Loading...

Dr. Harekrushna Mahatab

Dr. Harekrushna Mahatab

ଭାରତ ସ୍ବାଧୀନତା ଲାଭ କଲାବେଳେ ଏ ଲେଖକ ବୟସର ଏପରି ଏକ ପର୍ଯ୍ୟାୟରେ ପହଞ୍ଚିଥିଲା; ଯେତେବେଳେ ସ୍ବାଧୀନତାର ଆନୁସଙ୍ଗିକ ସମସ୍ୟାବଳି ସଂପର୍କରେ ସଚେତନ ହେବା ସମ୍ଭବ ନୁହେଁ, ଅଥଚ ଘଟଣା ନିହିତ ଆଶାବାଦ ଓ ଆଦର୍ଶରେ ଅନୁ ପ୍ରାଣିତ ହେବା ସ୍ବାଭାବିକ୤

ସେତିକିବେଳେ, ସ୍ବାଧୀନତାର ପ୍ରାକ୍‌କାଳରେ ଶ୍ରୀଯୁକ୍ତ ମହତାବଙ୍କୁ ପ୍ରଥମ ଥର ଦେଖିଥିଲି୤ ଉତ୍ତର ବାଲେଶ୍ବରର ବାଠଗ୍ରାମଠାରେ ସକାଳଠାରୁ ଆମେ ଶତାଧିକ ଛାତ୍ର, ଶିକ୍ଷକ ଏବଂ ଅନ୍ୟାନ୍ୟ କିସମର ବହୁ ଲୋକ ଅପେକ୍ଷା କରିଥାଉଁ୤ ଅଦୂରବର୍ତ୍ତୀ ଜଳେଶ୍ବରପୁର ଠାରେ ସୁବର୍ଣ୍ଣରେଖା ଛାତ୍ର ସମ୍ମିଳନୀ ନାମ ରେ ଏକ ସମାବେଶରେ ଉଦ୍‌ବୋଧନ ଦେବାକୁ ଜଳେଶ୍ବରଠାରୁ ଟ୍ରକ୍ ଯୋଗେ ମହତାବ ଦିନ ଦ୍ବିପହର ସରିକି ଆସି ପହଞ୍ଚିଥିଲେ୤ ଏ ସମ୍ମିଳନୀର ପ୍ରଧାନ ଉଦ୍ୟୋକ୍ତା ଥିଲେ ମୋ ଭାଇ, ସେତେବେଳର ଏମ୍.ଏ. ଛାତ୍ର୤ ମହତାବ ବାଠଗ୍ରାମଠାରେ ପହଞ୍ଚିବାପରେ ଚାଲି ଚାଲି ଜଳେଶ୍ବରପୁର ହାଇସ୍କୁଲ ଯାଏ ଯାଇଥିଲେ୤ ତାଙ୍କ ସହ ଥିଲେ ଏମ୍.ଏଲ୍.ଏ. କରୁଣାକର ପାଣିଗ୍ରାହୀ୤ ସେତେବେଳେ ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କ ଅର୍ଦ୍ଧମସୃଣ ଶିରୋପରି ସାଧାରଣ ଲେମ୍ବୁଟିଏ ଆକାରର ଏକ ଆବୁ ବିକଶିତ ହୋଇଥିଲା୤ କିନ୍ତୁ ପରବର୍ତ୍ତୀ ଥର ତାଙ୍କୁ ଦେଖିବା ବେଳକୁ ତାହା ଅନ୍ତର୍ହିତ୤

ମଝିରେ ଠାଏଁ ଗୋଟାଏ ଗଛ ମୂଳେ ବସାଇ ପଇଡ଼ ପରସା ଯାଇଥିଲା୤ ଯେଉଁ ଅନତିକ୍ଷୁଦ୍ର ଜନତା ତାଙ୍କୁ ବେଷ୍ଟନ କରି ତାଙ୍କ ପଇଡ଼-ପାନ ନିରୀକ୍ଷଣ କରୁଥିଲେ ତହିଁ ମଧ୍ୟରେ ମୁଁ ଥିଲି୤ ହଠାତ୍ ମୋତେ କିଏ ଜଣେ ଟାଣିନେଇ ‘‘ଇଏ ମନ୍ମଥର ସାନଭାଇ’’ ବୋଲି ତାଙ୍କ ଆଗରେ ଉପସ୍ଥାପନ କଲେ୤ ମହତାବଙ୍କ ମଧୁର ମୃଦୁ ହସ ମୋର ଅଦ୍ୟାପି ମନେ ଅଛି୤ ସେଥିରେ ଥିଲା ଗାର୍ଜନ-ସୁଲଭ ଏକ ସହଜାତ ସ୍ନେହ୤ କୌଣସି କ୍ଷୁଦ୍ରପ୍ରାଣୀ ଆଡ଼କୁ ଦୃଷ୍ଟିପାତ କଲାବେଳେ ଯେଉଁ ଅନୁକମ୍ପା ପରବର୍ତ୍ତୀ ସମୟରେ ବହୁ ନେତାଙ୍କ ହସରେ ଫୁଟିବାର ଦେଖିଛି, ମହତାବଙ୍କ ଠାରେ ସେ ଭାବର ଲକ୍ଷଣ ନଥିଲା୤

