Loading...

“ ମୁଁ ଏଯାବତ୍‌ ନିଜକୁ ନିଜେ ଚିହ୍ନିବାର ଆଶାରେ ଆଶାୟୀ ମାତ୍ର”

ମନୋଜ ଦାସ
-- ଓଡ଼ିଆ ଭାଷା ସାହିତ୍ୟର ଏକ ସଶ୍ରଦ୍ଧ ଉଚ୍ଚାରଣ । ଇଂରାଜୀ ଓ ଓଡ଼ିଆ ସାହିତ୍ୟରେ ଲେଖନୀ ଚାଳନା କରି ସେ ଓଡ଼ିଆ ସାହିତ୍ୟକୁ ବିଶ୍ୱଦରବାରରେ ଗର୍ବର ସହ ଠିଆ କରାଇବାର ମାଧ୍ୟମ ହୋଇଛନ୍ତି । ଓଡ଼ିଆ ସାହିତ୍ୟ ପାଇଁ ସେ ହୋଇଛନ୍ତି କିମ୍ବଦନ୍ତି ପୁରୁଷ । ଜୀବନ ଓ ସାହିତ୍ୟକୁ ନେଇ ତାଙ୍କର ଏହି ବିରଳ ସାକ୍ଷାତକାର ଏଠାରେ ଉପସ୍ଥାପନ କରୁଛୁ । ---

ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ସହିତ କବି ମମତା ଦାଶଙ୍କର ଏକ ଅନ୍ତରଙ୍ଗ ଆଳାପ ।

avatar

ନମସ୍କାର । ଏ ସାକ୍ଷାତ୍‌କାରର ଦାୟିତ୍ୱ ଦେବାପରେ “ଆକାଂକ୍ଷା” ପତ୍ରିକାର ମୁଖ୍ୟ ସମ୍ପାଦକ, କବି ସୁରେଶ ନାୟକ ମୋତେ କହିଲେ “କେବଳ ସାହିତ୍ୟ ସମ୍ବନ୍ଧୀୟ ପ୍ରଶ୍ନ ପଚାରିବେ ନାହିଁ, ତାହା ତ ସବୁଠାରେ ଦେଖୁଚୁ, ଆପଣ ଆମମାନଙ୍କୁ ବ୍ୟକ୍ତି ମନୋଜ ଦାସଙ୍କୁ ଚିହ୍ନାଇବା ପାଇଁ ଚେଷ୍ଟା କରିବେ ବୋଲି ଅନୁରୋଧ କରୁଛି ।” ଇଏ ତ ବଡ଼ କଷ୍ଟକର କଥା । ତେଣୁ ଭାବୁଛି ଏକ ଚିରାଚରିତ ସାକ୍ଷାତ୍‌କାର ମଧ୍ୟରେ ଆବଦ୍ଧ ନ ରହି, କଥାବାର୍ତ୍ତା ଛଳରେ ହିଁ ପ୍ରଶ୍ନ କରିବି । ଅସୁବିଧା ହେବ କି ?

avatar

ଯେଉଁ ପ୍ରଶ୍ନ ପଚାରିବାକୁ ଆପଣ ନିଜେ ଅସୁବିଧା ଅନୁଭବ କରିବେନାହିଁ, ତା’ର ଉତ୍ତର ଦେବା ନିମନ୍ତେ ମୋତେ ଅସୁବିଧା ଲାଗିବ ନାହିଁ ବୋଲି ମୋର ବିଶ୍ୱାସ । ତେବେ ଅସୁବିଧା ଅନ୍ୟତ୍ର, ଏକ ଗହୀରତର ପର୍ଯ୍ୟାୟରେ । ବ୍ୟକ୍ତି ‘ମନୋଜ ଦାସ’ଟିକୁ ଚିହ୍ନିବାରେ ମୁଁ ନିଜେ କେତେଦୂର ସଫଳ ହୋଇଚି – ତାହା ଏକ ବାସ୍ତବ ପ୍ରଶ୍ନ । ଆପଣ ଯଦି ସେ ବ୍ୟକ୍ତିଟିକୁ ଚିହ୍ନିପାରିବେ, ତେବେ ପାଠକମାନଙ୍କୁ ଚିହ୍ନାଇବାକୁ ଚେଷ୍ଟା କରିବା ସଙ୍ଗେସଙ୍ଗେ ମୋତେ ଚିହ୍ନାଇଦେଲେ କୃତଜ୍ଞ ହେବି !

avatar

ଆଶ୍ୱସ୍ତ ହେଲି । ଆପଣଙ୍କ ସହିତ ମୋର ପରିଚୟ ଓ ସମ୍ପର୍କ ଅନେକ ବର୍ଷର । ପିଲାଟିଦିନରୁ ମୋର ପାଠକୀୟ ଚେତନାରେ, ପ୍ରିୟତମ ଗାଳ୍ପିକ ମନୋଜ ଦାସଙ୍କୁ ସମ୍ମାନ କରିଥିଲି, ଭଲପାଇଥିଲି। ତା’ପରେ, ୧୯୮୧ କି ୧୯୮୨ରେ ଆପଣ ଥରେ ବ୍ରହ୍ମପୁର ଆସିବା ଅବକାଶରେ ଆମ ଘରକୁ ଆସିଥିଲେ, କାନ୍ଥରେ ଶ୍ରୀମା ଓ ଶ୍ରୀ ଅରବିନ୍ଦଙ୍କର ଫଟୋ ଦେଖି କହିଲେ “ ସାହିତ୍ୟ ବ୍ୟତୀତ ଆଉ ଗୋଟିଏ ସଂଯୋଗ ବି ଏଠି ରହିଛି ।” ସେଦିନ ଆପଣଙ୍କୁ ଚିହ୍ନିଲି, ମା ଶ୍ରୀ ଅରବିନ୍ଦଙ୍କ ଯୋଗପନ୍ଥାର ଏକ ସହଯାତ୍ରୀ ଭାବରେ ( ଯଦିଓ, ନିଶ୍ଚିତ ଭାବରେ ମୁଁ ଅନେକ ପଛରେ ରହିଛି ଓ ଆପଣଙ୍କଠାରୁ ଦିଗ୍‌ଦର୍ଶନ ଖୋଜିଛି ।) ତା’ପରେ ୧୯୯୯ ଠାରୁ ଏଯାବତ୍‌, ସପରିବାରେ ପଣ୍ଡିଚେରୀ ଆସିବା ପରେ, ଏଠାରେ ରହିବା ପରେ, ଆପଣ ଓ ପ୍ରତିଜ୍ଞା ଅପା ଆମର ଅତି ଆପଣାର ମଣିଷ ପାଲଟିଗଲେ । ସେତେବେଳେ ଆମେ ଖୁବ୍‌ କେତେଗୁଡ଼ିଏ ସାଂସରିକ ବିପଦ ଦେଇ ଯାଉଥିଲୁ । ସଦାବେଳେ ମୁଁ ଓ ଡା: ଦାଶ ଆପଣଙ୍କ ଠାରୁ ଆଶ୍ୱାସନା ଓ ଉପଦେଶ ପାଇଁ ଦୌଡ଼ି ଆସୁଥିଲୁ । ପାରିବାରିକ, ସାମାଜିକ ସମ୍ପର୍କ ବାହାରେ, ବ୍ୟକ୍ତିବ୍ୟକ୍ତି ମଧ୍ୟରେ, ଏଇ ଯେ ସମ୍ପର୍କର ଗହୀରତା ଦେଖାଯାଏ, ଯାହା ଅଭିବୃଦ୍ଧ ହୋଇଥାଏ ମଧ୍ୟ, ତାହା ପଛରେ କିଛି ରହସ୍ୟ ଥାଏ କି, ଆତ୍ମାର, ଜନ୍ମଜନ୍ମାନ୍ତରର ?

