Dr Manmath Nath Das
ମୋ ସାନଭାଇ ମନୋଜ
ପ୍ରଫେସର୍ ମନ୍ମଥନାଥ ଦାସ
ନିଜ ସାନଭାଇ ବିଷୟରେ କିଛି ଲେଖିବା ବୋଧହୁଏ ସମୀଚୀନ ନୁହେଁ ତଥାପି ଲେଖିବା ପାଇଁ ବାଧ୍ୟ ହେଲି କାରଣ, ‘ଅଧୁନା’ର ସୌଜନ୍ୟ ସମ୍ପାଦକ ଶ୍ରୀ ଅଭୟ ସିଂହଙ୍କର ସୌଜନ୍ୟପୂର୍ଣ୍ଣ ଅନୁରୋଧ ପ୍ରତ୍ୟାଖ୍ୟାନ କରିବା ସମ୍ଭବପର ହେଲା ନାହିଁ କିନ୍ତୁ କ’ଣ ଲେଖିବି ?
ମନୋଜ ମୋଠାରୁ ବୟସରେ ଦଶବର୍ଷ ସାନ ତାର ଜନ୍ମକାଳ କଥା ମନେଅଛି ଜ୍ୟୋତିଷ ଆସି ଛୁଆଟିକୁ ଦେଖିବାବେଳେ ତା’ହାତ ଦୁଇଟି ମେଲା ଥାଏ ବାବା ହସି ହସି କହୁଥାନ୍ତି, ଏହା ହାତରେ ବୋଧହୁଏ କିଛି ରହିବ ନାହିଁ ସେ ଉତ୍ତରଦେଲେ, କେବଳ ଅର୍ଥ ଦାନ କରିବ ନାହିଁ, ପରମାର୍ଥ ଦାନ କରିବ
ଭବିଷ୍ୟବାଣୀ କିମ୍ବା ଜ୍ୟୋତିଷଶାସ୍ତ୍ର ଉପରେ ବିଶ୍ବାସ କରିବା ବିଜ୍ଞାନସମ୍ମତ ନୁହେଁ ହୁଏତ ଛୁଆର ହାତ ଦୁଇଟି ଖୋଲା ଦେଖି ଏପରି ମତ ଦେବା ସ୍ବାଭାବିକ ଗାଁ ଗଣ୍ଡାରେ ଏ ଥିଲା ଗୋଟିଏ ମାମୁଲି କଥା କିନ୍ତୁ, ଆଜି ବାସ୍ତବ ଜୀବନରେ ମୋ ଭାଇର କିପରି ପରିଚୟ ମୁଁ ପାଉଛି? ଅଳ୍ପଦିନ ତଳେ ସେ ସାରଳା ପୁରସ୍କାର ପାଇଲା ନଗଦ ଦଶ ହଜାର ଟଙ୍କା ଗଲାବେଳେ ମା’ଙ୍କ ପାଖରେ କହିଗଲା ପଣ୍ଡିଚେରୀରେ ପହଞ୍ଚିଲା ମାତ୍ରେ ସେ ଟଙ୍କା ଆଶ୍ରମକୁ ଦାନ କରିଦେବ ଅତୀତରେ ଯେତେ ପ୍ରକାର ପୁରସ୍କାର ପାଇଛି ସବୁ ଦାନ କରି ଦେଇଛି ଅଥଚ, ମୋ ପାଖରୁ ପୁରୁଣା ଧୋତି କିମ୍ବା ସାର୍ଟ ଖଣ୍ଡିଏ ଆଗ୍ରହରେ ନେଇ ମଧ୍ୟେ ମଧ୍ୟେ ନିଜର ବ୍ୟକ୍ତିଗତ ଅଭାବ ସେ ମେଣ୍ଟାଇଥାଏ