ସେତେବେଳେ ମହତାବ ଥିଲେ ଏକ ମହନୀୟ ନବଯୁଗର ପ୍ରତୀକ୤ ତାଙ୍କୁ ଅବଲୋକନରେ ଆନନ୍ଦ ଥିଲା୤ ତାଙ୍କ ସହ କଥାଭାଷା ହେଲା ବେଳେ ମନେ ହେଉଥାଉ ଜଣେ ବ୍ୟକ୍ତି ସହ ନୁହେଁ, ଆପଣ ଯେପରି ବହୁ ସମସ୍ୟା ଓ ଦାୟିତ୍ବ ସମ୍ବଳିତ ଦେଶର କଣ୍ଠସ୍ବର ସହ କଥାବାର୍ତ୍ତା କରୁଛନ୍ତି୤ ସେତେବେଳେ ମହତାବ ଓଡ଼ିଶାର ‘ପ୍ରଧାନମନ୍ତ୍ରୀ’ ଥିଲେ୤ ଥିଲେ ଭାରତର ତୁଙ୍ଗ ନେତୃବର୍ଗଙ୍କ ମଧ୍ୟରେ ଅନ୍ୟତମ ୤ ସେ କାଳର ଏକ ପ୍ରଦେଶର ପ୍ରଧାନମନ୍ତ୍ରୀ ବୋଇଲେ ବହୁ କିଛି ଭୌତିକ ତଥା ଅତିଭୌତିକ ରହସ୍ୟ ସମନ୍ବିତ ଏକ ବ୍ୟକ୍ତିତ୍ବ ରୂପକ ଅନୁଷ୍ଠାନକୁ ବୁଝାଉଥିଲା୤

ସେଦିନ ସମ୍ମିଳନୀର ସାନ୍ଧ୍ୟ ଅଧିବେଶନରେ ବିରାଟ ଜନସମାବେଶ ହୋଇଥିଲା୤ ମହତାବ ଅଢେଇ ଘଣ୍ଟା ଧରି ବତ୍କୃତା ଦେଇଥିଲେ୤ ଗୋଟିଏ କଥା ମନେଅଛି୤ ସେ ବୁଝାଇଥିଲେ, ନେତା ବା ମନ୍ତ୍ରୀମାନେ କିଛି ଅସାଧାରଣ ବୁଦ୍ଧି ବା ଜ୍ଞାନର ଅଧିକାରୀ ବୋଲି ବିଚାରିବା ଭୁଲ୤ ଦୁଇଜଣ ପଡ଼ୋଶୀ ପରସ୍ପର କନ୍ଦଳ ବା ବନ୍ଧୁତା ବେଳେ ଯେତିକି ବୁଦ୍ଧି ବା ଚତୁରତାର ଆଶ୍ରୟ ନିଅନ୍ତି, ଦୁଇ ପଡ଼ୋଶୀ ଦେଶ ଭିତରେ ସମ୍ପର୍କରେ ଉଭୟ ଦେଶର ନେତାଏଁ ତାହାଠୁଁ ଗୁଣଗତ କୌଣସି ଅଧିକ ବୁଦ୍ଧି ଚତୁରତାର ପରିଚୟ ଦିଅନ୍ତି ବୋଲି ମନେ କରିବାର କାରଣ ନାହିଁ୤ ଅର୍ଥାତ୍ ଦେଶ ଶାସନର କ୍ଷମତା ସବୁରି ଭିତରେ ନିହିତ ରହିଛି୤ ସେତେବେଳେ ଏକଥା ଆମକୁ ବେଶ ମୌଳିକ ମନେ ହୋଇଥିଲା୤

ପରଦିନ ସକାଳେ ଶିକ୍ଷକ ଓ ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ଏକ ଅଧିବେଶନରେ ମହତାବ ଭାଷଣ ଦେବାକୁ ଆସିଲେ୤ ତାଙ୍କୁ ସ୍ବାଗତ ଜଣାଇବାର ଦାୟିତ୍ବ ଦୂରାନ୍ତରର ଜଣେ ସୁନିର୍ବାଚିତ ହେଡ଼ମାଷ୍ଟ୍ରଙ୍କ ଉପରେ ନ୍ୟସ୍ତ କରାଯାଇଥିଲା୤ ଯିଏ କି ସର୍ବଦା ଖଦଡ଼ ପରିଧାନ କରୁଥିଲେ ଏବଂ ଦେଶପ୍ରେମୀ ଭାବରେ ଯାହାଙ୍କର ଖ୍ୟାତି ଥିଲା୤ ହେଡ଼ମାଷ୍ଟ୍ରେ ସ୍ବାଗତ କରିବାକୁ ଠିଆ ହୋଇ ପ୍ରକାଶ୍ୟ ଦିବାଲୋକରେ ଏଡ଼େ ପ୍ରବଳ ରୀତିରେ ଥରିବାରେ ଲାଗିଥିଲେ ଯାହାର ପଟାନ୍ତର ମୁଁ ଅଦ୍ୟାବଧି ଦେଖିନାହିଁ୤ ଆମେ ଛାତ୍ରମାନେ ମାଷ୍ଟ୍ରଙ୍କ ଆଗରେ ସ୍ଥଳ ବିଶେଷରେ ଥରିବାରେ ଅଭ୍ୟସ୍ତ ଥିଲୁଁ୤ ସେ ଦିନ ମୁଁ ଉପଲବ୍‌ଧି କଲି ମାଷ୍ଟ୍ରମାନେ ବି କେତେ ବିଚରା ମରଣଶୀଳ ପ୍ରାଣୀ୤ ସେହି ଶୁଭ ପ୍ରହରରୁ ଜୀବନରେ ଆଉ ମାଷ୍ଟ୍ରଙ୍କ ଆଗରେ ଥରି ନାହିଁ୤

ସେ ଦିନ ସନ୍ଧ୍ୟାରେ କୌଣସି ଅନୁଷ୍ଠାନ ନଥିଲା୤ ହଷ୍ଟେଲ ବାରନ୍ଦା ସାମନାରେ ଗୋଟିଏ ବେତ ଚେଆରରେ ଅତିଥିଙ୍କୁ ବସାଇ ବାରନ୍ଦା ଉପରେ ହାର୍‌ମୋନିୟମ୍ ସହଯୋଗେ ମୋତେ ଉପସ୍ଥାପନ କରାଯାଇଥିଲା୤ ପ୍ରାୟ ଦେଢ ଘଣ୍ଟାକାଳ ମୋର ତତ୍କାଳୀନ ଶାଣିତ କଣ୍ଠରେ ଅତିଥିଙ୍କୁ ସଙ୍ଗୀତ ପରିବେଷଣ କଲି୤ ସେ ଦୂର ମଫସଲରେ ସେ ସନ୍ଧ୍ୟାରେ ତାଙ୍କ ପାଇଁ ଆୟୋଜିତ ଏଇ ଏକମାତ୍ର ମନୋରଞ୍ଜନ କାର୍ଯ୍ୟକ୍ରମରେ ତାଙ୍କ ପ୍ରତିକ୍ରିୟା କ’ଣ ହୋଇଥିଲା ତାହା ଜଣାଗଲା ନାହିଁ, ତେବେ ଏଡେ ଦୂର୍ମୂଲ୍ୟ ଅତିଥିଙ୍କୁ ଏଡ଼େ ଦୀର୍ଘକାଳ ‘ମୁଗ୍‌ଧ’ କରି ରଖିପାରିଥିବା ହେତୁ ସମବେତ ଜନତା ପାଖରୁ ମୋତେ ପ୍ରଚୁର ଅଭିନନ୍ଦନ ମିଳିଥିଲା୤

ମନେ ପଡୁଛି, ପ୍ରାୟଶଃ ଐତିହାସିକ ନାମସବୁ ଉଲ୍ଲେଖ କରୁଥିବା ଜଣେ ଶିକ୍ଷକ ମୋ ପିଠି ଥାପୁଡ଼େଇ କହିଥିଲେ, ‘‘ତୋ ବୟସରେ ତାନ୍‌ସେନ୍ ଏମିତି ଗାଉଥିଲେ୤’’ ସେ ତାନ୍‌ସେନ୍‌ଙ୍କ ସହପାଠୀ ଥିବା ଶୈଳୀରେ ଏତକ କହିଥିଲେ୤

ପରବର୍ତ୍ତୀ କାଳରେ ଦେଖିଛି ମହତାବଙ୍କର ଏଭଳି ପ୍ରତିକ୍ରିୟା-ବିରହିତ ନିରବତାର ଭିନ୍ନ ଭିନ୍ନ ବ୍ୟାଖ୍ୟା କରିଛନ୍ତି ଭିନ୍ନ ଭିନ୍ନ ପକ୍ଷ; ନିଜକୁ ସୁହାଇଲା ରୀତିରେ୤

୧୯୫୬ର କଥା୤ ମହତାବ ବୋମ୍ବେର ଗଭର୍ଣ୍ଣର ପଦ ଛାଡ଼ି ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ଆସିଥାନ୍ତି୤ ମୁଁ ମଧୁସୂଦନ ଆଇନ୍ କଲେଜ୍ ୟୁନିଅନର ପ୍ରେସିଡେଣ୍ଟ୤ କଲେଜ୍ ୟୁନିଅନର ପ୍ରାରମ୍ଭିକ ସାଂସ୍କୃତିକ ଉତ୍ସବ ଉଦ୍‌ଘାଟନ କରିବା ନିମନ୍ତେ ତାଙ୍କୁ ନିମନ୍ତ୍ରଣ କଲି୤ ଆଇନମନ୍ତ୍ରୀ ସତ୍ୟପ୍ରିୟ ମହାନ୍ତି ପୌରହିତ୍ୟ କରିବା କଥା ହେଲା୤

(ସେତେବେଳେ ରାଜ୍ୟର ପ୍ରାଚୀନ ନାମ ମହାରାଷ୍ଟ୍ର ପୁନଃପ୍ରବର୍ତ୍ତିତ ହୋଇନଥିଲା୤ ଆଜିର ମୁମ୍ବାଇର ପୁରୁଣା ନାମ ବୋମ୍ବେ ଥିଲା୤)

ଉତ୍ସବ ଦିନ ସକାଳେ ମହତାବଙ୍କ ସେକ୍ରେଟାରି ଖବର ପଠାଇଲେ, ମହତାବ ଆସି ପାରିବେ ନାହିଁ୤ ଭୁବନେଶ୍ବରଠାରେ ସେହି ସନ୍ଧ୍ୟାରେ ଗୁରୁତର କାମ ରହିଛି୤ ପୁଣି ସେ ଅସୁସ୍ଥ୤

