Loading...

Asankhya Adrushya Niyanta ( In Odia)

ଅସଂଖ୍ୟ ଅଦୃଶ୍ୟ ନିୟନ୍ତା

ପ୍ରାୟ ତିରିଶି ବର୍ଷ ତଳର କଥା୤ କୌଣସି ଏକ ପ୍ରତିଷ୍ଠାନର ପ୍ରବେଶପଥରେ ବସୁଥାନ୍ତି ଜଣେ ସୌଜନ୍ୟଶୀଳ ଯୁବକ୤ ପ୍ରତ୍ୟହ ପ୍ରଭାତରେ ମୁଁ ପ୍ରତିଷ୍ଠାନ ଭିତରକୁ ଯିବା ବେଳକୁ ସେ କରଯୋଡ କରି ନମସ୍କାର କରୁଥା’ନ୍ତି୤ ମୁଁ କରୁଥାଏଁ ପ୍ରତି-ନମସ୍କାର୤ ମାସାଧିକ କାଳ ଅବ୍ୟାହତ ଥାଏ ଏ ପରମ୍ପରା୤

ଦିନକର ପ୍ରଭାତରେ କିନ୍ତୁ ମୋ ମନରେ କିଞ୍ଚିତ୍ ବିସ୍ମୟ ଉପୁଜାଇଲା ତାଙ୍କ ଆଚରଣ୤ ସେ ଚୌକିରୁ ଉଠିପଡ଼ି ମୋ ପାଖକୁ ଲାଗିଆସି ସହାସ୍ୟ କରମର୍ଦ୍ଦନ ସକାଶେ ବ୍ୟଗ୍ରତା ଦେଖାଇଲେ୤ ଅଗତ୍ୟା ହାତ ବଢ଼ାଇଲି୤ ତାଙ୍କ ପରିବର୍ତ୍ତିତ ଆଚରଣର ବ୍ୟାଖ୍ୟା ଖୋଜି ପାଇବାରେ ବିଳମ୍ବ ହେଲା ନାହିଁ୤ ପୂର୍ବଦିନ ପର୍ଯ୍ୟନ୍ତ ସେ ଧୋତିକୁର୍ତ୍ତା ପରିହିତ ହୋଇ ବସୁଥାନ୍ତି- ସେଦିନ ସେ ପିନ୍ଧିଥିଲେ ନୂଆ ଟ୍ରାଉଜର୍ସ ଏବଂ ହାୱାଇ ଜାମା୤ ତାଙ୍କ ଆଚରଣକୁ ପ୍ରଭାବିତ କରିଥିଲା ଏ ସ୍ଥୂଳ ପରିବର୍ତ୍ତନ୤

ମନେପଡ଼େ ରାମାୟଣର ଅରଣ୍ୟକାଣ୍ଡରେ ବର୍ଣ୍ଣିତ ଏକ ଘଟଣା୤ ସଦ୍ୟ ଅରଣ୍ୟାଗତ ଶ୍ରୀ ରାମଚନ୍ଦ୍ରଙ୍କ ପାଖରେ ମୁନିଋଷିମାନେ ଆସି ଅଭିଯୋଗ କରୁଛନ୍ତି; ଦୁର୍ଦ୍ଦର୍ଷ, ନିର୍ମମ ରାକ୍ଷସମାନେ ସେମାନଙ୍କୁ ନାନା ଭାବରେ କଲବଲ କରୁଛନ୍ତି; ଏପରିକି ସେମାନଙ୍କୁ ଭକ୍ଷଣ କରୁଛନ୍ତି ମଧ୍ୟ୤ ରାମ ସେତେବେଳେ ତାଙ୍କର ପ୍ରଚଣ୍ଡ ଶକ୍ତି ସମ୍ବଳିତ ଧନୁପ୍ରତି ସେମାନଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କୁ ଏହି ପ୍ରତିଶ୍ରୁତି ଦେଉଛନ୍ତି କି ସେହି ମହା ଅସ୍ତ୍ରଟି ରାକ୍ଷସ ମାନଙ୍କୁ ନିଧନ କରି ସେମାନଙ୍କୁ ନିରାପତ୍ତା ଆଣିଦେବା ନିମନ୍ତେ ଉଦ୍ଦିଷ୍ଟ୤

ରାମଙ୍କର ଏ ତେଜୋବାଣୀ ଏକାଧିକଥର ଶୁଣିବା ଅନ୍ତେ ନମ୍ର ଭାବରେ ଦେବୀ ସୀତା ତାଙ୍କୁ ଗୋଟାଏ କାହାଣୀ ଶୁଣାଇଲେ : ବହୁ କାଳ ପୂର୍ବେ ଥିଲେ ଜଣେ ତପଃପ୍ରିୟ ଋଷି୤ ତପସ୍ୟାଦ୍ବାରା ସେ ଅର୍ଜନ କରିଥିଲେ ବିପୁଳ ଶକ୍ତି୤ ଦିନେ ଇନ୍ଦ୍ରଦେବ ଆସି ତାଙ୍କ ଜିମା ଦେଇଗଲେ ଖଣ୍ଡିଏ ତରବାରି୤ ବେଶ୍ ଚାକଚକ୍ୟ ମଣ୍ଡିତ ସୁଦର୍ଶନ ସେ ଅସ୍ତ୍ର୤ ଋଷି ତାକୁ ସଯତ୍ନ ସର୍ବଦା ନିଜ ପାଖରେ ରଖିଲେ୤ କ୍ରମେ ତାଙ୍କ ପାଇଁ ତା’ର ଆକର୍ଷଣ ହେଲା ତୀବ୍ରରୁ ତୀବ୍ରତର୤ ସେ ତାକୁ ବ୍ୟବହାର କଲେ୤ ଅବିଳମ୍ବେ ଅସ୍ତ୍ରର ଚମତ୍କାର କରାମତି ତାଙ୍କୁ ଏମିତି ମୋହାଚ୍ଛନ୍ନ କଲା ଯେ ସେ ତାକୁ ଦୋଷୀ-ନିର୍ଦ୍ଦୋଷୀ ନିର୍ବିଶେଷରେ ଯାହା ତାହା ଉପରେ ପ୍ରୟୋଗ କରିବାକୁ ଲାଗିଲେ୤ କହିବା ବାହୁଲ୍ୟ, ଯଥା ସମୟରେ ସେ ହେଲେ ନର୍କଗାମୀ୤