avatar

ମାନବିକ ସମ୍ପର୍କ ଏବଂ ଆକର୍ଷଣ, ବିକର୍ଷଣ ହେତୁର ବ୍ୟାଖ୍ୟା ଗୋଟିଏ ନିର୍ଦ୍ଦିଷ୍ଟ ତତ୍ତ୍ୱ ବା ସୂତ୍ର ଯୋଗେ ସମ୍ଭବ ନୁହେଁ । ପ୍ରତିଟି ସମ୍ପର୍କର ଏକ ଏକ ପଟ୍ଟଭୂମି ଥାଏ । ତେବେ ମୁଖ୍ୟତଃ ସେସବୁକୁ ସ୍ମୃତିସଂଯୋଗ, ବା “ Law of association ”, ସାମାଜିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପର୍ଯ୍ୟାୟଭୁକ୍ତ କରାଯାଇପାରେ ।                 ଧରନ୍ତୁ ଆପଣଙ୍କୁ ଆପଣ ଶିଶୁ ବା ବାଳିକାଟିଏ ଥିବା ଅବସ୍ଥାରେ କାହାର ସ୍ନେହବୋଳା କଣ୍ଠସ୍ୱର ବା ଆକୃତି ଭଲ ଲାଗିଛି। ପରବର୍ତ୍ତୀ ଜୀବନରେ ଆଉ କାହାଠିଁ ସେହି ସ୍ୱର ବା ଆକୃତି ଆପଣଙ୍କୁ ଅହୈତୁକୀ ଭାବେ ଭଲ ଲାଗିପାରେ। ସାମାଜିକ ସ୍ତରରେ, ଆପଣ ଲକ୍ଷ୍ୟ କରିବେ, କୌଣସି ସମାବେଶରେ ଏକ ନିର୍ଦ୍ଦିଷ୍ଟ ସାମାଜିକ ପର୍ଯ୍ୟାୟର ଲୋକଟିଏ, ସ୍ୱଭାବତଃ ତାହାରି ପର୍ଯ୍ୟାୟର ଲୋକସହ ମିଶିଯିବ, ସ୍ୱତଃସ୍ଫୁର୍ତ୍ତ ଭାବରେ। ଜଣେ ବ୍ୟବସାୟୀ ଆଉ ଜଣେ ବ୍ୟବସାୟୀଙ୍କ ସହ, ଜଣେ ସମାନ ସମଝଦାର ସହ ବଳେବଳେ ଆପଣଙ୍କର ଆତ୍ମୀୟତା ସ୍ଥାପିତ ହେବ । ଯେଉଁଠି ସାଂସ୍କୃତିକ ସମଦୃଷ୍ଟି ସହିତ, ଆଧ୍ୟାତ୍ମିକ ସନ୍ଧିତ୍ସାରେ କେତେ ଜଣଙ୍କ ଭିତରେ ଏକତ୍ୱ ପରିଦୃଷ୍ଟ ହେବ, ସେଠାରେ ସମ୍ପର୍କ ଘନିଷ୍ଠତର ହେବା ସ୍ୱାଭାବିକ ।  ଆପଣ ଓ ଡା. ଦାଶଙ୍କ ସହିତ ମୋର ପରିଚୟ ଅନତିବିଳମ୍ବେ ମୈତ୍ରୀରେ ପରିଣତ ହେବାର ହେତୁ ଆମ ଭିତରେ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐକ୍ୟ । ଆପଣଙ୍କ କବିତା ମୋତେ ଭଲ ଲାଗେ । ଡା.ଦାଶଙ୍କର ବିନୟଭାବ ମୋତେ ଖୁବ୍‌ ପ୍ରଭାବିତ କରିଥିଲା । ସେ କଟକସ୍ଥ ଶ୍ରୀରାମଚନ୍ଦ୍ର ମେଡ଼ିକାଲ୍‌ କଲେଜର ଅଧ୍ୟକ୍ଷ ଥିବାବେଳେ, ଥରେ ସେ ମହାବିଦ୍ୟାଳୟର ଏକ ସମାରୋହରେ ତାଙ୍କ ସଭାପତିତ୍ୱରେ ମୋ’ର ଏକ ବକ୍ତୃତା କାର୍ଯ୍ୟକ୍ରମ ଥିଲା । ତାଙ୍କର ସୌଜନ୍ୟ ଓ ନମ୍ରତା ମୋର ଅଦ୍ୟାବଧି ମନେ ରହିଛି ।                 ପୂର୍ବଜନ୍ମର ସମ୍ପର୍କ ମଧ୍ୟ ଅସମ୍ଭବ ନୁହେଁ । ବସ୍ତୁତଃ ଆମ ଅଜାଣତରେ ଏ ଜୀବନରେ ଆମେ ବହୁ ମଣିଷଙ୍କ ସଙ୍ଗେ ନାନାଭାବେ ଆଦାନପ୍ରଦାନ କରୁ – ଯେଉଁମାନଙ୍କ ସହିତ ପୂର୍ବଜନ୍ମରେ ହୁଏତ ପାରିବାରିକ ଅଥବା ଭାବଗତ ସମ୍ପର୍କ ଥିଲା । କିନ୍ତୁ ତାହା ନିରୂପଣ କରିବାକୁ ହେଲେ, ଜଣକୁ କିଛି ଜାତିସ୍ମର ସିଦ୍ଧି ଅର୍ଜନ କରିବାକୁ ହେବ । ତାହା ସହଜ ନୁହେଁ, କିମ୍ବା ଆମର ଜନ୍ମଜନ୍ମାନ୍ତରର ଚେତନାଗତ ପ୍ରଗତି ସକାଶେ ଆବଶ୍ୟକ ବି ନୁହେଁ ।                  ଶ୍ରୀଯୁକ୍ତ ମନୋଜ ଦାସଙ୍କ ସାହିତ୍ୟ ସମ୍ପର୍କରେ ପରିଲକ୍ଷିତ ହେଉଥିବା ବ୍ୟାପକ ଆଗ୍ରହ, ଅନୁସନ୍ଧିତ୍ସା ତଥା ଶ୍ରଦ୍ଧାକୁ ସୁବିନ୍ୟସ୍ତ ରୂପ ଦେବା ନିମନ୍ତେ ଲେଖକଙ୍କର କେତେଜଣ ବିଦଗ୍‌ଧ ଅନୁରାଗୀ ନିକଟ ଅତୀତରେ ପ୍ରଯୋଜନ କରିଛନ୍ତି ଏକ ୱେବ୍‌ସାଇଟ୍‌ www.worldofmanojdas.in । ଏଥିରେ ତାଙ୍କ ରଚନାବଳୀ ଓ ଜୀବନ ସମ୍ପର୍କରେ ବିପୁଳ ତଥ୍ୟ ପରିବେଷଣ କରାଯିବା ସଙ୍ଗେସଙ୍ଗେ ତାଙ୍କ ସମ୍ପାଦିତ ଅଧୁନା ବିରଳ ପତ୍ରିକା ‘ଦିଗନ୍ତ’ ଏବଂ ‘The Heritage’ର ସମସ୍ତ  ସଂଖ୍ୟା ମଧ୍ୟ ଉପଲବ୍ଧ । ବିଂଶ ଶତାବ୍ଦୀର ବିଶିଷ୍ଟ ପତ୍ରପତ୍ରିକା ଯଥା ‘ Illustrated weekly of India ’, ‘SWARAJYA’ ମାନଙ୍କରେ ତାଙ୍କ ଗଳ୍ପ ସବୁ ସହ ପ୍ରକାଶିତ ବିଖ୍ୟାତ ଚିତ୍ରଶିଳ୍ପୀ ମାରିଓ ମିରାଣ୍ଡା ଏବଂ ଶିଶିର ଦତ୍ତ ପ୍ରମୁଖଙ୍କ ଚିତ୍ର ସବୁ ମଧ୍ୟ ଉପଭୋଗ କରିବାର ସୁଯୋଗ ଏଥିରେ ଦିଆଯାଇଛି । ଏ ୱେବ୍‌ସାଇଟ୍‌ ଗବେଷକ, ସମୀକ୍ଷକ ତଥା ବୃହତ୍ତର ପାଠକ ସମାଜଦ୍ୱାରା ସବିଶେଷ ଆଦୃତ । ପୁଣି ମନୋଜ ଦାସଙ୍କ ଯେକୌଣସି ବହି (ଇଂରାଜୀ, ଓଡ଼ିଆ, ହିନ୍ଦୀ) ସହଜରେ ପରିବେଶଣ କରିବାର ବ୍ୟବସ୍ଥା ରହିଛି । www.callofthehorizon ମାଧ୍ୟମରେ। ଫେସ୍‌ବୁକ୍‌ରେ ରେ ଲେଖକଙ୍କ ସାହିତ୍ୟର ବିଭିନ୍ନ ବିଭବ ଉପରେ ଦୈନନ୍ଦିନ ପର୍ଯ୍ୟବେକ୍ଷଣ ଓ ଭାବର ଆଦାନପ୍ରଦାନ ଉତ୍ତମ ସାହିତ୍ୟ ପ୍ରତି ଆକର୍ଷଣର ଏକ ମାର୍ମିକ ଦୃଷ୍ଟାନ୍ତ ।

avatar

ସେ ଯାହା ବି ହୋଇଥାଉ, କିନ୍ତୁ, ଏଭଳି ସମ୍ପର୍କକୁ ଓ ତା’ର ସୌନ୍ଦର୍ଯ୍ୟ, ଗଭୀରତାକୁ ମୂଲ୍ୟ ଦେବାକୁ ଭଲ ଲାଗେ। ମଣିଷର ସାଧାରଣ, ଗତାନୁଗତିକ ସମ୍ପର୍କର ଜୀବନ ଭିତରେ; ଏସବୁ ସମ୍ପର୍କ, ଈଶ୍ୱରଙ୍କର ବରଦାନ ବୋଧହୁଏ।                 ଲକ୍ଷ୍ୟ କରିଛି, ଆପଣଙ୍କର ବ୍ୟକ୍ତିତ୍ୱର ତିନିଟି ପ୍ରମୁଖ ଦିଗ ରହିଛି। ତା’ ବାହାରେ ଅନ୍ୟାନ୍ୟ ଅନେକ ଦିଗ ବି ରହିଥିବ ଅବଶ୍ୟ। ପ୍ରଥମଟି ହେଲା, ଦୈନନ୍ଦିନ ଜୀବନର ଦାୟିତ୍ୱ ତୁଲାଇ, ଜଣେ ସାଧାରଣ ମଣିଷ ଭାବରେ ଚଳପ୍ରଚଳ ହେଉଥିବା ମନୋଜ ଦାସ, ଯଦିଓ ଏହି ଦିଗଟି ଉପରେ ଅନ୍ୟ ଦୁଇଟି ଦିଗ ଜଡ଼ିତ ହୋଇ ରହିଥାନ୍ତି। ଦ୍ୱିତୀୟଟି ସାହିତ୍ୟିକ-ଗାଳ୍ପିକ, ବକ୍ତା, କବି ଓ ଔପନ୍ୟାସିକ ମନୋଜ ଦାସ । ତୃତୀୟଟି, ଯୋଗସାଧକ ମନୋଜ ଦାସ – ଯେ କି ଶ୍ରୀମା’, ଶ୍ରୀ ଅରବିନ୍ଦଙ୍କର ଯୋଗ ପନ୍ଥାରେ ନିଜକୁ ପୂର୍ଣ୍ଣଭାବରେ ସମର୍ପଣ କରିଛନ୍ତି। ଏହି ତିନିଟି ବ୍ୟକ୍ତିତ୍ୱ ଭିତରେ କିଛି ବ୍ୟବଧାନ ରହିଛି କି ? ନା ସେମାନେ ସ୍ୱାଧୀନଭାବେ, ବିଭିନ୍ନ ସ୍ତରର ଲୋକଙ୍କ ସହିତ ସମ୍ବନ୍ଧିତ ହୋଇଥାନ୍ତି, କିମ୍ବା ଏହି ତିନିଟି ବ୍ୟକ୍ତିତ୍ୱ ଜଣେ ମନୋଜ ଦାସଙ୍କ ଭିତରେ ସୁସମାହିତ ?