ଓଡ଼ିଶାରେ ସେ ଏକମାତ୍ର ଆଇନ୍ କଲେଜ ବିଶ୍ବବିଦ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚାଲୁଥାଏ୤ କୁଳପତି ଡକ୍ଟର ପରିଜା ତାଙ୍କ ଅନ୍ୟ କାର୍ଯ୍ୟକ୍ରମ ବନ୍ଦ କରି ଉତ୍ସବ ପାଇଁ ଅପେକ୍ଷା କରିଥାନ୍ତି୤ ଛାତ୍ରଛାତ୍ରୀ (ଛାତ୍ରୀ ଥିଲେ ମାତ୍ର ଜଣେ) ମାନେ ମୋତେ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ କରିଥିଲେ ଏବଂ ଏଇଟି ଥିଲା ପ୍ରଥମ ଅନୁଷ୍ଠାନ୤ ସୁତରାଂ ମୁଁ କଟକରେ କ୍ୟାଣ୍ଟନମେଣ୍ଟସ୍ଥିତ ସତ୍ୟପ୍ରିୟ ବାବୁଙ୍କ ବସାରେ ଯାଇ ପହଞ୍ଚି ଟିକିଏ ଉତ୍ତେଜିତ ଭାବରେ ଅବସ୍ଥା ସମ୍ପର୍କରେ ତାଙ୍କୁ ପ୍ରଶ୍ନ କଲି୤ ଭଦ୍ର ଓ ବିନୟୀ ସତ୍ୟପ୍ରିୟ ବାବୁ ମୋତେ ବୁଝାଇଲେ, ମହତାବଙ୍କର ବାସ୍ତବିକ ହଠାତ୍ ଜରୁରୀ କାମ ଉପୁଜିଛି ଏବଂ ସେ ପ୍ରକୃତରେ ଅସୁସ୍ଥ ମଧ୍ୟ୤ ମୁଁ ବୁଝିଲି ନାହିଁ୤ ସତ୍ୟପ୍ରିୟ ବାବୁ କ୍ୟାବିନେଟ୍ ମିଟିଂ ପାଇଁ ଭୁବନେଶ୍ବର ବାହାରିଥାନ୍ତି୤ ମୁଁ ତାଙ୍କ ସହ ଚାଲିଲି୤ ବାଧା ଦେବାର ପ୍ରଶ୍ନ ଉଠିବା ପୂର୍ବରୁ ମିଟିଂ କକ୍ଷ ଭିତରକୁ ପଶିଯାଇ ମହତାବଙ୍କୁ କହିଲି, ‘‘ଆପଣ ଜରୁର ଆସିବେ୤ ଏଇଟା ମୋର ସମ୍ମାନର ପ୍ରଶ୍ନମାତ୍ର ନୁହେଁ, ଆଇନ୍ କଲେଜର ଗାରିମାର ବ୍ୟାପାର୤’’

ମହତାବ ମୋ ଆଡ଼କୁ ଅନାଇଥାନ୍ତି୤ ସେ ବାସ୍ତବରେ ଅସୁସ୍ଥ ଦିଶୁଥିଲେ୤ ସେତେବେଳେ ସେ ବେଶି ମୋଟା ହୋଇ ଯାଇଥାନ୍ତି ଓ ନିଃଶ୍ବାସ ନେବାରେ ବେଶ୍ କଷ୍ଟ ଅନୁଭବ କରୁଥାନ୍ତି୤ ମୋ ନିଜର ବ୍ୟବହାର ପାଇଁ ମୁଁ ନିଜେ ଗ୍ଲାନି ଅନୁଭବ କରି ଆସିବା ବେଳକୁ ସେ ଧୀର ସ୍ବରରେ କହିଲେ, ‘‘ଆଚ୍ଛା ତେବେ, ମୁଁ ଠିକ୍ ସମୟରେ ପହଞ୍ଚିବି୤’’ସେ ଯେମିତି ଅସହାୟ ମନେ ହେଲେ୤

କିନ୍ତୁ ସେ ବିରକ୍ତ ହେଲେ ନାହିଁ୤ ହସିଲେ ନାହିଁ ମଧ୍ୟ୤ ତାଙ୍କ ବ୍ୟବହାରରେ ମୋତେ ଅଯଥା ଖୁସି କରିବାର ପ୍ରୟାସ ଯେପରି ନଥିଲା, ନିଜେ କେତେ କଷ୍ଟ କରିବାକୁ ଯାଉଛନ୍ତି, ଥରେ ବି ସେ କଥା କହି ମୋ ଭିତରେ ତାଙ୍କ ପ୍ରତି କୃତଜ୍ଞତା ଉଦ୍ରେକ କରିବାର ଆଗ୍ରହ ବି ନଥିଲା୤ ମୁଁ ହୃଦୟଙ୍ଗମ କଲି ସେ ମୋର ମାନସିକ ଅବସ୍ଥା ବୁଝି ଶାରୀରିକ ଓ କାର୍ଯ୍ୟଗତ ଅସୁବିଧା ସତ୍ତ୍ବେ ମୋ ପ୍ରତି ତାଙ୍କ କର୍ତ୍ତବ୍ୟ କରୁଛନ୍ତି୤ କର୍ତ୍ତବ୍ୟ ଜଣେ ପିତୃପ୍ରତିମ ବ୍ୟକ୍ତିତ୍ବର୤

