ ଉଭୟଭାବରେ ଏ ଉତ୍ତରାଧିକାର ସ୍ବତସିଦ୍ଧ ଅଟେ| ବାଲେଶ୍ବର ଜିଲ୍ଲାରେ ଜନ୍ମ ହୋଇଥିବା ହେତୁ, ଜଣେ ଉତ୍କଳୀୟ ରୂପେ ସର୍ବୋପରି ଭାରତମାତାର ସନ୍ତାନ ଭାବରେ ଏ ମାଟିର ଜଣେ ବରପୁତ୍ରଙ୍କୁ ଜାଣିବାର ଅଧିକାର ମୋର ଜନ୍ମସିଦ୍ଧ| ମୋର ଆବାଲ୍ୟ ଲାଳିତ ସାହିତ୍ୟାନୁରାଗ ଓ ଜୀବନାନୁସନ୍ଧିତ୍ସା ମୋତେ ସ୍ବତଃ ତାଙ୍କ ଦିଗକୁ ଆକର୍ଷିତ କରିଛି, ମୋ ଅଜ୍ଞାତସାରରେ ମୋତେ ଅନୁପ୍ରେରିତ କରିଛି ପୁଣି ପ୍ରସ୍ତୁତ କରିଛି ତାଙ୍କ ସଂସ୍ପର୍ଶରେ ଆସିବା ପାଇଁ| ପ୍ରଶ୍ନ ଉଠେ କେବଳ ତାଙ୍କ ପ୍ରତି କାହିଁକି ?

ଏ ପ୍ରଶ୍ନଟିର ଉତ୍ତର ତାଙ୍କୁ ପଢିଥିବା ଜାଣିଥିବା ପ୍ରତିଟି ବ୍ୟକ୍ତିଙ୍କୁ ଜଣା| ତାଙ୍କର ବିପୁଳ ପ୍ରତିଭା, ବିସ୍ମୟକର ମନୀଷା, ସୁବ୍ୟାପକ ପ୍ରସିଦ୍ଧି, ତାଙ୍କର ଉଚ୍ଚକୋଟୀର ସାହିତ୍ୟ ଏବଂ ଏସବୁ ବ୍ୟତିରେକେ ଶାଶ୍ବତ, ଦିବ୍ୟ ଜୀବନ ପ୍ରତି ତାଙ୍କର ଅଙ୍ଗୀକାରବଦ୍ଧତା ଏବଂ ସୃଷ୍ଟିର ସକଳ ଘଟଣାପ୍ରତି ସକାରାତ୍ମକ ମନୋଭାବ ତାଙ୍କ ବ୍ୟକ୍ତିତ୍ବରେ ଭରିଦେଇଛି ଅଦୃଶ୍ୟ ଆକର୍ଷଣୀ ଶକ୍ତି| ମୁଁ ତାଙ୍କରି ସର୍ବବ୍ୟାପୀ ଚେତନାର ଏକ ସ୍ବୟଂସିଦ୍ଧ ପ୍ରକାଶକୁ ଦେଖିଆସିଛି ସର୍ବଦା|