avatar

ପ୍ରତ୍ୟେକ ମଣିଷର ଜୀବନରେ ବହୁ ବ୍ୟକ୍ତିତ୍ୱର ସମାବେଶ ହୋଇଥାଏ। ଜଣକ ଭିତରେ ଅସାମାନ୍ୟ ପ୍ରତିଭା ଥାଇପାରେ, ସଙ୍ଗେସଙ୍ଗେ ତା’ଭିତରେ ଲୁଚି ରହିପାରେ ପରଶ୍ରୀକାତରତା ଭଳି ଦୁର୍ବଳତା, ପୁଣି ଗୋପନ ଭୀରୁତା। ଛାଡ଼ନ୍ତୁ, ତାହା ଏକ ବ୍ୟାପକ ପ୍ରସଙ୍ଗ। ମାନବର ଚାରିତ୍ରିକ ଗଠନ ବିଚିତ୍ର ।                 ଆପଣ ଏ ଲେଖକର ବ୍ୟକ୍ତିତ୍ୱର ଯେଉଁ ତିନିଟି ଦିଗ ସମ୍ପର୍କରେ ନିଜେ ସଚେତନ ଓ ତାକୁ ସଚେତନ କରି ଦେଉଛନ୍ତି, ସେ ତିନୋଟି ଭିତରେ ବିଶେଷ ଅସାମଞ୍ଜସ୍ୟ ଅନୁଭୂତ ହୋଇନାହିଁ। ଗତାନୁଗତିକ ଜୀବନର ଉର୍ଦ୍ଧ୍ୱସ୍ଥ କୌଣସି ଆଦର୍ଶ ପ୍ରତି ଅଜ୍ଞାତସାରରେ ମୁଁ ଆବାଲ୍ୟ ଆକୃଷ୍ଟ ଥିଲି। ଜୀବନର ପ୍ରଥମ ପର୍ଯ୍ୟାୟରେ ତାହା ଥିଲା ସାମ୍ୟର ଆଦର୍ଶ। ପରବର୍ତ୍ତୀ ପର୍ଯ୍ୟାୟରେ ତାହା ହେଲା ଶ୍ରୀ ଅରବିନ୍ଦଙ୍କର ଅନବଦ୍ୟ ଓ ଅଭିନବ ଭବିଷ୍ୟତମୁଖୀ ଯୋଗର ଆଦର୍ଶ । ମୋର ଦୈନନ୍ଦିନ ଜୀବନ ଦିବ୍ୟକୃପାରୁ ସେହି ଅନୁସାରେ ନିୟନ୍ତ୍ରିତ ହୋଇଯାଇଛି।                 ସାହିତ୍ୟ ସୃଷ୍ଟିକୁ କେମିତି କେଜାଣି ମୋ ଚେତନା ବିକାଶର ଉଷାକାଳରୁ ହିଁ ମୁଁ ଏକ ସ୍ୱତଃସ୍ଫୁର୍ତ୍ତ ଏବଂ ସ୍ୱାଭାବିକ ପ୍ରବୃତ୍ତି ଭାବରେ ଗ୍ରହଣ କରିନେଇଥିଲି। ତାହା ଯେ ଗୋଟିଏ ବିଶେଷ ଗୁଣ, ସେ ସମ୍ପର୍କରେ ସଚେତନ ହେଉଛି ଜୀବନର ଏହି ଉତ୍ତର ପର୍ଯ୍ୟାୟରେ – ପାଠକବୃନ୍ଦଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଚରଣ ଓ ସମାଲୋଚକମାନଙ୍କର ଜ୍ଞାନଗର୍ଭକ ରଚନା ସମୂହର କଲ୍ୟାଣରେ ।                 ହଁ – ଯାହା କହିବାକୁ ଚାହୁଁଥିଲି, ଆପଣଙ୍କର ପ୍ରଶ୍ନର ଉତ୍ତର ଭାବରେ – ଆପଣଙ୍କର ବିଶ୍ଲେଷିତ ତିନୋଟି ଦିଗ ମଧ୍ୟରେ ମାମୁଲି ଓ ସାମୟିକ ବ୍ୟବଧାନ ଛଡ଼ା, ବୈଷମ୍ୟ କେବେ ବି ଅନୁଭବ କରିନାହିଁ। ଗୋଟିଏ ଦିଗ ଅନ୍ୟ ଗୋଟିଏ ଦିଗର ବିରୁଦ୍ଧାଚରଣ କରିନାହିଁ ।

avatar

ଏହା ଏକ ବିରଳ ସିଦ୍ଧି ନିଶ୍ଚୟ, କାରଣ ମୁଁ ଜାଣିଥିବା ଅନେକ ବ୍ୟକ୍ତିବିଶେଷଙ୍କର ଜୀବନରେ, ଏପରି କି ମୋ ନିଜ ଜୀବନରେ ମଧ୍ୟ, ବ୍ୟକ୍ତିତ୍ୱର ବିଭିନ୍ନ ଅଂଶ ଭିତରେ ସଂଘର୍ଷ ବରାବର ଲାଗିରହିଥିବା କଥା ମୁଁ ଲକ୍ଷ୍ୟ କରିଛି ।                 ଆଚ୍ଛା, କୁହନ୍ତୁତ, ଆଶ୍ରମକୁ ଆସିବା ପୂର୍ବରୁ ତ ଆପଣ ରାଜନୈତିକ କ୍ଷେତ୍ରରେ ସଂପୃକ୍ତ ଥିଲେ, ନିଜର ପରିବାର ସହିତ ସଂପୃକ୍ତ ଥିଲେ, ବିବାହ କରି କିଛି ବେଳେ ସାଂସରିକ ଜୀବନ ବି ବିତାଇଥିଲେ। ସେହି ସବୁ ସମୟର ସ୍ମୃତି, ସଂପୃକ୍ତି, ଆସକ୍ତି, ଆଶା ଓ ହତାଶା କ’ଣ ଆଶ୍ରମକୁ ଆସିବାପରେ ଅନ୍ତର୍ହିତ ହେଲା ନା ଆପଣଙ୍କୁ କିଛିଦିନ ସଂଘର୍ଷ ଓ ସାଧନା କରିବାକୁ ହେଲା ?

avatar

ପ୍ରାକ୍‌-ଆଶ୍ରମ ଜୀବନର ଯାବତୀୟ ଅଭିଜ୍ଞତାର ନିର୍ଯ୍ୟାସ ହିଁ ମୋତେ ଆଶ୍ରମକୁ ଆସିବା ସକାଶେ ପଥ ସୁଗମ କରିଦେଲା। ପୂର୍ବ ପର୍ଯ୍ୟାୟର ଜୀବନ ପ୍ରତି ଆସକ୍ତି ମୋତେ କେବେ ବି ବିବ୍ରତ କରିନାହିଁ। ତେବେ ସ୍ମୃତି-ମୋହ ଯାହାକୁ Nostalgia ବୋଲି କୁହାଯାଏ ତାହା ମୋ ଭିତରେ ଅତୀତକୁ ଝୁରିହେବାକୁ ଦେବା ପରିବର୍ତ୍ତେ ସୃଜନାତ୍ମକ ରୂପନେଇ ମୋର ସ୍ମୃତିକଥା ରୂପେ ଅଭିବ୍ୟକ୍ତ ହୋଇଛି “ସମୁଦ୍ର କୂଳର ଗ୍ରାମ” ଏବଂ ଆହୁରି ଅନେକ ଗୁଡିଏ ସ୍ମୃତି-ଭିତ୍ତିକ ନିବନ୍ଧ ତା’ର ସାକ୍ଷ୍ୟ ।ସାହିତ୍ୟ ସୃଷ୍ଟିକୁ କେମିତି କେଜାଣି ମୋ ଚେତନା ବିକାଶର ଉଷାକାଳରୁ ହିଁ ମୁଁ ଏକ ସ୍ୱତଃସ୍ଫୁର୍ତ୍ତ ଏବଂ ସ୍ୱାଭାବିକ ପ୍ରବୃତ୍ତି ଭାବରେ ଗ୍ରହଣ କରିନେଇଥିଲି। ତାହା ଯେ ଗୋଟିଏ ବିଶେଷ ଗୁଣ, ସେ ସମ୍ପର୍କରେ ସଚେତନ ହେଉଛି ଜୀବନର ଏହି ଉତ୍ତର ପର୍ଯ୍ୟାୟରେ – ପାଠକବୃନ୍ଦଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଚରଣ ଓ ସମାଲୋଚକମାନଙ୍କର ଜ୍ଞାନଗର୍ଭକ ରଚନା ସମୂହର କଲ୍ୟାଣରେ ।

avatar

ହଁ, ମୁଁ ଆପଣଙ୍କର ସେହିସବୁ ରଚନା ଓ ନିବନ୍ଧଗୁଡ଼ିକରୁ ଅଧିକାଂଶ ପଢ଼ିଛି। ସେହିସବୁ ସ୍ମୃତି ଆପଣ ଯେପରି ସୌନ୍ଦର୍ଯ୍ୟ ଓ ମହିମାର ସହିତ ବ୍ୟକ୍ତ କରିଛନ୍ତି, ସେଥିରୁ ଆପଣଙ୍କର ସର୍ଜନାତ୍ମକ ଅନାସକ୍ତି ତ ବାରିହୋଇପଡ଼େ। ସତ କହୁଛି, ସେସବୁ ଭିତରେ ବାଳକ ମନୋଜ ଦାସଙ୍କର ସୌନ୍ଦର୍ଯ୍ୟବୋଧ, ଜୀବନବୋଧ ଅର୍ଥାତ୍‌ ସାମଗ୍ରିକ Perception ଭିତରେ, ଆଜିର ‘ମନୋଜ ଦାସ’ଙ୍କର ବ୍ୟାପ୍ତ ଓ ବିସ୍ତାରିତ ଚେତନାର ସମ୍ଭାବନା ନିହିତ ଥିଲା ବୋଲି ଜଣାପଡ଼ିଯାଏ।                 ମୁଁ ଜାଣେ ଯେ, ଆପଣ ଓ ପ୍ରତିଜ୍ଞା ଅପା ମା’ଙ୍କର ପ୍ରଥମ ଦର୍ଶନ ପରେ ପରେ ହିଁ ଆଶ୍ରମରେ ରହିଯିବାକୁ ସ୍ଥିର କରିନେଲେ। ଏହା ଏକ ଚରମ ତ୍ୟାଗର ନିଷ୍ପତ୍ତି। ଆପଣ ସେତେବେଳେ ତ ଉତ୍ତମ ଲେଖକର ପ୍ରସିଦ୍ଧି ଲାଭ କରିସାରିଥିଲେ। ଆପଣ କ’ଣ ଜାଣିଥିଲେ ଯେ, ଆଶ୍ରମ ଜୀବନରେ ରହିଲେ ବି ଆପଣଙ୍କର ସାହିତ୍ୟ ସାଧନା ଅବ୍ୟାହତ ରହିବ ? ନା କିଛି ନ ଭାବି ଆପଣ ଏହି ତ୍ୟାଗ ଓ ଯୋଗର ଭୂମିକୁ ସହଜରେ ଡେଇଁ ପଡ଼ିଥିଲେ ?

