Loading...

“ଯେଉଁ ସୃଜନୀ ପ୍ରେରଣା ମୋତେ ଗଳ୍ପ ଲେଖାଇ ଆସୁଥିଲା,ତାହା ଅପସରି ଯାଇଛି “

ସାକ୍ଷାତକାର ପ୍ରସ୍ତୁତି : ଅସିତ୍‌ ମହାନ୍ତି
-- କାହିଁକି ଆଉ ଗଳ୍ପ ଲେଖୁନାହାନ୍ତି ମନୋଜ ଦାସ ? ପାଉ ପାଉ ଜ୍ଞାନପୀଠ ପୁରସ୍କାର ପାଇ ପାରିନଥିବା ଘଟଣାକୁ କେମିତି ଗ୍ରହଣ କରନ୍ତି ସେ ? ‘ ସରସ୍ୱତୀ ସମ୍ମାନ’ ପ୍ରାପ୍ତ ଉପନ୍ୟାସ ‘ଅମୃତଫଳ’ ସମ୍ପର୍କରେ ଜଣେ ସମାଲୋଚକଙ୍କ ମନ୍ତବ୍ୟକୁ ନେଇ ସେଦିନ ତାଙ୍କର ପ୍ରତିକ୍ରିୟା କ’ଣ ଥିଲା ? କେବେ ଲେଖିବେ ମନୋଜ ଦାସ ନିଜର ଆତ୍ମକଥା ? ସମ୍ଭବତଃ ପ୍ରଥମ ଥର ପାଇଁ ଏମିତି କିଛି ପ୍ରଶ୍ନର ସାମ୍ନା କରୁଛନ୍ତି ବିଶିଷ୍ଟ କଥାଶିଳ୍ପୀ ଓ ବାଗ୍ମୀ ମନୋଜ ଦାସ : ---
avatar

କେନ୍ଦ୍ର ସାହିତ୍ୟ ଏକାଡ଼େମି ପୁରସ୍କାର ଆପଣ ରୁ କମ୍‌ ବର୍ଷ ବୟସରେ ପାଇଥିଲେ । ଏତେ କମ୍‌ ବୟସରେ ଏଯାଏ ଆଉ କେହି କଥାଶିଳ୍ପୀ ଏକାଡେମି ପୁରସ୍କାର ପାଇ ନାହାନ୍ତି । ସେଦିନ ସେହି ପୁରସ୍କାର ପାଇବା ପରେ ଆପଣଙ୍କୁ କିପରି ଲାଗିଥିଲା ?

avatar

ଖୁସି ଲାଗିଥିଲା ନିଶ୍ଚୟ । ତେବେ ‘ଖୁସି’ ଏକ ଆପେକ୍ଷିକ ଅଭିବ୍ୟକ୍ତି। ଆକାଶରେ ଇନ୍ଦ୍ରଧନୁ ପ୍ରତିଭାତ ହେବାର ଦୃଶ୍ୟରେ ଜଣେ ଖୁସି ହୋଇପାରେ; ସେ ଖୁସି ହୁଏତ ଘଣ୍ଟାଏ ସ୍ଥାୟୀ ହେବ। ଜଣେ ପରମ ମିତ୍ରର ଅପ୍ରତ୍ୟାଶିତ ଆବିର୍ଭାବରେ ଆପଣ ଖୁସି ହେବେ । ସେ ଖୁସିର ସ୍ଥାୟୀତ୍ୱ ହୋଇପାରେ ଦୁଇଦିନ । ଏକାଡେମି ପୁରସ୍କାର ପ୍ରାପ୍ତିର ଖୁସି ହୁଏତ ଏକ ସପ୍ତାହ ଯାଏ ବଜାୟ ଥିଲା-ମୃଦୁ ମାତ୍ରାରେ । ଶୁଭେଚ୍ଛୁମାନଙ୍କଠାରୁ ଆସୁଥିଲା ଟେଲିଗ୍ରାମ (ସେତେବେଳେ ଫୋନ୍‌ ଥିଲା ଏକ ବିରଳ ବିଳାସ !) ଏବଂ ଚିଠିପତ୍ର । ନା, କୌଣସି ପୁରସ୍କାରମୋତେ ଖୁବ୍‌ ପୁଲକିତ କରିନାହିଁ- କୃତଜ୍ଞ କରିଛି। ୧୯୬୩ ମସିହାରେମୁଁ ଓଡ଼ିଶାରୁପଣ୍ଡିଚେରୀଚାଲିଆସିଲି। ଦୁଇବର୍ଷଭିତରେ,୧୯୬୫ରେ ମୋତେ ଏକାଡେମି ପୁରସ୍କାର ମିଳିବାର ଘୋଷଣାରେ ଓଡ଼ିଶାର ସାହିତ୍ୟାନୁରାଗୀମାନଙ୍କ ଉଦ୍ଦେଶ୍ୟରେ ବିଶେଷ କୃତଜ୍ଞ ଅନୁଭବ କରିଥିଲି; ଦୃଷ୍ଟିରୁ ଅନ୍ତରାଳ ହେଲେ ମଧ୍ୟ ମୋତେ ସେମାନେ ପାଶୋରି ଦେଇନାହାନ୍ତି, ଏ ବିଶ୍ୱାସ ଦୃଢ଼ୀଭୂତ ହୋଇଥିଲା । 

avatar

‘ମନୋଜ ଦାସଙ୍କ କଥା କାହାଣୀ’ର ପ୍ରକାଶକାଳ ୧୯୭୧ । କ୍ରମାଗତ ପାଠକୀୟ ଆଦୃତି ସତ୍ତ୍ୱେ ଏଯାଏ ତାହାର ମାତ୍ର ୧୦ଟି ସଂସ୍କରଣ ପ୍ରକାଶ ପାଇଛି। ଅଥଚ କେହି କେହି ଲେଖକଲେଖିକା ୩୦ ବର୍ଷରୁ କମ୍‌ ସମୟ ଭିତରେ ସେମାନଙ୍କର ଗୋଟିଏ ଗୋଟିଏ ପୁସ୍ତକର ୭୦-୮୦ଟି ସଂସ୍କରଣ ହେଲାଣି ବୋଲି ଦର୍ଶାଇଛନ୍ତି। ଓଡ଼ିଶାରେ କ’ଣ ସତରେ ଏତେ ପାଠକ ଅଛନ୍ତି ?