ଯଥା ସମୟରେ ସେ କଟକରେ ପହଞ୍ଚି ତାଙ୍କ ଭୂମିକା ସୁଚାରୁ ରୂପେ ତୁଲାଇ ଥିଲେ୤

(ଏଠାରେ କହିଲେ ହୁଏତ ଅପ୍ରାସଙ୍ଗିକ ହେବ ନାହିଁ ଯେ ମହତାବଙ୍କ ସୁସ୍ଥତା ଅସୁସ୍ଥତା ଯେମିତି ବୟସ ସାପେକ୍ଷ ନଥିଲା୤ ସେତେବେଳେ ତାଙ୍କ ଅସୁସ୍ଥତା ମୋତେ ବୟସର ପ୍ରତିକ୍ରିୟା ବୋଲି ମନେ ହୋଇଥିଲା୤ ଅଥଚ ପାଞ୍ଚବର୍ଷ ପରେ ୧୯୬୨ରେ ତାଙ୍କୁ ଦେଖି ମନେ ହୋଇଛି ତାଙ୍କ ବୟସ ଯେପରି ପନ୍ଦର ବର୍ଷ କମି ଯାଇଛି୤ ‘ଡ଼ଗର’ର ରଜତ ଜୟନ୍ତୀ ଉତ୍ସବରେ ସେ ସଭାପତିତ୍ବ କରୁଥାନ୍ତି୤ ହଠାତ୍ ସଭା ଚାଲିଥିଲା ବେଳେ ଗୋପୀନାଥ ମହାନ୍ତିଙ୍କୁ ତାଙ୍କ ଆସନରେ ବସାଇ ଦେଇ ଏପରି ଫୁର୍ତ୍ତିମାନ ପଦକ୍ଷେପରେ କୁଆଡ଼େ ବାହାରି ଚାଲିଗଲେ ମନେ ହେଲା ସେ ଯେପରି ତରୁଣ୤ ଚାଳିଶ ମିନିଟ୍ ପରେ ଫେରି ଆସି ପୁଣି ଆସନ ଗ୍ରହଣ କଲେ୤ ପରଦିନ ଜାଣିଲି, ସେହି ସମୟ ଭିତରେ ସେ ବାରବାଟି ଷ୍ଟାଡିୟମ ଠାରେ ଚାଲୁଥିବା ଗୋଟିଏ ସଭାରେ ପୌରହିତ୍ୟ କରି କିଛି ସମୟ ପରେ ସେ ଆସନରେ ଆଉ ଜଣଙ୍କୁ ରୋପଣ କରି ପୁଣି ଡ଼ଗର ଉତ୍ସବକୁ ଫେରି ଆସିଥିଲେ୤)

୧୯୫୬୤ ସେତେବେଳେ କମ୍ୟୁନିଷ୍ଟ ପାର୍ଟି ଅବିଭକ୍ତ ଥିଲା୤ ପାର୍ଟି ପ୍ରଭାବିତ ଛାତ୍ର ଫେଡାରେସନ୍ ମଧ୍ୟ ଐକ୍ୟବଦ୍ଧ ଥିଲା୤ ମୁଁ ଥିଲି ନିଖିଳ ଉତ୍କଳ ଛାତ୍ର ଫେଡାରେସନ୍ ର ସାଧାରଣ ସମ୍ପାଦକ୤ ଛାତ୍ର ଫେଡାରେସନ୍ ର ବାର୍ଷିକ ଅଧିବେଶନକୁ ମହତାବଙ୍କୁ ନିମନ୍ତ୍ରଣ କଲୁଁ୤ ଭାବିଥିଲୁଁ ସେ ତାହା ଗ୍ରହଣ କରିବେ ନାହିଁ, କିନ୍ତୁ ସେ ଗ୍ରହଣ କଲେ୤ ନାରୀ ସଂଘ ସଦନ ମୈଦାନରେ ସମାବେଶରେ ଭାଷଣ ଦେଲେ୤ ମନେ ହେଲା ଦଳଗତ ରାଜନୀତିର ସଂକୀର୍ଣ୍ଣତାରୁ ସେ ସେତେବେଳଠାରୁ ମୁକୁଳି ଯିବାକୁ ଆରମ୍ଭ କରିଥିଲେ୤ ତାଙ୍କ ବିଚାର ଓ ଦୃଷ୍ଟି ବାସ୍ତବ ସମସ୍ୟାର ବ୍ୟାପକତା ଉପରେ ବିଚରଣ କରୁଥିଲା୤