avatar

ଆପଣଙ୍କର ପ୍ରଶ୍ନର ଦ୍ୱିତୀୟ ଭାଗରେ ହିଁ ପ୍ରଶ୍ନଟିର ନିର୍ଭୂଲ ଉତ୍ତର ରହିଛି । ଶ୍ରୀମାନଙ୍କର ପ୍ରଥମ ଦର୍ଶନର ଅଭିଜ୍ଞତା ମୋତେ ଏତେଦୂର ଅଭିଭୂତ କରିଥିଲା ଯେ, ତାଙ୍କର ସାନ୍ନିଧ୍ୟରେ ରହିବାର ସୌଭାଗ୍ୟ ତୁଳନାରେ ଅନ୍ୟ କୌଣସି ସିଦ୍ଧି, ପ୍ରସିଦ୍ଧି ତିଳେ ବି ପ୍ରାସଙ୍ଗିକ ମନେ ହେଇନଥିଲେ। ପ୍ରତିଜ୍ଞା ତ ପୂର୍ବରୁ ମାତୃ-ନିବେଦିତ ପ୍ରାଣ ହୋଇସାରିଥିଲେ। ଉଭୟଙ୍କର ସିଦ୍ଧାନ୍ତ ଥିଲା ସମ୍ପୂର୍ଣ୍ଣ ସୁସଂହତ।                 ଆପଣଙ୍କର ପ୍ରଶ୍ନ – ନିହିତ ଗୋଟିଏ ମନ୍ତବ୍ୟକୁ ମୁଁ ନମ୍ରଭାବରେ ଖଣ୍ଡନ କରିବି । ଆଶ୍ରମରେ ରହିଯିବାର ଭବିତବ୍ୟକୁ ତ୍ୟାଗ ଭାବରେ ମୁଁ ମୁହୂର୍ତ୍ତକ ସକାଶେ ମଧ୍ୟ ବିଚାରି ନଥିଲି। ତାହା ମୋ ପାଇଁ ଥିଲା ଏକ ଉପଲବ୍‌ଧ- ପ୍ରାୟ ଶିହରଣ। ଶ୍ରୀମା’ ମୋତେ ଗ୍ରହଣ କରିନେବା ଅନ୍ତେ ତାଙ୍କର ଅନୁମତି ସହ ଓଡ଼ିଶା ଯାଇ ମୋର ଯୁଗରୂପା ପ୍ରେସ୍‌, ପତ୍ରିକା ‘ଦିଗନ୍ତ୍’ ଇତ୍ୟାଦି ସକାଶେ ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ଅଧ୍ୟାପନାରୁ ବିଦାୟ ନେଲି। ସେତେବେଳେ ଅବଶ୍ୟ ସବୁ ଖବରକାଗଜ ମୋର ଓଡ଼ିଶା ତ୍ୟାଗକୁ ଏକ ବିମର୍ଷକର ଘଟଣା ଭଳି ଭାଷାରେ ପ୍ରକାଶ କରିଥିଲେ । ମୋର ବିଦାୟ ନିମନ୍ତେ କଟକର ଶ୍ରୀରାମଚନ୍ଦ୍ର ଭବନରେ ଏକ ସଭା ଆବାହନ କରିଥିଲେ ମୋର ତତ୍‌କାଳୀନ ପ୍ରକାଶକ  “ଫ୍ରେଣ୍ଡସ୍‌ ପବ୍ଲିସର୍‌ସ”ର ଶ୍ରୀ ଜଗନ୍ନାଥ ରଥ ଓ ଶ୍ରୀ ସହଦେବ ସାହୁ ( ଉଭୟେ ସେତେବେଳେ ସେ ପବ୍ଲିସର୍‌ସ ପ୍ରତିଷ୍ଠାନର ଯୁଗ୍ମ ପ୍ରତିଷ୍ଠାତା- ଅଧ୍ୟକ୍ଷ ଥିଲେ ।) ଏବଂ ଜନଶକ୍ତି ପୁସ୍ତକାଳୟର ନିୟାମତ୍‌ ଲାଲ୍‌ଗୁପ୍ତ। ସେମାନଙ୍କୁ ମିଳିଥିଲା ସାହିତ୍ୟପ୍ରେମୀମାନଙ୍କ ଠାରୁ ଆଶାତୀତ ସହଯୋଗ । ସେଦିନ ସାହିତ୍ୟିକ ଓ ସାହିତ୍ୟପ୍ରେମୀମାନଙ୍କ ସମାବେଶରେ ଭବନରେ ସ୍ଥାନାଭାବ ହୋଇଥିଲା। ଜଣେ ବୟୋବୃଦ୍ଧ କବି ଶ୍ରୀ ବାଳକୃଷ୍ଣ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ଯେଉଁମାନେ ଭାଷଣ ଦେଇଥିଲେ, ସେମାନଙ୍କ ମଧ୍ୟରେ ଅନ୍ତର୍ଭୂକ୍ତ ଥିଲେ ସର୍ବଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ, ମାୟାଧର ମାନସିଂହ ଓ ସଚ୍ଚି ରାଉତରାୟ । ଏକ ସୁନ୍ଦର କବିତା ପଢ଼ିଥିଲେ ଶ୍ରୀ ଭଗବାନ ନାୟକବର୍ମା। ଶ୍ରଦ୍ଧା ଓ ସ୍ନେହର ସେ ସ୍ୱଚ୍ଛ ବାତାବରଣରେ ମୁଁ ବିସ୍ମିତ ହୋଇଥିଲି। ସେ ବାତାବରଣରେ କିଞ୍ଚିତ ବିଷାଦାଭାଷା ଥିଲା । ସତେ ଯେପରି ଜଣକର ଲେଖକ ଜୀବନକୁ ବିଦାୟ ଦିଆଯାଉଛି।                 ଦିବ୍ୟ ଜନନୀ ଦେବୀ ସରସ୍ୱତୀଙ୍କର କୃପାରୁ ମୋ ସାହିତ୍ୟ ରଚନା ଅବ୍ୟାହତ ରହିଲା।

avatar

ହଁ, ଶ୍ରୀ ଅରବିନ୍ଦଙ୍କର ଯୋଗ ନିମିତ୍ତ ପ୍ରତିଷ୍ଠିତ ଆଶ୍ରମ ଜୀବନ ଏବଂ ସର୍ଜନାତ୍ମକ ଚେତନା ଭିତରେ କୌଣସି ବିରୋଧ ରହିବା ଅବଶ୍ୟମ୍ଭାବୀ ନୁହେଁ, ଆପଣଙ୍କର ସକ୍ରିୟ ସାହିତ୍ୟିକ ଜୀବନ ତାହାର ଅନନ୍ୟ ଉଦାହରଣ ନିଶ୍ଚୟ।                 ଆହା, ସାଂସରିକ ଜୀବନ ବିତାଇଥିବା ଜୀବନରେ କେତେ ପ୍ରକାର ବାଧାବିଘ୍ନ ଆସେ। କେତେ କୂଟ, କପଟ, ପ୍ରତାରଣା, କୃତ୍ରିମତା, ଛଳନା, ମୋହ, କାମନା, ବାସନାର ଦ୍ୱନ୍ଦ ଓ ସଂଘର୍ଷ ସାମ୍ନା କରିବାକୁ ହୁଏ । ମୋର ଧାରଣା, ଏ ଭିତରେ ଯେତେ ଚେଷ୍ଟା କଲେ ବି, ନିଜର ଉଚ୍ଚତମ ଚେତନାରେ ସଦାବେଳେ ରହିହୁଏନା। ବାରବାର ଧୂଳିଧୂସରିତ ହେବାକୁ ପଡ଼େ, ପୁଣି ଉଠିବାକୁ ପଡ଼େ। ଆଶ୍ରମ ଜୀବନରେ ଆପଣଙ୍କୁ କଣ ଏସବୁ କୁ ସାମ୍ନା କରିବାକୁ ହୁଏ? କିଭଳି ସମ୍ମୁଖୀନ ହୁଅନ୍ତୁ ଏସବୁର, ଯଦି ବା କେବେ ଆସେ ?

avatar

ସଂସାରର ବାଧାବିଘ୍ନ ମୁଖ୍ୟତଃ ସ୍ଥୁଳ କାରଣରୁ ଆସେ। ନଚେତ୍‌ ଆସେ ଗତାନୁଗତିକ ମନସ୍ତାତ୍ତ୍ୱିକ କାରଣରୁ – ପ୍ରତିଯୋଗିତାର ଉତ୍ତେଜନା, ଆଶା, ନିରାଶା, ପ୍ରେମ, ସ୍ନେହ, ସୌହାର୍ଦ୍ଦ୍ୟର ଉତ୍‌ଥାନ ପତନ ଇତ୍ୟାଦିରୁ।                 ଆଶ୍ରମ ଜୀବନର ବାଧାବିଘ୍ନ କିନ୍ତୁ କେବଳ ସ୍ଥୁଳ କାରଣରୁ ନୁହେଁ, ଆସେ ମୁଖ୍ୟତଃ ସୂକ୍ଷ୍ମ, ଅତିନ୍ଦ୍ରିୟ, କାରଣରୁ। ଅନ୍ୟ ଆଶ୍ରମ ସହ କଥା ଭିନ୍ନ। କିନ୍ତୁ ଶ୍ରୀ ଅରବିନ୍ଦର ଆଶ୍ରମ, ଶ୍ରୀ ଅରବିନ୍ଦଙ୍କର ଯୋଗ-ଦର୍ଶନ ଭିତରେ ପ୍ରତିଷ୍ଠିତ। ମାନବ ଜାତିର ଆଧ୍ୟାତ୍ମିକ ଉତ୍ତରଣ ହେଲା ସେ ଦର୍ଶନ, ତାହା ସମ୍ଭବ ହେବ ଜୀବନକୁ ବୈରାଗ୍ୟ ଭରେ ତ୍ୟାଗକରି ନୁହେଁ, ଜୀବନକୁ ଦିବ୍ୟଶକ୍ତି ମାଧ୍ୟମରେ ରୂପାନ୍ତରିତ କରି। ଜୀବନର ସବୁ ଦିଗ, ସବୁ ଗୁଣ, ସୁଗୁଣ ଓ ଦୁର୍ଗୁଣର ପ୍ରତିନିଧିତ୍ୱ କଲାଭଳି ନରନାରୀ ଏ ଆଶ୍ରମର ଅନ୍ତେବାସୀ। ଭୟାବହ କୁଶକ୍ତି – ବିବର୍ଦ୍ଧନ – ବିରୋଧି ଅନ୍ଧକାର ସତ୍ତାମାନେ ଜଣେ ଜଣେ ସାଧକଙ୍କୁ ଆୟତ୍ତ କରିନେଇ ପାରନ୍ତି, ଯଦି ଜଣେ ଯଥେଷ୍ଟ ସଜାଗ ନଥିବ।                 ଏସବୁର ସମ୍ମୁଖୀନ ହୋଇଛି ଏବଂ ହେଉଛି। ବିଶ୍ୱାସ ସହକାରେ ଏସବୁକୁ ସାମ୍ନା କରିବାକୁ ପଡ଼େ। ସୁଗମ ଜୀବନଯାତ୍ରା ସକାଶେ ଶ୍ରୀମା ଏ ଆଶ୍ରମରେ ସବୁ ବ୍ୟବସ୍ଥା କରିଯାଇଛନ୍ତି, ଖାଲି ସେତିକି ନୁହେଁ, ସୂକ୍ଷ୍ମସ୍ତରର ଆଧ୍ୟାତ୍ମିକ ପ୍ରଗତିରେ ସହାୟକ ହେବାକୁ, ଦିଗ୍‌ଦର୍ଶନ ଦେବାକୁ ତାଙ୍କର କରୁଣାର ଶକ୍ତି ସଦା-ବିଦ୍ୟମାନ। ଶୋଚନା ହେଲା, ସେସବୁରୁ ଯେତେ ଉପଲବ୍ଧି ଲାଭକରିବା ସମ୍ଭବ, ତାହା ମୁଁ କରିପାରିନାହିଁ,  ମୋ ନିଷ୍ଠା ଅପୂର୍ଣ୍ଣ ବୋଲି ବାରମ୍ବାର ଅନୁଭବ କରିଛି। ସାଧାରଣ ମାଟି ଭିତରେ, ଅରୂପ ବାୟୁ ଏବଂ ଏହି ମାମୁଲି ପାଣି ଓ ସୂର୍ଯ୍ୟ କିରଣ ଭିତରେ କେଉଁଠାରେ ଲୁଚି ରହିଥିଲା ସେ ଫୁଲଟିର ସଂହତି, ରଙ୍ଗ ସମାବେଶ ଏବଂ ଅତୁଳନୀୟ ମୃଦୁ ବାସ୍ନା ? ପୁଣି ଯେଉଁ ଆଖିରେ ମୁଁ ତାକୁ ଦେଖୁଛି, ସେ ଆଖି ଯୋଡ଼ିକ କ’ଣ ସ୍ଥୁଳ ଇନ୍ଦ୍ରିୟ ?