avatar

ଏ ପ୍ରଶ୍ନର ଉତ୍ତର ଦେବା ମୋ ପକ୍ଷରେ ସମ୍ଭବ ନୁହେଁ। ସମସାମୟିକ କୌଣସି ସୃଜନାତ୍ମକ ସାହିତ୍ୟଗ୍ରନ୍ଥର ପ୍ରତିବର୍ଷ ହାରାହାରି ଯୋଡ଼ିଏ ତିନିଟି ସଂସ୍କରଣ ହୋଇପାରୁଛି- ଆମ ଓଡ଼ିଆ ଭାଷାରେ- ଏହା ମୋତେ ଆଚମ୍ବିତ କଲାଭଳି ଏକ ସମ୍ବାଦ। ଏହା ସତ୍ୟ ହୋଇଥିଲେ ଓଡ଼ିଆ ଭାଷା ସାହିତ୍ୟର ଭବିଷ୍ୟତ ସମ୍ପର୍କରେ ଆମେ ସନ୍ଦିହାନ ହେବାର କୌଣସି କାରଣ ନାହିଁ । କୁହାଯାଏ, ଭାରତବର୍ଷ ପରିପ୍ରେକ୍ଷୀରେ ସର୍ବାଧିକ ପ୍ରସାରିତ କିଶୋର ଗଳ୍ପ ସଙ୍କଳନ ହେଲା ଏ ଲେଖକର “Stories of Light and Delight”। ନ୍ୟାସ୍‌ନାଲ୍‌ ବୁକ୍‌ଟ୍ରଷ୍ଟ କର୍ତ୍ତୃକ ପ୍ରକାଶିତ ବହିଟିର ପ୍ରଥମ ପ୍ରକାଶ କାଳ ୧୯୭୦ ମସିହା। ଭାରତର ବିଭିନ୍ନ ଭାଷାରେ ତଥା ମୂଳ ଇଂରାଜୀରେ ଏ ବହି ଏଯାବତ୍‌ ସମୁଦାୟ ଏକକୋଟି ସଂଖ୍ୟାରୁ ଅଧିକ ବିକ୍ରିତ ହୋଇଥିବା ଏକ ସ୍ଥୁଳ ଅନ୍ଦାଜ । ଇଁରାଜୀରେ ହିଁ ଏହାର ବିକ୍ରୟ ସର୍ବାଧିକ। ତଥାପି ଗତ ୪୨ବର୍ଷ ଭିତରେ ଏହାର ଦଶ ବା ଏଗାରଟି ମୁଦ୍ରଣ ସମ୍ଭବପର ହୋଇଛି। ଅବଶ୍ୟ ପ୍ରତି ମୁଦ୍ରଣର ସଂଖ୍ୟା ବିପୁଳ ହୋଇଥିବା ନିଶ୍ଚିତ। ଓଡ଼ିଆରେ ଯେଉଁ ସମସ୍ତ ବହି ୭୦ ବା ୮୦ ମୁଦ୍ରଣ ଯାଏଁ ଗଲାଣି, ପ୍ରତି ମୁଦ୍ରଣର ସଂଖ୍ୟା କେତେ ତାହା ଏକ କୌତୁହଳର ବିଷୟ ।

avatar

ଆପଣଙ୍କର ପାଠକମାନେ ଆପଣଙ୍କ ଲେଖନୀରୁ ନୂଆ ଗପକୁ ଆଗ୍ରହରେ ଅପେକ୍ଷା କରୁଥିବା ବେଳେ, ଦେଖାଯାଇଛି ଯେ ଆପଣ ଦୀର୍ଘ କିଛି ବର୍ଷ ଧରି ଆଉ ପ୍ରାୟ ନୂଆ ଗପ ଲେଖୁନାହାନ୍ତି । ଏହାର କାରଣ କ’ଣ?

avatar

ଯେଉଁ ସୃଜନୀ ପ୍ରେରଣା ମୋତେ ଗଳ୍ପ ଲେଖାଇ ଆସୁଥିଲା, ତାହା ଅପସରି ଯାଇଛି। ବିନା ପ୍ରେରଣାରେ ଯେ ଗଳ୍ପ ଉଦ୍‌ଭାବନ କରିନପାରିବି, ତାହା ନୁହେଁ। କିନ୍ତୁ ତା’ର ଆବଶ୍ୟକତା କ’ଣ ? ମୁଁ କ’ଣ ଯଥେଷ୍ଟ ଗଳ୍ପ ଲେଖିନାହିଁ ?

avatar

ବୟସ ଓ ଅଭିଜ୍ଞତା ବଢ଼ିବା ସହିତ, ପ୍ରାଜ୍ଞ ମାନସିକତା ସର୍ଜନଶୀଳ ସୃଷ୍ଟିର ସହାୟକ ନା ବାଧକ ହୁଏ ?