ଦେବାଳୟରେ ପ୍ରବେଶକରି ସମସ୍ତେ ନିଜର ଆରାଧ୍ୟଙ୍କୁ ନିଜର ଇଚ୍ଛାନୁରୂପ ନିରାଜନା କଲାପରି ମନୋଜ ଦାସଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତିଟି ବ୍ୟକ୍ତିର ଅନୁଭବରେ ସ୍ବାତନ୍ତ୍ର ରହିଥିବା ସ୍ବାଭାବିକ| ମୁଁ ଅନେକ ବର୍ଷ ଧରି ତାଙ୍କୁ ଅନୁଭବ କରିଥିଲି ତାଙ୍କର ଲେଖା ମାଧ୍ୟମରେ| ତାଙ୍କ ଲେଖାରେ ପ୍ରକାଶ ପାଉଥିବା ତାଙ୍କର ଅନନ୍ୟ ସମ୍ବେଦନଶୀଳତା, ଚେତନାର ବ୍ୟାପ୍ତି, ସାଧାରଣ ନିତିପ୍ରତିଦିନର ଜୀବନ ସମ୍ବନ୍ଧରେ ତାଙ୍କର ଗଭୀର ଅନ୍ବେଷା ତୀକ୍ଷ୍ ଣ ମନସ୍ତାତ୍ତ୍ବକି ଅବବୋଧ ଓ ସଠିକ ଉପସ୍ଥାପନା ଶୈଳୀ ମୋ ମନରେ ନିଶ୍ଚିତ ଭାବରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ଜାତ କରାଇଥିଲା, ମାତ୍ର ତାଙ୍କ ସହିତ ପରିଚିତ ହେବାର, ତାଙ୍କୁ ପାଖରୁ ଜାଣିବାର ଆକାଂକ୍ଷା ସଜ୍ଞାନରେ କେବେ ବି ମୋ ଭିତରେ ଜାଗ୍ରତ ହୋଇ ନଥିଲା ସେତେବେଳେ|

ମୋର କକା କବି ଶ୍ରୀ ରବୀନ୍ଦ୍ର କୁମାର ପାଢୀଙ୍କ ଘର ପଣ୍ଡିଚେରୀରେ ହୋଇଥିବା ଦୃଷ୍ଟିରୁ ମୁଁ ତାଙ୍କୁ ମନୋଜ ଦାସଙ୍କ ସଂପର୍କରେ ପଚାରିବସେ ଅନେକ ସମୟରେ| ମୋର ଆଗ୍ରହକୁ ସେ ପ୍ରଶମିତ କରନ୍ତି ବେଶ୍ ସହୃଦୟତା ସହକାରେ| ସେ କହନ୍ତି “ମନୋଜ ବାବୁ ଜଣେ ଆନନ୍ଦଦାୟୀ ବ୍ୟକ୍ତିତ୍ବ| ତାଙ୍କ ପାଖରେ ନୀରବରେ ବସିବାରେ କି ଯେ ଆନନ୍ଦ ତାହା ଯେ ଜାଣେ ସେ ଜାଣେ|”‌ ମନୋଜ ଦାସଙ୍କ ସହ ହୋଇଥିବା ସାକ୍ଷାତକାରର paper cuttings ସେ ମୋ ପାଖକୁ ପଠାଉଥିଲେ| ଥରେ କଲିକତାରେ ମନୋଜ ବାବୁ ଶ୍ରୀ ଅରବିନ୍ଦଙ୍କର “ Essays on Gita” ଉପରେ ବକ୍ତୃତା ପ୍ରଦାନ କରୁଥାନ୍ତି| ସେଇ ଆଧ୍ୟାତ୍ମିକ ପରିମଣ୍ଡଳରେ ଅନୁଭୂତ ହେଉଥିବା ଦିବ୍ୟ ସ୍ପନ୍ଦନ ମୋତେ ବି ଛୁଇଁ ଯାଉଥାଏ କକାଙ୍କର ଚିଠି ମାଧ୍ୟମରେ | କକା ଚାଲିଗଲେ ଅସମୟରେ ୧୯୯୯ ମସିହାରେ|

୨୦୦୦ ରୁ ୨୦୦୧ ମଧ୍ୟରେ ମନୋଜ ଦାସଙ୍କୁ ପ୍ରସିଦ୍ଧ ‘ସରସ୍ବତୀ ସମ୍ମାନ’ ଓ ‘ପଦ୍ମଶ୍ରୀ’ ମିଳିଲା| ଖବର କାଗଜ, ଟେଲିଭିଜନ ସବୁଠି ତାଙ୍କର ନାମ | ଏଇ ସମୟରେ କେଉଁ ଏକ ଅଦୃଶ୍ୟ ଅନୁପ୍ରେରଣାରେ ମୁଁ ସ୍ଥିର କଲି ତାଙ୍କ ଉପରେ ଗବେଷଣା କରିବାକୁ Ph. D. ଡିଗ୍ରୀ ପାଇଁ | ମୋ ବିଷୟ ଇଂରାଜୀ ହୋଇଥିବା ହେତୁ ମୁଁ ଇଂରାଜୀରେ ତାଙ୍କର ଲେଖା ଓ ତାଙ୍କ ଉପରେ ଲିଖିତ ପ୍ରବନ୍ଧ, ସାକ୍ଷାତକାର ଆଦି ଯୋଗାଡ କରିବାକୁ ପ୍ରୟାସ କଲି ମାତ୍ର ସଫଳ ହେଲି ନାହିଁ|