avatar

ଏଥର ସାହିତ୍ୟ ବିଷୟରେ କିଛି ପଚାରିବି ଭାବୁଛି। ଆପଣତ ଅନେକ ବର୍ଷ ହେଲା ଆଉ ଗଳ୍ପ, ଉପନ୍ୟାସ ଲେଖୁନାହାନ୍ତି। ଆପଣଙ୍କର ସମସାମୟିକ କେତେକ ପ୍ରମୁଖ କବି ଓ କଥାକାର ଏପର୍ଯ୍ୟନ୍ତ ଲେଖୁଛନ୍ତି। ଆପଣଙ୍କର ସର୍ଜନଶୀଳ ସତ୍ତା କ’ଣ ଆଉ ଗଳ୍ପ ଉପନ୍ୟାସରେ ବ୍ୟକ୍ତ ନହେବାକୁ ସ୍ଥିର କରିଦେଲା ? ଆପଣଙ୍କୁ କେବେ ଏଥିପାଇଁ ବିମର୍ଷ ଲାଗେ ?

avatar

ମୋର ଧାରଣା, ଯଥେଷ୍ଟ କଥା ସାହିତ୍ୟ, କବିତା, ପ୍ରବନ୍ଧ, ନିବନ୍ଧ ଲେଖିଛି। ପ୍ରେରଣା ହିଁ ମୋର ସୃଜନର ଉତ୍ସ। ବୟସର ଯେଉଁ ପର୍ଯ୍ୟାୟରେ ପହଞ୍ଚିଲିଣି, ସେ ଦୃଷ୍ଟିରୁ ଆଉ ନଲେଖିଲେ ବିମର୍ଷ ବୋଧ କରିବାର ପ୍ରଶ୍ନ ନାହିଁ । ଯେ କୌଣସି ଲେଖକ ପରିମାଣ ଦୃଷ୍ଟିରୁ ବହୁତ ଲେଖିବା ନିହାତି ଆବଶ୍ୟକ ନୁହେଁ ନିଶ୍ୱ୍ଚୟ । ଆପାତତଃ ମୁଁ ଶ୍ରୀ ଅରବିନ୍ଦଙ୍କର ଜୀବନ ଏବଂ ଯୁଗ ସମ୍ପର୍କରେ ବିପୁଳ ତଥ୍ୟ ସଂଯୁକ୍ତ ଲେଖାଟିଏ ଇଂରାଜୀ ‘Mother India’ ରେ ଧାରାବାହିକ ଲେଖୁଛି। “ନବପ୍ରକାଶ”ରେ ତାହାର ଓଡ଼ିଆ ରୂପାନ୍ତର ମଧ୍ୟ ପ୍ରକାଶ ପାଉଛି। ଏହାର ତାତ୍ପର୍ଯ୍ୟ ଅପରିସୀମ । ସେହି ଗବେଷଣା ନିମଗ୍ନ ରହିଛି।

avatar

ଆପଣ ଅସଂଖ୍ୟ ଗଳ୍ପ ଓ କେତେ ଉପନ୍ୟାସ ଲେଖିଛନ୍ତି। ଏ ସବୁ ଭିତରେ କେଉଁ ଗଳ୍ପଟିକୁ ଲେଖିବାବେଳେ ବା କେଉଁ ଚରିତ୍ରଟିକୁ ରୂପ ଦେବାବେଳେ ଆପଣ ସର୍ବାଧିକ ଆନନ୍ଦ ବା ‘Creative Joy’ ଅନୁଭବ କରିଛନ୍ତି ବା କେଉଁ ଗପ ବା ଚରିତ୍ରକୁ କଳ୍ପନା ଅନୁସାରେ ବ୍ୟକ୍ତ କରିପାରିନଥିବାର ଅବଶୋଷ ରହିଛି କି ?

avatar

ଯେତେବେଳେ ଯେଉଁ ଗଳ୍ପ ବା ଉପନ୍ୟାସଟି ଲେଖୁଥାଏ, ସେତେବେଳେ ତହିଁରେ ନିହିତ ପରିସ୍ଥିତି ବା ଚରିତ୍ର ଉପରେ ହିଁ ସୃଜନନୀଚିତ୍ତ ଏକାଗ୍ର ଥାଏ। ସେ ଏକାଗ୍ରତାକୁ ଆନନ୍ଦ ବୋଲି କହିପାରନ୍ତି। ଗୁଣରତ ଭାବରେ କେଉଁ ଗଳ୍ପ ବା ଉପନ୍ୟାସର ସୃଜନ କାଳୀନ “ଆନନ୍ଦ”ର ମାତ୍ରା ଅନ୍ୟଠାରୁ ଅଧିକ ଥିଲା, ତାର ଛାପ ମୁଁ ସ୍ମୃତିରେ ଧାରଣ କରିପାରିନାହିଁ। ବହୁ କିଛି ଅବ୍ୟକ୍ତ ରହିଛି ନିଶ୍ଚୟ, କିନ୍ତୁ କିଛି ଅବ୍ୟକ୍ତ ରହିବା ଜନିତ ଅବଶୋଷ ନାହିଁ । ଯେତିକି ଯାହା ମୋ ଦ୍ୱାରା ବ୍ୟକ୍ତ ହେବା କଥା ତାହା ହୋଇଛି ଏବଂ ମୁଁ ସେଥିରେ ସନ୍ତୁଷ୍ଟ।

avatar

ଆପଣଙ୍କର ଗପ ଓ ଉପନ୍ୟାସରେ ଏକ ଅତୀନ୍ଦ୍ରିୟ ଜଗତ ଓହ୍ଲାଇ ଆସିଥାଏ, ଏବଂ ଏହିସବୁ ଜଗତର ପ୍ରଭାବ କିଭଳି ଭାବରେ ମଣିଷର ସାଧାରଣ ଜୀବନରେ ପଡ଼ିଥାଏ, ତାହାର ବହୁଳ ରୂପାୟନ ହୋଇଥାଏ। ଏହା କ’ଣ ଆପଣଙ୍କର ସର୍ଜନାତ୍ମକ ପରିକଳ୍ପନା ନାଁ ଆପଣ ସଚେତନ ଭାବରେ ଏହି ଜଗତ ସବୁକୁ ଉପଲବ୍ଧି କରିଛନ୍ତି ?