ଅସାମାନ୍ୟ ଧୀମତୀ ଦେବୀ ସୀତା ରାମଙ୍କୁ ସିଧା ସଳଖ ଭାବରେ ଉପଦେଶ ନ ଦେଇ ବୁଝାଇଦେବାକୁ ଚାହୁଥିଲେ ସୂକ୍ଷ୍ମ ମନସ୍ତାତ୍ତ୍ବିକ ତତ୍ତ୍ବ୤ ପ୍ରତ୍ୟେକ ବସ୍ତୁର ନିଜସ୍ବ ଗୋଟାଏ ଅଦୃଶ୍ୟ ପ୍ରଭାବ ଥାଏ; ସେ ବିକିରଣ କରୁଥାଏ ଏକ ପ୍ରକାର ଶକ୍ତି-ତରଙ୍ଗ୤ ଆମ ଅଜ୍ଞାତରେ ତାହା ଆମ ଚେତନା ଭିତରକୁ ପ୍ରବେଶ କରେ; ତହିଁ ବିସ୍ତାର କରେ ତା’ର ପ୍ରତିପତ୍ତି୤ ଦେବୀ ସୀତା ଶ୍ରୀ ରାମଙ୍କୁ ଦେଉଥିଲେ ଚେତାବନୀ, ଇନ୍ଦ୍ରଦତ୍ତ ତରବାରିଟି

ଋଷିଙ୍କୁ ମୋହାଚ୍ଛନ୍ନ କଲା ରୀତିରେ ଶ୍ରୀରାମଙ୍କୁ ଯେପରି ତାଙ୍କ ଧନୁ ଆୟତ୍ତ ନ କରୁ; ସେ ଯେପରି ତାଙ୍କ ପ୍ରତି ବୈରଭାବ ନଥିବା ପ୍ରାଣୀମାନଙ୍କର ନିଧନ ସକାଶେ ଆଗଭର ନ ହୁଅନ୍ତୁ୤

ରାମାୟଣପରିବେଶିତ ଏ ଜ୍ଞାନର ତାତ୍ପର୍ଯ୍ୟ କମ୍ ନୁହେଁ୤ ଆମ ଅଜ୍ଞାତସାରରେ ଆମ ଚିନ୍ତା ଓ କାର୍ଯ୍ୟକଳାପକୁ ନିୟନ୍ତ୍ରଣ ନ କଲେ ବି ବହୁମାତ୍ରାରେ ପ୍ରଭାବିତ କରନ୍ତି ଅସଂଖ୍ୟ ଦୃଶ୍ୟ ଅଦୃଶ୍ୟ, ସ୍ଥୂଳ ଓ ସୂକ୍ଷ୍ମ, ଜ୍ଞାତ ଏବଂ ଅଜ୍ଞାତ ଶକ୍ତିରାଶି୤ ଏକଦା ଜଣେ ସାଧକଙ୍କ ସହିତ ଏ ଲେଖକ ଗୋଟାଏ ଦୀର୍ଘ ପ୍ରାନ୍ତର ଅତିକ୍ରମ କରୁଥିଲା୤ ଆମକୁ ଅନୁସରଣ କରୁଥାଏ ସାଧକଙ୍କ କୁକୁର୤ ଆଖାପାଖରେ ଜନମାନବ ନାହାନ୍ତି କି କୌଣସି ଦୃଶ୍ୟମାନ ପ୍ରାଣୀ ମଧ୍ୟ ନାହାନ୍ତି୤ ହଠାତ୍ କୁକୁରଟି ଭୁକିବାକୁ ଲାଗିଲା୤ ଲମ୍ଫ ଝମ୍ଫ ଦେଇ ଅର୍ଦ୍ଧଚକ୍ରାକାରରେ ବୁଲିଗଲା୤

‘‘ବିନା କାରଣରେ କୁକୁର ଏମିତି ହେଉଛି କାହିଁକି ?’’ ମୁଁ ସ୍ବତଃସ୍ଫୂର୍ତ୍ତ ଭାବରେ କହିଲି୤

‘‘ତମ ପାଇଁ ସିନା କାରଣ ନାହିଁ, ତା’ ପାଇଁ ଅବଶ୍ୟ କିଛି ନା କିଛି କାରଣ ରହିଛି୤ ଆମ ଦୃଷ୍ଟି, ଆମ ଶ୍ରୁତି, ଆମ ଇନ୍ଦ୍ରିୟାନୁଭୂତିରେ ଧରାପଡୁନଥିବା କିଛି ଦୃଶ୍ୟ, କିଛି ସତ୍ତା ଅଥବା କିଛି ଶବ୍ଦ ତାକୁ ନିଶ୍ଚୟ ଅସ୍ବସ୍ତିକର ଲାଗୁଛି୤’’ ସହଯାତ୍ରୀ କହିଲେ୤