ମହତାବ ନିଜ ରାଜନୈତିକ ଜୀବନରେ ଯଥେଷ୍ଟ ଅଭିନନ୍ଦନ ପାଇଛନ୍ତି୤ ସମାଲୋଚିତ ଓ ଆକ୍ରମିତ ମଧ୍ୟ କମ୍ ହୋଇ ନାହାନ୍ତି୤ ମୋର ମନେହୁଏ, ଯେତିକି ଆକ୍ରମଣ ତାଙ୍କର ପ୍ରାପ୍ୟ, ସେ ତାହାଠାରୁ ଢେର୍ ବେଶୀ ପାଇଛନ୍ତି୤ ଅନ୍ୟାନ୍ୟ କାରଣ ମଧ୍ୟରେ ଏହାର ଏକ ବିଶେଷ ମନସ୍ତାତ୍ତ୍ବିକ କାରଣ ରହିଛି୤ ସେ ‘ପ୍ରଧାନମନ୍ତ୍ରୀ’ ହେବା ପୂର୍ବ ମୁହୂର୍ତ୍ତଯାଏ କ୍ଷମତା, ପଦ ଆସନ – ଏ ସବୁ ବିଦେଶୀ ଶାସନର ଆୟତ୍ତରେ ଥିବା ହେତୁ ଜାତୀୟ ଆନ୍ଦୋଳନର ଶରବ୍ୟ ଥିଲା୤ ରାତାରାତି ସ୍ଥୂଳ ଅବସ୍ଥା ସିନା ବଦଳିଗଲା, କିନ୍ତୁ ମଣିଷର ଅବଚେତନରୁ ବହୁ ବର୍ଷର ସଂସ୍କାର ତୁରନ୍ତ ଯାଏ ନାହିଁ୤ ତେଣୁ କ୍ଷମତାସୀନ ପ୍ରତି ଭୟମିଶ୍ରିତ ବିଦ୍ରୋହର ମନୋଭାବ ପ୍ରଚ୍ଛନ୍ନ ଭାବରେ ଅନେକଙ୍କ ଭିତରେ ଅବ୍ୟାହତ ରହିଥାଏ୤ ଓଡ଼ିଶା କ୍ଷେତ୍ରରେ କ୍ଷମତାର ପ୍ରତୀକ ହେଲେ ମହତାବ୤ ଏପରି କି ତାଙ୍କର କେହି କେହି ସହକର୍ମୀ ମଧ୍ୟ ଆନ୍ଦୋଳନରେ ସେମାନଙ୍କ ସାଥି ଓ ନେତାଙ୍କୁ ହଠାତ୍ ଥାଟପରିବୃତ୍ତ ହୋଇ ଶାସକ ବନିଯିବାର ଦେଖି ଅସ୍ବସ୍ତି ଅନୁଭବ କରିବାର ମୁଁ ଜାଣେ୤ ଆଜି ଯାହା ଦେହସୁହା ଓ ସ୍ବାଭାବିକ ହୋଇଗଲାଣି, ସେତେବେଳେ ତାହା ଥିଲା ଏକ ଅପରିଚିତ ଓ କିଛି ମାତ୍ରାରେ ଯେପରି ଅପ୍ରତ୍ୟାଶିତ ଅବସ୍ଥା୤

ଆଦର୍ଶଗତ ପ୍ରେରଣାରୁ ଜନ୍ମ ନେଇଥିଲେ ଓଡ଼ିଶାର ଦୁଇ ପ୍ରଧାନ ସମ୍ବାଦପତ୍ର : ସେବା ଓ ଜାତୀୟତାର ମୁଖପତ୍ର ରୂପେ ‘ସମାଜ’; ସ୍ବାଧୀନତାର ବାର୍ତ୍ତାବହ ରୂପେ ‘ପ୍ରଜାତନ୍ତ୍ର’୤ ସ୍ବାଧୀନତା ଲବ୍ଧ ହେବା ଉତ୍ତାରୁ ‘ପ୍ରଜାତନ୍ତ୍ର’ର ଗୁରୁ ଦାୟିତ୍ବ ହେଲା ଏକ ଦିଗରେ ତା’ର କୌଳିକ ଉଦାତ୍ତ ସ୍ବର ବଜାୟ ରଖିବା, ଅନ୍ୟ ଦିଗରେ ନୂତନ ସରକାରଙ୍କ କାର୍ଯ୍ୟକଳାପର ବ୍ୟାଖ୍ୟା ପରିବେଷଣ କରିବା୤ ଏହା ସହଜ ନଥିଲା୤ ଏ ଦାୟିତ୍ବ ନିର୍ବାହ କରିବା ସଙ୍ଗେ ସଙ୍ଗେ ପ୍ରଜାତନ୍ତ୍ର ପୁଣି ବିବିଧ ନିବନ୍ଧ ଏବଂ ସୃଜନଶୀଳ ସାହିତ୍ୟ ପ୍ରକାଶରେ ବ୍ରତୀ ହେଲା୤ ଓଡ଼ିଶାର ସାମ୍ବାଦିକତାରେ ଆରମ୍ଭ ହେଲା ଏକ ନୂତନ ଅଧ୍ୟାୟ୤

କିନ୍ତୁ ମହତାବଜୀ କ’ଣ ଏ ପ୍ରକାଶନ ଓ ପ୍ରତିଷ୍ଠାନର ପରିସର ସେତିକିରେ ସୀମାବଦ୍ଧ ରଖିଥିଲେ? ସେ ନିଜେ ‘ପ୍ରଜାତନ୍ତ୍ର’ ରେ ବସୁଥିବା ବେଳେ ଥରେ ଅଧେ ସେଠାକୁ ଗଲେ ମୋର ମନେ ହୋଇଛି, ସତେ ଯେପରି ତାହା ଏକ ମହାବିଦ୍ୟାଳୟ୤ ସେ ଜଣେ ଛାତ୍ର ବତ୍ସଳ ଗୁରୁ୤ ମୁଁ ପଣ୍ଡିଚେରୀ ଚାଲି ଆସିବା ପରେ ବି ଓଡ଼ିଶା ଗଲେ ତାଙ୍କୁ ଥରେ ଭେଟିବା ମୋ ପାଇଁ ଥିଲା ଏକ ଅଲିଖିତ ବିଧାନ୤ ଦିନେ ବଡ଼ ତୀବ୍ରକଣ୍ଠରେ ସେ କହିଲେ, ‘‘ତୁମେ ‘ଝଙ୍କାର’ରେ ଏତେ କମ୍‌ଲେଖୁଛ କାହିଁକି ?’’ ଉତ୍ତର ଦେଲି, ‘‘ଝଙ୍କାର ବହୁ ଲେଖକଙ୍କ ସକାଶେ ଆଶା ତଥା ପ୍ରତିଷ୍ଠାର ମାଧ୍ୟମ୤ କୌଣସି ଜଣେ ଲେଖକ ବହୁତ ଅଧିକ ଲେଖିବା ଉଚିତ ନୁହେଁ୤’’ ସେ ଏମିତି ଥଟ୍ଟାଳିଆ ଭାବରେ ହସିଦେଲେ, ବୁଝିଲି, ମୋ କୈଫିୟତ୍ କୃତ୍ରିମ ବୋଲି ସେ ବୁଝୁଛନ୍ତି୤ ମୃଦୁ ଭାବରେ ସେ ପୁଣି କହିଲେ, ‘‘ତୁମେ ଆଉ କାହାରି ପାଇଁ ଉଦ୍ଦିଷ୍ଟ ପୃଷ୍ଠା ନେଇଯିବା କଥା କେହି କହୁଛି ? ତୁମ ପାଇଁ ଉଦ୍ଦିଷ୍ଟ ପୃଷ୍ଠାରେ ତୁମେ ଲେଖିବ୤ ସବୁ ପତ୍ରିକାରେ କେତେଜଣ ନିୟମିତ ଲେଖକ ରହିବା ଆବଶ୍ୟକ୤’’