ଆଜିର ଆହରଣଶୀଳ ସମାଜରେ ଯେଉଁ ପ୍ରକାର ଆହରଣ ପାଇଁ ମନୁଷ୍ୟର ମନ ବ୍ୟାକୁଳ ହୋଇଉଠିଛି, ସେହି ସମୟ ଓ ସମାଜରେ ଏପରି ମନୋଭାବ ପୋଷଣକରିବା ବୋଧହୁଏ ଗୋଟିଏ ପ୍ରକାର ଅସ୍ବାଭାବିକ ଚରିତ୍ରର ପରିଚୟ ଦିଏ ଅର୍ଥର ଦୁଇଟି ରୂପ, ଭୋଗ ଓ ତ୍ୟାଗ ଆମେ ଅଧିକାଂଶ ମନୁଷ୍ୟ ଅର୍ଥ ଭୋଗକରି ଆନନ୍ଦ ପାଉଥିବା ବେଳେ ମନୋଜପରି ଅତି ଅଳ୍ପ ସଂଖ୍ୟକ ବ୍ୟକ୍ତି ଅର୍ଥ ତ୍ୟାଗଦ୍ବାରା ଆନନ୍ଦ ପାଆନ୍ତି ଏହା ଗୋଟିଏ ପ୍ରକାର ବିଶେଷତ୍ବ
ଯେଉଁମାନେ ସଂସାରତ୍ୟାଗୀ ସେମାନଙ୍କ ପକ୍ଷରେ ଏପରି ନିର୍ଲୋଭ ହେବା ଅସମ୍ଭବ ନୁହେଁ କିନ୍ତୁ ଯେପରି ବ୍ୟକ୍ତିର ପ୍ରଭାବରେ ମୋ’ପରି ସାଂସାରିକ ବିଷୟାସକ୍ତ ଭାଇର ମଧ୍ୟ ବୈଷୟିକ ବିପର୍ଯ୍ୟୟ ଘଟିବା ବିଚିତ୍ର ନୁହେଁ ଗତ ଏପ୍ରିଲ ମାସର କଥା ମନୋଜ ଭୁବନେଶ୍ବର ଆସିଥାଏ, ଶ୍ରୀ ଅରବିନ୍ଦଙ୍କ ‘ସାବିତ୍ରୀ’ ଉପରେ ତିନୋଟି ବକ୍ତୃତା ଦେବାପାଇଁ ସେତିକିବେଳେ ବିଦେଶରେ କୌଣସି ବିଶ୍ବବିଦ୍ୟାଳୟରେ ଗୋଟିଏ ଭଲ ଚାକିରୀ ପାଇଁ ମୋତେ ଡ଼ାକ ଆସିଥାଏ ସାନଭାଇକୁ ଆନନ୍ଦରେ କହିଲି, ‘ମୋର ଚାକିରି କାଳ ଶେଷ ହୋଇ ଆସିଲାଣି ଆମ ବିଶ୍ବବିଦ୍ୟାଳୟ ଅଧ୍ୟାପକ ମାନଙ୍କ ପେନ୍ସନ୍ ନାହିଁ ଘର ପାଖରେ ପୈତୃକ ସଂପତ୍ତି ଲୋପ ପାଇଆସିଲାଣି ଭବିଷ୍ୟତରେ ଚଳିବି କିପରି? ଯଦି ବିଦେଶରେ ମାତ୍ର ଦୁଇଟି ବର୍ଷ ଚାକିରି କରିବି ସବୁ ଖର୍ଚ୍ଚ ସତ୍ତ୍ବେ ଯେତିକି ଟଙ୍କା ସଞ୍ଚୟ କରିପାରିବି ତା ସୁଧରେ ମୁଁ ଓ ମୋ ପରେ ମଧ୍ୟ ସମସ୍ତେ ଆନନ୍ଦରେ ଚଳିବେ ସୁତରାଂ ମୁଁ ଦୁଇଟି ବର୍ଷପାଇଁ ବିଦେଶ ଯାଉଛି ଇଚ୍ଛାକଲେ ପାଞ୍ଚବର୍ଷ ରହିପାରିବି’ ଉତ୍ତରରେ ମନୋଜ ପାଖରୁ ଏତିକି କଥା ଶୁଣିଲି: ‘ଗୋଟିଏ ପାଖରେ ଲକ୍ଷେ ଦୁଇଲକ୍ଷ ଟଙ୍କା ଓ ଟଙ୍କାର ସୁଧ, ଅନ୍ୟ ପାଖରେ ତୁମର ଅଶୀଟି ବର୍ଷର ବୃଦ୍ଧା ମା’, ଚାରୋଟି ଦୁଗ୍ଧପୋଷ୍ୟ ନାତିନାତୁଣୀ ଟଙ୍କା ଆଗରେ ବୋଧହୁଏ ଏମାନଙ୍କର ଆତ୍ମାର ମୂଲ୍ୟ କିଛି ନାହିଁ ସମସ୍ତଙ୍କୁ ଛାଡ଼ି ବିଶେଷତଃ ନିଜର ଦେଶ ଛାଡ଼ି ବିଦେଶରେ ଅର୍ଥ ଉପାର୍ଜନ କଥା ଚିନ୍ତା କରିବା ମଧ୍ୟ ଅନ୍ୟାୟ’ ଅନେକ ସମୟ ଆଲୋଚନା ଚାଲିଲା ଶେଷରେ ଶେଷ ଉପଦେଶ ମିଳିଲା- ମୁଁ ଯାଇପାରିବି ନାହିଁ
ଅନେକ ଆଶା କରିଥିଲି ଶେଷରେ ନିରାଶ ହେଲି ଘନିଷ୍ଟ ହିତାକାଂକ୍ଷୀମାନେ କହିଲେ, ଜଣେ ସଂସାରତ୍ୟାଗୀ ଭାଇର କଥାରେ ଏପରି ସୁଯୋଗଟିଏ ହରାଇବସିବା ନିର୍ବୋଧତା ଛଡ଼ା ଆଉ କିଛି ନୁହେଁ ହୁଏତ ନିର୍ବୋଧତା କିନ୍ତୁ ବୃହତ୍ତର ମାନବିକ ମୂଲ୍ୟବୋଧ ଦୃଷ୍ଟିରୁ ସାନଭାଇର ଉପଦେଶ ପାଳନ କରି ଯେଉଁ ଶାନ୍ତି ପାଇଲି ତାହା ସହିତ ଟଙ୍କାର ମୂଲ୍ୟ ତୁଳନା କରିବା ଚରମ ନିର୍ବୋଧତା
ମନୋଜର ଲେଖା ଉପରେ କୌଣସି ମତ ଦେବାପାଇଁ ମୋର ଶକ୍ତି ନାହିଁ କାରଣ, ତା’ର ଲେଖା ମୁଁ ଅଳ୍ପ ସ୍ବଳ୍ପ କେବେ କେବେ ପଢ଼ିଛି ସେତିକି ପୁଣି ମନୋଯୋଗ ସହକାରେ ନୁହେଁ ମୋର ଝିଅ ସଂଘମିତ୍ରା ତା କକାଙ୍କ ଲେଖାଗୁଡ଼ିକ ମନଦେଇ ପଢ଼େ ଲେଖାର ମର୍ମ ବୁଝେ ଗୋଟିଏ ଗୋଟିଏ ଗଳ୍ପର ତାତ୍ପର୍ଯ୍ୟ ମୋତେ ମଧ୍ୟେ ମଧ୍ୟେ ଶୁଣାଇଥାଏ ଗଳ୍ପପଢ଼ିବା ପାଇଁ ମୋର ବିଶେଷ ଆଗ୍ରହ କେବେହେଲେ ନାହିଁ ସାହିତ୍ୟ ଚର୍ଚ୍ଚାର