avatar

ବେଶ୍‌ ମୌଳିକ ଏବଂ ସାର୍ଥକ ପ୍ରଶ୍ନଟିଏ ପଚାରିଲେ। ଆମେ ଅଧିକାଂଶ ଲେଖକ ଏକ ହାରାହାରି ମାତ୍ରାର ବୁଦ୍ଧି, ପ୍ରାଣଭିତ୍ତିକ ଆବେଗ ପ୍ରବେଗ ଓ କଳ୍ପନା-ପ୍ରବଣତାର ପରିସର ଭିତରେ ଥାଇ ଲେଖାଲେଖି କରିଥାଉଁ। ଯାହାର ଚେତନାକୁ ଏକ ସୃଜନୀଶକ୍ତିର ବିଭୂତି (ଯାହାକୁ ମୁଁ ପ୍ରେରଣା ବୋଲି କହୁଛି) ସ୍ପର୍ଶ କରିଥାଏ, ତା’ ଲେଖନୀରୁ ନିର୍ଝରିତ ହୋଇପାରେ କାଲୋତ୍ତୀର୍ଣ୍ଣ କିଛି ଲେଖା।   ଏ ଭୂମିକା ପରେ ମୁଁ ଆସୁଛି ଆପଣଙ୍କ ଅସଲ ପ୍ରଶ୍ନକୁ। ଲେଖକ ଖାଲି ଲେଖକଟିଏ ହେବା ପରିବର୍ତ୍ତେ ଯଦି ଜିଜ୍ଞାସୁ ହୋଇଥିବ, ଜୀବନର ମୌଳିକ ପ୍ରଶ୍ନ ସବୁର ଉତ୍ତର ପାଇବା ଦିଗରେ ନିଜର ଆସ୍ପୃହା ଆବ୍ୟାହତ ରଖିଥିବ, ତେବେ ତା’ର ମାନସିକତା କ୍ରମେ ଅଧିକରୁ ଅଧିକ ପରିପକ୍ୱ ହେବ ହିଁ ହେବ । ପରିଣତି ହୋଇପାରେ ଦୁଇପ୍ରକାର। ପ୍ରଥମ: ଲେଖକର ମନେ ହୋଇପାରେ ଲେଖାଲେଖିର କୌଣସି ସୁଦୂରପ୍ରସାରୀ ମୂଲ୍ୟ ନାହିଁ। ପୃଥିବୀର ସବୁକିଛି ଅସ୍ଥାୟୀ; ହୁଏତ ଅଳୀକ। ଆଜି ମୁଁ ଯାହା ଲେଖିବି, ଅନାଗତ ଯୁଗର ଆଲୋକରେ ତାହା ଦେଖାଯିବ ନିଷ୍ପ୍ରଭ। ଅତଏବ ସେଥିରେ ସମୟର ଅପଚୟ ନକରି ଆତ୍ମସ୍ଥ ରହିବା ବିଜ୍ଞତା ହେବ। ଦ୍ୱିତୀୟ ପ୍ରତିକ୍ରିୟା ହୋଇପାରେ : ଏ ସୃଷ୍ଟି ଅଳୀକ ନୁହେଁ; ଏହାର ଏକ ଭବିଷ୍ୟତ ରହିଛି। ଅହିର୍ନିଶ ଘୂର୍ଣ୍ଣନରତ ପୃଥିବୀଠୁଁ ଆରମ୍ଭ କରି ସୂର୍ଯ୍ୟ, ଚନ୍ଦ୍ର ପର୍ଯ୍ୟନ୍ତ ସବୁକିଛି ସର୍ବଦା କର୍ମରତ । ମଣିଷର ଜୀବନ ମଧ୍ୟ ନିଃଶ୍ୱାସ ଭଳି ସ୍ୱତଃସ୍ଫୁର୍ତ୍ତ ଏବଂ ଜୀବିକା ଅର୍ଜନ ଭଳି ସ୍ୱେଚ୍ଛାକୃତ କର୍ମ ଆଧାରିତ। ଏହି ବ୍ରହ୍ମାଣ୍ଡବ୍ୟାପ୍ତ କର୍ମଧାରା ଉପରେ ଧ୍ୟାନସ୍ଥ ହେଲେ ଜଣେ ହୃଦୟଙ୍ଗମ କରିପାରିବ ଯେ ଏ ଯାବତୀୟ କର୍ମର ଏକ ଉତ୍ସ ରହିଛି। ତାକୁ ଦିବ୍ୟ ଉତ୍ସ କୁହାଯାଇପାରେ। ତାହା ସହିତ ସଚେତନ ଭାବରେ ସଂଯୋଗ ସ୍ଥାପନ କଲେ କର୍ମ ପ୍ରତି ବିରୂପ ଭାବ ଆସେନାହିଁ କି କର୍ମପ୍ରତି ଅହଂ ଭିତ୍ତିକ ଆସକ୍ତି ମଧ୍ୟ ଆସେନାହିଁ। ସେ ପର୍ଯ୍ୟାୟରେ ପ୍ରାଜ୍ଞମାନସିକତା ସର୍ଜନାଶୀଳ ସୃଷ୍ଟିର ବାଧକ ହେବାର ପ୍ରଶ୍ନ ନାହିଁ; ତାହା ସହ ସଂହତି ରକ୍ଷା କରି ନିର୍ବାହିତ ହୁଏ । ଦେହାବସାନର ସମୟ ନିକଟବର୍ତ୍ତୀ ହୋଇ ଆସୁଥିବାର ଜାଣି, ଅଥବା ତାହା ସ୍ୱଂୟ ନିର୍ଦ୍ଧାରିତ କରିସାରି, ଶ୍ରୀଅରବିନ୍ଦ ମହାକାବ୍ୟ ‘ସାବିତ୍ରୀ’ ରଚନାରେ କ୍ଷିପ୍ରତା ଦର୍ଶାଇଥିଲେ।

avatar

କିଛି ମାସ ତଳେ, ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାର ବିତରଣୀ ସଭାରେ ଅତିଥି ଭାବେ ଯୋଗଦେଇ ଆପଣ ଗୋଟିଏ ‘କଣ୍ଢେଇ ଗପ’ କହିଥିଲେ। କିନ୍ତୁ ସେଥିରୁ ଆଭାସ ମିଳିଲା ଯେ ‘ଜ୍ଞାନପୀଠ’ ନାମକ ‘କଣ୍ଢେଇ’ ନପାଇବା ନେଇ ଏକଦା ଆପଣଙ୍କ ମନରେ କିଞ୍ଚିତ୍‌ ଭାବାନ୍ତର ସୃଷ୍ଟି ହୋଇଥିଲା। ଏହା ସତ କି?