ଭାବୁଥିଲି, କୁକୁର ସେ ବ୍ୟାପାରଟିକୁ ଦେଖିପାରୁଛି ବା ବୁଝିପାରୁଛି ବୋଲି ତା’ର ପ୍ରତିକ୍ରିୟା ପ୍ରକାଶ କରୁଛି; ଆମେ ଦେଖିପାରୁ ନାହୁଁ ବା ବୁଝୁନାହୁଁ ବୋଲି ଆମ ପ୍ରତିକ୍ରିୟା ‘ପ୍ରକାଶ’ କରି ପାରିବା ନାହିଁ୤ କିନ୍ତୁ ବ୍ୟାପାରଟି ଆମ ଚେତନାରେ ତା’ର କିଛି ନା କିଛି ସୂକ୍ଷ୍ମ ଛାପ ରଖୁନାହିଁ ବୋଲି ଆମେ କହିପାରିବାନାହିଁ୤ ଶବ୍ଦ ତା’ର ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟ ପର୍ଯ୍ୟନ୍ତ ଆମ ଶ୍ରୁତିପଟରେ ସ୍ପନ୍ଦିତ ହୁଏ; ଆମେ ଶୁଣିପାରୁଁ୤ ସେ ପର୍ଯ୍ୟାୟଠୁଁ କମ୍ ମାତ୍ରାର ଶବ୍ଦ ଶୁଣିପାରୁନା କି ଅଧିକ ମାତ୍ରାର ଶବ୍ଦ ଶୁଣି ପାରୁନା୤ ତଥାପି ସେସବୁର ଅଜ୍ଞାତ ପ୍ରତିକ୍ରିୟା ଆମ ଭିତରେ ହୁଏ୤ ଏହା ସ୍ଥୂଳଜଗତର ବ୍ୟାପାର୤ ସୂକ୍ଷ୍ମଜଗତର ଭାବତରଙ୍ଗ ବି ଆମକୁ ପ୍ରଭାବିତ କରୁଥାନ୍ତି୤ ଥରେ ଥରେ ଜଣେ ଅକାରଣରେ ଉଦାସ ବା ଅକାରଣରେ ଉତ୍‌ଫୁଲ୍ଲ ଅନୁଭବ କରିବା ପଛରେ ସେଭଳି କାରଣ ନଥିବ ବୋଲି କହିହେବ କି? ଅନ୍ୟ କୌଣସି ଚେତନାର ଶୁଭେଚ୍ଛାର ଶକ୍ତିତରଙ୍ଗ ବା ଅଶୁଭେଚ୍ଛାର ଶକ୍ତିତରଙ୍ଗ ଆମ ଚେତନାରେ ଆସି ଖେଳେଇ ହୋଇ ଯାଉନଥିବ ବୋଲି କିଏ କହିବ ? ଅବଶ୍ୟ ସେଭଳି ତରଙ୍ଗମାନ କେତେଦୂର ଅନୁଭୂତ ହେବେ, ତାହା ନିର୍ଭର କରେ ଆମ ସତ୍ତାର ସବଳତା ବା ଦୁର୍ବଳତା ଉପରେ, କେଉଁ ଧରଣର ତରଙ୍ଗ ପ୍ରତି ଆମେ କେତେଦୂର ଉନ୍ମୁକ୍ତ ରହିଛୁଁ, ତାହା ଉପରେ୤

ମୁଁ ଏଠାରେ ଗଭୀର ଆଧାତ୍ମିକ ଅର୍ଥରେ ପ୍ରଭାବ କଥା କରୁନାହିଁ ଅହଂଚାଳିତ ମଣିଷର ପ୍ରକୃତ ଅର୍ଥରେ ବ୍ୟକ୍ତିତ୍ବ ବୋଲି କିଛି ନାହିଁ ଏବଂ ଯାହାକୁ ସେ ବ୍ୟକ୍ତିତ୍ବ ବୋଲି ମନେ କରେ ତାହା ପ୍ରକୃତି-ପରିବେଶିତ ତାମସ, ରଜସ୍ ଏବଂ ସତ୍ତ୍ବର ଏକ ସଂଯୋଗ ଛଡ଼ା ଆଉ ବିଶେଷ କିଛି ନୁହେଁ; ଯେଯାଏ ସେ ନିଜର

ଅନ୍ତର୍ସତ୍ତା ସହିତ ସଂଯୋଗ ସାଧନ ନକରିଛି ସେ ଯାଏ ସେ ସତ୍ୟ ‘ନିଜ’କୁ ଜାଣିନାହିଁ; ଗୋଟାଏ ଭ୍ରାନ୍ତ ସତ୍ତାକୁ ‘ନିଜେ’ ମନେକରି ଆରାମରେ ରହିଛି ଏସବୁ ବ୍ୟାପାର ଆଧ୍ୟାତ୍ମିକ ପ୍ରଜ୍ଞାର ପ୍ରଥମ ସୋପାନରେ ସାଧାରଣ ଜ୍ଞାନ୤ ବର୍ତ୍ତମାନ ଯେଉଁ ପ୍ରଭାବ କଥା ଓ ଆଲୋଚନାର ପରିସର ଭିତରକୁ ଅଣାଯାଉଛି, ତାହା ଅପେକ୍ଷାକୃତ ଆହୁରି ପ୍ରାଥମିକ ସ୍ତରର ସାଧାରଣ ଜ୍ଞାନ୤

କିନ୍ତୁ ଏ ଜ୍ଞାନର ବି ଆବଶ୍ୟକତା ଅନିବାର୍ଯ୍ୟ୤ ଅସଲ ନିଜକୁ ଜାଣିବାର ବହୁ ପୂର୍ବରୁ, ଏପରିକି ଅମେ କିପରି ପ୍ରକୃତିର ‘ତ୍ରିଗୁଣ ରଜ୍ଜୁ’ ଦ୍ବାରା ପରିଚାଳିତ ସେକଥା ହୃଦୟଙ୍ଗମ କରିବା ପୂର୍ବରୁ ମଧ୍ୟ, କେତେ ପ୍ରକାର ମାମୁଲି ପ୍ରଭାବ ଆମ ମନୋଭାବ, ଦୃଷ୍ଟିକୋଣ ଏବଂ କାର୍ଯ୍ୟକଳାପକୁ ଭିନ୍ନ ଭିନ୍ନ ମୋଡ଼ ଦେଇପାରନ୍ତି, ସେ ସଂପର୍କରେ ଆମେ ସଜାଗ ହେବା ଜରୁରୀ୤ ମନେହୁଏ ଆମ ଧ୍ୟାନ ଧାରଣାକୁ ବହୁ ମାତ୍ରାରେ ନିୟନ୍ତ୍ରିତ କରେ ଅଜ୍ଞାନ ବା ଅର୍ଦ୍ଧଜ୍ଞାନ, ଶିଶୁ ଅବସ୍ଥାରେ ଆମ ଚେତନାରେ ଲିପିବଦ୍ଧ ହୋଇଯାଇଥିବା ନାନାଦି ସାଙ୍କେତିକ ବାର୍ତ୍ତା, ନାନାଦି ଛାପ ମଧ୍ୟ୤ ମୁଁ ଅତ୍ୟନ୍ତ ଭୟାର୍ତ୍ତ ବା ଆତଙ୍କିତ ଥିବା ବେଳେ ଯେଉଁ କଣ୍ଠସ୍ବର ମୋ ଭିତରେ ସ୍ନେହ ସାନ୍ତ୍ବନା ଭରି ଦେଇଥିବ, ସେ କଣ୍ଠସ୍ବରର ଅନୁରୂପ ସ୍ବର ଆଜୀବନ ମୋ ପାଇଁ ପ୍ରୀତିପ୍ରଦ ହେବ ହିଁ ହେବ୤ ଶିଶୁ କାଳରେ ଆମକୁ ଭୟଭୀତ କରିଥିବା କିମ୍ବା ଆହ୍ଲାଦିତ କରିଥିବା ଚେହେରା, ହସ, ସେ ସମସ୍ତ ସ୍ମୃତି ଆମ ଅବଚେତନାରେ ଥାଇ ପରବର୍ତ୍ତୀ ଜୀବନରେ ସେଇ ଚେହେରା ବା ହସ ପ୍ରତି ଯଥାଯଥ ପ୍ରାଥମିକ ମନୋଭାବ ଉଦ୍ରେକ କରାଇବା ପରେ ଅବଶ୍ୟ ଧାରଣାରେ ପରିବର୍ତ୍ତନ ହୋଇପାରେ୤