ସୁବିଧା ସୁଯୋଗ ଜୀବନରେ ଘଟିନାହିଁ ତେଣୁ ଏ ବିଷୟରେ ଆଗ୍ରହ କେବେହେଲେ ନାହିଁ ତେଣୁ ଏ ବିଷୟରେ ମତାମତ ଦେବା ସମ୍ଭବ ନୁହେଁ କେବଳ ଗୋଟିଏ କଥା ଲେଖିବାକୁ ଇଚ୍ଛା ହେଉଛି ମୋର କଥା ନୁହେଁ, ଅନ୍ୟ ଜଣଙ୍କର
ଦିନେ କଲିକତାରୁ ବିମାନ ଯୋଗେ ଦିଲ୍ଲୀ ଯାଉଥିଲି ମୋ ପାଖ ସିଟ୍ରେ ବସିଥିଲେ ଜଣେ ଉଚ୍ଚପଦସ୍ଥ ସାମରିକ କର୍ମଚାରୀ ହାତରେ ତାଙ୍କର ପୁଳାଏ ଇଂରାଜୀ ପତ୍ରପତ୍ରିକା ସେସବୁ ଉପରେ ମୋର ସତୃଷ୍ଣ ଦୃଷ୍ଟି ପଡ଼ିଲା କିନ୍ତୁ ପଢ଼ିବା ପାଇଁ ମାଗିବାକୁ ସାହାସ ହେଲା ନାହିଁ ତା ମଧ୍ୟରେ କୌଣସିଟିରେ ପ୍ରକାଶିତ ଗଳ୍ପଟିଏ ସେ ଆଗରୁ ପଢ଼ିଦେଇଥିଲେ କାଗଜଗୁଡ଼ିକ ନିଜର ବ୍ୟାଗ୍ ଭିତରେ ରଖିସାରି କଥା ପ୍ରସଙ୍ଗରେ ସେହି ଗଳ୍ପଟି କଥା କହିବାକୁ ଲାଗିଲେ (Laughing General) ହାସ୍ୟରତ ଜେନେରାଲ୍, କହିବାକୁ ଲାଗିଲେ, ‘ ମୁଁ ଗଳ୍ପ ପଢ଼ିବାକୁ ଭଲ ପାଏନା, ପଢ଼େମଧ୍ୟ ନାହିଁ ଜଣେ ସେନାଧ୍ୟକ୍ଷଙ୍କ ଉପରେ କାହାଣୀଟିଏ ଲେଖାଯାଇଛି ବୋଲି ମନଦେଇ ପଢ଼ିଲି ପଢ଼ିଗଲି, କେବଳ ବର୍ଣ୍ଣନା ଚାଳିଛି ସେନାପତିଙ୍କ ଘର ଆଗ ବଗିଚା କିମ୍ବା ତାଙ୍କ କୁକୁର୍ କିମ୍ବା ତାଙ୍କର ନିଶ ଇତ୍ୟାଦିର ବର୍ଣ୍ଣନା ପଢ଼ି ପଢ଼ି ଭଲ ଲାଗିଲା ନାହିଁ ଭାବିଲି, ଗଳ୍ପର ଅର୍ଥ କ’ଣ ? ତଥାପି ଶେଷ ପର୍ଯ୍ୟନ୍ତ ପଢ଼ିଗଲି ଯେତେବେଳେ ଶେଷ ପାରାଗ୍ରାଫ୍ଟି ଆସିଗଲା ସେତେବେଳେ ଅକସ୍ମାତ୍ ମନ ଭିତରେ ଦୁଃଖ ଅନୁଭବ କଲି ତା’ମଧ୍ୟରେ ଯେଉଁ ଗଭୀର ଦର୍ଶନ ଟିକକ ଲୁଚି ରହିଥାଏ ତା’ର ପ୍ରଭାବ ମନମଧ୍ୟରେ ରହିଯିବ ତେଣୁ, ଗଳ୍ପଟିର ମହତ୍ତ୍ବ ତା’ର ଶେଷ ଧାଡ଼ିଗୁଡ଼ିକରେ ହିଁ ବୁଝିବାକୁ ପାଇଲି ସାରା କାହାଣୀଟି ପୁଣିଥରେ ପଢ଼ିଲି ଏଥର କେଡ଼େ ଭଲ ଲାଗିଲା ଏପରି କାହାଣୀ କେବଳ କାହାଣୀ ନୁହେଁ ଯେ ଜଣେ ପଢ଼ିସାରି ଭୁଲିଯିବ କିମ୍ବା କେବଳ ଗଳ୍ପ ଆକାରରେ ମନେ ରଖିବ ବିଶେଷତ୍ବ ରହିଛି କାହାଣୀର ଦର୍ଶନ ମଧ୍ୟରେ ଅନେକ ଦିନପାଇଁ ପାଠକର ମନ ଭାରାକ୍ରାନ୍ତ ହୋଇ ରହିଥିବ
ସେ ଅନେକ କଥା କହିଗଲେ ସଂକ୍ଷିପ୍ତ କାହାଣୀଟିଏ ମନରେ ଏପରି ଭାବ ଉଦ୍ରେକ କରିପାରେ ! ଲେଖକଙ୍କ ନାମ ତାଙ୍କ ପାଖରୁ ଶୁଣିଲି ମନୋଜ ଦାସ ମୁଁ ଗର୍ବରେ କହିଲି, ସେ ମୋର ସାନ ଭାଇ ସେ ପଚାରିଲେ, ତାଙ୍କର ଗଳ୍ପବହି କେଉଁଠି ପାଇବି? ସନ୍ତୋଷଜନକ ଉତ୍ତର ଦେଇ ନପାରି ମୁଁ ଲଜ୍ଜିତ ହେଲି
ଅନେକ ଦିନ ଆଗେ ଥରେ ଜଣେ ପରିଚିତ ରାଜନୀତିଜ୍ଞ ମୋ ପାଖରେ ଆପତ୍ତି କଲେ, ମନୋଜ ଶେଷରେ ଆମର ଟୋପି ଉପରେ ଗଳ୍ପ ଲେଖିଲା ଏବଂ ଟୋପିଟିକୁ ପୁଣି ମାଙ୍କଡ଼ ହାତରେ ଧରାଇଦେଲା ତା’ପରେ ଗଳ୍ପଟି ମୋତେ ଶୁଣାଇଲେ ମୁଁ କହିଲି, ଆପଣ ଜଣେ ନିସ୍ବାର୍ଥପର ସାଧାରଣ କର୍ମୀ ଯେଉଁ ଟୋପି କଥା ଲେଖାଯାଇଛି ସେ ତ ଜଣେ ମହାନ୍ ନେତାଙ୍କ ଟୋପି-ପଦବୀ, ଅର୍ଥ ଓ କ୍ଷମତାର ଟୋପି ତେଣୁ, ଆପଣଙ୍କର ଏଥିରେ ଦୁଃଖକରିବାର କିଛି କାରଣ ନାହିଁ ଆପଣଙ୍କର ଟୋପିଟିକୁ ମାଙ୍କଡ଼ କେବେ ହେଲେ ସ୍ପର୍ଶ କରିପାରିବ ନାହିଁ ଏକଥା ମନୋଜକୁ ନିଶ୍ଚୟ ଜଣାଥିବ ସେ ତୃପ୍ତ ହେଲେ