avatar

ଅବଶ୍ୟ ସତ୍ୟ। କିନ୍ତୁ ଆପଣ ଠିକ୍‌ କହିଛନ୍ତି; ନପାଇବା ଫଳରେ ‘କିଞ୍ଚିତ୍‌ ଭାବାନ୍ତର’ ମାତ୍ର ସୃଷ୍ଟି ହୋଇଥିଲା; ଅଧିକ କିଛି ନୁହେଁ। ପୁରସ୍କାରଟିଏ ପାଇଲେ ମୁଁ ଯେପରି ପୁଲକିତ ନହେବି, ସେ ଦିଗରେ ବିଧାତା ମୋର ପ୍ରଥମ ପୁରସ୍କାର ପ୍ରାପ୍ତିରୁ ହିଁ ମୋତେ ପ୍ରସ୍ତୁତ କରି ରଖିଥିଲେ। ସେ ଦିନର ସେ ସଭାରେ ମୁଁ ସେ ଘଟଣାଟି ମଧ୍ୟ ବିବୃତ କରିଥିଲି।         ୧୯୬୨ ମସିହାର କଥା । ‘ଡଗର’ ରଜତଜୟନ୍ତୀ ଉତ୍ସବର ତତ୍କାଳୀନ ଓଡ଼ିଶାର ତୁଙ୍ଗ ସାହିତ୍ୟସ୍ରଷ୍ଟାମାନଙ୍କୁ ଅଭିନନ୍ଦିତ କରାଯାଇଥାଏ । ଉପନ୍ୟାସ ପାଇଁ ଅଭିନନ୍ଦିତ ହେଉଥିଲେ ଗୋପୀନାଥ ଓ କାହ୍ନୁଚରଣ; କବିତା ପାଇଁ ସଚ୍ଚି ରାଉତରାୟ ଓ ରାଧାମୋହନ ଗଡ଼ନାୟକ; ଏବଂ ନାଟକ ପାଇଁ ଗୋପାଳ ଛୋଟରାୟ ଓ ମନୋରଞ୍ଜନ ଦାସ। ଗଳ୍ପ ପାଇଁ ସୁରେନ୍ଦ୍ର ମହାନ୍ତିଙ୍କ ସହ ରହିଥାଏ ସର୍ବକନିଷ୍ଠ ଏହି ଲେଖକ। ପ୍ରେକ୍ଷାଳୟ ଭିତରୁ ଆମମାନଙ୍କୁ ମଞ୍ଚ ଉପରକୁ ପାଛୋଟି ନେବା ବେଳକୁ ଭୁଲକ୍ରମେ ଜଣେ ପ୍ରବୀଣ ଆୟୋଜକ ବାମାଚରଣ ମିତ୍ରଙ୍କୁ ମଧ୍ୟ ଡାକିଦେଲେ। ସଭା ଶେଷ ହେଲା। ବାମାଚରଣ ବାବୁଙ୍କ ନାମ ଡକାଗଲା ନାହିଁ। ଜନ ସମାବେଶ କ୍ଷୀଣ ହୋଇଯିବା ଉତ୍ତାରୁ ମୁଁ ଦେଖିଲି, ସେ ମହତ୍‌ ଲେଖକ ଜଣକ ଶ୍ରୀରାମଚନ୍ଦ୍ର ଭବନର ବାରନ୍ଦାର ଗୋଟିଏ କୋଣରେ ଠିଆ ହୋଇଛନ୍ତି। ପାଖକୁ ଗଲି। ସେ ଖାଲି ଏତିକି କହୁଥାନ୍ତି, ‘ମନୋଜବାବୁ, ମୋର ଏ ଅହଂ କାହିଁକି କହିଲେ ?’         ଅର୍ଥାତ୍‌ ବିଶେଷ କେହି ଲକ୍ଷ୍ୟ କରିନଥିଲେ ମଧ୍ୟ ତାଙ୍କୁ ଯେଉଁ ଅଡ଼ୁଆ ଅବସ୍ଥାରେ ପକାଇ ଦିଆଗଲା, ସେଥିପାଇଁ ସେ ଆଉ କାହାକୁ ଦୋଷ ନଦେଇ ନିଜ ଅହଂକୁ ହିଁ ଦୋଷ ଦେଉଥିଲେ- ସେ କାହିଁକି ନିଜକୁ ଯୋଗ୍ୟ ମନେକରି ମଞ୍ଚ ଉପରକୁ ଚାଲିଗଲେ ! ଆମେ ଜାଣୁଁ, ସେ କମ୍‌ ଯୋଗ୍ୟ ନଥିଲେ ! ସେଦିନ ମୁଁ ଯେଉଁ ବିଷାଦ ଅନୁଭବ କରୁଥିଲି, ତାହା ମୋତେ ଆଜୀବନ ପୁରସ୍କାର-ସମ୍ବନ୍ଧିତ ପୁଲକରୁ ବଞ୍ଚିତ କରି ରଖିଛି। ତା’ଛଡ଼ା, ଏକଥା ମୁଁ ଜାଣେ, ଆପଣ ମଧ୍ୟ ଜାଣନ୍ତି, ପୁରସ୍କାର ସର୍ବଦା ଏକ ଆପେକ୍ଷିକ ବ୍ୟାପାର।

avatar

ଆପଣଙ୍କୁ ‘ଜ୍ଞାନପୀଠ’ପୁରସ୍କାରରୁ ବଞ୍ଚିତ କରିବାକୁ ଏକଦା ନିର୍ଦ୍ଦିଷ୍ଟ ଯୋଜନା ହୋଇଥିଲା ବୋଲି ସେତେବେଳେ ଏକ ଦୈନିକ ସମ୍ବାଦପତ୍ର ପୃଷ୍ଠାରେ ବେଶ୍‌ କିଛି ପାଠକୀୟ କ୍ରିୟା-ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସେ ସମ୍ପର୍କରେ ଆପଣଙ୍କର ଉତ୍ତର କ’ଣ ଏଇ କଣ୍ଢେଇ-ଗପ?