ଦିନେ ମନକୁ ଆସିଲା ଯଦି ମନୋଜ ଦାସଙ୍କ ସହ ଯୋଗାଯୋଗ କରିବା ହୁଏତ ସେ ମୋତ ଉପାୟ ବତାଇବେ| ଭାବିବା ସହଜ ଥିଲା ସିନା କାମରେ କରିବା ବଡ ଦୁଷ୍କର ଲାଗିଲା|ଚିଠିଟିଏ ଲେଖିବି ବୋଲି କାଗଜ ଧରି ବସିଲି ତ କାଗଜ ବ୍ୟାପୀ ତାଙ୍କର ବିଶାଳ ବ୍ୟକ୍ତିତ୍ବର ଛାୟା ବ୍ୟାପିଗଲା| କିପରି ସମ୍ବୋଧନ କରିବି ? କିପରି କଥା ଆରମ୍ଭ କରିବି କେମିତି ବା ନିଜର ଏଇ କ୍ଷୁଦ୍ର ଆବଶ୍ୟକତାର ଫର୍ଦ୍ଦ ନେଇ ତାଙ୍କ ଭଳି ମଣିଷଜଣଙ୍କୁ ହଇରାଣ କରିବି, ଏଇ ଚିନ୍ତା ମତେ ବ୍ୟତିବ୍ୟସ୍ତ କରୁଥାଏ| ତଥାପି ସାହସ କରି ଚିଠିଟିଏ ଲେଖିଲି, ଉତ୍ତର ଆସିଲାନି| ମୋର ଜଣେ ବାନ୍ଧବୀ ସେଠାରେ ରହେ| ତାଠାରୁ ଟେଲିଫୋନ୍ ନମ୍ବର ଆଣି public booth ରୁ ତାଙ୍କୁ ଫୋନ୍ ଲଗାଇଲି| ସେପଟୁ ଭାସି ଆସିଲା ଯେଉଁ ବଜ୍ର ଗମ୍ଭୀର ସ୍ବର , ମୋର ମନେ ହେଲା ଏବେ ବୋଧହୁଏ ମୋର ଚେତା ବୁଡିଯିବ|ତା ପରେ କଣ ହେଲା ଜାଣେନି| ଯେପରି ଭିନ୍ନ ଏକ ଆବେଗ ମୋର ସାରା ସତ୍ତାକୁ ତା’ର ଅଧୀନ କରିନେଲା| ମୁଁ ତାଙ୍କୁ କ’ଣ କହିଲି, କ’ଣ କହୁଥିଲି ସେସବୁ ମୋର ଖିଆଲ ନଥିଲା| ହଠାତ୍ ତାଙ୍କର ନରମ ସ୍ବର ଶୁଣିଲି- ସେ ସ୍ବର ଏକ ବିଧୂର ସଂଗୀତ ପରି ମୋର ଚେତନା ବ୍ୟାପୀ ଏକ ବିଷାଦ ମଧୁର ରାଗିଣୀ ଖେଳାଇଦେଲା, ମୋର ଅନ୍ତରରେ ଭରିଦେଲା ସାଗରମୁଖିନତା, ଅନନ୍ୟ ଭାବର ଯେଉଁ ବ୍ୟାପ୍ତି, ମୁଁ ସ୍ବଚେତନାରେ ଅନୁଭବ କରୁଥିଲି ତାହା ମୋ ଜୀବନରେ ଏକ ପରିବର୍ତ୍ତନର ସଂକେତ ମତେ ଦେଉଥିଲା| ସେଇ ମୁହୂର୍ତ୍ତରୁ ମନୋଜଦାସ ମୋ ପାଇଁ ଆକାଶ ଓ ସାଗରର ରୂପାନ୍ତର ପାଲଟି ଗଲେ| ସେ ଅନୁଭବ ଏତେ ବଳିଷ୍ଠ ଥିଲା ଯେ ସାରା ରାତି ଆଖିର ପଲକ ପଡିଲା ନାହିଁ| ବିନିଦ୍ର ରଜନୀ ପୁହାଇ ପରଦିନ ପ୍ରଭାତୀ ସମୀରଣର ସ୍ପର୍ଶ ଯେତେବେଳେ ପାଇଲି ମନେ ହେଲା ଉଷାର ଏଇ ଆଦ୍ୟ କିରଣ ମୋର ଅନ୍ୟଥା ଧୂମିଳ ଜୀବନରୁ ସମସ୍ତ ଭ୍ରାନ୍ତି, ମିଥ୍ୟାର ସମସ୍ତ ଆବରଣ ଯେପରି ହଟାଇ ଦେଉଛି | ମନେ ହେଲା ଏଇମାତ୍ର ଏକ ଅଜଣା ପୁଲକରେ ପରିସ୍ନାତ ମୋର ସତ୍ତା ଯେପରି ପ୍ରବେଶ କରିଛି ଏପରି ଏକ ମନ୍ଦିରରେ ଯେଉଁଠି ଆତ୍ମାର ସ୍ବାଗତ ପାଇଁ ପ୍ରଭାତର ଉଦାସ ଆନନ୍ଦ ଛନ୍ଦରେ ରାଗ ଭୈରବୀ ବାଜି ଉଠୁଛି, ମୋ ହୃହୟର ଅଖଣ୍ଡ ଐକ୍ୟତାନ ସେଥିରେ ସାମିଲ ହୋଇଯାଉଛି|