ମନୋଜର ଗୋଟିଏ ପ୍ରକାର ଲେଖା ମୁଁ ନିୟମିତ ପଢ଼ିଥାଏ, ‘ସନ୍ଧାନ ଓ ସମୀକ୍ଷା’ ସେଗୁଡ଼ିକ ଗଳ୍ପ ନୁହେଁ କିନ୍ତୁ ପ୍ରତ୍ୟେକଟି ସଂକ୍ଷିପ୍ତ ରଚନାରେ ରହିଥାଏ ଜ୍ଞାନ ଓ ତିର୍ଯ୍ୟକ ରୀତିରେ ପରିବେଷିତ ହୋଇଥିବା ଭାବାର୍ଥ ସେଗୁଡ଼ିକ ସଂଗ୍ରହ କରି ପ୍ରକାଶ କରିବାପାଇଁ ମନୋଜକୁ ଥରେ ଦୁଇଥର କହିଛି
ବାଲେଶ୍ବର ଜିଲ୍ଲା ସ୍କୁଲରେ ମାଟ୍ରିକ୍ୟୁଲେସନ୍ ପଢ଼ିବା ସମୟରୁ ମନୋଜ ନିୟମିତ ରୂପେ ଲେଖାଲେଖି ଆରମ୍ଭ କରିଥାଏ ପଢ଼ାପଢ଼ିରେ ମନ ନ ଦେଇ ଏପରି କଳ୍ପନା ବିଳାସରେ ମାତିବା ଉଚିତ ନୁହେଁ ବୋଲି ମୁଁ ବାରମ୍ବାର ବିରକ୍ତ ହେଉଥାଏ ଜାଣିନଥିଲି, ଜନ୍ମଗତ କଳା ରୂପେ ଯେଉଁ ପ୍ରତିଭାଟି ମନୁଷ୍ୟର ନିଜସ୍ବ, ତାହା ଜୀବନର ପ୍ରଥମାବସ୍ଥାରୁ ହିଁ ବିକଶିତ ହୋଇ ଉଠିବ ଏବଂ କ୍ରମେ କ୍ରମେ ମାର୍ଜିତ ଆକାର ଧାରଣ କରିବ ଏଠାରେ ଗୋଟିଏ କଥା କହିବାକୁ ଇଚ୍ଛା ହେଉଛି ଜଣେ ଲେଖକରୂପେ ସେ ଯେକୌଣସି ଅବସ୍ଥାରେ ଲେଖି ପାରିଥାନ୍ତା ନିଜ ଅଧ୍ୟାପକ ଜୀବନରେ କିମ୍ବା ବାମପନ୍ଥୀ ରାଜନୈତିକ ଭୂମିକାରେ ଲେଖନୀ ବନ୍ଦ ହେବାର କାରଣ ନ ଥାନ୍ତା, କିନ୍ତୁ ମନୋଜର ବ୍ୟକ୍ତିଗତ ଜୀବନରେ ଦୁଇଟି ପରିବର୍ତ୍ତନ ମୋତେ ଉଣା ଅଧିକ ଆଶ୍ଚର୍ଯ୍ୟାନ୍ବିତ କରିଛି ପ୍ରତ୍ୟେକ ମନୁଷ୍ୟ ଜୀବନରେ ଏପରି ପରିବର୍ତ୍ତନ ଘଟିବା ଅପ୍ରାକୃତିକ ନୁହେଁ ତା ସତ୍ତ୍ବେ, କାହିଁକି ଓ କିପରି ଅବସ୍ଥାରେ ପରିବର୍ତ୍ତନ ଘଟେ ସେ କଥା ଜାଣି ହୁଏନାହିଁ ବୋଲି ଆଶ୍ଚର୍ଯ୍ୟ ହେବାକୁ ହୁଏ