avatar

‘ଜ୍ଞାନପୀଠ’ ପ୍ରସଙ୍ଗ ଆପଣ ଉଠାଇଲେ। ହଁ, ବହୁ ବର୍ଷ ତଳର କଥା। ସେତେବେଳକୁ ଗୋପୀନାଥ ଓ ସଚ୍ଚିବାବୁ ସେ ପୁରସ୍କାର ପାଇସାରିଥାନ୍ତି। ହଠାତ୍‌ ଦିଲ୍ଲୀରେ ‘ଜ୍ଞାନପୀଠ’ ସଂସ୍ଥା ସହ ଘନିଷ୍ଠ ସମ୍ପର୍କିତ ଜଣେ ବ୍ୟକ୍ତି ମୋତେ ଏକାନ୍ତରେ ହସି ହସି ମୃଦୁ କଣ୍ଠରେ ଜଣାଇଦେଲେ, ମୁଁ ସେ ପୁରସ୍କାରଟି ପାଇବାକୁ ଯାଉଛି। ଠିକ୍‌।‘କିଞ୍ଚିତ୍‌’ଖୁସି ହେଲି। କିନ୍ତୁ ପାଇଲି ନାହିଁ। ‘କିଞ୍ଚିତ୍‌’ ଦୁଃଖିତ ହେଲି। ପୁଣି ସେ ଦୁଃଖିତ ହେବାର କାରଣ ମୋ ନପାଇବାଟା ଯେତିକ ନୁହେଁ, ସେ ଭଦ୍ରଲୋକଙ୍କ ମାନସିକ ଅବସ୍ଥା ପାଇଁ ତତୋଧିକ। ସେ ଫୋନ୍‌ଯୋଗେ ପ୍ରାୟ କାନ୍ଦି ପକାଇଲେ। ଓଡ଼ିଶାର ବହୁ ବ୍ୟକ୍ତି କାହିଁକି କେଜାଣି ମୁଁ ପାଇବି ବୋଲି ଧରି ନେଇଥିଲେ । ସେମାନେ ସେମାନଙ୍କ ହତାଶା ଜ୍ଞାପନ କଲେ। ‘କଣ୍ଢେଇ’ ଗପର ଅବତାରଣା କରିଥିଲି ସେଦିନ, ଆପଣଙ୍କର ସେ ସଭାରେ ସମବେତ ଲେଖକମାନଙ୍କ ପାଇଁ। ସେମାନେ ସଭିଏଁ ବୟସରେ ମୋ’ଠାରୁ ବହୁତ ସାନ। ଅନେକଙ୍କ ଭିତରେ ଉଜ୍ଜଳ ସମ୍ଭାବନା ଜାଜ୍ଜ୍ୱଲ୍ୟମାନ। ସେମାନଙ୍କ ଭିତରେ ପୁରସ୍କାରମାନ ଲାଭ କରିବା ନିମନ୍ତେ ଆଶା ଥିବା ସ୍ୱାଭାବିକ। କିନ୍ତୁ ପ୍ରତିଷ୍ଠିତ ପୁରସ୍କାର, ଆନୁଷ୍ଠାନିକ ସ୍ୱୀକୃତିର ସଂଖ୍ୟା ସର୍ବଦା ସୀମିତ। ଅଥଚ ସେ ଦିଗରେ ଯୋଗ୍ୟ ଲେଖକମାନଙ୍କ ସଂଖ୍ୟା ସର୍ବଦା ଅଧିକ। ଫଳରେ କେହି କେହି ପାଇବେ; ଅନେକ ପାଇବେ ନାହିଁ। ସେ ପାଇଁ ମାନସିକ ପ୍ରସ୍ତୁତି ଥିବା ଆବଶ୍ୟକ। ଏକ ମହତ୍ତର ମାନଦଣ୍ଡ ଯୋଗେ ବିଚାର କଲେ ଜୀବନର ସବୁ ଅଭିଜ୍ଞତାର ମୂଲ୍ୟ ପ୍ରାୟ ସମାନ-ଆଶାପୂର୍ତ୍ତିର ତଥା ଆଶାଭଙ୍ଗର। ଯାହାର ଚେତନାରେ ଏ ବିଶ୍ୱାସ ବଳବତ୍ତର ଥିବ, ତାହାପାଇଁ ଆଶାଭଙ୍ଗ ବୋଲି କିଛି ନାହିଁ; ସବୁ ହେଲା ଏକ ଏକ ଅଭିଜ୍ଞତା- ଆମର ଉତ୍ତରୋତ୍ତର ଚେତନାଗତ ବିକାଶ ନିମନ୍ତେ ଅବଦାନ; ଯେଉଁ ବିକାଶ ଚାଲିଛି ଜନ୍ମ ପରେ ଜନ୍ମ ଧରି। କୁନି ଝିଅଟିଏ ରାତିରେ ଶୋଇବା ପୂର୍ବରୁ ଭଗବାନଙ୍କୁ ପ୍ରାର୍ଥନା କରୁଛି, “ମୋ ଭଙ୍ଗା ଖେଳଣାଟିକୁ ସଜାଡ଼ି ଦିଅ !”  ତା ବଡ଼ଭାଇ ହସି ହସି କହୁଛି, “ବୋକୀ ! ଭଗବାନ ତୋର ଏ ପ୍ରାର୍ଥନା ଶୁଣିବେ ?” ଝିଅଟି କହୁଛି, “ନିଶ୍ଚୟ ଶୁଣିବେ !” ସକାଳ ହେଲା। ଖେଳଣାଟି ଯେମିତି ଭଙ୍ଗା ଥିଲା ସେମିତି ରହିଛି।“କ’ଣ ହେଲା, ଭଗବାନ ତୋ ପ୍ରାର୍ଥନା ଶୁଣିଲେ ?” ଭାଇ ଥଟ୍ଟାଳିଆ ଭାବରେ ପଚାରିଲା । “ନିଶ୍ଚୟ ଶୁଣିଲେ ।” ଉତ୍ତର ଦେଲା କୁନି ଝିଅ। “ସେ ଦେଖାଇଦେଲେ ଯେ ମୁଁ ଖେଳଣାରେ ମାତି ରହିବାର ବୟସରୁ ଉତ୍ତୀର୍ଣ୍ଣ ହୋଇଗଲିଣି !” ବିଶ୍ୱାସର କି ଚମତ୍କାର ଦୃଷ୍ଟାନ୍ତ !

avatar

ପ୍ରାୟ ବର୍ଷକ ତଳେ ଆପଣ ଗୋଟିଏ ସାକ୍ଷାତକାର ପ୍ରସଙ୍ଗରେ କହିଥିଲେ, ପ୍ରାୟ ୩୦/୩୫ ବର୍ଷ ତଳର କିଛି ଲେଖାକୁ ଆପଣ ଏବେ ବହି ବଜାରରୁ ପ୍ରତ୍ୟାହାର କରି ଆଣିଛନ୍ତି। ଏପରି କାହିଁକି ?

avatar

୩୦/୩୫ ବର୍ଷ ତଳର ନୁହେଁ; ୬୦/୬୫ ବର୍ଷ ତଳର। ଏବେ ନୁହେଁ, ପ୍ରତ୍ୟାହାର କଲିଣି ପ୍ରାୟ ପଚାଶ ବର୍ଷ ତଳେ। ସେସବୁ ଅପରିପକ୍ୱ ରଚନା- ଏହି ଧାରଣା ଯୋଗୁଁ।

avatar

ମାନସିକତା ପ୍ରାଜ୍ଞ ହେବା ସହିତ ଏକଦା ସତ୍ୟ ଥିବା ହୃଦୟବୃତ୍ତି ଅସାର ମନେହୁଏ ବୋଲି କ’ଣ ଏଥିରୁ ଏକ ଧାରଣା କରାଯାଇ ପାରିବ ?

avatar

ଏକଦା ସତ୍ୟ ମନେ ହୋଇଥିବା ହୃଦୟବୃତ୍ତି ଉଭୟ ମନ ଓ ପ୍ରାଣାନୁଭବର ବିକାଶ ସଙ୍ଗେ ସଙ୍ଗେ ଅସାର ମନେହେବା ଏକ ସାର୍ବଜନୀନ ସତ୍ୟ। ତେବେ ଆପଣଙ୍କର ପୂର୍ବ ପ୍ରଶ୍ନଟି ସହ ଏ ସତ୍ୟର ସମ୍ପର୍କ ନିବିଡ଼ ନୁହେଁ। ଯେଉଁ ସବୁ ଗଳ୍ପ କବିତା ପ୍ରତ୍ୟାହାର କରିନେଇଛି, ସେ ସବୁର ଭାଗବତ ମୂଲ୍ୟ ଥିଲା; କିନ୍ତୁ ଉପସ୍ଥାପନା ଥିଲା ଦୁର୍ବଳ। ସାହିତ୍ୟରେ ପରିପକ୍ୱ ଲେଖାର ଅଭାବ ନାହିଁ। ଅତଏବ ସେମିତି ପ୍ରତ୍ୟାହାରରେ କ୍ଷତି କ’ଣ?

avatar

ଆପଣଙ୍କର ପ୍ରାୟ ସମସାମୟିକ ବହୁ ଲେଖକ ଏବେ ୩୦/୩୫ ବର୍ଷ ତଳର ପୁରୁଣା ଲେଖାକୁ ପତ୍ରିକା ବଜାରର କ୍ରମବର୍ଦ୍ଧିଷ୍ଣୁ ଚାପର ଦାୟରେ ଅପରିବର୍ତ୍ତିତ ଭାବରେ ବଜାରକୁ ଛାଡ଼ୁଥିବାର ଦେଖାଯାଉଛି। ଏହି ମାନସିକତାକୁ ଜଣେ ଲେଖକ ଓ ଜଣେ ପାଠକ ଭାବରେ ଆପଣ କେଉଁପରି ଭାବରେ ବିବେଚନା କରିବେ ?