avatar

ପ୍ରାୟତଃ ଉପଲବ୍ଧି କରିଛି। ଯାହା ଉପଲବ୍ଧି କରିନାହିଁ, ଅଥଚ ପରିବେଷଣ କରିଛି, ଅନ୍ତତଃ ସେଭଳି ତଥ୍ୟ ବା ତତ୍ତ୍ୱରେ ମୋର ବିଶ୍ୱାସ ଚୂଡ଼ାନ୍ତ। ଏ ଜନ୍ମରେ ନହୋଇଥିଲେ ମଧ୍ୟ ହୁଏତ ପୂର୍ବ ଜନ୍ମରେ ସେ ତଥ୍ୟ ବା ତତ୍ତ୍ୱ ଉପଲବ୍ଧ ହୋଇଥିବ । ବସ୍ତୁତଃ ଜୀବନ ଓ ଜୀବନକୁ ନିୟନ୍ତ୍ରଣ କରୁଥିବା ଶକ୍ତିସବୁ ଉପରେ ଧ୍ୟାନ ଦେଲେ, ଏପରି ମୁହୂର୍ତ୍ତ ଆସେ, ଯେତେବେଳେ ଇନ୍ଦ୍ରିୟ ଭିତ୍ତିକ, ଏବଂ ଅତୀନ୍ଦ୍ରିୟ ଦୃଷ୍ଟିକୋଣ ଭିତରେ ରହିଥିବା ପାର୍ଥକ୍ୟ ସ୍ତିମିତ ହୋଇଯାଏ।  ଯେ କୌଣସି ଗୋଟିଏ ଫୁଲକୁ ଅନାଇଲେ ଯେଉଁ ସୌନ୍ଦର୍ଯ୍ୟ ଆଖିରେ ପଡ଼େ, ତାହା ଇନ୍ଦ୍ରିୟଗତ। ସେହି ଫୁଲକୁ ଆଉ ଟିକିଏ ଗଭୀର ଭାବରେ ଅନୁଧ୍ୟାନ କରନ୍ତୁ, ସେ ତାର ବିସ୍ମୟକର ବିଭୂତିରେ ଆପଣଙ୍କୁ ସ୍ତବ୍ଧ କରିଦେବ। ସାଧାରଣ ମାଟି ଭିତରେ, ଅରୂପ ବାୟୁ, ଏବଂ ଏହି ମାମୁଲି ପାଣି ଓ ସୂର୍ଯ୍ୟ କିରଣ ଭିତରେ କେଉଁଠାରେ ଲୁଚି ରହିଥିଲା ସେ ଫୁଲଟିର ସଂହତି, ରଙ୍ଗ ସମାବେଶ ଏବଂ ଅତୁଳନୀୟ ମୃଦୁ ବାସ୍ନା ? ପୁଣି ଯେଉଁ ଆଖିରେ ମୁଁ ତାକୁ ଦେଖୁଛି, ସେ ଆଖି ଯୋଡ଼ିକ କ’ଣ ସ୍ଥୁଳ ଇନ୍ଦ୍ରିୟ ? ଗୋଟିଏ ଜଡ଼ ଅଙ୍ଗ କିମିତି ଦୃଷ୍ଟି ହୋଇପାରେ? ଜଡ଼ ଓ ଜଡ଼ୋତ୍ତର, ଇନ୍ଦ୍ରିୟ ଏବଂ ଅତୀନ୍ଦ୍ରିୟ – ଏହା ଭିତରେ ସୀମାରେଖା କେଉଁଠି ଟାଣିବି ? ଅତୀତର ଋଷି, କବିମାନେ ଏକଏକ ବିଶେଷ ଚରିତ୍ର ଭିତରେ ବା ଚତୁର୍ଦ୍ଦିଗରେ ଦେଖିପାରୁଥିଲେ ଅତିଭୌତିକ ଶକ୍ତିର ଉପସ୍ଥିତି । ସେମାନେ ସେ ଚରିତ୍ରକୁ ଅମୁକ ଦେବତାର ବରପୁତ୍ର ବା ନନ୍ଦନ ଭାବରେ ଉପସ୍ଥାପିତ କରୁଥିଲେ। ପ୍ରକୃତରେ ଆମେ ଯେତିକି ଦେଖୁ, ତାହାଠାରୁ ବହୁ – ବହୁ ଅଧିକ ବାସ୍ତବତା ଆମକୁ ବେଷ୍ଟନ କରି ରହିଛି। ଇନ୍ଦ୍ରିୟାନୁଭୂତ ଜଗତ ଅତୀନ୍ଦ୍ରିୟ ଜଗତର ଅତୀବ କ୍ଷୁଦ୍ର ଅଂଶଟିଏ ମାତ୍ର ।

avatar

ବିଶ୍ୱସାହିତ୍ୟରେ ନାରୀ, ପୁରୁଷଙ୍କର ପ୍ରେମକୁ ନେଇ, ବହୁ ସୁନ୍ଦର, ଚମତ୍କାର, ଉଲ୍ଲେଖନୀୟ କାବ୍ୟ କବିତା, ଉପନ୍ୟାସ ରଚିତ ହୋଇଛି। ଆପଣଙ୍କର କୌଣସି ଗଳ୍ପ, ଉପନ୍ୟାସରେ (ମୋର ଯାହା ମନେହୁଏ) ନାରୀ, ପୁରୁଷ ପ୍ରେମର ବୈଚିତ୍ର୍ୟ, ଐଶ୍ୱର୍ଯ୍ୟ, ମାଧୁର୍ଯ୍ୟ, ଉତ୍ସର୍ଗ କିମ୍ବା ପ୍ରତାରଣା, ପ୍ରତିହିଂସା ପ୍ରଧାନ ବିଷୟବସ୍ତୁ ଭାବରେ ରଚିତ ହୋଇ ନାହିଁ। କେହି ଜଣେ ପାଠକ ବା ପାଠିକା କହୁଥିଲେ (ଲଘୁଭାବରେ ଅବଶ୍ୟ) ଆପଣ ଯଦି ବା କେବେ ଆପଣଙ୍କ ଗଳ୍ପ, ଉପନ୍ୟାସରେ ନାରୀ ପୁରୁଷଙ୍କୁ ପ୍ରେମ କରିବାକୁ ଦିଅନ୍ତି ଶେଷରେ ବିନା କାରଣରେ (ସର୍ଜନାତ୍ମକ) ସେ ପ୍ରେମକୁ ବ୍ୟର୍ଥ କରିଦିଅନ୍ତି। ମହାପାତ୍ର ନୀଳମଣି ସାହୁ ତ ଆପଣଙ୍କର “ବୁଲ୍‌ଡ଼ୋଜର୍‌” ଗଳ୍ପ ପଢ଼ିବାପରେ ଖୁବ୍‌ ପ୍ରତିକ୍ରିୟା ଦେଖାଇ ଆପଣଙ୍କୁ ଗାଳି ଦେଇଥିଲେ ଯେ, ଆପଣ ପ୍ରେମିକ, ପ୍ରେମିକାଙ୍କୁ ଗୋଟିଏ ରାତିର ମିଳନର ସୁଯୋଗ ବି ଦେଲେନାହିଁ କାହିଁକି । ଏହା ଆପଣଙ୍କର ସର୍ଜନାତ୍ମକ ସ୍ୱତଃସ୍ଫୁର୍ତ୍ତ ପରିଣତି ନା ଆପଣଙ୍କର ନିଜସ୍ୱ ବିଶ୍ୱାସ ଯେ, ନାରୀ, ପୁରୁଷଙ୍କର ଭିତରେ ପବିତ୍ରତମ ଉଜ୍ଜଳତମ ପ୍ରେମ ବର୍ତ୍ତମାନର ଜଗତରେ ବ୍ୟକ୍ତ ହେବା ଓ ସ୍ଥାୟୀ ହେବା ସମ୍ଭବ ନୁହେଁ?