ମୁମ୍ବାଇରେ ଜଣେ ବନ୍ଧୁଙ୍କ ସହ ଦେଖାକରିବାର ଥାଏ୤ ସେ ମୋତେ ଦେଇଥା’ନ୍ତି – ଚାରିଟା ବେଳେ ସେ ଚାରିପାଞ୍ଚଜଣ ପ୍ରାର୍ଥୀଙ୍କୁ ତାଙ୍କ ଅଫିସ୍ ରେ ପରୀକ୍ଷା କରିବେ କୌଣସି କାମ ପାଇଁ୤ ଅଧଘଣ୍ଟାରେ କାମ ସରିଯିବ ଏବଂ ମୁଁ ସାଢ଼େ ଚାରିଟା ବେଳକୁ ପହଞ୍ଚିଲେ ସାଙ୍ଗ ହୋଇ ମାଲାବାର ହିଲ୍‌ସ ଆଡ଼େ ଯିବା୤ ମୁଁ ସାଢ଼େ ଚାରିଟାରେ ପହଞ୍ଚିବା ବେଳକୁ କିନ୍ତୁ କୌଣସି କାରଣରୁ ପ୍ରାର୍ଥୀ-ପରୀକ୍ଷା ଆରମ୍ଭ ହୋଇନାହିଁ୤ ପ୍ରବେଶିକା କୋଠରିରେ ଚାରିଜଣ ପ୍ରାର୍ଥୀ ବସିଥା’ନ୍ତି – ଦୁଇଜଣ ଯୁବକ ଦୁଇଜଣ ତରୁଣୀ୤ ମୋତେ ସେମାନଙ୍କ ଭାବୀ ହାକିମ ନିଜେ ବାହାରି ଆସି ସଙ୍ଖୋଳିବାର ଦେଖି ସେମାନେ ଠିଆ ହୋଇ ପଡ଼ିଲେ୤ ମୁଁ ହାକିମଙ୍କ ଅଫିସ୍ ରେ ପଶିଲି୤ ଅଫିସ୍ ପଛରେ ତାଙ୍କର ବିଶ୍ରାମ କକ୍ଷ୤ ସେ ମୋତେ ସେ ବିଶ୍ରାମ କକ୍ଷରେ ବସାଇ ଅଫିସ୍‌ରେ ଜଣକ ପରେ ଜଣେ ଚାରି ପ୍ରାର୍ଥୀଙ୍କ ସହ ବାର୍ତ୍ତାଳାପ ଶେଷକଲେ୤ ସେମାନଙ୍କ କଥାବାର୍ତ୍ତା ମୁଁ ଶୁଣିନାହିଁ୤ ଦରଜା ବନ୍ଦ ଥିଲା ଓ ମୋ ପାଇଁ ସେ ଚାଲୁ କରିଦେଇ ଯାଇଥିଲେ ଟେପ୍ ରେକର୍ଡ଼ର ଯୋଗେ ମୃଦୁ ମନୋରଞ୍ଜକ ସଙ୍ଗୀତ୤

ପ୍ରାର୍ଥୀମାନେ ବିଦାୟ ନେଇଯିବାପରେ ମୁଁ ଅଫିସ୍ କୋଠରିକୁ ଆସିଲି୤ ‘‘କିଏ ମନୋନୀତ ହେଲେ? ସେ ସବୁଜ ଶାଢୀ ପିନ୍ଧିଥିବା ଚଷମାବାଲୀ ଝିଅଟି ନୁହେଁ ତ ?’’ ପଚାରିଲି୤

ବନ୍ଧୁ କାବା ହୋଇ ଅନାଇଲେ୤ ‘‘ହଁ, ସେଇ ଝିଅ୤ କିନ୍ତୁ ତମେ ଜାଣିଲ କେମିତି? ଅବଶ୍ୟ ଚାରିଜଣଯାକ ଥିଲେ ଯୋଗ୍ୟ ପ୍ରାର୍ଥୀ ଚାଳିଶଜଣଙ୍କ ଭିତରୁ ସୁନିର୍ବାଚିତ୤ ତମ ଅନୁମାନର ଭିତ୍ତି?’’ ସେ ପ୍ରଶ୍ନ କଲେ୤

ପ୍ରଥମେ କହୁନଥିଲି – କିନ୍ତୁ କହିଲି୤ ବନ୍ଧୁଙ୍କର ଅତି ଗେହ୍ଲା ଝିଅ- ଯେମିତି ବିଚକ୍ଷଣ ସେମିତି ବିବେକୀ୤ କଲେଜରେ ପାଦଦେଲା ପରେ ପରେ ମରିଯାଇଥିଲା୤ ସେ ସବୁଜ ଶାଢ଼ିଯୁକ୍ତା ଚଷମାବାଲୀ ଝିଅଟି ଅବିକଳ ସେଇ ଝିଅ ପରି ହସୁଥିଲା୤ ବନ୍ଧୁ ସଚେତନ ନଥିଲେ୤ କିନ୍ତୁ ବନ୍ଧୁଙ୍କ ମମତାକୁ ସେ ବଳେ ବଳେ ଜାଗରିତ କରି ଦେଇଥିଲା – ତା’ହସ ମାଧ୍ୟମରେ୤