ପଣ୍ଡିଚେରୀ ଆସିଲେ ସେ ଆମ ବସାରେ ବହୁ ସମୟ ବିତାଉଥାନ୍ତି୤ ସାଂପ୍ରତିକ ଇତିହାସର କେତେ ବିରଳ ଝଲକ ସେ ପ୍ରକଟ କରୁଥାନ୍ତି୤

ତାଙ୍କ ସହ ଶେଷ ସାକ୍ଷାତ ହୋଇଥିଲା ‘ପ୍ରଜାତନ୍ତ୍ର’ ପରିସର ଭିତରେ ତାଙ୍କ ବାସଭବନର ଉପର ମହଲାରେ୤ କେତୋଟି ଗୁରୁତର ବିଷୟରେ ମୋ ସହ ଆଲୋଚନା କରୁଛନ୍ତି, ପଶି ଆସିଲେ ଜଣେ ସ୍ବନାମଧନ୍ୟ ସାମ୍ବାଦିକ୤ ସେ ବଡ଼ ଉତ୍ତେଜିତ ମନେ ହେଉଥିଲେ୤ ମୋତେ ଦେଖି ହସିବାର ଚେଷ୍ଟା କଲେ ଓ ଭଲମନ୍ଦ ପଚାରିଲେ; କିନ୍ତୁ ଚାହୁଁ ଚାହୁଁ ଉତ୍ତେଜନା ତାଙ୍କୁ ପୁଣି କବଳିତ କରିନେଲା୤ ‘‘ଆଜ୍ଞା’’, ସେ ମହତାବଜୀଙ୍କୁ ଉଦ୍ଦେଶ୍ୟ କରି କହିଲେ, ‘‘ଆପଣ ସେ ଲୋକଟିକୁ ବାହାର କରିବେ କି ନା କହିଲେ ! ମୋର ଆଉ ଧୈର୍ଯ୍ୟ ନାହିଁ୤’’ ଏହି ମର୍ମରେ ସେ କହିଗଲେ ବେଶ୍‌କିଛି ସମୟ୤ ମହତାବଜୀ ଥରେ ତାଙ୍କ ଆଡ଼େ, ଥରେ ଟେବୁଲ୍ ଆଡ଼େ ଅନାଉଥାନ୍ତି୤ ମୁଣ୍ଡ ସାମାନ୍ୟ ଆନ୍ଦୋଳିତ ହେଉଥାଏ ଭଦ୍ରଲୋକଙ୍କ ଅଭିଯୋଗ ସେ ଶୁଣୁଥିବାର ସଙ୍କେତ ହିସାବରେ୤ କିନ୍ତୁ ସେ ଅଭିଯୋଗକୁ ସେ ସମର୍ଥନ କରୁ ନ ଥାନ୍ତି କି ଦୃଢ଼ ଖଣ୍ଡନ କରୁନଥାନ୍ତି୤ ମୁଁ ମହତାବଜୀଙ୍କୁ ଲକ୍ଷ୍ୟ କରୁଥାଏ ଏବଂ ଅନୁଭବ କରୁଥାଏଁ, ଆଗନ୍ତୁକ ଜଣକ ବାତାବରଣ ଭିତରେ ବିକିରଣ କରୁଥିବା ବିରକ୍ତି ଓ ଉଷ୍ଣାର ଅଦୃଶ୍ୟ ତରଙ୍ଗ ମହତାବଜୀଙ୍କ ଆତ୍ମିକ ସୁରକ୍ଷା ବଳୟ ଭେଦ କରି ପାରୁନଥାଏ୤ ଖାଲି ତାଙ୍କ ଚାରିପଟେ ଚହଲୁଥାଏ୤