ମନୋଜ ଦାସଙ୍କ ସହ ମୋର ପରିଚୟର ଆରମ୍ଭ ପର୍ବ ସେଇଠାରୁ| ପରେ ମୁଁ ତାଙ୍କୁ ଭେଟିଛି୤ ତାଙ୍କ ସଭାରେ ବସିରହି ନିବିଷ୍ଟ ଭାବରେ ଅପଲକ ତାଙ୍କୁ ଦେଖିଛି, ତାଙ୍କ ବତ୍କୃତାର ପ୍ରତିଟି ଶବ୍ଦକୁ ପ୍ରଶ୍ବାସର ପ୍ରାଣବାୟୁ ସହ ମୁଁ ମୋ ନିଜ ଭିତରକୁ ଶୋଷି ନେଇଛି| ଯେପରି ତାଙ୍କ ଦ୍ବାରା ଉଚ୍ଚାରିତ ସେଇ ସବୁ ଶବ୍ଦର ତରଙ୍ଗ ମୋର ବୋଧଗମ୍ୟତାର ସମସ୍ତ ବାଧା ଦୂରକରି ତାକୁ ପରିବ୍ୟାପ୍ତ କରିବ, ପରିମାର୍ଜିତ କରିବ | ନୀରବରେ ତାଙ୍କୁ ଶୁଣିବା ବି ବିଶେଷ ଉପଲବ୍ଧି ! ମଞ୍ଚ ଉପରେ ଯେତେବେଳେ ମନୋଜ ଦାସ କହୁଥାନ୍ତି ସେତେବେଳେ ସେ ମନେ ହୁଅନ୍ତି ନିଜର ବ୍ୟକ୍ତିତ୍ବର ପରିମଣ୍ଡଳରୁ ମୁକ୍ତ ଏକ ସର୍ବାବଗାହୀ ଚେତନା – ଆନନ୍ଦ, ଅମୃତ, ଶାନ୍ତି ର ପ୍ରତୀକ|