avatar

ବଡ଼ ମହାର୍ଘ ଏ ପ୍ରଶ୍ନ – ଗୁରୁତ୍ୱପୂର୍ଣ୍ଣ ତଥା ମୋ ପାଇଁ ବିଷମ। ମୁଁ ପୂର୍ବରୁ କହିଛି, ପ୍ରେରଣା ବିନା ମୁଁ କିଛି ଲେଖିନାହିଁ। ଜଣେ ଗାୟକ ଖେୟାଲ ବୋଲିବା ପାଇଁ ଉତ୍ସାହ ଅନୁଭବ କରୁଥିବ, କିନ୍ତୁ ଗଜଲ ବା ଠୁମ୍‌ରି ପାଇଁ ତା’ର ଉତ୍ସାହ ନଥିବ। ସେ ପ୍ରୟାସ କରିପାରେ, କିନ୍ତୁ ତା’ର କୃତିତ୍ୱ ସୀମିତ ହେବ।                 ମୁଁ ନିଷ୍କପଟରେ ତିନୋଟି କଥା କହିବି। ପ୍ରଥମତଃ ମୋର ସମସ୍ତ କଥା ସାହିତ୍ୟ ଏକ ସୁକ୍ଷ୍ମ ପ୍ରେମର ଭିତ୍ତି ଉପରେ ଜୀଇଁ ରହିଛି। ବିଦଗ୍ଧ ପାଠକ ତାର ସଜ୍ଞା ନିରୂପଣ ନକରିପାରେ, କିନ୍ତୁ ତାର ସ୍ପନ୍ଦନ ଅନୁଭବ କରିପାରିବ।                 ଦ୍ୱୀତୀୟତଃ, ପ୍ରତିଟି କାହାଣୀର ଏକ ସୁନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଦିଗରେ ପ୍ରେରଣା ମୋତେ ନେଇଯାଏ। ସେହି ଆଭିମୁଖ୍ୟ ସକାଶେ ମାନୁଷୀ ପ୍ରେମର ଯେତିକି ଭୂମିକା ପ୍ରୟୋଜନ, ତାହା ମୁଁ ଅବଶ୍ୟ ଚିତ୍ରିତ କରିଥାଏ । ଧରନ୍ତୁ, “ତନ୍ଦ୍ରାଲୋକର ପ୍ରହରୀ” ଉପନ୍ୟାସର କଥା। ନାୟକ ପୁଣ୍ଡରୀକ ଓ କୁମୁଦିନୀର ପ୍ରେମକୁ ଯେତିକି ମାତ୍ରାରେ ଚିତ୍ରଣ କରାଯାଇଛି ତାହାଠୁ ଅଧିକ ଚିତ୍ରଣ, ଆଭିମୁଖ୍ୟକୁ ଦୁର୍ବଳ କରିଦିଅନ୍ତା। କିମ୍ବା “ଆକାଶର ଇସାରା”ରେ ପଦ୍ମାନନ୍ଦ ସହ ସୁଶିର ସ୍ନିଗ୍ଧ, ଲଳିତ, ଅବ୍ୟକ୍ତ ପ୍ରାୟ ପ୍ରେମ।                 ତୃତୀୟତଃ – ପ୍ରେମ ଚିତ୍ରଣକୁ ମୁଁ ଏକ ପ୍ରକାର ଭୟ କରିଆସିଛି। କାରଣ ପ୍ରେମର ପ୍ରକୃତ ଅନୁଭବ ଯାହା, ତାହାକୁ ମୁଁ ମୋର ସାମାନ୍ୟ ଶକ୍ତି ଦେଇ ଫୁଟାଇ ପାରିନଥାନ୍ତି। ଅଦ୍ୟାବଧି ବିଶ୍ୱସାହିତ୍ୟରେ ଏକମାତ୍ର ଶ୍ରୀ ଅରବିନ୍ଦଙ୍କର ମହାକାବ୍ୟ “ସାବିତ୍ରୀ” ତାହାର ରୂପ ଉଦ୍‌ଘାଟନ କରିଛି। କିନ୍ତୁ ସେ ମହାକାବ୍ୟ ପରିବେଷିତ ସେ ପ୍ରେମକୁ ଉପଲବ୍ଧି କରିବା ନିମନ୍ତେ ପାଠକର ମଧ୍ୟ ପ୍ରଭୂତ ଚେତନାରତ ପ୍ରସ୍ତୁତି ଆବଶ୍ୟକ। ସାଧାରଣ ଅର୍ଥରେ ଯାହା ପ୍ରେମ,ତାକୁ ଅସଂଖ୍ୟ ଗଳ୍ପ, ଉପନ୍ୟାସ ଚିତ୍ରିତ କରି ଚାଲିଛନ୍ତି । ମୋତେ – ମୁଁ ଦୁଃଖିତ –ତାହା ବଡ଼ ବିକଳ ଲାଗେ, ଥରେ ଥରେ ଲାଗେ ସେସବୁ ଯେପରି ଏକ ମହାନ୍‌ ଭାବଶକ୍ତିର ଲାଳିକା (parody)ବା ପ୍ରହସନ(caricature)। କ୍ଷମା କରିବେ। ଏଭଳି ପର୍ଯ୍ୟବେକ୍ଷଣ ମୋ ବୋଧଶକ୍ତିର ଆଂଶିକ ଅଭାବ ଅଥବା ଅପୂର୍ଣ୍ଣତା ହୋଇପାରେ।                 ମୁଁ ହାରାହାରି ପ୍ରେମ-ଚିତ୍ରଣ-ଭିତ୍ତିକ ସାହିତ୍ୟ ସମ୍ପର୍କରେ ଏକଥା କହିଲି। ସାହିତ୍ୟରେ ମଧୁରତର ବା ମହତ୍ତର ପ୍ରେମର ଚିତ୍ର ନିଶ୍ଚୟ ରହିଛି। ସେସବୁ କିନ୍ତୁ ପ୍ରେମର ପ୍ରକୃତ ରୂପର ପ୍ରତିଫଳନ ବା ପ୍ରତିଧ୍ୱନି ବୋଲି ମୋର ମନେହୁଏ। ଅର୍ଥାତ୍‌ ସେସବୁ ବିକଳ, ବିକୃତ ନୁହନ୍ତି, କିନ୍ତୁ, ପ୍ରକୃତ ବି ନୁହନ୍ତି।                 ସେହି ପ୍ରକୃତ ପ୍ରେମର ଉପଲବ୍ଧି ଏକଦା ହୋଇଥିଲା। ରାଧାଙ୍କର ପ୍ରେମ। ଶ୍ରୀକୃଷ୍ଣ ଥିଲେ ସ୍ଥୁଳ ପୃଥିବୀରେ ସମ୍ଭବ ହୋଇଥିବା ଏକ ଚରିତ୍ର। ରାଧା କିନ୍ତୁ ଏକ ସୂକ୍ଷ୍ମସ୍ତରର ବାସ୍ତବତା – ହଁ – ସୂକ୍ଷ୍ମସ୍ତରର ବାସ୍ତବତା ଭଳି ଅଭିବ୍ୟକ୍ତି ବିରୋଧାତ୍ମକ ମନେ ହୋଇପାରେ । କିନ୍ତୁ ଆମର ସ୍ଥୁଳ, ଶାରୀରିକ ଇନ୍ଦ୍ରିୟଭିତ୍ତିକ ବ୍ୟସ୍ତବତାଠାରୁ ସେ ସ୍ତର ବହୁତ ବହୁତ ଅଧିକ ଭାବରେ ସତ୍ୟ।                 କିନ୍ତୁ ହାୟ ! ସେ ରାଧା କୃଷ୍ଣଙ୍କର ପ୍ରେମକୁ ନେଇ କ’ଣ କରିଛନ୍ତି କବି ଓ ନାଟ୍ୟକାରମାନେ? ଏପରିକି ମହତ୍‌ - ହୃଦୟ କଢ଼ିମାନେ ବି କେତେ ବିଭୀଷିକାର ଶିକାର ହୋଇନାହାନ୍ତି ?                 ଏମନ୍ତ ଯେଉଁ ପ୍ରେମର ଦୁର୍ଭାଗ୍ୟ, ତାକୁ ମୁଁ ଅଧିକ ଟିକିଏ କଲବଲ କରିବାର କ’ଣ ପ୍ରୟୋଜନ ? ମନେପଡ଼ୁଛି ବୃନ୍ଦାବନରେ ସ୍ୱାମୀ ହରିଦାସଙ୍କର ଆଶ୍ରମର ସୁପଣ୍ଡିତ ମୁଖ୍ୟଙ୍କୁ ପ୍ରଶ୍ନ କରିଥିଲି, ବ୍ୟାସଦେବ କାହିଁକି ରାଧାଙ୍କ ପ୍ରସଙ୍ଗର ଅବତାରଣା କରିନାହାନ୍ତି ? ସେ ମହାଶୟ ବଡ଼ ତାତ୍ପର୍ଯ୍ୟପୂର୍ଣ୍ଣ ଉତ୍ତରଟିଏ ଦେଇଥିଲେ – ଯେଉଁ ମୁହୂର୍ତ୍ତରେ ବ୍ୟାସଦେବ ରାଧା ଚେତନାକୁ ଚାଲିଯାଇଥିଲେ, ସେ ସ୍ଥବିର ହୋଇଯାଇଥିଲେ । ସେ ଅସୀମ ପ୍ରେମର ଅନୁଭବମାତ୍ରେ ତାଙ୍କର ସ୍ଥୁଳ ସୃଜନୀଶକ୍ତି ସ୍ଥାଣୁ ହୋଇଯାଇଥିଲା।                 ସତରେ, ମମତାଦେବୀ, ପ୍ରେମର ମ୍ଲାନ ପ୍ରତିଫଳନ ମାତ୍ର ମୁଁ କ୍ୱଚିତ୍‌ କେଉଁଠି ଦେଖିପାରିଛି, ଏକ ବିଲିୟମାନ ଇନ୍ଦ୍ରଧନୁ ଅକିଞ୍ଚନ ଏବଂ ଅସ୍ୱଚ୍ଛ ଏକ ଜଳାଶୟରେ  ପ୍ରତିଫଳିତ ହେବା ପ୍ରାୟେ। ତାହାଠୁଁ ଅଧିକ କିଛି ଦେବା ମଧ୍ୟ ମୋର ଅଧିକାର ବହିର୍ଭୂତ ବ୍ୟାପାର ବୋଲି ମୋର ମନେ ହୋଇଛି।                 ଥରେ ଥରେ କ୍ୱଚିତ୍‌ କେବେ – ମୀରାବାଇଙ୍କର ଗୀତ ଶୁଣିବାବେଳେ ମୁଁ ଚମକି ଉଠେ। ତାର ଭାଷା ବା ସ୍ୱର, ଯୋଗୁଁ ନୁହେଁ, ତା ପଛରେ ଥିବା ଚେତନାର ସ୍ପନ୍ଦନ ହେତୁ।ସେତେବେଳେ ମୁଁ ନିଜକୁ ଧନ୍ୟବାଦ ଦେଇ କହେଁ – ପ୍ରେମକୁ ତୋ ସାହିତ୍ୟରେ ଭର୍ତ୍ତି କରୁନାହୁଁ – ସାଧୁ କାମଟିଏ କରିଛୁରେ ବାବୁ। କେଉଁଠି ପ୍ରେମ ଓ କେଉଁଠି ତୋର ସାମାନ୍ୟ ସୃଜନଶକ୍ତି।

avatar

ମୁଁ ଏହି ପ୍ରଶ୍ନ ପଚାରିଥିବାରୁ ନିଜକୁ ଧନ୍ୟବାଦ ଦେଉଛି, କାରଣ ଏହାର ଉତ୍ତର ଦେବା ଅବସରରେ, ଆପଣ ଖୁବ୍‌ ଗଭୀର ସ୍ତରରେ ପ୍ରବେଶ କରିବା ଭଳି ଅନୁଭବ କରି ମୁଁ ବିସ୍ମିତ ହୋଇଛି। ପ୍ରେମ ଯେ ଏକ ମହାନ୍‌ ଶକ୍ତି, ଏହି ପୃଥିବୀକୁ ଭଗବାନଙ୍କର ମହାର୍ଘ୍ୟ ବରଦାନ, ଏକଥା ପିଲାଦିନେ, ପ୍ରାୟ ୧୬ ବର୍ଷ ବୟସରେ “ମାତୃବାଣୀ”ରେ ପାଠକରି, ମୁଁ ଅଭିଭୂତ ହୋଇ ଶ୍ରୀ ମା’ଙ୍କୁ ଭଲପାଇବା ଆରମ୍ଭ କରିଥିଲି। ଏହି ପ୍ରେମର ପ୍ରତିଫଳନକୁ ବି ଧରିହୁଏ କେଉଁଠି ? ତାହାତ ଝଲସିଯାଇ ପୁଣି ଉଭେଇଯାଏ। ପ୍ରେମର ପ୍ରତିଫଳିତ ଏହି ଝଲକଟିକୁ ମଧ୍ୟ ଧରି ରଖିନପାରିବାର ବ୍ୟର୍ଥତା, ନିରୁପାୟ ଅସହାୟତା ସମ୍ଭନ୍ଧରେ ମୁଁ କିଛି କବିତା ଓ ଗପ ଲେଖିଛି। ସେ ସବୁକୁ “ପ୍ରେମ କବିତା” ବୋଲି କୁହାଯାଇଥାଏ। ଅବଶ୍ୟ ମୁଁ କିନ୍ତୁ ଜାଣେ ସେ ସବୁ ପ୍ରେମକୁ ଧରି ହେଉନଥିବାର ବ୍ୟର୍ଥତାର କବିତା। ପ୍ରେମ ସମ୍ବନ୍ଧରେ ଆପଣଙ୍କ ଦୃଷ୍ଟିଭଙ୍ଗୀ ବୋଧହୁଏ ବିଶ୍ୱ ସାହିତ୍ୟର ଆଉ କୌଣସି କବି, କଥାକାରଙ୍କଠାରୁ ଶୁଣିନାହିଁ, ନୁହେଁ ?                 ଖୁସି ଲାଗୁଛି ଯେ, ଦୀର୍ଘ ସମୟ ଧରି ଆପଣ ଏଠାରେ ଉପସ୍ଥିତ ରହିଛନ୍ତି। ବେଳେବେଳେ ତ ମୋତେ ଲାଗେ ମୁଁ ଏଠାରେ ବସିଛି, ହଠାତ୍‌ ଆପଣଙ୍କର ଅସ୍ତିତ୍ୱକୁ ଆଉ ଖୋଜିପାଉନାହିଁ। ପାଖରେ ଥାଇ ବି ଆପଣ ଅଦୃଶ୍ୟ ହୋଇଯାଆନ୍ତି ସତେ କି ! ମୁଁ କେତେଥର ନୀରବ ରହି, ଫେରିଆସିଛି। ଆପଣ କ’ଣ ଏ ସମ୍ବନ୍ଧରେ ସଚେତନ ? କେହି କେବେ ଆପଣଙ୍କୁ ଏଭଳି ଅନୁଭବ ସମ୍ବନ୍ଧରେ କହିଛି କି ?