ଭଦ୍ରଲୋକ ଚାଲିଯିବା ପରେ ମହତାବଜୀ ସାମାନ୍ୟ ହସି ଅନ୍ୟ ପ୍ରସଙ୍ଗର ଅବତାରଣା କଲେ୤ କିନ୍ତୁ ମୁହୂର୍ତ୍ତକ ଭିତରେ ସେ ବୁଝିନେଲେ ସେ ଭଦ୍ରଲୋକଙ୍କ ବାକ୍ୟ ଓ ଆଚରଣରେ ମୁଁ ଅସ୍ବସ୍ତି ଅନୁଭବ କରିଛି୤ ନିଷ୍କପଟରେ ସେ ଯାହା ବୁଝାଇଲେ, ତା’ର ମର୍ମ ଏହିପରି: ଏକ ଯାନ୍ତ୍ରିକ ବା ବ୍ୟବସାୟିକ ସଂସ୍ଥା ହେବା ‘ପ୍ରଜାତନ୍ତ୍ର’ର ଆଭିମୁଖ୍ୟ କେବେ ବି ହୋଇନାହିଁ୤ ସେ ଯଦି ସଂପୃକ୍ତ ବ୍ୟକ୍ତିମାନଙ୍କର ବ୍ୟକ୍ତିଗତ ଭୁଲ ତ୍ରୁଟି ଦୋଷ ଦୁର୍ବଳତାର ଦଣ୍ଡବିଧାନ ଆରମ୍ଭ କରିଥାନ୍ତେ, ତେବେ ବ୍ୟକ୍ତି ବିଶେଷଙ୍କ ସ୍ବଭାବଚରିତ୍ର ତ ବଦଳି ନଥାନ୍ତା, ବଦଳାଇବା ଦିଗରେ ସମ୍ଭାବନା ବି ସେମାନେ ହରାଇଥାନ୍ତେ୤ ପରିସ୍ଥିତି ଓ ଘଟଣା ପ୍ରବାହ ସମସ୍ତଙ୍କୁ ସେମାନଙ୍କ ଦୋଷ ତ୍ରୁଟି ଦେଖାଇ ଦେବ ହିଁ ଦେବ୤ ସେମାନେ ଇଚ୍ଛା କଲେ ନିଜକୁ ନିଜେ ସୁଧାରିବେ୤ କେହି କାହାକୁ ସୁଧାରି ପାରିବ ନାହିଁ୤ ତେବେ କେହି ଯଦି ପ୍ରତିଷ୍ଠାନର ଆଦର୍ଶକୁ ଆଘାତ ଦିଏ; ପ୍ରତିଷ୍ଠାନ ସହ ବିଶ୍ବାସଘାତକତା କରେ, ତା’ଉପରେ ଶୃଙ୍ଖଳା ପ୍ରୟୋଗ କରିବାକୁ ପଡ଼ିବ୤ ‘କ’ ଜଣେ ପ୍ରଭାବଶାଳୀ ଲୋକ ହୋଇପାରେ, ପ୍ରତିଷ୍ଠାନ ପ୍ରତି ତା’ର ଅବଦାନ ବି ଅନସ୍ବୀକାର୍ଯ୍ୟ ହୋଇପାରେ୤ କିନ୍ତୁ ସେ ଯଦି ବ୍ୟକ୍ତିଗତ ଭାବରେ ‘ଖ’କୁ ପସନ୍ଦ କରିପାରୁନାହିଁ, ‘ଖ’ ପ୍ରତି ତାହା ହିଁ ଦଣ୍ଡ ବିଧାନର ଯୁକ୍ତି ହୋଇ ନପାରେ୤ ବ୍ୟକ୍ତିଗତ ଭାବରେ କେତେଜଣ କେତେଜଣଙ୍କୁ ସର୍ବତଃ ସହ୍ୟ କରନ୍ତି ?

ମହତାବଜୀଙ୍କ ଦୃଷ୍ଟିକୋଣରୁ ଶିଖିଥିଲି ଅଭିଜ୍ଞତା ଜୀବନରେ ଥାଏ୤ କିନ୍ତୁ ତାଙ୍କ ଭଳି ସମସ୍ତଙ୍କୁ ତାହା ପରିପକ୍ବ କରିନଥାଏ୤ କେତେ କିସମର କେତେ କଥା ସେ ସହିଥିବେ୤ ବୋଧହୁଏ (ବିଂଶ ଶତାବ୍ଦୀର) ପଞ୍ଚମ ଦଶକର ଆଦ୍ୟରେ ‘ପ୍ରଜାତନ୍ତ୍ର’ରେ ପ୍ରକାଶିତ ତାଙ୍କର ଏକ କବିତା ମୋର ମନେ ପଡ଼ୁଥିଲା୤ (ବହୁ ଦିନ ଯାଏ ପୂରା କବିତାଟି ମନେ ରଖିଥିଲି୤):

କହିଯାଅ ଯା’ କହୁଅଛ ରଖୁଅଛି ଲେଖି,

ଲେଖିଯାଅ ଯା’ ଲେଖୁଅଛ, ରଖୁଅଛି ଦେଖି…

ପରବର୍ତ୍ତୀ ବକ୍ତବ୍ୟ ହେଲା, ବର୍ତ୍ତମାଣ ସେସବୁ ଉପରେ ଧ୍ୟାନ ଦେବାକୁ ବେଳନାହିଁ୤ ଦିନାନ୍ତ ବେଳେ ପଢ଼ିବି, ଭାବିବି୤ ତା’ପରେ ‘‘ଉଠିବି, ଖଟିବି ପୁଣି ଆର ଜନମରେ୤’’

ବୋଧ ହୁଏ ସେସବୁ ‘ଲେଖି’ ଓ ‘ଦେଖି’ ରଖିଥିବା ବିଷୟ ଓ ବ୍ୟାପାର ଉପରେ ଧ୍ୟାନ ଦେବାର ଉତ୍ସାହ ସେ ଶେଷ ପର୍ଯ୍ୟନ୍ତ କେବେ ବି ଅନୁଭବ କରି ନଥିବେ୤ ସେଭଳି କୌତୁହଳରୁ ସେ ଉତ୍ତୀର୍ଣ୍ଣ ହୋଇଯାଇଥିଲେ୤


About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.