ଗୋଟିଏ ଦୃଷ୍ଟାନ୍ତ ମୁଁ କେତେ ସ୍ଥାନରେ କହିଛି ଓ ମୋର କୌଣସି ଲେଖାରେ ବି କଥାଟିଏ ସବିଶେଷ ବର୍ଣ୍ଣନା ରହିଛି୤ ମୁମ୍ବାଇ ବିଶ୍ବବିଦ୍ୟାଳୟରେ ଥରେ ମୋର ଚାରି ବା ପାଞ୍ଚ ସଂଧ୍ୟା ବ୍ୟାପୀ ବକ୍ତୃତା ଥାଏ – ଶ୍ରୀ ଅରବିନ୍ଦଙ୍କ ଗୀତା ପ୍ରବନ୍ଧମାଳା ଉପରେ୤ ଶେଷ ଦିନ ସନ୍ଧ୍ୟାରେ ଆସିଲେ ଜଣେ ପ୍ରଖ୍ୟାତ ବ୍ୟକ୍ତି୤ ସଭାପରେ ମୋତେ ବଧେଇ ଜଣେଇ କହିଲେ, ତାଙ୍କ ସୁପୁତ୍ରଙ୍କ ପରାମର୍ଶ ମାନି ସେ ଚାରି ସଂଧ୍ୟାଯାକ ବକ୍ତୃତା ଶୁଣିବାକୁ ମନସ୍ଥ କରିଥିଲେ୤ କିନ୍ତୁ ପ୍ରଥମ ସଂଧ୍ୟାରେ ସେ ଠିକ୍ ବାହାରିବା ବେଳକୁ ବିଦେଶରୁ ତାଙ୍କ ସମୁଦୀ ଆସି ପହଞ୍ଚିଯାଆନ୍ତେ, ଦ୍ବିତୀୟ ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଆଗତପ୍ରାୟ ଝିଅ ବାହାଘର ଦୃଷ୍ଟିରୁ ଉପହାର କିଣିବା ନିମନ୍ତେ ବଜାରକୁ ଯିବା ପାଇଁ ସ୍ତ୍ରୀ ବାଧ୍ୟ କରନ୍ତେ, ତୃତୀୟ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ତାଙ୍କ ସହ ଫୋନ୍ ଯୋଗେ କଥା ହେବେ ବୋଲି ସଙ୍କେତ ମିଳିବାରୁ ସେ ଆସି ପାରିନଥିଲେ୤ ଆଜି ଶେଷ ସଂଧ୍ୟାରେ ତାଙ୍କ ପୁଅ ପୁନର୍ବାର ତାଙ୍କୁ ତାଗ୍‌ଦା କରନ୍ତେ ସେ ଆସିଲେ୤ ଏ ତଥ୍ୟ ମୋତେ ଦେଇସାରି ସେ କହିଲେ, ‘‘ଆପଣଙ୍କ କଥାସବୁ ମୋତେ ଖୁବ୍ ଭଲ ଲାଗିଲା ଯେ, କିନ୍ତୁ ଗୋଟାଏ ବିଷୟ ମୁଁ ଗ୍ରହଣ କରି ପାରୁନାହିଁ୤ ଆପଣ କହିଲେ ମଣିଷର ସର୍ବୋତ୍ତମ ବିଜ୍ଞତା ହେଲା ଭଗବାନଙ୍କଠିଁ ଆତ୍ମ ସମର୍ପଣ୤ ମୁଁ ଯଦି ସେତକ କରିଦେବି, ତେବେ ମୋର ନିଜତ୍ବ ହୋଇ ରହିବ କ’ଣ? ମୋ ବ୍ୟକ୍ତିତ୍ବ ତ ହେବ ଶୂନ୍ !’’

ସେଦିନ ତାଙ୍କୁ କହିଥିଲି, ‘‘ଆଜ୍ଞା, ଆପଣ ପ୍ରଥମ ସନ୍ଧ୍ୟାରେ ସମୁଦୀ ପାଖରେ, ଦ୍ବିତୀୟ ସଂଧ୍ୟାରେ ସ୍ତ୍ରୀ ପାଖରେ ଏବଂ ତୃତୀୟ ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ଆତ୍ମସମର୍ପଣ କରିବା ହେତୁ ସଭାକୁ ଇଚ୍ଛା ସତ୍ତ୍ବେ ଆସିପାରିଲେ ନାହିଁ୤ ଆଜି ପୁଅ ପାଖରେ ଆତ୍ମସମର୍ପଣ କରି ଆସିଲେ୤ ଏ ସବୁରେ ଆପଣଙ୍କ ବ୍ୟକ୍ତିତ୍ବ ଶୂନ୍ ହେଲା ନାହିଁ, ଅଥଚ ଭଗବାନଙ୍କଠିଁ ଆତ୍ମସମର୍ପଣ କରିଦେଲେ ଶୂନ୍ ହୋଇଯିବ ?’’

ସେ ବିବେକୀ୤ ସେ ବୁଝିଲେ୤

ଆମେ ଅହରହ କେତେ ଧରଣର ପ୍ରଭାବ କବଳରେ ପଡ଼ି କାମ କରୁଥାଉଁ ଅଥଚ ସମସ୍ତ କାମ ନିଜ ସ୍ବାଧୀନତାରେ କରୁଛୁଁ ବୋଲି ଭ୍ରାନ୍ତ ଧାରଣା ପୋଷଣ କରୁଥାଉଁ, ଉପରୋକ୍ତ କଥୋପକଥନ ତା’ର ଏକ ଦୃଷ୍ଟାନ୍ତ୤

ଏ ଆଳାପ ଅବସରରେ ବିଶେଷ ତତ୍ତ୍ବ ଭିତରକୁ ନ ଯାଇ ଏକାଧିକ ଥର ସଭାସମିତିରେ (ଅବଶ୍ୟ କୋଡ଼ିଏ ତିରିଶ ବର୍ଷ ତଳେ) ମୁଁ କହିଥିବା ଗୋଟିଏ କଥା ପୁନର୍ବାର କହି ବକ୍ତବ୍ୟ ଶେଷ କରିବି୤