avatar

ଆପଣଙ୍କର ଏ ଅନୁଭବ ସମ୍ଭବତଃ ଅନନ୍ୟ, ଅନ୍ତତଃ ଆଉ କେହି କେବେ ଏଭଳି ବିରଳ ଅନୁଭବର କଥା ପ୍ରକାଶ କରିନାହାନ୍ତି। ତେବେ, ଆପଣ ଯେତେବେଳେ ଗୋଟିଏ ଗୂଢ଼, ଅତୀନ୍ଦ୍ରିୟ-ପ୍ରାୟ ଅନୁଭୂତି ପ୍ରକଟ କରି ଦେଇଛନ୍ତି, ମୁଁ ଏତିକି କହିବାକୁ ବାଧ୍ୟ ଯେ, ଏହା ପଛରେ ଏକ ଭିନ୍ନ ସ୍ତରର ବାସ୍ତବତା ରହିପାରିଥାଏ। ଅନେକ ସମୟରେ ମୋର ଅନୁଭବ ହୁଏ – ମୁଁ ନିଜେ ମୁଁ ନୁହେଁ। ହୁଏତ ତା’ର ସୂକ୍ଷ୍ମ ପ୍ରତିଫଳନ ଆପଣଙ୍କର ଚେତନାରେ ସେପରି ଅନୁଭବର ରୂପ ନେଇଛି। ଏ ପ୍ରସଙ୍ଗ ଉପରେ ଅଧିକ ସଂଳାପ ନକରିବା ହିଁ ନିରାପଦ ।

avatar

ଆପଣଙ୍କର ଏଇ ଘର, ସମସ୍ତଙ୍କ ପାଇଁ ଅବାରିତ ଭାବରେ ଖୋଲା, ଯେ କେହି ଏଠାକୁ ଆସି, ଖାଇବାକୁ ମାଗିପାରେ; ସ୍ନେହ, ଶୁଭେଚ୍ଛା, ଉପଦେଶ ମାଗିପାରେ – ପ୍ରତିଜ୍ଞା ଅପା ତ ଅନ୍ୟମାନଙ୍କ ପାଇଁ ବଞ୍ଚିଥାନ୍ତି। ଆପଣଙ୍କ ଠାରେ ବି ଏହାର କାର୍ପଣ୍ୟ କେବେ    ନଥାଏ। ଏଯାବତ୍‌ ମୋର ଜୀବନକାଳରେ, ମୁଁ ଅନେକ ବ୍ୟକ୍ତିଙ୍କୁ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଭାବେ ଜାଣେ, କିନ୍ତୁ ଏଭଳି ଗୋଟିଏ ନିର୍ଲିପ୍ତ                   ଅଥଚ ସ୍ନେହମୟ ଘର କେଉଁଠାର ଦେଖିନାହିଁ । ସଂସାର ନଥିବାର ସଂସାର, କୃତ୍ରିମତା ବିହୀନ, ପରଆପଣାର ଭାବ ନଥିବା, ଅବାରିତ – ଘରର ବନ୍ଧନ ନଥିବାର ଗୋଟିଏ ଘର, ଆଶ୍ଚର୍ଯ୍ୟ ଏପରି ଘରଟିଏ ଗଢ଼ିବା ପଛରେ ଆପଣଙ୍କର ଓ ଅପାଙ୍କର ସମ୍ମିଳିତ      ଇଚ୍ଛା ରହିଥିଲା ନାଁ ଏହା ଛାଏଁଛାଏଁ ଗଢ଼ି ହୋଇଗଲା ?

avatar

ଯାହା ବାସ୍ତବ, ତାହା ବହୁତ ଅଧିକ ରଙ୍ଗୀନ ଭାବରେ ଆପଣଙ୍କୁ ଦେଖାଯାଇଛି ଯେହେତୁ ଆପଣଙ୍କ ଆଖିରେ ଲାଗିଛି ଶ୍ରଦ୍ଧାର ଯାଦୁକାରୀ ଅଞ୍ଜନ। ସେ ଅଞ୍ଜନ ଅମଳୀନ ରହୁ। ଅନ୍ୟାନ୍ୟ ବହୁ ପରିସ୍ଥିତିକୁ ସେ ଦୃଷ୍ଟିକୋଣ ଏମିତି ସୁନ୍ଦର ଭାବରେ ଆପଣଙ୍କ ହୃଦୟରେ ପରିବେଷଣ କରୁଥାଉ ।

avatar

ଏତେ କଥାବାର୍ତ୍ତା ପରେ ବି ଆପଣଙ୍କର ବିବିଧ ଭୂମିକା ଭିତରୁ ବ୍ୟକ୍ତି ମନୋଜଦାସଙ୍କୁ ଅନ୍ୟମାନଙ୍କୁ ଜଣାଇ ନପାରି, ସଂପାଦକଙ୍କଠାରୁ କ୍ଷମା ଚାହିଁବି। ଆପଣଙ୍କୁ ବି ଏପରି ଉଦ୍ଭଟ ଓ ଅସ୍ପଷ୍ଟ ପ୍ରଶ୍ନଗୁଡ଼ିଏ ପଚାରି କଷ୍ଟ ଦେଇଥିବାରୁ କ୍ଷମା ଚାହୁଁଚି। ତେଣୁ ଆପଣ ହିଁ କୁହନ୍ତୁ ନା – ପୃଥିବୀର କୋଟିକୋଟି ମଣିଷଙ୍କ ଭିତରେ – ସମସ୍ତ ଭୂମିକା ବାହାରେ, ଜଣେ “ମନୋଜ ଦାସ” କିମିତି ରହନ୍ତି, କ’ଣ ଭାବନ୍ତି ସେ ନିଜ ବିଷୟରେ, ଜୀବନ ବିଷୟରେ, ସୃଷ୍ଟି ବିଷୟରେ ଓ ଅନ୍ୟମାନେ ତାଙ୍କୁ କିପରି ଭାବରେ ଚିହ୍ନନ୍ତୁ ବୋଲି ଆଶା ରଖନ୍ତି ?

avatar

ଏ ବିଶାଳ ପୃଥିବୀରେ ଅୟୁତ “ମନୋଜ ଦାସ” ରହିଛନ୍ତି ଅଥଚ ପ୍ରତ୍ୟେକେ ଏକ ଭିନ୍ନ “ମନୋଜ ଦାସ” । ପ୍ରତ୍ୟେକଙ୍କ ଭିତରେ ଏକ ଏକ ନିଜସ୍ୱ ପୃଥିବୀ। ସେ ପୃଥିବୀର ସେ ଦ୍ରଷ୍ଟା; ସେ ପୃଥିବୀର ସେ ସ୍ରଷ୍ଟା ହେବାକୁ ଚେଷ୍ଟିତ, କିନ୍ତୁ ଶେଷ ପର୍ଯ୍ୟନ୍ତ ସେ ପ୍ରାୟତଃ ଦ୍ରଷ୍ଟା ରୂପେ ହିଁ ରହିଥାଏ – ସେ ପୁଣି ପ୍ରାୟତଃ ଅସହାୟ ଦ୍ରଷ୍ଟା ରୂପେ। ଏହି ଅଂସଖ୍ୟ ମନୋଜ ଦାସଙ୍କ ଭିତରୁ ମୁଁ ଜଣେ । ତେବେ ମୁଁ ଅନନ୍ୟ ମଧ୍ୟ – ଜନ୍ମଜନ୍ମ ଧରି ମୋର ପରମ ଲକ୍ଷ୍ୟ ଉଦ୍ଦେଶ୍ୟରେ ଧାବମାନ ଏକାକୀ ଏବଂ ନିଃସଙ୍ଗ ଏକ ଯାତ୍ରୀ। କିନ୍ତୁ ଏ ଉପଲବ୍ଧି, ଯାହା ବଳବତ୍ତର, ତାହା ମଧ୍ୟ ଅନନ୍ୟ। ତେବେ ଏଠି ଅନନ୍ୟର ସଜ୍ଞାଟି ରହସ୍ୟମୟ। ରାସଲୀଳାରେ ପ୍ରତ୍ୟେକ ଗୋପୀ ଯେମିତି ଅନନ୍ୟ । ସଭିଙ୍କ ସହ ନୃତ୍ୟରତ ଯେଉଁ ଶ୍ରୀକୃଷ୍ଣ ସେ ମଧ୍ୟ  ପ୍ରତ୍ୟେକଙ୍କ ପାଇଁ ଅନନ୍ୟ। ଆପଣ ଅଭିନବ ପ୍ରଶ୍ନମାନ ପଚାରିଛନ୍ତି – ଉଦ୍ଭଟ ନୁହେଁ କି ଅସ୍ପଷ୍ଟ ବି ନୁହେଁ। ଆପଣଙ୍କୁ ଧନ୍ୟବାଦ। ଆପଣଙ୍କର ଶେଷ ପ୍ରଶ୍ନର ଅନ୍ତର୍ଗତ ଶେଷ ଉପପ୍ରଶ୍ନର ଉତ୍ତର ହେଲା ଅନ୍ୟମାନେ ମୋତେ ଚିହ୍ନିବାର କୌଣସି ଆଶା ମୋର ନାହିଁ – ଯେହେତୁ ମୁଁ ଏଯାବତ୍‌ ନିଜକୁ ନିଜେ ଚିହ୍ନିବାର ଆଶାରେ ଆଶାୟୀ ମାତ୍ର ହୋଇ ରହିଛି ।

avatar

ଭାରି ଭଲଲାଗିଲା ଆପଣଙ୍କ ସହିତ ଏହି ଗଭୀର ଅନ୍ତରଙ୍ଗ ବାର୍ତ୍ତାଳାପ। ମୋ ପାଇଁ ଆଜିର ଏ ଅପରାହ୍ନଟି ନିଶ୍ୱ୍ଚୟ ଅନନ୍ୟ। କବି ସୁରେଶ ମୋତେ ଏହି ସୁଯୋଗ ଦେଇଥିବାରୁ ତାଙ୍କୁ ମୋର ଧନ୍ୟବାଦ। ଆପଣଙ୍କୁ ମୋର ଆନ୍ତରିକ ପ୍ରଣାମ।

(ସୌଜନ୍ୟ: "ସମୟର ଆକାଂକ୍ଷା", ଅକ୍ଟୋବର ୨୦୧୩)

Prof Manoj Das for April Conference 2016

About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.