ଦିନକର କଥା ମୁଁ ସେତେବେଳେ ଫକୀରମୋହନ କଲେଜର ଅଧ୍ୟାପକ, ମନୋଜ ବି.ଏ. କ୍ଲାସର ଛାତ୍ର ଗ୍ରୀଷ୍ମ ଛୁଟିରେ ଆମେ ଘରକୁ ଯାଇଥାଉ ଅଗମ୍ୟ ଗ୍ରାମାଞ୍ଚଳ କିନ୍ତୁ ପରିବେଶ ଶାନ୍ତିପୂର୍ଣ୍ଣ ବାବା ସେତେବେଳେ ଘର ଆଗରେ ଗୋଟିଏ ଛୋଟିଆ ମନ୍ଦିର ତିଆରି କରିବେ ବୋଲି ଯୋଜନା କରୁଥିଲେ ରାତି ଆସିଯାଇଥାଏ ଅନ୍ଧକାର ମଧ୍ୟରେ ଘର ବାରଣ୍ଡାରେ ସେ ତାଙ୍କ ଦୋଳିଟିରେ ବସିଥାନ୍ତି ପାଖରେ ଖଣ୍ଡିଏ ବେଞ୍ଚ୍ ଉପରେ ମନୋଜ ବସି ରହି ତାଙ୍କ ପ୍ରତି ଦୀର୍ଘ ଉପଦେଶ ଦାନ କରିଚାଲିଥାଏ ବିନା ପ୍ରତିବାଦରେ ନୀରବ ଶ୍ରୋତା ରୂପେ ସେ ଶୁଣୁଥାନ୍ତି ମୁଁ ସେମାନଙ୍କ ଅଲକ୍ଷ୍ୟରେ ଘର ଭିତରେ ବସି ମନୋଜର ବକ୍ତବ୍ୟ ଶୁଣୁଥିଲି
କଥାର ସାରାଂଶ ଥାଏ ଭଗବାନ ନାହାନ୍ତି ଅଛନ୍ତି ବୋଲି କୌଣସି ପ୍ରମାଣ ନାହିଁ ତାଙ୍କ ଉପରେ ବିଶ୍ବାସ ରଖିବା ଅଜ୍ଞତା ଓ ତାଙ୍କ ଉଦ୍ଦେଶ୍ୟରେ ପୂଜା ପ୍ରାର୍ଥନା ଇତ୍ୟାଦି କରିବା ଅଧିକତର ମୂର୍ଖାମୀ
ଜଣେ ନାସ୍ତିକ ଯୁବକରୂପେ ଅନେକ ପ୍ରକାର ଯୁକ୍ତି ତର୍କ ଦ୍ବାରା ସେ ସରଳ ବୃଦ୍ଧ ପିତାଙ୍କ ମନରେ ଏପ୍ରକାର କୁପ୍ରଭାବ ସୃଷ୍ଟି କରୁଛି ଦେଖି ମୁଁ ବିରକ୍ତ ହୋଇ ଉଠିଲି ସେ ଚାଲିଯିବା ପରେ ମୁଁ ଦୁଆରକୁ ଆସି ସେହି ବେଞ୍ଚ୍ ଉପରେ ବସି ଚିନ୍ତାମଗ୍ନ ବାପାଙ୍କ ପ୍ରତି ମୋର ବକ୍ତବ୍ୟ ପେସ୍ କଲି କହିଲି, ଆପଣ ବିନା ଆପତ୍ତିରେ ତା କଥାଗୁଡ଼ିକୁ ଶୁଣୁଥିଲେ କିପରି ? ତାକୁ ପଚାରିଲେ ନାହିଁ, ଯଦି ମନୁଷ୍ୟର ଆତ୍ମାବୋଲି ଗୋଟିଏ କିଛି ଅଛି ଯାହାକୁ କେହି ଦେଖିପାରନ୍ତି ନାହିଁ କିନ୍ତୁ ଉପଲବ୍ଧି କରି ପାରନ୍ତି, ପରମାତ୍ମା ବୋଲି ଏକ ମହାନ୍ ଶକ୍ତି ନ ରହିବେ କାହିଁକି ?