avatar

ଲେଖା ଯଦି ଭଲ ହୋଇଥିବ ଏବଂ ନୂତନ ପୁରୁଷର ପାଠକବର୍ଗ ତାହା ପଢ଼ିବା ଉଚିତ୍‌ ବୋଲି ଲେଖକ ମନେ କରୁଥିବେ, ତେବେ ଏହା ଏକ ସ୍ୱାଭାବିକ ବ୍ୟାପାର ଭାବେ ଗୃହୀତ ହେବା ଉଚିତ। ଟଲଷ୍ଟୟ, ଚେଖୋଭ୍‌- ଏମାନଙ୍କ ଲେଖା ଆମେ ପଢ଼ୁଛୁଁ ସେସବୁ ବାରମ୍ବାର ପୁନଃପ୍ରକାଶ ହୋଇଚାଲିଛି ବୋଲି।

avatar

ପଣ ଯେତେ ଗଳ୍ପ ଲେଖିଛନ୍ତି ସେହି ଅନୁପାତରେ ଉପନ୍ୟାସ ଲେଖିନାହାନ୍ତି। ଏହାର କାରଣ କ’ଣ?

avatar

ବୌଦ୍ଧିକ ଲେଖା- ଯଥା ସ୍ତମ୍ଭ, ପ୍ରବନ୍ଧ- କଥା ଅଲଗା। କିନ୍ତୁ ସୃଜନଶୀଳ ଲେଖା- ଗଳ୍ପ, କବିତା ଓ ଉପନ୍ୟାସ- ପାଇଁ ମୁଁ ସର୍ବଦା ପ୍ରେରଣା ଉପରେ ନିର୍ଭର କରିଛି। ଉପନ୍ୟାସ ପାଇଁ ପ୍ରେରଣା ଆସିଲା ପରେ ପରିପକ୍ୱ ବୟସରେ। ଫକୀର ମୋହନଙ୍କ କ୍ଷେତ୍ରରେ ବି ଏମିତି ହୋଇଥିଲା ପରା! ମୋର ପ୍ରତ୍ୟେକ ଉପନ୍ୟାସ ପାଇଁ ମୋତେ ବହୁତ ସମୟ ଦେବାକୁ ହୋଇଛି। ସଂଖ୍ୟା ସୀମିତ ହେବା ସେ ଦୃଷ୍ଟିରୁ ସ୍ୱାଭାବିକ।

avatar

ଆପଣଙ୍କ ଉପନ୍ୟାସ ‘ଅମୃତଫଳ’ ସମ୍ମାନଜନକ ‘ସରସ୍ୱତୀ ସମ୍ମାନ’ ପାଇଛି। କିନ୍ତୁ ତାହାକୁ ନେଇ ଜଣେ ସମାଲୋଚକ ଏକଦା ବାଲେଶ୍ୱରରେ ବିରୂପ ମନ୍ତବ୍ୟ ଦେବା ପରେ ଆପଣଙ୍କ ମୁଗ୍ଧ ପାଠକଗୋଷ୍ଠୀ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରି ସମାଲୋଚନା ଓ ଏପରି ସମର୍ଥନକୁ ନିଷ୍ପକ୍ଷ ଦୃଷ୍ଟିରେ ଆପଣ କିପରି ଭାବରେ ବିବେଚନା କରିବେ ?

avatar

ଓଡ଼ିଶାଠୁଁ ବହୁତ ଦୂରରେ ରହୁଥିବା ଯୋଗୁଁ ସେ ମନ୍ତବ୍ୟ ଓ ପ୍ରତିକ୍ରିୟା ସମ୍ପର୍କରେ ସବିଶେଷ ଜାଣିପାରି ନାହିଁ। ସମାଲୋଚକ ମହାଶୟ କୌଣସି ବିରୂପ ମନ୍ତବ୍ୟ ଦେଇ ନଥିଲେ। ସେ ମୋ ଗଳ୍ପକୁ ଉପନ୍ୟାସ ଅପେକ୍ଷା ଉଚ୍ଚସ୍ଥାନ ଦେଇଥିଲେ। ସେ ଯଦି ବିରୂପ ମନ୍ତବ୍ୟ ଦେଇଥାନ୍ତେ, ତେବେ ସେଥିରେ ମଧ୍ୟ ଅସହିଷ୍ଣୁ ହେବା ଅସମୀଚୀନ। ସମସ୍ତଙ୍କୁ ସବୁ ପ୍ରକାର ଲେଖା ମୁଗ୍ଧ କରିବ- ଏ ଆଶା ବିଡ଼ମ୍ବନା।

avatar

ନିକଟରେ ଏକ ସାକ୍ଷାତକାରରେ ଆପଣ କହିଛନ୍ତି ଯେ ଆଜିର ବହୁ ତଥାକଥିତ ସଫଳ ଲେଖା ୬୦ ଭାଗ ସମାଜ ବାସ୍ତବତା ଓ ୪୦ ଭାଗ ‘ଏରୋଟିସିଜମ୍‌’କୁ ନେଇ ଗଢ଼ା। ଆଜିର ଓଡ଼ିଆ ସାହିତ୍ୟରେ ଏହି ଫର୍ମୂଲାର ପ୍ରଭାବ କେତେ ବୋଲି ଆପଣ ମନେକରନ୍ତି ?

avatar

ତଥାକଥିତ ସଫଲ ବୋଇଲେ ମୁଁ କେତେ ପୁରସ୍କାରପ୍ରାପ୍ତ ତଥା ବହୁ-ବିକ୍ରିତ ଭାରତୀୟ- ଇଁରାଜୀ ଉପନ୍ୟାସ କଥା କହୁଥିଲି। ଓଡ଼ିଆ ସାହିତ୍ୟରେ ଏହାର ପ୍ରଭାବ ସମ୍ପର୍କରେ ମୁଁ ସମ୍ପୂର୍ଣ୍ଣ ଅଜ୍ଞ। ଆଜିର ଓଡ଼ିଆ ଉପନ୍ୟାସ ସବୁ ମୁଁ ଅଧିକ ପଢ଼ିପାରୁ ନାହିଁ। ସମୟର ଏକାନ୍ତ ଅଭାବ; ଦୃଷ୍ଟିଶକ୍ତି କ୍ଷୀଣ। ମୋର ଆଉ ଏକ ଦୁର୍ବଳତା- ମୁଁ ବଡ଼ ମନ୍ଥର ଗତିରେ ପଢ଼େ।