ମୁଁ ଥରଟିଏ ମାତ୍ର ପଣ୍ଡିଚେରୀ ଯାଇଥିଲି| ସେଠାରେ ପ୍ରତିଦିନ ମନୋଜ ଦାସଙ୍କ ଘରେ ୩/୪ ଘଣ୍ଟା ନିଶ୍ଚୟ ବିତାଉଥିଲି| ସେଇ ସ୍ବଳ୍ପ ରହଣୀ ମଧ୍ୟରେ ମୋର ପରିଚୟ ହୋଇଥିଲା ବିଦ୍ୟୁତ୍‌ଶିଖା ପରି ତେଜସ୍ବୀ ବ୍ୟକ୍ତିତ୍ବରେ ଅଭିସ୍ନାତ – ‘ଅପା’ଙ୍କ ସହ| ପ୍ରତିଜ୍ଞା ଅପା, ମନୋଜ ଦାସଙ୍କର ସହଧର୍ମିଣୀ| ସ୍ବକୀୟ ଗରିମାରେ ଏକ ସଂଭ୍ରାନ୍ତ କୌଳିନ୍ୟର ମହିମାରେ ମହିମାନ୍ବିତ ଅପାଙ୍କ ସହ ମୋର ସଖ୍ୟ ସ୍ଥାପନ ହୋଇ ପାରିଥିଲା – ତାଙ୍କର ହୃଦୟ ର ଯେଉଁ କମନୀୟ ଛବି ମୁଁ ମୋ ସ୍ମୃତିରେ ସାଇତି ରଖିଛି ତାହା ଚିର ଅମଳିନ ରହିଥିବ| ତାଙ୍କର ଏକାନ୍ତ ଆପଣାର ରୂପଟିକୁ ସେ ନିଃସଙ୍କୋଚରେ, ଉଦାରଭାବରେ ମୋ ଆଗରେ ଖୋଲିଦେଇ ପାରିଥିଲେ, ସେଥିପାଇଁ ମୋର ଆନନ୍ଦ ଓ କୃତଜ୍ଞତାର ଅନ୍ତ ନାହିଁ|

କେବେ କେବେ ଖୁବ୍ ଇଚ୍ଛାହୁଏ, ମୁଁ ଯଦି ପଣ୍ଡିଚେରୀରେ, ଆଶ୍ରମରେ ରହୁଥାନ୍ତି, ତେବେ ମନୋଜ ଦାସଙ୍କୁ, ଅପାଙ୍କୁ ଦେଖିବାର ସୌଭାଗ୍ୟ ମୋର ସବୁଦିନ ହେଉଥାନ୍ତା |ନିଶ୍ଚୟ କେବେ ନା କେବେ ମନୋଜ ଦାସଙ୍କ ଭିତରେ ମୁଁ ‘ସମୁଦ୍ର କୂଳର ଏକ ଗାଁ’ର ସେଇ ବାଳକଟିକୁ ଦେଖନ୍ତି ଯିଏ ଇନ୍ଦ୍ରଧନୁର ପ୍ରାନ୍ତ ଛୁଇଁବା ପାଇଁ ସାଗର ବେଳାରେ ଦଉଡି ଯାଇଥିଲା |ହାସ୍ୟରସର ଅପୂର୍ବ ଆସ୍ବାଦନରେ ପାଠକକୁ ମଜାଇ ପାରୁଥିବା ତାଙ୍କର କୌତୁକପ୍ରିୟ ସତ୍ତାଟିକୁ ‘ତୁମ ଗାଁ ’ କବିତାର କବିଙ୍କର ସେଇ ସ୍ବପ୍ନିଳ ଭାବମୟ ରୂପଟିକୁ ନିଶ୍ଚୟ କେବେ ନା କେବେ କୁଁ ଦେଖିପାରନ୍ତି ତ ! ମାତ୍ର ତାହାତ ହେବାରେ ନାହିଁ ସେଥିପାଇଁ ଅନୁଶୋଚନା ବି କାହିଁକି କରିବି ?