ଅଠେଇଶ ବର୍ଷ ଆଗର କଥା ସେତେବେଳେ ମନୋଜ ସଂପୂର୍ଣ୍ଣ ନାସ୍ତିକ ଏବଂ ମୁଁ ପ୍ରଗାଢ଼ ଈଶ୍ବରବିଶ୍ବାସୀ, ଆସ୍ତିକ କିନ୍ତୁ ଆଜି ଜୀବନର ଅପରାହ୍ନରେ ମୁଁ ସଂପୂର୍ଣ୍ଣ ନାସ୍ତିକ, ଅଥଚ ସେ ଜଣେ ପରମ ଆଧ୍ୟାତ୍ମବାଦୀ ଆସ୍ତିକ ଅତି ନଗଣ୍ୟ କ୍ଷୁଦ୍ର ଗୋଟିଏ ସାଧାରଣ ମନୁଷ୍ୟର ଅଜ୍ଞତା ମଧ୍ୟରେ ମୋର ଆତ୍ମପ୍ରତ୍ୟୟହେଲା ଯଦି ମନୁଷ୍ୟର ଯେକୌଣସି ପ୍ରକାର ଦୁଃଖ କିଞ୍ଚିତ୍ ମାତ୍ରାରେ ଲାଘବ କରିବା ପାଇଁ ଦୟାମୟ ସର୍ବଶକ୍ତିମାନ୍ ପରମେଶ୍ବରଙ୍କର କିଞ୍ଚିତ୍ମାତ୍ର ଦୟା କିମ୍ବା ଶକ୍ତି ନାହିଁ, ଜଡ଼ବାଦୀ ଜଣେ ସ୍ବାର୍ଥପର ମନୁଷ୍ୟରୂପେ ମୁଁ କାହିଁକି ସେହି ଅସହାୟ ଈଶ୍ବରଙ୍କ ଉପରେ ଆସ୍ଥା ରଖିବି ଏବଂ ପୂଜା ଆରାଧନା ଓ ପ୍ରାର୍ଥନା ଉପାସନା ଦ୍ବାରା ଆତ୍ମ ପ୍ରବଞ୍ଚନାର ଆଶ୍ରୟ ନେବି ମୁଁ କାହିଁକି ନିରୀଶ୍ବରବାଦ ଓ ନାସ୍ତିକତାରେ ବିଶ୍ବାସ ରଖିଲି ସେ କଥା ମୋତେ ଜଣା ସେ କାହିଁକି ଏପରି ଚରମ ଆସ୍ତିକତାର ଆଶ୍ରୟ ନେଲା ତାହା ସେ ଜାଣେ ମୁଁ କେବଳ କହୁଛି ତା’ର ପରିବର୍ତ୍ତନ କଥା
ଠିକ୍ ସେହିପରି, ଏକଦା ମନୋଜକୁ ଦେଖିଥିଲି ଜଣେ ଉଦୀୟମାନ ବାମପନ୍ଥୀ ତଥା ମାର୍କସ୍ବାଦୀ ରୂପରେ ଓଡ଼ିଶାର ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ଆସିଯାଉଥିଲା ପ୍ରଗତିମୂଳକ ଚିନ୍ତାଧାରା, ଅବିରତ ଲେଖାଲେଖି ଓ କର୍ମତତ୍ପରତା ମଧ୍ୟରେ ଭବିଷ୍ୟ ଭୂମିକା ପାଇଁ ପ୍ରସ୍ତୁତି ଚାଲିଥାଏ ପ୍ରେସ୍ଟିଏ ବସାଗଲା ସହକର୍ମୀ ମାନଙ୍କର ଅଭାବ ନଥାଏ ତେଣେ ଜଣେ ଚିନ୍ତାଶୀଳ ଅଧ୍ୟାପକ ରୂପେ ଛାତ୍ରସମାଜରେ ସୁନାମ ଅର୍ଜନ ହେଲାଣି ଅକସ୍ମାତ୍ ଏହି ପ୍ରକାର ଭୂମିକା ଉପରେ ପୂର୍ଣ୍ଣଛେଦ ପଡ଼ିଲା କର୍ମଭୂମି କଟକରୁ ସେ ଚାଲିଲା ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମ
କାହିଁକି ଏପରି ପରିବର୍ତ୍ତନ ଆସିଲା ସେ ପ୍ରଶ୍ନର ଉତ୍ତର ଜାଣିବା ସମ୍ଭବ ନୁହେଁ ସେଠାରେ ଦୀର୍ଘ ଚାଳିଶି ବର୍ଷ ବିତିଗଲାଣି ସେହି ସମୟ ମଧ୍ୟରେ ସେ ନିଜସ୍ବ ପ୍ରତିଭାଟିକୁ ବିକଶିତ କରିପାରିଛି ମନୋଜର ଲେଖନୀ ଯଦି ଅନେକଙ୍କ ମନପ୍ରାଣରେ ରେଖାପାତ କରିପାରୁଛି ତାହାଠାରୁ ଅଧିକତର ଗର୍ବ ଓ ଗୌରବର ବିଷୟ ମୋ ପକ୍ଷରେ ଅନ୍ୟକିଛି ଥାଇ ନ ପାରେ