avatar

ନିକଟରେ ‘ଆମ ଓଡ଼ିଶା’ର ଏକ ସଭାରେ ଆପଣ ବକ୍ତୃତା ପ୍ରସଙ୍ଗରେ କହିଲେ ଯେ ‘ପଞ୍ଚତନ୍ତ୍ର’ର ମହାନ ସ୍ରଷ୍ଟା ‘ବିଷ୍ଣୁଶର୍ମା’ଙ୍କର ଜନ୍ମ ଆମରି ଏଇ ଓଡ଼ିଶା ମାଟିରେ। ଏହା ନିଶ୍ଚିତ ଭାବରେ ଆମ ସମସ୍ତଙ୍କ ପାଇଁ ଗର୍ବ କରିବାର ବିଷୟ। ଏ ସମ୍ପର୍କରେ ଅଧିକ ଗବେଷଣାର ଅବକାଶ ରହିଛି ବୋଲି ଆପଣ କହିଥିଲେ ବି ଏ ପର୍ଯ୍ୟନ୍ତ ମିଳିଥିବା ଏ ସମ୍ପର୍କିତ ତଥ୍ୟ ବା ସୂଚନା ଗୁଡ଼ିକ କ’ଣ ?

avatar

ଗତ ଶତାବ୍ଦୀର ସପ୍ତମ ଦଶକର କଥା। ଭାରତ ସରକାର ମୁଖ୍ୟତଃ ବିଦେଶରେ ଥିବା ଆମ ଦୂତାବାସମାନଙ୍କ ମାଧ୍ୟମରେ ବିତରଣ ନିମନ୍ତେ “ Indian & Foreign Review” ନାମକ ପାକ୍ଷିକ ପତ୍ରିକା ପ୍ରକାଶ କରୁଥାନ୍ତି। ସମ୍ପାଦକ ମହାଶୟଙ୍କ ବରାଦକ୍ରମେ ସେଥିରେ “Great Books of India” ନାମକ ଏକ ଧାରାବାହିକ ନିବନ୍ଧମାଳା ଲେଖୁଥିଲି। ସେସବୁ ଲେଖା ଗବେଷଣାଧର୍ମୀ ନୁହେଁ; ବହି ଗୁଡ଼ିକର ବିଷୟବସ୍ତୁ ତଥା ତାତ୍ପର୍ଯ୍ୟ ସମ୍ପର୍କରେ ଜିଜ୍ଞାସୁ ବିଦେଶୀମାନଙ୍କୁ ଅବହିତ କରିବା ଥିଲା ସେ ରଚନାବଳିର ଆଭିମୁଖ୍ୟ। ତେବେ କୌତୁହଳ ବଶତଃ ସେ ସମସ୍ତ ବିଖ୍ୟାତ ଗ୍ରନ୍ଥ ଉପରେ ଯେତେ ଗବେଷଣା ଉପଲବ୍ଧ ହୋଇଛି, ସେ ସବୁ ଅଧ୍ୟୟନ କରୁଥିଲି; ଅନ୍ତତଃ ସେସବୁ ଉପରେ ଆଖି ବୁଲାଇ ଆଣିବାର ଲୋଭ ସମ୍ବରଣ କରି ପାରୁନଥିଲି।         ଦେଖିଲି, ବିଷ୍ଣୁଶର୍ମାଙ୍କ ଜନ୍ମ ବା କର୍ମସ୍ଥଳ ସମ୍ପର୍କରେ କୌଣସି ଗବେଷକ ଯୌକ୍ତିକ ପ୍ରମାଣ ଉପସ୍ଥାପନ କରି ପାରିନାହାନ୍ତି। ଅଥଚ ଅନେକେ ବିଶେଷତଃ ପାଶ୍ଚାତ୍ୟ ଗବେଷକମାନେ ସେ ମହାତ୍ମାଙ୍କୁ କାଶ୍ମୀରର ବାସିନ୍ଦା ବୋଲି ଲେଖିଛନ୍ତି। ସମ୍ଭବତଃ ‘କଥାସରିତ ସାଗର’ର ସୋମଦେବ କାଶ୍ମୀରବାସୀ ଥିଲେ, ସେହି ତଥ୍ୟ ବିଷ୍ଣୁଶର୍ମାଙ୍କ ସମ୍ପର୍କରେ ସେମାନଙ୍କ ଅନୁମାନକୁ ପ୍ରଭାବିତ କରିଥାଇପାରେ। ତେବେ ଜଣେ ଦୁଇଜଣ ତାଙ୍କୁ କଳିଙ୍ଗ ଅଥବା ଦକ୍ଷିଣ ଭାରତର ନାଗରିକ ଭାବରେ ଗ୍ରହଣ କରିଛନ୍ତି। ବର୍ତ୍ତମାନ ମୁଁ ସେ ପ୍ରବନ୍ଧଟି ଖୋଜି ପାଇନାହିଁ, କିନ୍ତୁ ମୋ ସ୍ମରଣରେ ଜଣେ ବିଶିଷ୍ଟ ପୂର୍ବତନ ‘I.C.S.’ଅନ୍ତର୍ଭୂକ୍ତ ମନୀଷୀ ଶ୍ରୀ ପଞ୍ଚପାକେଶ ଆୟାର ତାଙ୍କୁ କଳିଙ୍ଗର ଅଧିବାସୀ ଭାବରେ ଅଭିହିତ କରିଥିଲେ। ଆହୁରି ଏକାଧିକ ବ୍ୟକ୍ତି ମଧ୍ୟ ସେ ଅନ୍ଦାଜ ଉପସ୍ଥାପନ କରିଛନ୍ତି। ଏହି ମୁହୂର୍ତ୍ତରେ ମୁଁ ସେମାନଙ୍କୁ ମନେପକାଇ ପାରୁନାହିଁ। ମୁଁ ଗବେଷକ ନୁହେଁ; ଅତଏବ ସେସବୁ ତଥ୍ୟ ସଂଗ୍ରହ କରି ରଖିନାହିଁ। କିନ୍ତୁ ‘ପଞ୍ଚତନ୍ତ୍ର’ର ଜଣେ ମାର୍ମିକ ପାଠକ ଭାବେ ମୁଁ ଅନୁଭବ କରିଛି ଯେ ସେ କଦାପି କାଶ୍ମୀରର ନୁହନ୍ତି। ନିଶ୍ଚୟ କଳିଙ୍ଗର ଅଥବା କଳିଙ୍ଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଭାରତର। କହିବା ବାହୁଲ୍ୟ, ଦୁଇହଜାର ବର୍ଷ ତଳେ (ଗବେଷକମାନଙ୍କ ମତରେ ସେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ଲେଖକ) କେବେକେବେ ଦକ୍ଷିଣଭାରତର କିୟଦଂଶ କଳିଙ୍ଗର ଅନ୍ତର୍ଭୂକ୍ତ ହୋଇ ଯାଉଥିଲା ତ କେବେକେବେ କଳିଙ୍ଗ ସାମ୍ରାଜ୍ୟର କିୟଦଂଶ ଦକ୍ଷିଣ ଭାରତୀ କୌଣସି ରାଜାଙ୍କ ଅକ୍ତିଆରକୁ ଆସିଯାଉଥିଲା। ‘ପଞ୍ଚତନ୍ତ୍ର’ ଅଧ୍ୟୟନବେଳେ ମୁଁ ଲକ୍ଷ୍ୟ କରିଛି, ଯେତେବେଳେ ବିଷ୍ଣୁଶର୍ମା ମହୋଦୟ କୌଣସି ଭିନ୍ନ ରାଜ୍ୟ ବା ନଗରୀ କଥା ଅଥବା ପ୍ରାକୃତିକ ପ୍ରତିଷ୍ଠାନ କଥା କହୁଛନ୍ତି, ସେସବୁଅ ଓଡ଼ିଶାର ହିଁ ପ୍ରତିବେଶୀ। ତାଙ୍କ ନିଜ ରାଜ୍ୟ ‘ମହିଳାରୂପ୍ୟ’ ଏକ କାଳ୍ପନିକ ନାମ। ସେ ରାଜ୍ୟର ରାଜାଙ୍କର ଯାହା ନାମ- ଅମରଶକ୍ତି- ତାହା ଦକ୍ଷିଣଭାରତୀୟ ନାମ ନୁହେଁ। ସେ କୌଣସି, ରାଜଗୃହ (ରାଜଗିର), ବର୍ଦ୍ଧମାନପୁର (ବର୍ଦ୍ଧମାନ) ଇତ୍ୟାଦି ଯେଉଁ ସବୁ ସ୍ଥାନର ଉଲ୍ଲେଖ କରୁଛନ୍ତି (ଅତି ବିଖ୍ୟାତ ଓ ସାର୍ବଜନୀନ ମଥୁରା ବା ଉଜ୍ଜୟିନୀ ନଗରୀକୁ ଛାଡ଼ିଦେଲେ) ସେସବୁ ଓଡ଼ିଶାର ପାର୍ଶ୍ୱବର୍ତ୍ତୀ ସ୍ଥାନ। ‘ଅସ୍ତି ଗୋଦାବର୍ ତୀରେ ବିଶାଳ ଶାଳ୍ମଳୀ ତରୁ’। ଗୋଦାବରୀ କଳିଙ୍ଗର ସୀମା। ବିଷ୍ଣୁଶର୍ମା ଏପରି ଏକ ସ୍ଥାନରେ ରହିଥିବେ, କାହାଣୀର ପଟ୍ଟଭୂମି ସବୁର ପରିଚୟ ଦେବାବେଳେ ନିଜ ରାଜ୍ୟର ପଡ଼ୋଶୀ ମୁଲକ ବା ପଡ଼ୋଶୀ ନଗରୀ ସବୁର ନାମ ଗୁଡ଼ିକ ହିଁ ତାଙ୍କ କଳ୍ପନାକୁ ସ୍ୱତଃସ୍ଫୁର୍ତ୍ତ ଭାବରେ ଆସିଯାଇଛି।         ସେ ଯାହାହେଉ, ଏ ମୂଲ୍ୟବାନ ପ୍ରସଙ୍ଗଟି ଉପରେ ଯୋଗ୍ୟ ଗବେଷକମାନେ ଧ୍ୟାନ ଦେବେ- ଏହି ଆଶା କରୁଛି।