ଯୁବକଟିର ନାମ ଧରନ୍ତୁ ରାମୁ୤ ଗରିବ୤ ଅଳ୍ପ କିଛି ଜମି ଅଛି୤ ଦିନଯାକ ତହିଁ ମେହେନତ୍ କରେ; ଉତ୍ପାଦନରୁ କୌଣସି ମତେ ଚଳିଯାଏ୤ ଦିନକର ମୁହଁ ସଂଜବେଳେ ଜମି ପ୍ରାନ୍ତବର୍ତ୍ତୀ ଛୋଟ ବରଗଛଟି ମୂଳେ ହାଲିଆ ହୋଇ ବସିପଡ଼ିଛି, ଶୁଣିଲା ରାଜାଙ୍କ ରଟୁଆଳର ଘୋଷଣା – ରାଜା ଦେଖିଛନ୍ତି ଏକ ସ୍ବପ୍ନ : ସିଂହାସନରେ ସେ ବସିଛନ୍ତି, ତାଙ୍କ କୋଳକୁ ଡ଼େଇଁ ପଡ଼ିବାର ଚେଷ୍ଟା କରୁଛି ଗୋଟାଏ ଧୂର୍ତ୍ତ-ଦର୍ଶନ, ରକ୍ତ-ଚକ୍ଷୁ ଶୃଗାଳ୤ ସେ ବଡ଼ ଅସ୍ବସ୍ତି ଅନୁଭବ କରୁଛନ୍ତି୤ ଶୃଗାଳକୁ ଘଉଡ଼ାଇବାକୁ ଚିତ୍କାର କରି ତାଙ୍କର ନିଦ ଭାଙ୍ଗିଗଲା୤ ଯିଏ ଏ ସ୍ବପ୍ନର ହୃଦୟଗ୍ରାହୀ ବ୍ୟାଖ୍ୟା ଦେଇ ପାରିବ, ସେ ପାଇବ ଏକ ଶତ ସ୍ବର୍ଣ୍ଣ ମୁଦ୍ରା ପୁରସ୍କାର୤

ରଟୁଆଳ ଘୋଡ଼ା ଝପଟାଇ ଚାଲିଗଲା୤ ନିଜକୁ ନିଜେ କହିଲା ରାମୁ, ‘‘ଏକ ଶତ ସ୍ବର୍ଣ୍ଣମୁଦ୍ରା ! ହାୟ, ମୁଁ ଯଦି ବ୍ୟାଖ୍ୟା କରି ପାରନ୍ତି ମୋର ସବୁ ଦୁଃଖ ଦୂର ହୋଇଯାଆନ୍ତା୤”

ହଠାତ୍ ସେ ଶୁଣିଲା ଏକ କ୍ଷୀଣ ମଧୁର କଣ୍ଠ – ‘‘ତମେ ସ୍ବପ୍ନର ଅର୍ଥ ଜାଣିବାକୁ ଚାହଁ ? ରାଜାଙ୍କଠୁଁ ପ୍ରାପ୍ତ ପୁରସ୍କାରର ଅଧା ମୋତେ ଦେବ ?’’

ଚମକିପଡ଼ି ରାମୁ ଏଣେ ତେଣେ ଅନାଇଲା୤ କେଉଁଠି କେହି ନାହାନ୍ତି୤ କଣ୍ଠସ୍ବର ଯେମିତି ଆସୁଥିଲା ଉପରୁ୤ ଠିକ୍ କଥା୤ ଚଢ଼େଇଟିଏ କରୁଥିଲା ସେ ପ୍ରଶ୍ନ୤

‘‘ପକ୍ଷୀ ! ତୁମେ ମୋତେ ଅର୍ଥ କହିଦିଅ୤ ମୁଁ ଜରୁର୍ ପୁରସ୍କାରର ଅଧା ତୁମକୁ ସମର୍ପି ଦେବି୤’’ ପ୍ରତିଶ୍ରୁତି ଦେଲା ରାମୁ୤

‘‘ବେଶ୍୤ ରାଜାଙ୍କୁ ଭେଟି କୁହ, ଶୃଗାଳ ବିଶ୍ବାସହୀନତା ଓ ପ୍ରବଞ୍ଚନାର ପ୍ରତୀକ୤ ବର୍ତ୍ତମାନ ରାଜ୍ୟର ବାତାବରଣରେ ପ୍ରବଞ୍ଚନା ପ୍ରବଳ୤ ରାଜା ସତର୍କ ଥିବେ୤’’ କହିଲା ଚଢ଼େଇ୤

ରାମୁ ଯାଇ ରାଜାଙ୍କୁ ଏକାନ୍ତରେ ଭେଟି ସ୍ବପ୍ନର ରହସ୍ୟ କହିଲା୤ ରାଜାଙ୍କ ମନକୁ ପାଇଲା୤ ସେ ଦେଲେ ଶହେ ସ୍ବର୍ଣ୍ଣ ମୁଦ୍ରା୤

କିନ୍ତୁ ରାମୁ ଯେତିକି ମାତ୍ରାରେ ଖୁସି ହେବା କଥା, ତା ହୋଇ ପାରିଲା ନାହିଁ, କାରଣ ? ଚଢେଇକୁ ଅଧା ଦେଇଦେବାକୁ ହେବ !

ମୁଣ୍ଡକୁ ଉପାୟ ଆସିଗଲା୤ ଚଢ଼େଇ ସହ ଦେଖା ନ ହେଲେ କଥା ଛିଡ଼ିଲା୤ ସେ ବାଟ ଭାଙ୍ଗି ଘରକୁ ଲେଉଟିଲା୤

ପରଦିନଠୁଁ ତାକୁ ଆଉ ଜମିରେ ଖଟିବାକୁ ପଡ଼ିଲା ନାହିଁ, ମୂଲିଆ ଖଟିଲେ୤ ସେ ତା’ଉପାର୍ଜନ ବିନିଯୋଗ କରି ବେପାର କଲା୤ ହେଲା ଲକ୍ଷପତି୤ କୋଠା ବନାଇଲା; ବିଭା ହେଲା, ଦିନ ବିତିଲା ଆରାମରେ୤

ପାଞ୍ଚ ବର୍ଷପରେ ଦିନେ ସଂଜବେଳେ ସେନାପତି ଆଉ ଜଣେ ଦୁଇଜଣ ସୈନ୍ୟ ସହ ଆସି ତା’ଘର ଆଗରେ ଘୋଡ଼ାରୁ ଓହ୍ଲାଇଲେ୤ ‘‘ଆସ, ବାବୁ, ଶୀଘ୍ର ଆସ୤ ରାଜା ପୁଣି ଗୋଟାଏ ବିଶେଷ ସ୍ବପ୍ନ ଦେଖିଛନ୍ତି୤ ବ୍ୟାଖ୍ୟା କରିବ ଚାଲ୤’’ – ସେ ନିର୍ଦ୍ଦେଶ ଦେଲେ୤

ରାମୁ ଛାତିରେ ଛାନିଆ୤ ସେ କରଯୋଡ଼ି କରି କହିଲା, ‘‘ହଜୁର ! ମୁଁ ତ ସ୍ବପ୍ନତତ୍ତ୍ବ ଚର୍ଚ୍ଚା ଛାଡି ଦେଲିଣି !’’