କବିଗୁରୁ ତ କହିଛନ୍ତି –

‘ଆମି ବହୁ ବାସନାୟ ପ୍ରାଣ୍ ପ୍ରଣେ ଚାଇ

ବଞ୍ଚିତ କରେ ବାଁ ଚାଲେ ମୋରେ

ଏ କ୍ରିପା କଠୋର ସଞ୍ଚିତ ମୋର ଜୀବନ ଭରେ |’

ଯାହା ସେ ଦେଇ ନାହାନ୍ତି ତାହା ପାଇବାର ଅଧିକାର ମୋର ନାହିଁ| ଯାହା ସେ ଦେଇଛନ୍ତି ତାହାର ଯୋଗ୍ୟ ହୋଇ ନପାରିଲେ ବି ମୁଁ ବଞ୍ଚିତ ହୋଇ ରହିଥିବି|

ଜୀବନର ରହସ୍ୟାଚ୍ଛନ୍ନତା ଭିତରେ ଆଲୋକର ପଥଟିଏ ଖୋଜି ପାଇବାକୁ ମୋର ପ୍ରଚେଷ୍ଟାର ସୋପାନ କ୍ରମରେ ଭଗବାନ ମୋତେ ମନୋଜ ଦାସଙ୍କ ସାଥିରେ ସଂସ୍ପର୍ଶରେ ଆସିବର ସୁଯୋଗ ଦେଇଛନ୍ତି| ସେ ଆଶିଷର ଅମୃତ ଧାରାକୁ ଗ୍ରହଣ କରିବାର ଯୋଗ୍ୟତା ମୋର ଅଦ୍ୟାବଧି ଆସିନାହିଁ |ନିଜର ଅଜ୍ଞତା ଓ ଅବୋଧ୍ୟତାର ସୀମାହୀନ ଦୃଷ୍ଟାନ୍ତ ନେଇ ମୁଁ ନିଜକୁ ଉପସ୍ଥାପିତ କରିଛି ମନୋଜ ଦାସଙ୍କ ସମ୍ମୁଖରେ | ତାଙ୍କର ଉଦାର, ସ୍ନେହସ୍ନିଗ୍ଧ ଅନ୍ତରର ସ୍ପର୍ଶରେ ସେ ମାଳିନ୍ୟ ଛାଏଁ ଛାଏଁ ଦୂର ହୋଇଯାଏ| ତାଙ୍କ ସହିତ ମୋର ସଂପର୍କ ସୀମାହୀନ ପଥଟିଏ ପରି ଲମ୍ବିଚାଲେ ଆଗକୁ ଆଗକୁ | ଯେଉଁ ପଥ ଧାରରେ ଚାଲୁ ଚାଲୁ ଜୀବନର ପୁଲକ ଓ ମହକରେ ଅଭିସିଞ୍ଚିତ ହୋଇଯାଏ ମୋର ପ୍ରତିଟି ମୁହୂର୍ତ୍ତ – ଯେଉଁଠି ସ୍ବପ୍ନମୟତା ଇନ୍ଦ୍ରଧନୁଟିଏ ଆଙ୍କିଦିଏ ମୋ ରାସ୍ତାର ଏପାଖୁ ସେପାଖ | ଯେଉଁଠି ଅନ୍ଧ ସଂଶୟ ଓ ସଂସାର ଜଞ୍ଜାଳର ଡରାଣ ହାର୍ ମାନେ, ଯେଉଁଠି ଅନ୍ତରର ଅଭୀପ୍ସା ଓ ହୃଦୟର ଆକୁଳତା ରାକ୍ଷୀ ବାନ୍ଧିଦିଏ ଆନନ୍ୟ୍ତର ପ୍ରସାରିତ ହସ୍ତରେ |


About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.