avatar

ସେହି ବକ୍ତୃତା ପ୍ରସଙ୍ଗରେ ଆପଣ ଶ୍ରୀଜଗନ୍ନାଥଙ୍କ ବିଗ୍ରହଙ୍କୁ “ଆମ ଅପୂର୍ଣ୍ଣତାର ପ୍ରତିମୂର୍ତ୍ତି” ବୋଲି କହିଥିଲେ। କିନ୍ତୁ ଅନେକେ ‘ଅଧାଗଢ଼ା ଦିଅଁ’ ଜଗନ୍ନାଥଙ୍କୁ ନିରାକାର ବ୍ରହ୍ମଙ୍କର ସାକାର ରୂପ ବୋଲି ମନେ କରନ୍ତି। ଏ ସମ୍ପର୍କରେ ଆପଣ କ’ଣ କହିବେ ?

avatar

ଯାଦୃଶୀ ଭାବନା ଯସ୍ୟ ସିଦ୍ଧିର୍ଭବତି ତାଦୃଶୀ ।

avatar

ଆପଣଙ୍କର ବିପୁଳ ଅନୁଭୂତି ଓ ଅଭିଜ୍ଞତା ଅଛି। ତା’ ସହିତ ଶ୍ରୀଅରବିନ୍ଦଙ୍କ ପରି ଆପଣଙ୍କ ଜୀବନରେ ମଧ୍ୟ ଆନ୍ଦୋଳନରୁ ଆଧ୍ୟାତ୍ମିକ ଉତ୍ତରଣ ପର୍ଯ୍ୟନ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ମୋଡ଼ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ସେ ଦୃଷ୍ଟିରୁ ଆପଣଙ୍କର ଏକ ଆପାତଃ ପୂର୍ଣ୍ଣାଙ୍ଗ ‘ଆତ୍ମଜୀବନୀ’ ବା ‘ସ୍ମୃତିକଥା’ ଆଗାମୀ ଦିନରେ ଆପଣଙ୍କର ପାଠକମାନେ ଆଶା କରନ୍ତି। ପାଠକପାଠିକାଙ୍କର ସେ ଆଶା ଆପଣ କେବେ ପୂରଣ କରିବେ ?

avatar

ପୂରଣ କରିପାରିବି ବୋଲି ମନେ ହୁଏନା। ଲେଖିଲେ ହୁଏତ ହୃଦୟଗ୍ରାହୀ ହେବ, କିନ୍ତୁ ମୋ ଜୀବନର ସଞ୍ଚିତ ଅଭିଜ୍ଞତା ସବୁ ଅନ୍ୟମାନଙ୍କ ପାଇଁ କେତେ ତାତ୍ପର୍ଯ୍ୟପୂର୍ଣ୍ଣ ହେବ, ସେ ସମ୍ପର୍କରେ ମୁଁ ସନ୍ଦିହାନ। ବେଳ ବା ଅବଶିଷ୍ଟ ଅଛି କେତେ ! କୁହାଯାଏ ପରା କେତେ ରାତିକୁ କେତେ ସପନ !

ସୌଜନ୍ୟ: “ଶ୍ରେୟା”, ଜୁଲାଇ ୨୦୧୩ ସଂଖ୍ୟା

Prof Manoj Das for April Conference 2016

About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.