‘‘ତମେ ରାଜାଙ୍କ ପ୍ରଜାଟି ? ତମର ଯାହା ମନ ତାହା କରିପାରିବ ବୋଲି ତୁମକୁ କିଏ ଦେଲା ଏମନ୍ତ ଧାରଣା ? ଆସିବ ନା ଖାଲି ତୁମ ମୁଣ୍ଡଟି ନେଇଯିବି ?’’ ଧମକ ଦେଲେ ସେନାପତି୤

ରାମୁ ତାଙ୍କୁ ନେହୁରା ହୋଇ ଦିନଟିଏ ସମୟ ନେଲା୤ ସେନାପତି ବିଦା ହୁଅନ୍ତେ ସେ ନିଜ ଜମି ପାଖର ନିର୍ଜନ ବରଗଛ ପାଖକୁ ଯାଇ କାନ୍ଦି କାନ୍ଦି କହିଲା, ‘‘ହେ ସ୍ବପ୍ନବିଦ୍ କୁନି ପକ୍ଷୀ ! ତମେ ଅଛଟି ? ମୋତେ ଦୟାକର ୤’’

ଉତ୍ତର ଆସିଲା – ‘‘କ’ଣ ରାଜାଙ୍କ ସ୍ବପ୍ନ ? କୁହ ୤ ମାନେ କହିଦେବି୤ କିନ୍ତୁ ତମେ ଯାହା ପାଇବ, ତା’ର ଅଧେ ମୋତେ ଦେବଟି ?’’

‘‘ନିଶ୍ଚୟ ଦେବି୤ ମୋତେ ଦୟାକର୤’’ ରାମୁ କହିଲା୤

ସେନାପତି ରାଜାଙ୍କର ସ୍ବପ୍ନଟି ରାମୁକୁ କହି ଦେଇଥିଲେ – ରାଜା ବସିଛନ୍ତି ସିଂହାସନରେ୤ ତାଙ୍କ ମୁଣ୍ଡ ଚାରିକଡ଼େ ଘୂରି ବୁଲୁଛି ଗୋଟିଏ ରକ୍ତମୟ ତରବାରି !

କହିଲା ଚଢ଼େଇ : ‘‘ ତରବାରି ହିଂସାର ପ୍ରତୀକ୤ ରାଜାଙ୍କୁ କହିଦେବ, ବର୍ତ୍ତମାନ ରାଜ୍ୟକୁ ଗ୍ରାସ କରିଛି ହିଂସାର ବାତାବରଣ୤ ସେ ସାବଧାନ ରହିବେ୤’’

ଚଢ଼େଇକୁ ଧନ୍ୟବାଦ ଦେଇ ରାମୁ ଗଲା ଛାମୁଙ୍କ ସମୀପକୁ୤ ସ୍ବପ୍ନର ବ୍ୟାଖ୍ୟାରେ ପ୍ରୀତ ହୋଇ ରାଜା ଏଥର ତାକୁ ଦେଲେ ଏକ ସହସ୍ର ସ୍ବର୍ଣ୍ଣମୁଦ୍ରା୤

ଖୁସି ହେବା ପରିବର୍ତ୍ତେ ପୁନରାୟ ବିଷର୍ଣ୍ଣ ବୋଧ କଲା ରାମୁ୤ ପାଞ୍ଚଶହ ସ୍ବର୍ଣ୍ଣ ମୁଦ୍ରା ପକ୍ଷୀଟି ନେଇଯିବ ! କିନ୍ତୁ ଏଥର ସେ ନଦେଲେ ପକ୍ଷୀ ଯାଇ ରାଜାଙ୍କ ପାଖରେ ଅଭିଯୋଗ ବି ତ କରିପାରେ !

ଅତଏବ ମୂଳ ମାଇଲେ ଯିବ ସରି ! ସେ ଖଣ୍ଡିଏ ତୀକ୍ଷ୍ଣ୍ ଶିଳା ହାତ ମୁଠାରେ ରଖି ଗଛ ପାଖକୁ ଆସିଲା୤ ପକ୍ଷୀଟି ଯେମିତି ତାକୁ ଅଭିବାଦନ ଜଣାଇଛି, ସେ ତାକୁ ଲକ୍ଷ୍ୟକରି ଛାଟିଲା ସେ ଶିଳା୤ ପକ୍ଷୀ କିନ୍ତୁ ଦୈବାତ୍ ବର୍ତ୍ତିଗଲା୤

ଆହୁରି ଅଧିକ ବିଷଣ୍ଣ ହୋଇ ଘରକୁ ଫେରିଲା ରାମୁ – ଅବଶ୍ୟ ଘଟଣାଟି ଭୁଲିଯିବାକୁ ଯତ୍‌ପରୋନାସ୍ତି ଚେଷ୍ଟା କଲା୤

ଗଲା ବିତି ଆହୁରି ପାଞ୍ଚ ବର୍ଷ୤ ପୁଣି ଆସି ପହଞ୍ଚିଗଲେ ସେନାପତି୤ ପୁଣି କାକୁସ୍ଥ ହୋଇ ଦିନଟିଏ ସମୟ ନେଲା ରାମୁ୤ ସଂଧ୍ୟାବେଳେ ବରଗଛ ପାଖକୁ ଯାଇ ପୁନର୍ବାର କନ୍ଦାକଟା କଲା ଏବଂ ପକ୍ଷୀପାଖରୁ ରାଜାଙ୍କ ତୃତୀୟ ସ୍ବପ୍ନର ବ୍ୟାଖ୍ୟା ସଂଗ୍ରହ କଲା୤

‘‘ତମ ପୁରସ୍କାରର ଅଧା ମୋତେ ଦେବଟି? ’’ ପକ୍ଷୀ ପ୍ରଶ୍ନ କଲା୤

‘‘ନିଃସନ୍ଦେହ ଦେବି୤ ଶପଥ କରୁଛି୤’’ ରାମୁ ଜବାବ ଦେଲା୤

ଏଥର ରାଜା ଦେଖିଥିବା ସ୍ବପ୍ନଟି ହେଲା – ସେ ବସିଛନ୍ତି ସିଂହାସନରେ୤ ତାଙ୍କ କୋଳକୁ ଡ଼େଇଁପଡ଼ିଛି ଗୋଟାଏ ସୁନ୍ଦର ମେଷ ଶାବକ୤ ରାଜା ତାକୁ ଆଉଁଶିଦେଉଛନ୍ତି୤ ପକ୍ଷୀର ବ୍ୟାଖ୍ୟା ହେଲା, ମେଷ ଶାନ୍ତି ଓ ବିଶ୍ବାସର ପ୍ରତୀକ୤ ରାଜ୍ୟରେ ଏଣିକି ଶାନ୍ତି ଓ ବିଶ୍ବାସର ବାତାବରଣ ବିରାଜିତ୤ ରାଜା ନିରାପଦରେ ବିଚରଣ କରନ୍ତୁ; ଜନହିତକର କାର୍ଯ୍ୟ ଆରମ୍ଭ କରନ୍ତୁ୤

ରାମୁ ଯାଇ ରାଜାଙ୍କୁ ସ୍ବପ୍ନର ବ୍ୟାଖ୍ୟା ଦିଅନ୍ତେ ରାଜା ପ୍ରୀତ ହୋଇ ତାକୁ ଦଶ ହଜାର ସ୍ବର୍ଣ୍ଣମୁଦ୍ରା ପୁରସ୍କାର ଦେଲେ୤

ରାମୁ ସିଧା ଆସିଲା ବରଗଛ ମୂଳକୁ୤ ଡାକିଲା ପକ୍ଷୀକୁ୤ ପକ୍ଷୀ ଆସନ୍ତେ ସେ ସମୁଦାୟ ପୁରସ୍କାର ସେଠି ଥୋଇଦେଇ କହିଲା, ‘‘ଏତକ ରଖ୤ ମୁଁ ଯାଇ ଗତ ଦୁଇଥର ମିଳିଥିବା ପୁରସ୍କାରର ଅଧା ମଧ୍ୟ ନେଇ ଆସୁଛି୤’’

‘‘ତମେ ପାଗଳ ? ମୁଁ ଚଢ଼େଇଟିଏ୤ ଗଛରେ ରହେ, ଫଳ ଖାଏଁ୤ ମୋର ସ୍ବର୍ଣ୍ଣମୁଦ୍ରାରେ କି ବା ପ୍ରୟୋଜନ ? ତମେ ସୁଖରେ ରୁହ୤ ଅନ୍ୟମାନଙ୍କୁ ସୁଖରେ ରଖିପାରିବା ଭଳି କାମରେ ବରଂ ଯାହା ପାରୁଛ ଖର୍ଚ୍ଚ କର – ଯାଅ୤’’

ଏହା କହି ପକ୍ଷୀ ଉଡ଼ିଯିବାକୁ ଉଦ୍ୟତ ହୁଅନ୍ତେ ରାମୁ ତାକୁ ଟିକିଏ ରହିଯିବାକୁ କହି ବଡ଼ ଆନ୍ତରିକତାପୂର୍ଣ୍ଣ କଣ୍ଠରେ କହିଲା, ‘‘ଆଚ୍ଛା ! ତମେ ଏ ବିତ୍ତ ନ ରଖିବ ତ ନ ରଖ; କିନ୍ତୁ ମୋତେ ଅନ୍ତତଃ କ୍ଷମା କରିଛ , ଏତକ କୁହ୤ ନ ହେଲେ ଗ୍ଲାନି ମୋତେ ସର୍ବଦା ବଡ଼ କଷ୍ଟ ଦେବ୤’’

‘‘କ୍ଷମା ? କ’ଣ ପାଇଁ ?’’ ପକ୍ଷୀ ବିସ୍ମିତ ହେଲପ୍ରାୟେ ପଚାରିଲା୤

‘‘ତମେ କ’ଣ ଭୁଲିଯାଇଛ? ପ୍ରଥମ ଥର ମୁଁ ତୁମକୁ ଫାଙ୍କିଦେଇ ଦେଖ ନ କରି ଚାଳିଗଲି; ଦ୍ବିତୀୟ ଥର ତମକୁ ଟେକା ମାରିଲି !’’

‘‘ଓଃ !’’ ପକ୍ଷୀ ଟିକିଏ ରହିଯାଇ କହିଲା, ‘‘ଦେଖ ତମେ କିଛି କରିନାହଁ୤ ପ୍ରଥମଥର ବାତାବରଣରେ ଥିଲା ଅବିଶ୍ବାସ ଓ ପ୍ରବଞ୍ଚନା – ତମେ ମୋ ପ୍ରତି ପ୍ରବଞ୍ଛନା କଲ୤ ଦ୍ବିତୀୟ ଥର ବାତାବରଣରେ ଥିଲା ହିଂସା – ତମେ ମୋ ପ୍ରତି ହିଂସାଚାର କଲ ୤ ଏଥର ବାତାବରଣରେ ରହିଛି ଶାନ୍ତି ଓ ବିଶ୍ବାସ – ତମେ ମୋ ପ୍ରତି ବିଶ୍ବସ୍ତ ଆଚରଣ କରିଛ୤ ତମେ ସମସ୍ତଙ୍କ ଭଳି ଜଣେ ବାତାବରଣପ୍ରଭାବିତ ମଣିଷ୤ କ୍ବଚିତ୍ ସଂଖ୍ୟକ ଲୋକଥାନ୍ତି ଯେଉଁମାନେ ସେ ପ୍ରଭାବର ଉର୍ଦ୍ଧ୍ବକୁ ଯାଇପାରନ୍ତି; ନିଜ ଚେତନାର ସାମର୍ଥ୍ୟ ଯୋଗେ ମହତ୍ ରହିପାରନ୍ତି୤

ସେହି ‘କ୍ବଚିତ୍ ସଂଖ୍ୟକ’ ଯେତେବେଳେ ଆଖିଦୃଶିଆ ସଂଖ୍ୟକରେ ଉପନୀତ ହେବ, ସେତେବେଳକୁ, ସେମାନେ ସଂଖ୍ୟାନ୍ୟୁନ ହେଲେ ମଧ୍ୟ, ବାତାବରଣରେ ଆସିବ ଶୁଭଙ୍କର ପରିବର୍ତ୍ତନ୤


"Atmeeyata Gata Kali Ebam Aaji" Talk by Prof. Manoj Das

About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.